ଆଉ କିଛିଦିନ ପରେ ଉପରାଷ୍ଟ୍ରପତି ନିର୍ବାଚନ। ହଠାତ୍ ଏନ୍ଡିଏର ଉପରାଷ୍ଟ୍ରପତି ଗାଦି ଛାଡ଼ି ଚାଲିଯିବା ପରେ ଏ ଆସନଟି ଖାଲି ପଡ଼ିଛି। ଆଉ ସାମ୍ବିଧାନିକ ବ୍ୟବସ୍ଥାକୁ ଆଖିରେ ରଖି ନିର୍ବାଚନ କମିଶନ ଏହାକୁ ଯଥାଶୀଘ୍ର ପୂରଣ କରିବାକୁ ସେପ୍ଟେମ୍ବର ୯ ତାରିଖକୁ ନିର୍ବାଚନ ତାରିଖ ଭାବେ ଘୋଷଣା କରିଛନ୍ତି। ଏହିକ୍ରମରେ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ କଲେଜ ଘୋଷଣା କରାଯାଇଛି। ବିଜେଡିର ୭ ସାଂସଦଙ୍କୁ ମିଶାଇ ଏହି କଲେଜରେ ସମୁଦାୟ ୭୮୨ ସଦସ୍ୟ ଭୋଟ ଦେବାକୁ ଯୋଗ୍ୟ ହୋଇଛନ୍ତି। ଯଦିଓ ବିଜେଡିର ନଗଣ୍ୟ ସଂଖ୍ୟା ଏ ନିର୍ବାଚନକୁ ପ୍ରଭାବିତ କରିବ ନାହିଁ, କିନ୍ତୁ ଏହି ନିର୍ବାଚନ ବିଜେଡିରେ ଆକସ୍ମିକ ଭାବେ ଏକ ରାଜନୀତିକ ସଙ୍କଟ ସୃଷ୍ଟିକରିବାକୁ ଯାଉଛି।
ବିଜେଡିରେ ସଙ୍କଟ କିଛି ନୂଆ କଥା ନୁହେଁ। କ୍ଷମତାରୁ ଯିବା ପରେ ପ୍ରତିଦିନ ନୂଆ ନୂଆ ସଙ୍କଟକୁ ସାମ୍ନାକୁ କରୁଛି ଦଳ। କିଛିଦିନ ତଳେ କିଛି ବରିଷ୍ଠ ନେତାଙ୍କୁ ସଙ୍କଟ ଭାବେ ନବୀନ ବିଚାର କରିଥିବାର ଉଦାହରଣ ସାମ୍ନାକୁ ଆସିଥିଲା। ଆଉ କିଛି ବରିଷ୍ଠ ନେତାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା। କିଛି ନେତାଙ୍କୁ ଅନ୍ୟ ବାଟ ଦେଖାଯାଇଥିଲା ଆଉ କିଛି ନେତାଙ୍କୁ ଚୁପ୍ ବସିବାକୁ ବାଧ୍ୟ କରାଯାଇଥିଲା। ନେତା ବି ଚୁପ୍ ବସି ନ ଥିଲେ। ନବୀନଙ୍କ ପାଖରେ ଦିନ ରାତି ୨୪ ଘଣ୍ଟା ରହୁଥିବା ପାଣ୍ଡିଆନ୍ଙ୍କୁ ଘର ଢିଙ୍କି କୁମ୍ଭୀର ସହ ତୁଳନା କରି ନେତାଏଁ ଗୁପ୍ଚୁପ୍ ହେଉଥିଲେ, ହେଉଛନ୍ତି, ଆଗକୁ ବି ଏ ବୟାନ ଜାରି ରହିବ ବୋଲି ଆଶା କରାଯାଇପାରେ।
ଏବେ ଏ ବିଷୟ ଉଠାଇବା ପଛର ପୃଷ୍ଠଭୂମି ହେଉଛି ଉପ ରାଷ୍ଟ୍ରପତି ନିର୍ବାଚନ। ଜୁଲାଇ ୨୧ ତାରିଖରେ ସେ ନିଜ ପଦବୀରୁ ହଠାତ୍ ଇସ୍ତଫା ଦେଇଥିଲେ। ଏହାପରେ ବିଜେପି ରାଜନୀତିରେ ସଙ୍କଟ ସୃଷ୍ଟି ହୋଇଥିଲା। ନିଜର ସ୍ୱାସ୍ଥ୍ୟଗତ ସମସ୍ୟାକୁ ସେ ଇସ୍ତଫାର କାରଣ ବୋଲି ଦର୍ଶାଇଥିଲେ ମଧ୍ୟ ରାଜନୀତିକ ପଣ୍ଡିତମାନେ ଏହାକୁ ଆଜି ଯାଏ ଗ୍ରହଣ କରିପାରି ନାହାନ୍ତି। ଏପରିକି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏଯାଏ ଗୋଟିଏ ବୟାନ ଗଣମାଧ୍ୟମରେ ଦେଇ ନାହାନ୍ତି। ସବୁବେଳେ କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଧନକଡ଼ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ଦିନ ସନ୍ଧ୍ୟାରେ ଆକସ୍ମିକ ମତ ପରିବର୍ତ୍ତନ କରି ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ଦେବା ଓ ଚୁପ୍ଚାପ୍ ନିଜ ଆବାସ ଖାଲି କରିବାକୁ ଉଦ୍ୟମ କରିବା ବିଜେପିର ରାଜନୀତିକ ପରିବେଶରେ ଏକ ଆଶଙ୍କିତ ପରିବେଶ ସୃଷ୍ଟି କରୁଛି।
