ବିଜୁ ଜନତା ଦଳର ନେତାମାନେ ଏବେ ଆଉ ସିଧାସଳଖ କିଛି କହୁନାହାନ୍ତି। ସିଧାସଳଖ କହି ବରିଷ୍ଠନେତା ଯେମିତି ଦୁର୍ଦ୍ଦଶା ଭୋଗୁଛନ୍ତି ତାହାକୁ ଦୂରେଇବା ଲାଗି ଡିଲ୍କୁ ଅପେକ୍ଷା କରୁଛନ୍ତି। ଆଉ ଡିଲ୍ ପାଇଁ ବ୍ଲାକ୍ମେଲିଂ ବି କରୁଛନ୍ତି। ଏହାର କାରଣ ହେଉଛି ଯେଉଁ ନେତାଙ୍କ ବାବଦରେ ଏହି ନେତାମାନେ ଅଭିଯୋଗ ଆଣୁଛନ୍ତି ସେମାନଙ୍କ ବିରୋଧରେ ତାଙ୍କ ପାଖରେ କୌଣସି ଶକ୍ତ ପ୍ରମାଣ ନାହିଁ। ଏଣୁ କେବଳ ବଦ୍ନାମ କରି ନିଜର ଫାଇଦା ଗୋଟାଇବାକୁ ଚେଷ୍ଟା କରୁଛନ୍ତି। ଏମିତି ଅନେକ ଉଦାହରଣ ରହିଛି। କିନ୍ତୁ ନିକଟରେ ଦୁଇଟି ଉଦାହରଣ ଏହାର ଭିନ୍ନ ଦିଗ ଉନ୍ମୋଚନ କରିବ। ସେ ବିଷୟକୁ ଆପଣଙ୍କ ଆଗକୁ ଆଣିବା ଲାଗି ଆଜି ବିଷୟ ‘ବ୍ଲାକମେଲିଂ’।
ରାଜନୀତିରେ ବ୍ଲାକମେଲିଂ କିଛି ନୂଆ କଥା ନୁହେଁ। କୁହାଯାଏ କ୍ଷମତା ଯେଉଁଠି ବ୍ଲାକମେଲିଂ ସେଇଠି। ହେଲେ କ୍ଷମତା ଯିବା ପରେ ବିଜେଡିରେ ଏବେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଲାଣି। ହାତ ଧରାଧରି ହୋଇ ଗୋଟିକ ପରେ ଗୋଟିଏ ନେତା ଏହି କୌଶଳକୁ ଆପଣାଉଛନ୍ତି। ଅବଶ୍ୟ କ୍ଷମତାରେ ଥିବାବେଳେ ବି ବିଜେଡିରେ ଏ ପରମ୍ପରା ରହିଥିଲା। କିନ୍ତୁ ତାହାକୁ ବିଭିନ୍ନ ପ୍ରକାର କୌଶଳରେ କ୍ଷମତା ଉପଭୋଗ କରୁଥିବା ବ୍ୟକ୍ତି ଚପାଇ ଦେଉଥିଲା। ଏପରିକି ଗଣମାଧ୍ୟମର ଆଢ଼ୁଆଳରେ ରଖିବାକୁ ସମର୍ଥ ହେଉଥିଲା। ହେଲେ ଏବେ କିନ୍ତୁ ସଭାପତିଙ୍କ ଅନେକ ଉଦ୍ୟମ ସତ୍ତ୍ୱେ ତାହା ଦମନ ହୋଇପାରୁନାହିଁ। ଫଳରେ ଗତକାଲି ଦୁଇଜଣ ନେତା ଦଳର କଳିକୁ ପଦାରେ ପକାଇ ଦେଇଛନ୍ତି।
ପ୍ରଥମ ହେଉଛନ୍ତି ପୁରୀ ବିଧାୟକ ସୁନୀଲ ମହାନ୍ତି। ତାଙ୍କ ଅନୁସାରେ ଦଳରେ କିଛି କୁଚକ୍ରୀ ଅଛନ୍ତି ଯେଉଁମାନେ ତାଙ୍କୁ ୨୦୨୪ ନିର୍ବାଚନରେ ଟିକଟ ନ ଦେବାଠାରୁ ଆରମ୍ଭ କରି ହରାଇବା ଲାଗି ଉଦ୍ୟମ କରିଥିଲେ। ଏମିତି କୁଚକ୍ରୀ ସବୁ ଦଳରେ, ସବୁ ସ୍ଥାନରେ ରହିଛନ୍ତି। ଏଣୁ ତାଙ୍କ ଦଳରେ ରହିବା ସ୍ୱାଭାବିକ ବୋଲି ସେ ସୂଚାଇ ଦେଇଛନ୍ତି। ନିର୍ବାଚନ ପରେ ଯେ କୁଚକ୍ରୀଙ୍କ ଆକ୍ରମଣ ବନ୍ଦ ହୋଇଛି ତାହା ନୁହେଁ, ନିଜକୁ ସଫେଇ ଦେବାକୁ ଯାଇ ସେ କହିଛନ୍ତି ଏବେ ବି ଏହି କୁଚକ୍ରୀ ଗୋଷ୍ଠୀ ସକ୍ରିୟ ରହିଛନ୍ତି।
