ପହଲଗାମ୍ ଗଣହତ୍ୟାକୁ ନେଇ ସାରାଦେଶ ଏକ ହୋଇଛି। କଟ୍ଟର ମୁସଲିମ ନେତା ବୋଲି ପରିଚୟ ରକ୍ଷା କରୁଥିବା ଅସାଦୁଦ୍ଦିନ ଓୱେସୀ ମଧ୍ୟ ପାକିସ୍ତାନ ବିରୁଦ୍ଧରେ ଦେଶକୁ ସମର୍ଥନ କରିଛନ୍ତି। ଏ ଦେଶ କୌଣସି ଧର୍ମ ବା ବ୍ୟକ୍ତିର ନୁହେଁ ଏ ଦେଶ ୧୪୦ କୋଟି ଭାରତୀୟଙ୍କର। ଏ ଭାବନାରେ ସାରାଦେଶ ଆଜି ସରକାରଙ୍କ ପ୍ରତିଟି କାର୍ଯ୍ୟାନୁଷ୍ଠାନ ପଛରେ ଠିଆ ହୋଇଥିବା ଘୋଷଣା କରିଛନ୍ତି। ଠିକ୍ ଏତିକିବେଳେ କିଛି ରାଜନେତା ନିଜର ରାଜନୀତିକ ଫାଇଦା ଲାଗି ସଜ ମାଛରେ ପୋକ ପକାଇବାରେ ଲାଗିଛନ୍ତି। ଗର୍କ ସର୍ଚ୍ଚ ଅନୁସାରେ ଏମିତି ତାଲିକାର ଆଗରେ ରହିଛନ୍ତି ଓଡ଼ିଶାରୁ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ। ତାଙ୍କ ପଛକୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା, ତାଙ୍କ ମନ୍ତ୍ରୀ ଆର୍ ବି ଟିମ୍ମାପୁର। ଏହା ସାଂଘାତିକଭାବେ ଦେଶରେ ଆଭ୍ୟନ୍ତରୀଣ ଅଶାନ୍ତି ସୃଷ୍ଟି ଲାଗି ଉଦ୍ଦିଷ୍ଟ ହୋଇପାରେ ବୋଲି ଆଶଙ୍କା କରି କଂଗ୍ରେସ ପକ୍ଷରୁ ନେତାଙ୍କ ଏହି ବ୍ୟକ୍ତିଗତ ଟିପ୍ପଣୀ ଖେଳରେ ପ୍ରତିବନ୍ଧକ ଲଗାଯାଇଛି। ହେଲେ ଏଯାଏ ଶିଖିପାରୁନି ବିଜେଡି।
ଯେଉଁମାନେ କହୁଥିଲେ ଆତଙ୍କୀଙ୍କ ଧର୍ମ ନାହିଁ ତାହା ଆଜି ଭୁଲ୍ ପ୍ରମାଣିତ ହୋଇଛି। ହୁଏତ ସ୍ୱାଧୀନ ଭାରତରେ ଏହା ପ୍ରଥମ ଘଟଣା ଯେଉଁଠାରେ ହିନ୍ଦୁ ଧର୍ମକୁ ଟାର୍ଗେଟ କରାଯାଇ ୨୬ ଜଣଙ୍କୁ ହତ୍ୟା କରାଯାଇଛି। କିନ୍ତୁ ଏ ଘଟଣାକୁ ପାକିସ୍ତାନର ସମର୍ଥନ ତଥା ସାରାବିଶ୍ୱ ଦୁଇଭାଗରେ ବିଭକ୍ତ ହେବା ସ୍ପଷ୍ଟ କରୁଛି ଯେ ଭାରତ ବିରୋ଼ଧୀ ତତ୍ତ୍ୱକୁ ପ୍ରସାରିତ କରିବା ପାଇଁ ପାକିସ୍ତାନର ଏହା ଏକ ନୂଆ ଷଡ଼ଯନ୍ତ୍ର। ଏ ଷଡ଼ଯନ୍ତ୍ରରେ କିଛି ଭାରତୀୟ ମଧ୍ୟ ପକ୍ଷଭୁକ୍ତ ହୋଇଛନ୍ତି। ଆଉ ସେଥିରେ ମୁଳଦୂଆ ପକାଇଛନ୍ତି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା, ତାଙ୍କ ମନ୍ତ୍ରୀ ଆର୍ ବି ଟିମ୍ମାପୁର।
