ଆସନ୍ତାକାଲି ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବ ନାହିଁ। କାରଣ ଦଳ ଭିତରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ ଥମି ପାରୁ ନାହିଁ। ତେଣୁ ଏପରି ଏକ ନିଷ୍ପତ୍ତି ଦଳ ପକ୍ଷରୁ ନିଆଯାଇଥିବା ସୂଚନା ମିଳିଛି। ତେବେ ବିଜେଡିର ଏହି ନିଷ୍ପତ୍ତି ପରୋକ୍ଷରେ ବିଜେପିକୁ ସହାୟକ ହେବାର ସମ୍ଭାବନା ରହିଛି।
ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ, ବିଜୁ ଜନତା ଦଳ (ବିଜେଡି) ସୋମବାର ଦିନ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାରୁ ଦୂରେଇ ରହିବାର ନିଷ୍ପତ୍ତି ଘୋଷଣା କରିଛି।
ବିଜେଡିର ନିଷ୍ପତ୍ତିକୁ ନିଶ୍ଚିତ କରି, ଏହାର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏହି ପଦକ୍ଷେପ ଆଞ୍ଚଳିକ ଦଳର ଏନଡିଏ ଏବଂ ଇଣ୍ଡିଆ ଗୋଷ୍ଠୀ ଉଭୟଙ୍କଠାରୁ ସମାନ ଦୂରତା ବଜାୟ ରଖିବା ନୀତି ସହିତ ସଙ୍ଗତ।
ଉପରାଷ୍ଟ୍ରପତି ନିର୍ବାଚନ ପ୍ରସ୍ତୁତ ହୋଇଥିବା ଭୋଟ୍ର ତାଲିକାରେ ୭୮୨ ଜଣ ସଦସ୍ୟ ରହିଛନ୍ତି। ଉଭୟ ଗୃହକୁ ଏମାନେ ପ୍ରତିନିଧିତ୍ୱ କରନ୍ତି। ନିର୍ବାଚନ ଜିତିବା ଲାଗି କୌଣସି ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସଂଖ୍ୟା ଗରିଷ୍ଠତା ଆବଶ୍ୟକ। ଅର୍ଥାତ୍ ଅଧାରୁ ଗୋଟିଏ ସଂଖ୍ୟା ଅଧିକ ସାଂସଦଙ୍କ ଭୋଟ୍ ଆବଶ୍ୟକ। ଏହି ଅନୁସାରେ ୩୯୨ ଭୋଟର ଆବଶ୍ୟକତା ରହିଛି। କିନ୍ତୁ ଯଦି ବିଜେଡିର ସାଂସଦମାନେ ଅନୁପସ୍ଥିତ ରହିବେ ତେବେ ଏହି ମ୍ୟାଜିକ୍ ସଂଖ୍ୟା ଆହୁରି ତଳକୁ ଖସି ଆସିବ।
ଏବେ ଏନଡିଏ ପାଖରେ ଉଭୟ ଗୃହର ସଦସ୍ୟଙ୍କୁ ହିସାବକୁ ନେଲେ ୪୨୨ ଜଣ ସଦସ୍ୟ ରହିଛନ୍ତି। ଏମାନଙ୍କ ଉପସ୍ଥିତିରେ ବିଜେପିର ପ୍ରାର୍ଥୀ ନିର୍ବାଚନ ଜିତିବା ସାଧାରଣ କଥା। କିନ୍ତୁ ବିଜେପି ଚାହୁଁଛି ଯେତେ ଅଧିକ ଭୋଟ୍ ତାଙ୍କ ପ୍ରାର୍ଥୀଙ୍କୁ ଦିଆଯାଇପାରେ। ଏଥିଲାଗି କଂଗ୍ରେସ ଓ ଅନ୍ୟ ନେତାମାନଙ୍କୁ ମଧ୍ୟ ବିଜେପି ପକ୍ଷରୁ ଭୋଟ୍ ଦେବା ପାଇଁ ଅନୁରୋଧ କରାଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟ ନେତାମାନେ ସହଯୋଗ ପାଇଁ ଅନୁରୋଧ କରିଥିଲେ। ହେଲେ ଶେଷ ମୁହୂର୍ତ୍ତ ଯାଏ ବିଜେଡି କୌଣସି ନିଷ୍ପତ୍ତି ନେଇ ନ ଥିଲା। ପୂର୍ବରୁ ଏପରି ଅବସ୍ଥା ଓ୍ୱାକଫ୍ ବିଧେୟକ ପାରିତ କରିବା ସମୟରେ ହୋଇଥିଲା। ନବୀନ ନିଷ୍ପତ୍ତି ନେବାରେ ଅକ୍ଷମ ହେବାରୁ ସାଂସଦମାନେ ମନଇଚ୍ଛା ଭୋଟ୍ ଦେଇଥିଲେ। ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏଭଳି ଏକ ପରିସ୍ଥିତି ପୁଣିଥରେ ଯେମିତି ସୃଷ୍ଟି ନ ହେବ ସେଥିଲାଗି ବିଜେଡି ଅନୁପସ୍ଥିତ ରହିବାକୁ ଉଚିତ ମନେ କରିଛି। ଏହା ହେଲେ ଇଲେକ୍ଟୋରାଲ କଲେଜରେ ଭୋଟରଙ୍କ ସଂଖ୍ୟା ହ୍ରାସ ପାଇବ।
Also readhttps://purvapaksa.com/efforts-for-bjp-bjd-patchup/
Efforts for BJP-BJD patchUP! II ବିଜେପି-ବିଜେଡି ପ୍ୟାଚ୍ ପାଇଁ ଉଦ୍ୟମ!
