ରାଜ୍ୟରେ ବିଜେପି ସରକାରଙ୍କୁ ଏକ ବର୍ଷ ପୂରିବାକୁ ଯାଉଛି। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିବା ଆରମ୍ଭ ହେଲାଣି। ଏହା କୌଣସି ନୂଆ କଥା ନୁହେଁ, ଯିଏ ଯେତେବଳେ ସରକାରରେ ରହିଛି ତା’ର ଇଚ୍ଛା ଅନୁସାରେ ସରକାରୀ ତହବିଲର ଅର୍ଥ ଖର୍ଚ୍ଚ କରି ସେ ଏପରି ବ୍ୟବସ୍ଥା ଆପଣାଇଛି। କିଛିଦିନ ଲୋକଙ୍କ ନଜରରେ ରହିବା ଲାଗି ଏହା ଏକ ପ୍ରଭାବଶାଳୀ ଉଦ୍ୟମଭାବେ ଗ୍ରହଣ କରାଯାଉଛି।
ଏହିକ୍ରମରେ ବିଜେପି ସରକାର ଏବଂ ବିଜେପି ପ୍ରାୟୋଜିତ ସଂଗଠନର ହୋର୍ଡିଂ ଓ ପୋଷ୍ଟରକୁ ଦେଖିଲେ ଏହା ସ୍ପଷ୍ଟ ଯେ ସରକାର ରାସ୍ତାଘାଟର କୌଣସି ସ୍ଥାନକୁ ଛାଡ଼ିବାକୁ ଚାହୁଁ ନାହାନ୍ତି। ହେଲେ ଯେଉଁଭଳି ଭାବେ ଏହି ହୋର୍ଡିଂରେ ପ୍ରଚାର ପାଇଁ ଶବ୍ଦ ବ୍ୟବହାର କରାଯାଉଛି ତାହା ସରକାରୀ କଳ ଓ ଦଳର ମୁର୍ଖାମୀକୁ ସୂଚିତ କଲାଣି। ଏହା କ’ଣ ଓଷଦ ବିକଳରେ ତାଟିଆ କାମୁଡ଼ିବା କି?
ମେ’-୭ରୁ ୧୦ ତାରିଖ ଯାଏ ଭାରତର ସେନାବାହିନୀ ଯେଉଁଭଳି ଭାବେ ‘ଅପରେସନ୍ ସିନ୍ଦୂର’ ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ବିଶ୍ୱକୁ ଚହଲାଇଲା, ତାହା ଆଜି ଯାଏ ଦେଶ ବିଦେଶର ବିଭିନ୍ନ କୋଣରେ ଗୁଞ୍ଜରିତ ହେଉଛି। ଏପରିକି ପାକିସ୍ତାନ ସରକାର ଓ ସେନା ନିଜର ଇଜ୍ଜତ ରଖିବା ପାଇଁ ମିଛ ପ୍ରଚାରକୁ ଆପଣାଉଛି। ନିକଟରେ ଚୀନ୍ର ଏକ ଯୁଦ୍ଧାଭ୍ୟାସ ଫଟୋକୁ ମଧ୍ୟ ନିଜର ବୋଲି କହିବାକୁ ଭୁଲି ନାହିଁ।
ଏ ଭିତରେ ଏମିତି ଏକ ଅସତ୍ୟ ଓ କପୋଳକଳ୍ପିତ ପ୍ରଚାର ଭୁବନେଶ୍ୱରର ରାସ୍ତାଘାଟରେ ଦେଖିବାକୁ ମିଳୁଛି। ବିଶେଷ କରି ଏୟାରପୋର୍ଟରୁ ସଚିବାଳୟ ରାସ୍ତାରେ ଏମିତି ହୋର୍ଡିଂ ସବୁ ଲଗାଯାଇଛି ଯାହା ଅପରିପକ୍ୱ ବିଜ୍ଞାପନକୁ ସ୍ପଷ୍ଟ କରୁଛି।