ରବିବାର ଦିନ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବଙ୍କ ଘରେ ପୁରୀ ରାଜନୀତିର ଚର୍ଚ୍ଚା ହେବା ଏବଂ ପୁରୀ ଜିଲ୍ଲାର ନେତାମାନଙ୍କୁ ସେଠାରେ ଭାଗିଦାରୀ କରାଯାଇଥିବା ବିଷୟକୁ ଉଠାଇ ସେ ଏହିପରି କହିଛନ୍ତି। ମୁଁ ଏଠାରେ ଆପଣଙ୍କୁ ସୂଚିତ କରିବାକୁ ଚାହିଁବି ଯେ ଏହି ବୈଠକକୁ ପୁରୀର ବିଧାୟକ ସୁନୀଲ ମହାନ୍ତିଙ୍କୁ ଡକାଯାଇନଥିଲା ବୋଲି କୁହାଯାଏ। ନୂଆ କରି ଜିଲ୍ଲା ସଭାପତିଭାବେ ମନୋନୀତ ହୋଇଥିବା ଉମା ସାମନ୍ତରାୟ, ରାଜ୍ୟସଭା ସାଂସଦ ସୁଭାଶୀଷ ଖୁଣ୍ଟିଆଙ୍କ ଭଳି ନେତା ଏଥିରେ ଉପସ୍ଥିତ ଥିଲେ। କିନ୍ତୁ ପୁରୀ ବିଧାୟକ ଶ୍ରୀ ମହାନ୍ତି, ବରିଷ୍ଠ ନେତା ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ଏବଂ କାକଟପୁର ବିଧାୟକ ତୁଷାରକାନ୍ତୀ ବେହେରାଙ୍କୁ ଏଠାରେ ଦେଖିବାକୁ ମିଳି ନ ଥିଲା। ପୁରୀ ଜିଲ୍ଲାରେ ଦେଖା ଦେଇଥିବା ସାଂଗଠନିକ ଅଚଳାବସ୍ଥାକୁ ଦୂର କରିବା ଲାଗି ଏହି ବୈଠକ ଉଦ୍ଦିଷ୍ଟ ହୋଇଥିବେ ଦଳର କିଛି ବରିଷ୍ଠ ନେତା କହୁଥିଲେ ମଧ୍ୟ ବିଧାୟକ ଏବଂ ଟାଣୁଆ ନେତା ସଞ୍ଜୟଙ୍କୁ ଏହି ବୈଠକକୁ ଡକା ନ ଯିବା ଏକ ଷଡ଼ଯନ୍ତ୍ରର ଆଭାସ ବୋଲି ମିଡିଆରେ ଚର୍ଚ୍ଚା ହୋଇଥିଲା।
ଘଟଣାର ୪ ଦିନ ପରେ ବିଧାୟକ ମହାନ୍ତି ପୁଣିଥରେ ଗଣମାଧ୍ୟମରେ ଏ ବିଷୟକୁ କହିବାକୁ ଚାହିଁଛନ୍ତି। ସେ କହିଛନ୍ତି ଦଳରେ କୁଚକ୍ରୀ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ହେଲେ ସେ କୁଚକ୍ରୀ କିଏ ତାହାକୁ କହିବାକୁ ସାହସ କରିପାରି ନାହାନ୍ତି। ଦଳକୁ ଏକ ଶୃଙ୍ଖଳିତ ଦଳ ବୋଲି ସେ କହିଛନ୍ତି, କିନ୍ତୁ ଜଣେ ବରିଷ୍ଠ ନେତା, ସାଂସଦଙ୍କ ଦ୍ୱାରା ଦଳର ଶୃଙ୍ଖଳା ଓ ସଭାପତିଙ୍କ କଥା ରକ୍ଷା କରାଯାଇନଥିବା ଉଦାହରଣ ଦେଇଛନ୍ତି। ଏହି ପରସ୍ପର ବିରୋଧୀ ଚିନ୍ତା କେବଳ ନିଜର ଫାଇଦା ପାଇଁ ଉଦ୍ଦିଷ୍ଟ ହୋଇପାରେ।
ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପୁଅ ହେଉଛନ୍ତି ସୁନୀଲ ମହାନ୍ତି। ତାଙ୍କ ରାଜନୀତିକ ସମ୍ପର୍କ ସଞ୍ଜୟଙ୍କ ସହ ବହୁତ ଉତ୍ତମ। କିନ୍ତୁ ସୁଭାଶୀଷଙ୍କ ସହ ତାଙ୍କର ରାଜନୀତିକ ଶତ୍ରୁତା ରହିଛି। ଶୁଭାଶୀଷ ତାଙ୍କୁ ଚେକ୍ ଦେବାକୁ ଉଦ୍ୟମ କରୁଥିବା କୁହାଯାଏ। ଏହି ଅଭିଯୋଗ ଉଭୟ ଶୁଭାଶୀଷ ଏବଂ ସୁନୀଲଙ୍କୁ ପୂର୍ବରୁ ସହାୟକ ହୋଇଛି। ଗୋଟିଏ ପଟେ ସୁନୀଲ ବିଜେଡି ଟିକଟ ପାଇବାରେ ସକ୍ଷମ ହୋଇଥିବାବେଳେ ସୁଭାଶୀଷ ରାଜ୍ୟସଭା ଆସନ ହାତେଇ ପାରିଥିଲେ।
