ଏକଦା ବିଜେଡିର ଶକ୍ତି ଓ କ୍ଷମତା କେନ୍ଦ୍ର ସାଜିଥିବା ନବୀନ ପଟ୍ଟନାୟକ ଏବେ ବିଜୁ ଜନତା ଦଳ ପାଇଁ ଦୁଃଖ ପାଲଟିଛନ୍ତି। ତାଙ୍କ ବୟସ ବଢ଼ିବା, ଦେହ ଖରାପ ହେବା ଅଥବା ସେ କ୍ଷମତାରୁ ଅପସାରିତ ହେବା ଏହାର ଗୋଟିଏ ଗୋଟିଏ କାରଣ ହୋଇପାରେ। କିନ୍ତୁ ସବୁଠାରୁ ବଡ଼ କାରଣ ହେଉଛି ତାଙ୍କ ପରେ କିଏ ବିଜେଡିର ମଙ୍ଗ ଧରିବ ତାହା ସ୍ଥିର ନ ହୋଇପାରିବା। ପାଣ୍ଡିଆନ୍ ଓ ତାଙ୍କ ପରିବାର ପ୍ରତି ନବୀନଙ୍କର କି ଦୁର୍ବଳତା ରହିଛି ଯାହା ତାଙ୍କୁ ଏହି ପ୍ରକ୍ରିୟା ଓ ଆବଶ୍ୟକତାରୁ ବିରତ କରୁଛି? ନବୀନଙ୍କ କି ଦୁର୍ବଳତା ପାଣ୍ଡିଆନ୍ଙ୍କ ପାଖରେ ବନ୍ଧା ପଡ଼ିଛି, ଯାହା ତାଙ୍କୁ ଲକ୍ଷ ଲକ୍ଷ କର୍ମୀ, ନୂଆ ପୁରୁଣା ସହକର୍ମୀଙ୍କ ଆସ୍ଥାଠାରୁ ଦୂରେଇ ରହିବାକୁ ବାଧ୍ୟ କରୁଛି? କ’ଣ ସେ କାରଣ ଯେଉଁଥି ପାଇଁ ଏକ ସାମ୍ରାଜ୍ୟର ଉତ୍ତରାଧିକାରୀ ସ୍ପଷ୍ଟ ହୋଇପାରୁନାହିଁ? କାହିଁକି ବାରମ୍ବାର ଗୋଟିଏ ବ୍ୟକ୍ତିଙ୍କୁ ନେଇ ଦଳ ଗଣମାଧ୍ୟମରେ ନିନ୍ଦିତ ହେଉଛି, ଦଳରେ ସମାନ୍ତରାଳ ସଂଗଠନ ସୃଷ୍ଟି ହୋଇଛି। ଏମିତି ଅନେକ ଅମୀମାଂସିତ ପ୍ରଶ୍ନ।
ନବୀନ ହିଁ ଥିଲେ ଓଡ଼ିଶା ରାଜନୀତିର ମେରୁଦଣ୍ଡ
ପ୍ରାୟ ତିନି ଦଶନ୍ଧି ଧରି ଓଡ଼ିଶାରେ ନବୀନଙ୍କ ନିରବଚ୍ଛିନ୍ନ ନେତୃତ୍ୱ ସମସ୍ତ ପୂର୍ବତନ ରାଜନେତା ଓ ରାଜ୍ୟ ନିର୍ମାତାଙ୍କ ପ୍ରତିଚ୍ଛବିରେ ଏକଦା ଅଳନ୍ଧୁ ପକାଇ ଦେଇଥିଲା। ଏପରିକି ଯେଉଁ ନେତାଙ୍କ ନାମରେ ରାଜ୍ୟରେ ଜନତା ଦଳର ନେତାମାନେ ନିଜକୁ ପରିବର୍ତ୍ତିତ ରାଜନୀତିରେ ସଂଗଠିତ କରିଥିଲେ ସେ ହେଉଛନ୍ତି ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ନାଁ ମଧ୍ୟ ଏହି ଅଳନ୍ଧୁ ଭିତରେ ହଜିଯାଇଥିଲା ପ୍ରାୟ। କେବଳ ଶ୍ରାଦ୍ଧ ବା ଜନ୍ମ ଉତ୍ସବ ଆସିଲେ ଲୋକେ ବିଜୁ ପଟ୍ଟନାୟକଙ୍କୁ ମନେପକାଉଥିଲେ, ପାର୍ଟି ଅଫିସରେ ଫୁଲମାଳ ଆୟୋଜନ ହେଉଥିଲା। କିନ୍ତୁ ଅନ୍ୟ ସମୟରେ ନବୀନ ହିଁ ଥିଲେ ଓଡ଼ିଶା ରାଜନୀତିର ମେରୁଦଣ୍ଡ, ସର୍ବେସର୍ବା, ଅଖଣ୍ଡ କ୍ଷମତାର ଅଧିକାରୀ।
ବିଜୁ ବାବୁଙ୍କ ଖାସ୍ ସେବକମାନେ ନବୀନଙ୍କୁ ସଭାପତି କରିଥିଲେ