ହଁ, ଆପଣଙ୍କୁ ନିକଟରେ ବିଭିନ୍ନ ରାସ୍ତାକଡ଼ରେ ଲଗାଯାଇଥିବା କିଛି ଅସ୍ଥାୟୀ ହୋର୍ଡିଂ ଓ ପୋଷ୍ଟର କଥା କହୁଛି। ମୁଁ ଜାଣିନି ଏ ଭଳି ହୋର୍ଡିଂ ଲଗାଇବାକୁ ବିଏମ୍ସି ଅନୁମତି ଦେଇଛି ନା ଚାପରେ ଚେପା ହୋଇ ଚୁପ୍ ବସିଛି। କିନ୍ତୁ ଏଥିରେ ଯେଉଁ ଭାଷା ଓ ଶବ୍ଦବ୍ୟବହାର କରାଯାଇଛି ତାହା ସ୍ପଷ୍ଟ କରୁଛି ଯେ, ସରକାର ଓ ବିଜେପି ପ୍ରାୟୋଜିତ କ୍ରିଏଟିଭ୍ ଏଜେନ୍ସୀମାନେ ସରକାରୀ କଳ ଓ ଦଳକୁ ମୁର୍ଖ ବୋଲି ପ୍ରମାଣିତ କରିବାକୁ ଲାଗିପଡ଼ିଛନ୍ତି।
ନିକଟରେ ସରକାର ଶିକ୍ଷାନୁଷ୍ଠାନରେ ଓବିସି ବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ଆସନ ସଂରକ୍ଷଣ କରିବାକୁ ଘୋଷଣା କରିଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ ଏହି ଆରକ୍ଷଣ ଲାଗୁ ହେବ। ସାରାଦେଶରେ ଜାତିଭିତ୍ତିକ ରାଜନୀତି ଏକ ନୂଆ ପ୍ରସଙ୍ଗଭାବେ ମୁଣ୍ଡ ଟେକୁଥିବାବେଳେ ରାଜ୍ୟର ଓବିସି ବର୍ଗଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାର ନେଇଥିବା ଏହି ନିଷ୍ପତ୍ତିକୁ ଅନେକ ପ୍ରଶଂସା କରୁଛନ୍ତି। ଏପରିକି ବିରୋଧି ଦଳର ତୁଣ୍ଡ ବି ନୀରବ ହୋଇଛି। କିନ୍ତୁ ଏ ଆରକ୍ଷଣ କାହିଁକି ରାଷ୍ଟ୍ରୀୟ ସ୍ତରର ଆରକ୍ଷଣ ଭଳି ୨୭ ପ୍ରତିଶତ ହେବ ନାହିଁ ତାହାକୁ ନେଇ ବିରୋଧୀ ଦଳ ଅନଶନ, ଧାରଣା, ବିକ୍ଷୋଭ ବୟାନବାଜୀ ଚଳାଇଛନ୍ତି।
ବିରୋଧୀଙ୍କ ଏହି ବୟାନବାଜୀକୁ ପ୍ରତିହତ କରିବା ପାଇଁ ସରକାରୀ ଦଳ ପ୍ରାୟୋଜିତ ସମର୍ଥନ ଶୋଭାଯାତ୍ରା ଆରମ୍ଭ କରିଛନ୍ତି। ଏଥିରେ ସାମିଲ ହୋଇଛି ‘ଅପରେସନ୍ ପୋଷ୍ଟର’ ଅର୍ଥାତ୍ ବିଭିନ୍ନ କୋଣରେ ୫୦ ବର୍ଷ ହେଲା ଯାହା ହୋଇନାହିଁ ତାହାକୁ ବିଜେପି ସରକାର ବର୍ଷକରେ କରିଛନ୍ତି ବୋଲି କହିବାକୁ ଚାହୁଁଛନ୍ତି।
ଏହି ୫୦ ବର୍ଷରେ ବିଜେଡିର ୩୫ ବର୍ଷ ଓ କଂଗ୍ରେସର ୧୫ ବର୍ଷର ଶାସନକୁ ସାମିଲ କରାଯାଇଛି। କିନ୍ତୁ ବାସ୍ତବରେ ଏହି ସଂଖ୍ୟା ବିଜେପି ଆଣିଲା କେଉଁଠୁ? ପୁଣି ସ୍ୱାଧୀନତାକୁ ୭୮ ବର୍ଷ ହୋଇଥିବାବେଳେ ବିଜେପିର ପୋଷ୍ଟର ନିର୍ମାତାମାନେ ୫୦ ବର୍ଷକୁ କାହିଁକି ଗୁରୁତ୍ୱ ଦେଉଛନ୍ତି?