ଏବେ ଦୁହିଁଙ୍କ ଭିତରେ ଶକ୍ତି ପ୍ରଦର୍ଶନ ପୁଣି ଉତ୍କଟ ହୋଇଛି ଆଉ ଏହାର ପ୍ରଚ୍ଛଦରେ ରହିଛି ପ୍ରତାପ ଦେବ ବନାମ ସଞ୍ଜୟ ଦାସବର୍ମାଙ୍କ ଭିତରେ ଟକ୍କର। ଆଉ ସର୍ବାଗ୍ରେ ରହିଛି ପାଣ୍ଡିଆନ୍ଙ୍କ ଶିବିର ବନାମ ତାଙ୍କ ବିରୋଧୀ ନେତା। ହେଲେ କିଏ କୁଚକ୍ରୀ ତାହା ନ କହି ପରୋକ୍ଷରେ ନିଜ ପକ୍ଷରେ ଏକ ଡିଲ୍ ପାଇଁ ସେମାନେ ଚାହିଁ ବସିଛନ୍ତି।
ବିଜେଡିରେ ଏହି କୁଚକ୍ରୀ ଶବ୍ଦ କିଛି ନୂଆ ନୁହେଁ। ନିକଟ ଅତୀତର କ୍ୟାଲେଣ୍ଡରକୁ ଦେଖିଲେ ବିଜେଡିର ଭୁବନେଶ୍ୱର କର୍ପୋରେଟର ଅମରେଶ ଜେନା ଏହି ଶବ୍ଦକୁ ୭ ଅକ୍ଟୋବରରେ ବ୍ୟବହାର କରିଥିଲେ। ସେ ସିଧାସଳଖ କହିଥିଲେ ଦଳକୁ ଭାଙ୍ଗିବାକୁ କୁଚକ୍ରୀ ଉଦ୍ୟମ କରୁଛନ୍ତି। ଏହା ସିଧାସଳଖ ଏକାମ୍ରର ପୂର୍ବତନ ବିଧାୟକ ଅଶୋକ ପଣ୍ଡାଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା। କିନ୍ତୁ ନିଜ କଥାର ସ୍ପଷ୍ଟୀକରଣ ଦେଇ ଅମରେଶ ଚୁପ୍ ରହିବାକୁ ବାଧ୍ୟ ହୋଇଛନ୍ତି।
ସେହିପରି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ନିର୍ବାଚନ ପୂର୍ବରୁ ୨୨ ଏପ୍ରିଲରେ ଏହି ‘କୁଚକ୍ରୀ’ ଶବ୍ଦକୁ ବ୍ୟବହାର କରିଥିଲେ। ତାଙ୍କ ଟିକଟ କଟିବା ପଛରେ କୁଚକ୍ରୀ ଗୋଷ୍ଠୀଙ୍କ ହାତ ଅଛି ବୋଲି ସେ କହିଥିଲେ। କିନ୍ତୁ ଟିକଟ ପାଇବା ତାଙ୍କ ପାଇଁ ସମ୍ଭବ ହୋଇନଥିଲା। ଏବେ ଦଳର କେଉଁ କୋଣରେ ସେ ଅଛନ୍ତି ତାହା କହିବା ମୁସ୍କିଲ।
ବିଜୁ ଜନତା ଦଳ ମଧ୍ୟ ‘କୁଚକ୍ରୀ’ ଶବ୍ଦକୁ ବ୍ୟବହାର କରି ୯ ଏପ୍ରିଲ ୨୦୨୫ରେ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ବାଇଟ୍କୁ ସୋଶାଲ୍ ମିଡିଆରେ ସେୟାର କରିଥିଲେ। ଏଥିରେ ନବୀନ ପାଣ୍ଡିଆନ୍ଙ୍କ ସମ୍ପୃକ୍ତିକୁ ନେଇ ନେତାମାନେ ଉଠାଇଥିବା ଅଭିଯୋଗକୁ ଖଣ୍ଡନ କରି ତାଙ୍କୁ କ୍ଲିନ୍ଚିଟ୍ ଦେବା ସହିତ ପ୍ରଶଂସା କରିଥିଲେ।