୧୯୯୭ରେ ଯେତେବେଳେ ଏ ଦଳ ପ୍ରତିଷ୍ଠା ହୋଇଥିଲା, ସେତେବେଳେ ମୃତ ବିଜୁବାବୁଙ୍କ ସାନପୁଅ ନବୀନ ପଟ୍ଟନାୟକଙ୍କୁ ତତ୍କାଳୀନ ବିଜୁ ବାବୁଙ୍କ ଖାସ୍ ସେବକମାନେ ଭିଡ଼ି ଆଣି ନବ ଗଠିତ ଦଳର ସଭାପତି ଆସନରେ ବସାଇଥିଲେ। ଖାଲି ସେତିକି ନୁହେଁ, ବିଜୁ ବାବୁଙ୍କ ଖାସ୍ ଥିବା ବ୍ୟକ୍ତି ଯେଉଁମାନେ ଅନ୍ତିମଶଯ୍ୟାରେ ବିଜୁଙ୍କୁ ସେବା ଶୁଶ୍ରୁଶା କରିଥିଲେ, ନିଜ ଘର ଅପେକ୍ଷା ଯାହାଙ୍କ ଘରେ ବିଜୁ ବାବୁ ଶେଷ ସମୟରେ ରହିବାକୁ ପସନ୍ଦ କରିଥିଲେ ସେ ମଧ୍ୟ ବିଜୁଙ୍କ ସାନପୁଅ ନବୀନଙ୍କୁ ବସାଇଥିଲେ କ୍ଷମତା ଗାଦିରେ। ପରବର୍ତ୍ତୀ ସମୟରେ ନବୀନ ଓଡ଼ିଶାବାସୀଙ୍କ ପ୍ରିୟ ହେଲେ। ବିଜୁ ଜନତା ଦଳର ଶକ୍ତିକେନ୍ଦ୍ର ସାବ୍ୟସ୍ତ ହେଲେ। ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତିଲେ। ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଦଳର କାୟା ବିସ୍ତାର କରି ନବୀନ ବିଜେଡିର ଶକ୍ତି ବି ପାଲଟିଲେ। ଏହି ପ୍ରକ୍ରିୟାରେ ସେହି ବିଜୁ ସେବକମାନେ ଧୀରେ ଧୀରେ ଅବଦମିତ ହେଲେ, ନିଷ୍କ୍ରିୟ ହେଲେ ବା ତାଙ୍କୁ ନିନ୍ଦିତ କରାଯାଇ ଦଳରୁ ଦୂରରେ ଦିଆଗଲା।
ଆଜି ସମୟ ଚକ୍ରରେ ସେ କିନ୍ତୁ କ୍ଷମତାରୁ ବାହାରେ। ସେ ଅସୁସ୍ଥ। ସେ ପରାଜିତ। ସେ ମଧ୍ୟ ପରଦା ପଛରେ ନିନ୍ଦିତ।
କ୍ଷମତାରେ ଥିବାବେଳେ ନବୀନଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ଅନେକଥର ଅଭିଯୋଗ ହୋଇଛି। କିନ୍ତୁ ଏ ଅଭିଯୋଗକୁ ଏଡ଼ାଇବା ଲାଗି ନବୀନଙ୍କୁ କେବେ କୌଣସି ମେଡିକାଲରେ ରାତି କଟାଇବାକୁ ଦିଆଯାଇନଥିଲା। ହେଲେ ଆଜି ସେ ଦୁଇଦିନ ହେଲା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ। ଏହା ପୁଣି ଡିହାଇଡ୍ରେସନ୍ ପାଇଁ। ଅତ୍ୟଧିକ ମେଡିସିନ୍ ସେ ଖାଉଛନ୍ତି, ଯାହା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ଆମେ ଡାକ୍ତର ନହଁନ୍ତି ଏଣୁ ଏ ବିଷୟରେ ଅଧିକ ତର୍ଜମା କରିବା ଆମ ପାଇଁ କଠିନ।
ନବୀନ ଓଡ଼ିଆ ଅସ୍ମିତାର ବିରୋଧୀ