ଯଦି ଓବିସିଙ୍କ ପାଇଁ ସଂରକ୍ଷଣ ଲାଗୁ ବର୍ଷକୁ ଚିନ୍ତା କରାଯାଏ ତେବେ ଏହା ୧୯୯୦ ଅଗଷ୍ଟ ମାସର କଥା। ଏହି ଘଟଣାକୁ ୩୫ ବର୍ଷ ପୂରିବ। ହେଲେ ରାଜ୍ୟ ସରକାର ୫୦ ବର୍ଷ ଆଣିଲେ କେଉଁଠୁ? ପୁଣି ପୋଷ୍ଟରରେ ୧୦ ବର୍ଷ ବିଜେଡି ଶାସନ ଯୁକ୍ତ ୧୫ ବର୍ଷ କଂଗ୍ରେସ ଶାସନ ଯୁକ୍ତ ୨୫ ବର୍ଷ ବିଜେଡି ଶାସନ ବୋଲି ଉଲ୍ଲେଖ କରାଯାଇଛି, ଏହା କିପରି? ବିଜୁ ବାବୁ କ’ଣ ବିଜେଡି ଗଢ଼ିଥିଲେ କି? ନବୀନ ସରକାର ୨୦୦୦ ମସିହାରେ ଗାଦିକୁ ଆସିଲେ। ୨୦୨୪ ନିର୍ବାଚନରେ ତାଙ୍କର ଗାଦିକୁ ରାଜ୍ୟବାସୀ ଛଡ଼ାଇ ନେଲେ। ଏହା ୨୫ ବର୍ଷ କେମିତି ହେଲା। ରାଜ୍ୟ ସରକାର ନିଜର ପ୍ରଥମ ବର୍ଷର ସରକାରକୁ ବିଜେଡି ସରକାରଭାବେ ଗ୍ରହଣ କରୁଛନ୍ତି କି?
ଏ ପ୍ରଶ୍ନଗୁଡ଼ିକୁ ଆପଣଙ୍କ ବୁଝିବା ଉଦ୍ଦେଶ୍ୟରେ ଆହୁରି ଶାଣିତ କରିବାକୁ ଚାହିଁବି। ପ୍ରଥମେ ବିଜେଡି ଗଠନର କଥା। ଓଡ଼ିଶାର ରାଜନୀତିକ ଇତିହାସକୁ ଦେଖିଲେ ବିଜେଡି ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଗଠନ ହୋଇଥିଲା। ବିଜୁବାବୁ ରାଜ୍ୟବାସୀଙ୍କ ହୃଦୟରେ ଦେହାନ୍ତ ପରେ ହିଁ ଅଧିକ ପରିଚିତ ହେଲେ। ଏହି ସ୍ନେହ ଶ୍ରଦ୍ଧାର ପ୍ରତୀକଭାବେ ୨୦୦୦ ମସିହାରେ ବିଜୁବାବୁଙ୍କ ନାଁରେ ଗଠିତ ବିଜେଡିକୁ କ୍ଷମତା ମିଳିଲା। ଏହାପୁଣି ବିଜେପି ସହାୟତାରେ।
ଏକ ମେଣ୍ଟ ଗଢ଼ି ବିଜେପି-ବିଜେଡି ଏକାଠି ଓଡ଼ିଶାରେ ୨୦୦୦ ମସିହାରୁ ୨୦୦୮ ଯାଏ ଶାସନ କରିଥିଲେ। ଏହାପରେ ମେଣ୍ଟ ଭଙ୍ଗ ହେଲା ବିଜେପି ରାଜ୍ୟରେ ତଳିତଳାନ୍ତ ହେଲା। କିନ୍ତୁ ୨୦୨୪ରେ ଅଭୂତପୂର୍ବଭାବେ ବିଜେପି ସରକାରକୁ ଆସିଛି। ଅର୍ଥାତ୍ ନବୀନଙ୍କ ଶାସନ କହିଲେ ୨୪ ବର୍ଷ ରହୁଛି। କିନ୍ତୁ ବିଜେପିର ପ୍ରାୟୋଜିତ ପୋଷ୍ଟରରେ ଏହାକୁ ୨୫ ବର୍ଷ ଉଲ୍ଲେଖ କରାଯାଇଛି।
ଏଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଅନେକ ଦିନ ହେଲା ‘ଏଣିକି ଜନ ପ୍ରତିନିଧିଙ୍କ ଶାସନ ଚାଲିବ’ ବୋଲି ଆହ୍ୱାନ ଦେଉଥିବା ମୋହନ ମାଝୀଙ୍କ ସରକାର ଏବେ ବିଜେଡିର ଶାସନ ଚାଲିଛି ବୋଲି ବୋଧହୁଏ ଗ୍ରହଣ କରିଛନ୍ତି। ବୋଧହୁଏ ବିଜେଡି ମାର୍କା ଅଫିସରମାନେ ସରକାରକୁ ଉଠ୍ବସ୍ କରୁଥିବାରୁ ବିଜେପି ନେତାମାନେ ବିଜେଡି ସରକାର ୨୫ ବର୍ଷର ବୋଲି ଯୁକ୍ତି କରିଛନ୍ତି।
ଦ୍ୱିତୀୟରେ ଏହି ପୋଷ୍ଟରରେ ଉଲ୍ଲେଖ ଅଛି ଯେ ବିଜୁ ବାବୁଙ୍କ ୧୦ ବର୍ଷ ଶାସନ। କଂଗ୍ରେସରେ ଜାନକୀଙ୍କ ୧୫ ବର୍ଷ ଶାସନ। ଅଧିକ ସ୍ପଷ୍ଟ କରିବାକୁ ଗଲେ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟରେ ୩ ଥର ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଛନ୍ତି। କିନ୍ତୁ ଏହା ୧୫ ବର୍ଷ ନୁହେଁ। ପ୍ରଥମ ଶାସନ ସେ ୧୯୮୦ ମସିହା ଜୁନ୍ ୯ ତାରିଖରେ ଗ୍ରହଣ କରିଥିଲେ। ରାଜ୍ୟର ଏହାଥିଲା ୯ମ ବିଧାନସଭା ନିର୍ବାଚନ। ଏଥିରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ଜିତି ଆସିଥିଲେ ଜାନକୀ। ପ୍ରଥମ ପର୍ଯ୍ୟାୟରେ ୫ ବର୍ଷ ନିରନ୍ତର ଶାସନ କରିଲେ।
ଏହାପରେ ପୁଣି ୧୦ ମାର୍ଚ୍ଚ ୧୯୮୫ରେ ଆଉଥରେ ସରକାର ଗଢ଼ିଲେ। ହେଲେ ଏହି ସରକାର ୫ ବର୍ଷ ରହିପାରିନଥିଲା। କଂଗ୍ରେସର ଚିରାଚରିତ ହାଇକମାଣ୍ଡଙ୍କ ପାଖରେ ଗୁହାରି ପଡ଼ିବାର ରୋଗରେ ଆକ୍ରାନ୍ତ ହୋଇ ଜାନକୀଙ୍କ ସରକାର ଭାଙ୍ଗିଯାଇଥିଲା। ଅର୍ଥାତ୍ ଦୁଇଟି ପର୍ଯ୍ୟାୟରେ ଜାନକୀ ୯ ବର୍ଷ ୧୮୧ ଦିନ ଶାସନ କରିଥିଲେ।
ଏହାପରେ ବିଜୁଙ୍କୁ ହରାଇ ପୁଣିଥରେ ଜାନକୀ ୧୯୯୫ ମସିହାରେ କ୍ଷମତାକୁ ଆସିଥିଲେ। ସେତେବଳେ ସେ ମାତ୍ର ୩ ବର୍ଷ ୩୩୯ ଦିନ ବା ୪ ବର୍ଷ ଅତିବେଶୀରେ ଶାସନ କରିଛନ୍ତି ବୋଲି କୁହାଯାଇପାରେ। ଅର୍ଥାତ୍ ୩ଥରରେ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାକୁ ୧୩ ବର୍ଷ ୧୫୫ ଦିନ ଶାସନ କରିଛନ୍ତି। ଏହା ୧୫ ବର୍ଷ ହେଲା କିପରି?
