BJD: ଆମେ ହାରି ନାହୁଁ, କି ଲୋକଙ୍କ ବିଶ୍ସାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ବୋଲି ଆଜି ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ନବୀନ କହିଛନ୍ତି।
ଆଜି ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ସେବା କରି ଚାଲିବ ବୋଲି କହିଛନ୍ତି। ଓଡ଼ିଶାର ସ୍ୱାର୍ଥ ସର୍ବାଗ୍ରେ ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡ଼ିଶା ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡିର ଲଢ଼େଇ ଜାରି ରହିବ।
ଏହା ସହ ଦଳର ପ୍ରତିଷ୍ଠାର ସୁବର୍ଣ୍ଣ ମୁହୂର୍ତ୍ତ ସମ୍ପର୍କରେ ସ୍ମୃତି ଚାରଣ କରି ନବୀନ ପଟ୍ଟନାୟକ କହିଛନ୍ତି, ୧୯୯୭ ଡିସେମ୍ବର ୨୬ରେ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ। ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ। କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢ଼ିପାରିବ ନାହିଁ। ଏ ଦଳ କେବେ ସଫଳ ହେବ ନାହିଁ। ଆଉ ମତେ ମଧ୍ୟ କହୁଥିଲେ ମୁଁ ରାଜନୀତି ଜାଣେ ନାହିଁ। କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡ଼ିଶାବାସୀଙ୍କ ଆଶିର୍ବାଦ ଯୋଗୁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡ଼ିଶାବାସୀଙ୍କୁ ସେବା ଯୋଗାଇବାର ସୁଯୋଗ ପାଇଛି। ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ପାଇଛି।

ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ସରକାରର ସଫଳତା ଉପରେ. ଆଲୋକପାତ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ ଦୁନିଆରେ ବିଜେଡି ସରକାର ଓଡ଼ିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛି। ଅନ୍ୟ ରାଜ୍ୟର ଖାଦ୍ୟଶସ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି। ଓଡ଼ିଶାରେ ଗରିବୀ କମିଛି। ମୁଣ୍ଡପିଛା ଆୟ ବଢ଼ିଛି। ବିପର୍ଯୟ ପରିଚାଳନାରେ ଆଦର୍ଶ ରାଜ୍ୟ ହୋଇପାରିଛି। ରାଜ୍ୟରେ ପୁଞ୍ଜି ବିନିଯୋଗ ବଢ଼ିଛି। ୨୦୦୦ ମସିହାରେ ଋଣରେ ଚଳୁଥିବା ରାଜ୍ୟ ଆଜି ବଳକା ରାଜ୍ୟ ହୋଇପାରିଛି। ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ସାରାବିଶ୍ୱରେ ଓଡ଼ିଶା ଖେଳ ରାଜଧାନୀର ପରିଚୟ ପାଇଛି।
ଏଥିସହିତ ଓଡ଼ିଶାବାସୀଙ୍କ ଭଲ ପାଇବା ଓ କର୍ମୀ ଭାଇ ଭଉଣୀମାନଙ୍କ ପରିଶ୍ରମ ଯୋଗୁ ବିଜୁ ଜନତା ଦଳ ଆଜି ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ପ୍ରତିଷ୍ଠା ପାଇଛି ବୋଲି ପ୍ରକାଶ କରି ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ନିର୍ବାଚନ ପରାଜୟ ସମ୍ପର୍କରେ ନବୀନ ପଟ୍ଟନାୟକ କହିଥିଲେ ଯେ, ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ। ମୁଁ ଆଜି ତା’ର ଉତ୍ତର ଦେବି। ମୁଁ କହିବି ଆମେ ହାରି ନାହୁଁ। ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି। ଏତେ ମିଛ କହି ମଧ୍ୟ୍ୟ ବିଜେପି ଆମଠାରୁ କମ୍ ଭୋଟ୍ ପାଇଛି। ଆମର ଭୁଲ୍ ହେଲା ଆମେ ସେମାନଙ୍କ ମିଛର ଠିକ୍ ଭାବରେ ଜବାବ ଦେଇପାରିଲୁ ନାହିଁ। ସେମାନଙ୍କ ଅପପ୍ରଚାର ଓ ସାମାଜିକ ଗଣମାଧ୍ୟମରେ ମିଛ କାହାଣୀର ଠିକ୍ ଭାବରେ ଆମେ ଜବାବ ଦେଇପାରିଲୁ ନାହିଁ ।
ନବୀନ ପଟ୍ଟନାୟକ ଆଉ ମଧ୍ୟ କହିଛନ୍ତି ଆଜି ଓଡ଼ିଶାବାସୀ ଜାଣିଲେଣି ଯେ ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ତେଣୁ କର୍ମୀ ଭାଇ ଭଉଣୀମାନଙ୍କୁ ସାମାଜିକ ଗଣମାଧ୍ୟମ ରେ ସକ୍ରିୟ ରହି ବିଜେପି ମିଛ କାହାଣୀର ଉଚିତ ଜବାବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।
ବର୍ତ୍ତମାନ ଓଡ଼ିଶାରେ ଚାଲିଥିବା ସରକାର ବିଷୟରେ ଶ୍ରୀ ପଟନାୟକ କହିଥିଲେ ଯେ “ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ ବୃଦ୍ଧି। ଡାଲି ଚାଉଳଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶ ଛୁଆଁ। ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି। ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମା’ମାନେ ଦୁଃଖରେ ଅଛନ୍ତି। ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ? ବୋଲି ନବୀନ ପଟ୍ଟନାୟକ ପ୍ରଶ୍ନ କରିଥିଲେ।
ନିନ୍ଦୁକମାନଙ୍କୁ କଡ଼ା ଜବାବ ଦେଇ ନବୀନ ପଟ୍ଟନାୟକ କହିଥିଲେ ୧୯୯୭ରେ ଆମ ଦଳ ଗଠନ ବେଳେ ଯେମିତି କିଛି ଲୋକ କହୁଥିଲେ ଏ ଦଳର ଭବିଷ୍ୟତ ନାହିଁ, ଏବେବି କିଛି ନିନ୍ଦୁକ କହୁଛନ୍ତି ଯେ ଏ ଦଳର ଭବିଷ୍ୟତ ନାହିଁ। ମୁଁ ଦୃଢତାର ସହ କହିବାକୁ ଚାହେଁ ଯେ ବିଜୁ ଜନତା ଦଳର ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ଓଡ଼ିଶାବାସୀଙ୍କ ଭାବାବେଗ ସହ ବିଜୁ ଜନତା ଦଳ ଯୋଡ଼ି ହୋଇ ରହିଛି। ଶଙ୍ଖ ଚିହ୍ନ ଯୋଡ଼ି ହୋଇ ରହିଛି। “ଓଡ଼ିଶାର ପରିଚୟକୁ ଉଜ୍ଜ୍ୱଳ କରିଛି ବିଜୁ ଜନତା ଦଳ। ଓଡ଼ିଶାର ହକ୍ ପାଇଁ ଲଢ଼ୁଥିବା ଦଳ ହେଉଛି ବିଜୁ ଜନତା ଦଳ। ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶାର ଭିତ୍ତି ପକାଇଛି ବିଜୁ ଜନତା ଦଳ। ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିଯାଇଛି ବିଜୁ ଜନତା ଦଳ ଓ ଶଙ୍ଖ ଚିହ୍ନ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ଜେନା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର , ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ ମନ୍ମଥ ରାଉତରାୟ ପ୍ରମୁଖ ଭାଷଣ ଦେଇଥିଲେ।
Also readhttps://purvapaksa.com/nalco-rises-post-inking-mining-lease-deed-for-coal-blocks-in-odisha/


