BJD Slipt: ବିଗତ କିଛିଦିନ ହେଲା ବିଭିନ୍ନ କାରଣରୁ ବିଜେଡି ବିଭାଜନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚାରେ ବିଜେଡି ସଭାପତି ଛାନିଆ ହୋଇଥିବାର ପ୍ରମାଣ ଆଜି ସର୍ବସମ୍ମୁଖେର ଦେଇଛନ୍ତି।
- କାହିଁକି ନବୀନ ଏମିତି କହିଲେ?
- ବିଜେପିକୁ ଯାଉଛି କିଏ?
- ପୁଣି ସନାଙ୍କ ନାଁ କାହିଁକି ଉଠିଲା?
କ୍ଷମତାରୁ ଯିବା ପରେ ବିଜେଡି ବିଭାଜନ ନେଇ ଏମିତି ଅନେକ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କାରଣ ଦଳରେ ଭୟ, ଅସନ୍ତୋଷ ଏବଂ ନବୀନଙ୍କ ପ୍ରତି ଆସ୍ଥା ସଙ୍କଟ ସୃଷ୍ଟି ହୋଇଛି।
ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବା ଦିନ (ଗୁରୁବାର) ବିରୋଧୀ ଦଳ ନେତା ନବୀନ ପଟ୍ଟନାୟଙ୍କ ନିଜ ବିଧାୟକଙ୍କ ପ୍ରତି ସର୍ବ ସମ୍ମୁଖରେ କଟାକ୍ଷ ଏହାକୁ ସ୍ପଷ୍ଟ କରିଛି। କଟାକ୍ଷ ନୁହେଁ ଏହାକୁ ଆପଣ ଚମ୍ପୁଆ ବିଧାୟକ ସନାତନ ମହାଖୁଡ଼ଙ୍କ ମାଧ୍ୟମରେ ନବୀନଙ୍କ ଡର ବୋଲି କହିପାରନ୍ତି। କ’ଣ କହିଲେ ନବୀନ।
ସାମାଜିକ ଗଣମାଧ୍ୟମରେ ବୁଲୁଥିବା ଭିଡିଓ ସ୍ପଷ୍ଟ କରୁଛି ଯେ, ବିଧାନସଭାରେ ବୈଠକରେ ଯୋଗ ଦେବାପାଇଁ ଆସୁଥିବା ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକ ସନାତନ ମହାଖୁଡ଼ଙ୍କୁ ଦେଖି ଫିଡ଼ିକି ଉଠିଥିଲେ। ଗତକାଲି ଦଳୀୟ ବୈଠକରେ କାହିଁକି ଯୋଗ ଦେଇନଥିଲେ ବୋଲି ପ୍ରଶ୍ନ କରିଥିଲେ?
ଏଥିରେ ସନାତନ ସଙ୍ଗେ ସଙ୍ଗେ ଦେହ ଖରାପ ବୋଲି କହିଥିଲେ କିନ୍ତୁ ତାହା ନବୀନଙ୍କୁ ଠିକ୍ ଲାଗି ନ ଥିଲା। କାରଣ ନବୀନଙ୍କୁ ମିଳିଥିବା ଆଗୁଆ ସୂଚନା ଆଉ କିଛି ଅଲଗା ରହିଥିଲା। ଆଉ ସେ ଏହାକୁ ବି ସ୍ପଷ୍ଟ କରିଥିଲେ। ସେ ବିଜେପି ନାଁ ନେଇଥିଲେ। ବିଧାନସଭାର ସତର୍କ ଘଣ୍ଟିରେ ତାଙ୍କ କଥା ଏହି ଭିଡିଓରେ ହଜିଯାଉଛି ଯେମିତି ବିଜେପି ସରକାରରେ ତାଙ୍କର ଅବସ୍ଥା।