ସେ ପରାଜିତ, କାରଣ କୌଣସି ନିର୍ବାଚନରେ ହାରିନଥିବା ଏହି ଅପ୍ରତିଦ୍ୱନ୍ଦ୍ୱୀ ନେତାଙ୍କ ନେତୃତ୍ୱକୁ ୨୦୨୪ ନିର୍ବାଚନରେ ମତଦାତାମାନେ ଅସ୍ୱୀକାର କରି କ୍ଷମତାଚ୍ୟୁତ କରିଥିଲେ। ଓଡ଼ିଆ ଅସ୍ମିତାର ବିରୋଧୀ ବୋଲି ହେଉଥିବା ପ୍ରଚାରରେ ଲୋକମାନେ ତାଙ୍କୁ ବିରୋଧ କରିଥିଲେ। ସେଥିଲାଗି ତାଙ୍କ ଦ୍ୱାରା ଦିଆଯାଇଥିବା ପ୍ରାର୍ଥୀଙ୍କୁ ମତଦାତାମାନେ ଭୋଟ ଦେଲେ ନାହିଁ। ଏଣୁ ସେ କ୍ଷମତାକୁ ଫେରି ପାରିଲେ ନାହିଁ। ଖାଲି ସେତିକି ନୁହେଁ, କୌଣସି ନିର୍ବାଚନରେ ହାରିନଥିବା ନବୀନଙ୍କୁ ଏହି ନିର୍ବାଚନରେ ପରାଜୟର ମୁହଁ ବି ଦେଖିବାକୁ ପଡ଼ିଥିଲା। ପଶ୍ଚିମାଞ୍ଚଳର ଭୋଟକୁ ସୁଦୃଢ଼ କରିବା ପାଇଁ ଦଳର ତତ୍କାଳୀନ ପରାମର୍ଶଦାତାମାନେ ତାଙ୍କୁ କଣ୍ଟାବାଞ୍ଝି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲେ। ଏହା ହିଁ ତାଙ୍କ ଜୀବନରେ ପ୍ରଥମ ପରାଜୟ ଆଣିଥିଲା। ଯଦି ବ୍ରହ୍ମପୁରର ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ନିର୍ବାଚନ ସମୟରେ ଆକ୍ରମଣ ହୋଇନଥାନ୍ତା ତେବେ ହିଞ୍ଜିଳିରୁ ମଧ୍ୟ ନବୀନ ପଟ୍ଟନାୟକ ହାରିଯାଇଥାଆନ୍ତେ। ସେଠାରୁ ତାଙ୍କର ଭୋଟ ମାର୍ଜିନ ଆକାଶରୁ ତଳକୁ ଖସି ଆସିଛି। ଅର୍ଥାତ୍ ନିର୍ବାଚନ ରାଜନୀତିରେ ଅପରାଜେୟ ମୁକୁଟ ଧାରଣ କରିଥିବା ନବୀନଙ୍କ ପ୍ରତିଚ୍ଛବି ଉଜୁଡ଼ି ଯାଇଥିଲା।
ଏବେ ସେ ନିନ୍ଦିତ କାହିଁକି
ଏବେ ସେ ନିନ୍ଦିତ କାହିଁକି? ୭୮ ବର୍ଷ ବୟସରେ ଭାରତରେ ଜଣେ ରାଜନେତାଙ୍କ ସମୟ ଶେଷ ହୋଇଗଲା ବୋଲି ପରିକଳ୍ପନା କରାଯାଇନପାରେ। ଗୋଟିଏ ନିର୍ବାଚନରେ ପରାଜୟ ବା କ୍ଷମତାରୁ ଦୂରରେ ରହିବାକୁ ‘ନିନ୍ଦିତ’ ବୋଲି ଚିତ୍ରଣ କରାଯାଇନପାରେ। ପୁଣି ବିନା ରାଜନୀତିକ ଅଭିଜ୍ଞତାରେ ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଜଣେ ସାଧାରଣ ନେତା ବୋଲି ବି ଆକଳନ କରାଯାଇନପାରେ। ସେ ସ୍ୱତନ୍ତ୍ର। ହେଲେ ରାଜନୀତିରେ ଆବଶ୍ୟକ ପଡ଼େ ନେତୃତ୍ୱର ବିକାଶ। ଯାହା ବିଜେଡିରେ ହୋଇପାରିନାହିଁ।
ଆପଣ କହିପାରନ୍ତି, ଏ ତିନି ଦଶନ୍ଧିରେ ଯେଉଁ ପ୍ରତିନିଧିମାନେ ଦଳକୁ ପ୍ରତିନିଧିତ୍ୱ କରିଛନ୍ତି, ଯେଉଁ ଯୁବକମାନେ ରାଜନୀତିକୁ କ୍ୟାରି୍ରୟରଭାବେ ଗ୍ରହଣ କରିଛନ୍ତି, ବିଧାୟକ ହୋଇ ଯେଉଁମାନେ ମନ୍ତ୍ରୀ ପାଲଟିଥିଲେ ସେମାନେ କ’ଣ ନେତା ନୁହଁନ୍ତି?