ଏବେ ବିଜୁ ପଟ୍ଟନାୟକଙ୍କ କଥା। ବିଜୁ ବାବୁଙ୍କ ସମୟରେ ହିଁ ଦେଶରେ ମଣ୍ଡଳ କମିଶନ ରିପୋର୍ଟ ଲାଗୁ ହୋଇ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ଆସନ ଦେବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। କିନ୍ତୁ ବିଜୁବାବୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ରାଜ୍ୟରେ ଏ ନେଇ କୌଣସି ଆଇନ ବ୍ୟବସ୍ଥା କରାଗଲା ନାହିଁ। ଫଳରେ ଦେଶର କିଛି ରାଜ୍ୟରେ ଓବିସିଙ୍କ ପାଇଁ ଆରକ୍ଷଣ ଲାଗୁ ହୋଇଥିବାବେଳେ ଓଡ଼ିଶାରେ ତାହା ହୋଇପାରିଲା ନାହିଁ। ଏହା ବିଜୁ ବାବୁଙ୍କ ଦ୍ୱିତୀୟ ଶାସନ ସମୟ ଥିଲା। ପୁଣି ଏହା ଜନତା ଦଳର ସରକାର ଥିଲା। ସେ ଏହି ସମୟରେ ୫ ବର୍ଷ ୧୦ ଦିନ ଶାସନରେ ରହିଥିଲେ।
ଏହା ପୂର୍ବରୁ ବିଜୁ ବାବୁ ଯେଉଁ ସରକାର ଗଢ଼ିଥିଲେ ତାହା କଂଗ୍ରେସ ସରକାର ଥିଲା। ଚୌଦ୍ୱାର ବିଧାନସଭା ମଣ୍ଡଳୀରୁ ନିର୍ବାଚନ ଜିତି ୧୯୬୧ ଜୁନ ୨୩ରୁ ୧୯୬୩ ଅକ୍ଟୋବର ୨ ତାରିଖ ଯାଏ ସେ କ୍ଷମତାରେ ଥିଲେ। ଅର୍ଥାତ୍ ୨ ବର୍ଷ ୧୦୧ ଦିନ ସେ କାର୍ଯ୍ୟ କରିଛନ୍ତି। ସବୁ ମିଶାଇଲେ ବିଜୁ ବାବୁ ରାଜ୍ୟକୁ ୭ ବର୍ଷ ୧୧୧ ଦିନ ଶାସନ କରିଛନ୍ତି। ଏହା ୧୦ ବର୍ଷ ହେଲା କିପରି?
ଏଣୁ ଯିଏ ବି ପଛୁଆ ବର୍ଗ ବିକାଶ ସଂଘର ଏହି ହୋର୍ଡିଂ ଓ ପୋଷ୍ଟର ଦେଖୁଛି ସେ ଭାବୁଛି କି ପ୍ରକାର ପାଗଳାମୀ ଏ ସରକାର ଓଡ଼ିଶାରେ ଦେଖାଉଛନ୍ତି। ଅସତ୍ୟ ଓ ବିଭ୍ରାନ୍ତିକର ପ୍ରଚାର କ’ଣ ଲୋକଙ୍କୁ ଧରି ରଖିବାରେ ସହାୟକ ହେବ ? ଚୋର ଘର ସବୁଦିନ ଅନ୍ଧାର ନ ରହିବା ଭଳି ଯେତେବେଳେ ଲୋକେ ଜାଣିବେ ସେତେବେଳେ ବିଜେପି ସରକାରକୁ ମିଛୁଆ ରାଧୁଆ ସରକାର କହିବେ ନାହିଁ ତ?
Also readhttps://purvapaksa.com/odisha-in-a-different-form-under-mohans-rule/