ଦିନ ଥିଲା ଏହି ସନାତନ ମହାକୁଡ଼ ନବୀନଙ୍କୁ ଚମ୍ପୁଆରେ ଚ୍ୟାଲେଞ୍ଜ ଦେଇଥିଲେ। ୨୦୧୪ ମସିହାରେ ଚମ୍ପୁଆ ବିଧାନସଭା ଆସନରୁ ସେ ବିଜେଡିର ପ୍ରାର୍ଥୀଙ୍କୁ ଚିତ୍ପଟାଙ୍ଗ କରିଥିଲେ। ଖାଲି ସେତିକି ନୁହେଁ, ତାଙ୍କ ବିରୁଦ୍ଧରେ ସେତେବଳେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପପୁ ପମ୍ ପମ୍ ଓରଫ ତତ୍ତ୍ୱ ପ୍ରକାଶ ଶତପଥି ଏହି ନିର୍ବାଚନ ପରେ ରାଜନୀତି ଦୁନିଆକୁ ଭୁଲିଯିବାକୁ ବାଧ୍ୟ ହୋଇଥିଲେ।
କୁହାଯାଏ, ବିଜେଡିର ଅର୍ଥ ଓ ବାହୁବଳ ସେତେବେଳେ ସନାତନଙ୍କୁ କାବୁ କରିବାରେ ସକ୍ଷମ ହୋଇନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରକାରୀ କ୍ଷମତା ସନାଙ୍କୁ ବିଜେଡି ଜାଲରେ ବାନ୍ଧିଥିଲା। ୨୦୧୯ରେ ତାଙ୍କୁ ବିଜେଡିକୁ ନେଇଥିଲା ଦଳ । ହେଲେ ଟିକେଟ ଦେଲେ ନାହିଁ। ସେତେବଳେ ପାଣ୍ଡିଆନ୍ ଥିଓରୀରେ ତାଙ୍କୁ ବାଦ୍ ଦେଇ ତାଙ୍କର ଜଣେ ଅନୁଗାମୀଙ୍କୁ ଟିକେଟ୍ ମିଳିଥିଲା। ସେ ବି ଜିତିଥିଲେ। ୨୦୨୪ ନିର୍ବାଚନରେ କୁହାଯାଏ ସନାତନ ଧମକାଇ ଟିକଟ ନେଇଥିଲେ।
ଏବେ ସେ ବିଜେପି ଶିବିରରେ ବସୁଥିବା ଶୁଣି ନବୀନ ସେଥିଲାଗି ଛାନିଆ ହୋଇଛନ୍ତି। ପ୍ରମାଣ ନ ଥିଲେବି ନବୀନ ବାଉଳି ହେଉଛନ୍ତି ବୋଲି କେନ୍ଦୁଝରର କିଛି ଜଣାଶୁଣା ଲୋକ କହିଲେଣି। କାରଣ କେନ୍ଦୁଝରର ଖଣି ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ସନାତନ ମହାଖୁଡ଼ଙ୍କୁ ଆଉ ବିଜେଡିର କିରାଣୀ ରାଜନୀତି ପସନ୍ଦ ହେଉନି।
ପୁଣି ସନାତନଙ୍କ ମାଧ୍ୟମରେ ବିଜେଡି ଆଉ ଦଳୀୟ ପାଣ୍ଠି ଯୋଗାଡ଼ କରିପାରୁନଥିବା ବି ଶୁଣିବାକୁ ମିଳୁଛି। ଅର୍ଥାତ୍ ସନାତନ ଏବେ ବିଜେଡି ତଣ୍ଟିରେ କଣ୍ଟା, ଯାହାକୁ ସୁପ୍ରିମୋ ନା ଢୋକି ପାରୁଛନ୍ତି ନା ବାନ୍ତି କରିପାରୁଛନ୍ତି।
କିନ୍ତୁ ଏହାକୁ ଚମ୍ପୁଆ ବିଧାୟକ ସନାତନ ମହାଖୁଡ଼ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଜିଲ୍ଲାର ଘଷିପୁରା ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ସେ ଭେଟିଲେ କ’ଣ ଅସୁବିଧା ବୋଲି ଓଲଟି ପ୍ରଶ୍ନ କରିଛନ୍ତି।
Also readhttps://purvapaksa.com/lop-naveen-patnaik-seemingly-confirms-bjd-leaders-leaning-towards-bjp/