ମୁସ୍ଲିମ ତୋଷାମଦୀ ଲାଗି ଉଦ୍ଦିଷ୍ଟ ସେମାନଙ୍କର ମନ୍ତବ୍ୟ ଦେଶ ଭିତରେ ଅଶାନ୍ତି ସୃଷ୍ଟି, ସାମ୍ପ୍ରଦାୟିକ ଦଙ୍ଗା, ବିଭାଜନକୁ ସୁଯୋଗ ଦେଇପାରେ। ଏଣୁ ରାଜନୀତିକ ଦଳମାନେ ସୁଲତାଙ୍କ ଯୁକ୍ତିକୁ ଅସ୍ୱୀକାର କରୁଛନ୍ତି। ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏଥିରୁ ବିରତ ରହିବାକୁ ତା’ର ନେତାଙ୍କୁ ଚେତାବନୀ ଦେଇଛି। କିନ୍ତୁ ଏଭଳି ନେତାମାନେ ଅଲ ଇଣ୍ଡିଆ ମଜଲିସ୍ ଏ ଇତ୍ତେହାଦୁଲ ମୁସ୍ଲିମିନ୍ ( ଏଆଇଏମ୍ଆଇଏମ୍) ନେତା ତଥା କଟ୍ଟର ମୁସଲମାନ୍ ଅସାଦୁଦ୍ଦିନ୍ ଓୱେସୀ ଏବଂ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କଠାରୁ ଦେଶପ୍ରେମ ଶିଖିବା କଥା।
ଓୱେସୀ ଧର୍ମ ଆଧାରରେ ତାଙ୍କ ରାଜନୀତିକ ଦଳ ଚଳାଉଛନ୍ତି। ନିର୍ବାଚନ ସମୟରେ ତାଙ୍କ ବୟାନ, ଭାଷଣକୁ ନେଇ ଅନେକ ଚର୍ଚ୍ଚା ହୋଇଛି। ହେଲେ ଆଜି ତାଙ୍କ ଭାଷଣ ଶୁଣିଲେ ଯେ କହି କହିବ ଏହା ହେଉଛି ଜଣେ ପ୍ରକୃତ ଜନନାୟକର ଭାଷଣ। ସାଧାରଣ ସଭାରେ ଦେଶର ଅନ୍ୟ ମୁସଲମାନ ନେତା, ମୌଲାନା ତଥା ପ୍ରଭାବଶାଳୀ ଲୋକଙ୍କ ଗହଣରେ ଯେଉଁ ବୟାନ ରଖୁଛନ୍ତି ତାହାକୁ ଏହି ସମୟରେ ବିଚାର କରିବା କଥା।
ଅସାଦୁଦ୍ଦିନ ଓୱେସୀ ପାକିସ୍ତାନର ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାଓ୍ୱାଲ୍ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ସିନ୍ଧୁ ଜଳ ସନ୍ଧି ନିଲମ୍ବନ ସମ୍ପର୍କିତ “ନଦୀରେ ରକ୍ତ ବହିବ” ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଓୱେସୀ ଏହାକୁ “ପିଲାଳିଆମି” ବା ବଚପନେ କି ବାତେଂ ବୋଲି କହି ସିଧା ସିଧା ଖାରଜ କରିଛନ୍ତି। ବିଲାଓ୍ୱାଲ୍ଙ୍କୁ ତାଙ୍କ ମା’ ବେନଜୀର ଭୁଟ୍ଟୋ, ତାଙ୍କ ଅଜା ଜୁଲିଫିକର ଅଲୀଭୁଟ୍ଟୋଙ୍କ ହତ୍ୟା ବିଷୟରେ ମନେପକାଇ ତାଙ୍କୁ କହିବାକୁ ଚାହିଁଛନ୍ତି ଯେ, “ତାଙ୍କ ମା’ଙ୍କୁ ସେମାନଙ୍କ ଦେଶର ଆତଙ୍କବାଦୀମାନେ ହତ୍ୟା କରିଥିଲେ। ସେ କ’ଣ କହୁଛନ୍ତି, ତାହା କ’ଣ ସେ ଜାଣନ୍ତି?” ଓୱେସୀ ପ୍ରଶ୍ନ ଯେ ଯଦି ବେନଜୀରଙ୍କ ହତ୍ୟା ଆତଙ୍କବାଦ, ତେବେ ଭାରତ ମା’ର ପୁଅଝିଅଙ୍କୁ ହତ୍ୟା କାହିଁକି ଆତଙ୍କବାଦ ନୁହେଁ?