ଅର୍ଥାତ୍ ଦଳଠାରୁ ଆରମ୍ଭ କରି ନେତା ଓ କୁଜି ନେତା ଯାଏ ନିଜର ସୁରକ୍ଷା ଲାଗି ଏହି ଶବ୍ଦକୁ ବ୍ୟବହାର କରିଛନ୍ତି। ଏବେ ସୁନୀଲ ଏହାକୁ ବ୍ୟବହାର କରିବା କିଛି ନୂଆ କଥା ନୁହେଁ। କିନ୍ତୁ ପ୍ରଶ୍ନ ଉଠୁଛି ମହେଶ୍ୱରଙ୍କ ସୁପୁତ୍ର କାହିଁକି ସିଧାସଳଖ କହିବାକୁ ସାହସ କରୁ ନାହାନ୍ତି। ନିଜ ଭିତରେ କାହିଁକି ଦମ୍ଭର ଅଭାବ ରହିଛି। ଦଳର ଟିକଟ ବିନା ମହେଶ୍ୱର ନନ୍ଦନ ଶୂନ୍ୟ ଛଡ଼ା ଆଉ କିଛି ନୁହେଁ ବୋଲି ଜାଣିଛନ୍ତି କି? ନା ଏହି ଶବ୍ଦକୁ ବ୍ୟବହାର କରି ସେ ବିଜେଡି ମୁଖିଆ ଓ ତାଙ୍କ ନିକଟତମ ସହଯୋଗୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛନ୍ତି?
ସୁନୀଲ୍ଙ୍କ ସହ ଆଉ ଜଣେ ବରିଷ୍ଠ ନେତାଙ୍କ ବୟାନରେ ବି ଏଭଳି ଆଶଙ୍କା ଦେଖିବାକୁ ମିଳିଛି ସେ ହେଉଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ନିଜ ପାଇଁ ସଫେଇ ଦେବାକୁ ଯାଇ ମିଡ୍ନାଇଟ୍ ଅପରେସନ୍ କଥା ମନେ ପକାଇଛନ୍ତି। ସେତେବଳେ ଦୁଇଜଣ ମନ୍ତ୍ରୀ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିବାରୁ ସେ ଆଜି ଧଳାସାର୍ଟରୁ ନାଲିସାର୍ଟ ପିନ୍ଧିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି। କିନ୍ତୁ ବଡ଼ କଥା ହେଉଛି ଏ ଦୁଇ ମନ୍ତ୍ରୀ କିଏ ତାହା କହିବାକୁ ଚେଷ୍ଟା କରିନାହାନ୍ତି।
ଏମିତି ବିବାଦୀୟ ବୟାନ ପ୍ରଭାତ ଦେବା କିଛି ନୂଆ କଥା ନୁହେଁ। କିନ୍ତୁ ଏହା ସ୍ପଷ୍ଟ କରୁଛି ଯେ, ପ୍ରଭାତ ଏତେ ଫାଇଦା ପାଇବା ପରେ ବି ଦଳରେ ଅସନ୍ତୁଷ୍ଟ ରହିଛନ୍ତି। ହେଲେ ସତକଥା କହିବାକୁ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ।
ପ୍ରମାଣ ନ ଥାଇ ଏପରି ରାଜନୀତିକ ବୟାନବାଜୀ କରି ନିଜର ପଲା ଭାରି କରିବାର ଉଦ୍ୟମ ବିଜେଡିରେ ଅନେକ ଦିନ ହେଲା ଚାଲି ଆସୁଛି। ବିଶେଷ କରି ନିର୍ବାଚନ ଓ ନିର୍ବାଚନ ପରବର୍ତ୍ତୀ ସମୟରେ। ଯଦିଓ ଏବେ ଆଉ ନେତା ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ପଦଟିଏ କହିବାକୁ ସାହସ କରୁ ନାହାନ୍ତି କିନ୍ତୁ ଇଙ୍ଗିତ ତାଙ୍କରି ଆଡ଼କୁ ହିଁ କରାଯାଉଛି। ଦଳ ଯେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି ତାହାର ଉଦାହରଣ ଦେଉଛି।
Also readhttps://purvapaksa.com/why-isnt-the-us-selling-f-22s-to-anyone/
Why isn’t the US selling F-22s to anyone? ।। ଏଫ୍-୨୨କୁ କାହିଁକି ଆମେରିକା କାହାକୁ ବିକ୍ରି କରୁନାହିଁ?