ସ୍ପଷ୍ଟଭାବେ କହିଲେ ଉତ୍ତର ଆସିବ ନା। ସେମାନେ ନେତା ନୁହଁନ୍ତି, ନବୀନଙ୍କ ପ୍ରତିନିଧି। ନବୀନ ଓ ତାଙ୍କ ରଣନୀତିକ ଟିମ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କାର୍ଯ୍ୟକୁ ରୂପାନ୍ତରିତ କରିବା ଲାଗି ନିୟୋଜିତ ଜଣେ ଜଣେ ଜଣେ ପ୍ରତିନିଧି। ଯେଉଁଦିନ ନବୀନଙ୍କ ଆଶୀର୍ବାଦ ସେମାନଙ୍କ ମୁଣ୍ଡ ଉପରୁ ଚାଲି ଯାଇଛି ବା ଚାଲିଯିବ ସେମାନେ ଆଉ ସେହି ପଦବାଚ୍ୟ ବି ହୋଇନାହାନ୍ତି ବା ହୋଇପାରିବେ ନାହିଁ।
ରଣନୀତିକାରଙ୍କ ନେତୃତ୍ୱ ନେଉଥିବା ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ ମଧ୍ୟ ଏହି ବର୍ଗ ଅନ୍ତର୍ଭୁକ୍ତ। ଏଠି ପାଣ୍ତିଆନ୍ଙ୍କ ନା ଉଠାଇବାର କାରଣ ହେଉଛି, ବିଜୁ ଜନତା ଦଳର ନୂଆ କ୍ୟାଡରଙ୍କ ଭିତରେ ସେ ହିଁ ହେଉଛନ୍ତି ଭଗବାନ। ଦଳର ନେତାମାନଙ୍କ ଦୃଶ୍ୟ ପଟ୍ଟଳରେ ଆଉ ନବୀନ ନାହାନ୍ତି, ବରଂ ପାଣ୍ଡିଆନ୍ ହେଉଛନ୍ତି ସର୍ବେସର୍ବା। ଆପଣ ଏହାକୁ ମାନନ୍ତୁ ବା ନ ମାନନ୍ତୁ ଏହା ହିଁ ସତ୍ୟ। ଆଉ ଏ ସତ୍ୟ ଲାଗି ରାଜ୍ୟରେ ବିଜେପିର ଅପ୍ରତ୍ୟାଶିତ ଉତ୍ଥାନ ହୋଇଛି ତାହାକୁ କହିବାକୁ ମୁଁ କେବେ ଦ୍ୱିଧା ଅନୁଭବ କରିବି ନାହିଁ।
ନବୀନଙ୍କ ପରବର୍ତ୍ତୀ ନେତା କିଏ?