ଏହାସହ, ଓୱେସୀ ପାକିସ୍ତାନକୁ ଆଇଏସ୍ଆଇଏସ୍ ସହ ତୁଳନା କରି କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଧର୍ମ ପଚାରି ନିରୀହ ଲୋକଙ୍କୁ ହତ୍ୟା କରାଯିବା, ଆଇଏସ୍ଆଇଏସ୍ ପରି ମାନସିକତାକୁ ଦର୍ଶାଉଛି। ସେ ପାକିସ୍ତାନକୁ ଏଫଏଟିଏଫର ଗ୍ରେ ତାଲିକାରେ ପୁନଃସ୍ଥାପନ କରିବାକୁ ଦାବି କରିଛନ୍ତି। ଏହା ହେଲେ ପାକିସ୍ତାନକୁ ବିଦେଶୀ ପାଣ୍ଠି ଆସିବା ବନ୍ଦ ହୋଇଯିବ। ଏହା ସହ ଭାରତକୁ ସାଇବର ଆକ୍ରମଣ ଓ ନୌସେନା ଅବରୋଧ ଭଳି ପଦକ୍ଷେପ ନେବାକୁ ଓୱେସୀ ପରାମର୍ଶ ଦେଇଛନ୍ତି।
ଓୱେସୀ ପାକିସ୍ତାନର ସାମର୍ଥ୍ୟକୁ କଟାକ୍ଷ କରି କହିଛନ୍ତି, “ପାକିସ୍ତାନର ସମୁଦାୟ ବଜେଟ୍ ଯେତିକି ଭାରତର ପ୍ରତିରକ୍ଷା ବଜେଟ୍ ବି ତାଠୁ ଅଧିକ। ଯେଉଁ ଦେଶ ୭୮ ବର୍ଷରେ ନିଜ ପାଇଁ ମ୍ୟାଲେରିଆ ଔଷଧଟିଏ ନିର୍ମାଣର କ୍ଷମତା ହାସଲ କରିପାରିନାହିଁ ସେ ଭାରତ ମାଟିରେ ନିରୀହ ଲୋକଙ୍କୁ ହତ୍ୟା କରିବ ତାହାର ଜବାବ କେମିତି ପାଇବ ନାହିଁ?
ପାକିସ୍ତାନ କେବଳ ସମୟରେ ୩୦ ମିନିଟ ପଛରେ ରହିଛି ତା’ ନୁହେଁ, ଏହା ଅର୍ଥନୀତିକ ବ୍ୟାପାରରେ ୩୦ ବର୍ଷ ପଛରେ ଚାଲିଛି। ପହଲଗାମ ଆକ୍ରମଣକୁ ସେ କଠୋର ନିନ୍ଦା କରିଛନ୍ତି। ଏହାକୁ ଧାର୍ମିକ ହତ୍ୟା ବୋଲି ବି ସେ କହିଛନ୍ତି।
କିନ୍ତୁ କିଛି ନେତା ଏହାକୁ ଧର୍ମଭିତ୍ତିକ ହତ୍ୟା ବୋଲି ସ୍ୱୀକାର କରିବାକୁ ସଙ୍କୋଚ ମନେକରିଛନ୍ତି। ସୁଲତା ଦେଓ କହିଛନ୍ତି, “ଯେତିକି ସମୟରେ ଲୋକ ମଲେ ସେତିକି ସମୟରେ କାହାର ଧର୍ମ ପଚାରି ହେବନି।” ସେ ଏହାକୁ “ଅନୁମାନ” ବୋଲି କହିଛନ୍ତି ଏବଂ ଆତଙ୍କବାଦୀମାନେ ଧର୍ମ ବା ଜାତି ସହ ବନ୍ଧା ନୁହଁନ୍ତି ବୋଲି ମତ ଦେଇଛନ୍ତି। ଏହା ଏକ ବିବାଦୀୟ ମନ୍ତବ୍ୟଭାବେ ଗଣାଯାଇଛି, ଯେହେତୁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ ଆତଙ୍କବାଦୀମାନେ ଧର୍ମ ପଚାରି ହିନ୍ଦୁ ପୁରୁଷମାନଙ୍କୁ ହତ୍ୟା କରିଥିଲେ।
ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୟା କହିଛନ୍ତି ଯେ, ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ହତ୍ୟା କରିନାହାନ୍ତି ଏବଂ ମୃତକଙ୍କ ପରିବାର ମିଛ ପ୍ରଚାର କରୁଛନ୍ତି। ଏକ୍ସ ପୋଷ୍ଟରୁ ଜଣାପଡ଼ିଛି, ଯେଉଁଠାରେ ତାଙ୍କୁ ଧର୍ମଭିତ୍ତିକ ହତ୍ୟା ବୋଲି ସ୍ୱୀକାର ନ କରି ଘଟଣାକୁ ଅନ୍ୟଦିଗକୁ ମୋଡ଼ିବା ଚେଷ୍ଟା କରାଯାଇଥିବା ନେଇ ସମାଲୋଚନା କରାଯାଇଛି।
ଭାରତ ପାଇଁ ଏହା ପ୍ରଥମ ଯୁଦ୍ଧ ନୁହେଁ। ଆତଙ୍କବାଦ ଓ ପାକିସ୍ତାନ ବିରୁଦ୍ଧରେ ଭାରତ ଏମିତି ଅନେକ ଯୁଦ୍ଧ ଲଢ଼ିଛି। ସ୍ୱାଧୀନତା ପରେ ୪ଥର ଭାରତ ପାକିସ୍ତାନ ବିପକ୍ଷରେ ସାମ୍ନାସାମ୍ନି ଯୁଦ୍ଧ ଲଢ଼ିଛି। ସବୁ ସମୟରେ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ସମର୍ଥନ କରିଛନ୍ତି। ଏଥିରେ ରାଜନୀତିକ ଶତ୍ରୁତା କୌଣସି ଗୁରୁତ୍ୱ ରଖି ନାହିଁ। ଏହା ହିଁ ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ଯେଉଁ ସୌନ୍ଦର୍ଯ୍ୟଲାଗି ଭାରତକୁ ଗଣତନ୍ତ୍ରର ଜନନୀଭାବେ ପରିଚିତ କରାଇଛି। ଆଗକୁ ମଧ୍ୟ ଏହି ଭାବଧାରା ବଜାୟ ରହିବା ଦରକାର। ଯାହାଦ୍ୱାରା ଆମେ ଗର୍ବର ସହ ନିଜକୁ ବିଶ୍ୱ ପରିପାଟ୍ଟିରେ ଭାରତୀୟ ବୋଲି କହି ଗର୍ବ ଅନୁଭବ କରିପାରିବା, ନୁହେଁ କି?
Also readhttps://purvapaksa.com/lashkar-e-pakistan-congress-bjp-hits-out-at-congress-over-headless-posters/
ଲସ୍କର-ଇ-ପାକିସ୍ତାନ କଂଗ୍ରେସ: ମୁଣ୍ଡ ବିହୀନ ପୋଷ୍ଟରକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ବିଜେପି