ପ୍ରଶ୍ନ ହେଉଛି ଏହି ନୂଆ ବ୍ରିଗେଡିୟର ସୃଷ୍ଟି ଯଦି ନେତୃତ୍ୱ ବିକାଶ ନୁହେଁ, ତେବେ ନେତୃତ୍ୱ ବିକାଶ କ’ଣ? ଉତ୍ତର ବି ଆଉ ଏକ ପ୍ରଶ୍ନରେ ରହିଛି ତାହା ହେଲା ନବୀନଙ୍କ ପରବର୍ତ୍ତୀ ନେତା କିଏ? ନବୀନଙ୍କ ଅନୁପସ୍ଥିତିରେ ଦଳର କମାଣ୍ଡ କାହା ପାଖରେ ରହିବ? ନୂଆ ପିଢ଼ିରେ ଦଳକୁ କିଏ ଆଗକୁ ନେବ।
ଯେଉଁ ତାମିଲନାଡ଼ୁ ରାଜନୀତିରେ ବିଜେଡି ପ୍ରଭାବିତ ହୋଇଛି ବୋଲି ଆକ୍ଷେପ କରାଯାଉଛି ସେଠାରେ ବି କରୁଣାନିଧିଙ୍କ ପରେ ପରବର୍ତ୍ତୀ ନେତା କିଏ ହେବେ ତାହା ସ୍ଥିର ହୋଇଥିଲା ବୋଲି ଷ୍ଟାଲିନ ଆଜି ମୁଖ୍ୟମନ୍ତ୍ରୀ ଆସନରେ ବସିପାରିଛନ୍ତି। ତାମିଲନାଡ଼ୁ ଏଯାଏ ଆଞ୍ଚଳିକ ଦଳ ଦ୍ୱାରା ପରିଚାଳିତ ହେଉଛି। ତାହା ଏଆଇଏଡିଏମକେ କ୍ଷେତ୍ରରେ ହୋଇନଥିଲା ବୋଲି ଆଜି ଛିନ୍ନଭିନ୍ନ ହୋଇଛି।
କରୁଣାନିଧିଙ୍କ ପୁଅ ହିସାବରେ କ୍ଷମତା ହସ୍ତାନ୍ତରଣ ହୋଇଥିଲା। ହେଲେ ଏଆଇଏଡିଏମକେ ନେତ୍ରୀ ଉତ୍ତରାଧିକାରୀ ସ୍ଥିର କରିପାରିନଥିଲେ। ଯାହା ଏବେ ନବୀନଙ୍କ କ୍ଷେତ୍ରରେ ଦେଖା ଦେଇଛି। ଏ ଦୁଇ ନେତାଙ୍କ ଭିତରେ ଅନେକ ସାମଞ୍ଜସ୍ୟ ରହିଛି। ଜୟଲଳିତାଙ୍କ ଶାସନ ସମୟରେ ଶଶିକଳା ସବୁକିଛି ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ହେଉଥିଲା। ଏବେ ପାଣ୍ଡିଆନ୍ ବିଜେଡିରେ ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ଏପରିକି ରୋଗଶଯ୍ୟାରେ ନବୀନ ପଡ଼ିଥିବାବେଳେ ବରିଷ୍ଠ ବିଜେଡି ନେତାଙ୍କୁ ନବୀନଙ୍କ ପାଖ ମାଡ଼ିବାକୁ ଦିଆଯାଉନାହିଁ।
ପାଣ୍ଡିଆନ୍ ଉତ୍ତରାଧିକାରୀ ନୁହଁନ୍ତି
ନବୀନ ପାଣ୍ଡିଆନ୍ଙ୍କୁ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସ୍ପଷ୍ଟ କରିସାରିଛନ୍ତି। ହେଲେ କିଏ ଉତ୍ତରାଧିକାରୀ ହେବ ତାହା ସେ କହି ନାହାନ୍ତି। ଏହି ଦ୍ୱନ୍ଦ୍ୱ ଆଗକୁ ଯଦି ଦୂର କରାନଯାଏ ତେବେ ଦଳ ହୁଏ ତ ଆଗକୁ ବଢ଼ିବା ସମ୍ଭବ ହୋଇନପାରେ। ଅର୍ଥାତ୍ ଯେଉଁ ନେତା ଦିନେ ଦଳର ଶକ୍ତି ହୋଇ ପ୍ରେରଣା ଦେଉଥିଲେ ସେ ଆଜି ଦଳ ପାଇଁ ଦୁଃଖରେ ପରିଣତ ହୋଇଛନ୍ତି, ନୁହେଁକି?
Also readhttps://purvapaksa.com/a-challenge-to-lalu-tejashwi-teja-pratap-forms-jana-shakti-janata-dal/