ଏବେ ଏହି ଆଶଙ୍କା ବିଜେଡି ଭିତରେ ପଶିଛି। ଏହି ନିର୍ବାଚନରେ କ’ଣ ହେବ। ୭ ଜଣ ସାଂସଦଙ୍କ ମତ ଏକ ରହିବ ନା ଅଲଗା ଅଲଗା ହେବ। ଭାବ ଓ ଅନ୍ତରାତ୍ମା ଡାକରାରେ ଭୋଟ ଦେବେ ନା ଦଳର କିଛି ମତ ରହିବ। ଅବଶ୍ୟ ବିଧି ଅନୁସାରେ କୌଣସି ଦଳ ଏହି ନିର୍ବାଚନକୁ ନେଇ ହ୍ୱିପ୍ ଜାରି କରିପାରିବେ ନାହିଁ। ଏଣୁ ସାଂସଦଙ୍କ ମତରେ ଏକତା ରହିବା ସନ୍ଦେହକୁ ଆସୁଛି। ଏ ସନ୍ଦେହ ସୃଷ୍ଟି ପଛରେ ବଳିଷ୍ଠ ଯୁକ୍ତି ଓ ଉଦାହରଣ ରହିଛି। କାରଣ ଗତ ଅଧିବେଶନରେ ଓ୍ୱାକ୍ଫ ବିଧେୟକ ବାବଦରେ ମତଦାନ କରିବା ଅବସରରେ ଦଳ ହ୍ୱିପ ଜାରି କରିନଥିଲା। ସାଂସଦମାନେ ନିଜ ଭାବନାରେ ଭୋଟ ଦେଇଥିଲେ। କିଏ ସମର୍ଥନ କରିଥିଲା ତ ଆଉ କିଏ ତାହାକୁ ବିରୋଧ କରିଥିଲା।
ଏହି ବିଶୃଙ୍ଖଳା ଦଳର ଦୁର୍ବଳତାକୁ ସାମ୍ନାକୁ ଆଣିଥିଲା। ଓଡ଼ିଶା ରାଜନୀତି ପଡ଼ିଥିଲା ଉଠିଥିଲା। କିଛିଦିନ ପରେ ସଂଖ୍ୟାଲଘୁ ନେତା ମୁନା ଖାଁ ଅନ୍ୟ ଜଣେ ସଂଖ୍ୟାଲଘୁ ନେତା ସସ୍ମିତ ପାତ୍ରଙ୍କ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସଭାପତିଙ୍କ ଆଦେଶକୁ ଅମାନ୍ୟ କରିଥିବା ନେଇ ଅଭିଯୋଗ ଉଠିଥିଲା। ହେଲେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଏହା ଦଳରେ ପାଣ୍ଡିଆନ୍ଙ୍କ ମତ ଯେ ସର୍ବୋଚ୍ଚ ତାହାକୁ ପୁଣିଥରେ ପ୍ରମାଣିତ କରିଥିଲା।
ଏଣୁ ନେତାମାନେ ନବୀନ ନିବାସରେ ପ୍ରବେଶ କରିଥିଲେ। ପାଣ୍ତିଆନ୍ଙ୍କ ବିରୋଧୀ ମତ ଦେଇଥିଲେ। ହେଲେ ନବୀନ ତାହାକୁ ଖଣ୍ଡନ କରି ସବୁ କିଛିକୁ ଦବାଇ ଦେଇଥିଲେ। ହେଲେ ଅସନ୍ତୋଷ ଏଯାଏ ରହିଛି। ପାଉଁଶ ତଳର ନିଆଁ ହୋଇ ଆଗକୁ ବିସ୍ଫୋରଣ କରିପାରେ।
ନିର୍ବାଚନ କମିଶନଙ୍କ ସୂଚନା ଓ ଉପରାଷ୍ଟ୍ରପତି ନିର୍ବାଚନ ନିୟମ ୧୯୭୪ ଅନୁସାରେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବା ଲାଗି କେବଳ ରାଜ୍ୟସଭା, ଲୋକସଭାର ସଦସ୍ୟମାନେ ହିଁ ଯୋଗ୍ୟ ହେବେ। ଏମାନେ ସ୍ୱତନ୍ତ୍ର ବ୍ୟାଲଟ, ସ୍ୱତନ୍ତ୍ର କଲମରେ ନିର୍ଦ୍ଧାରିତ ଦିନ ଭୋଟ ଦେବେ। ସେପ୍ଟେମ୍ବର ୯ ତାରିଖରେ ଭୋଟ ଗ୍ରହଣ ହେବ। ଏଣୁ ଅଗଷ୍ଟ ୨୧ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ହେବ।
ଗୋପନରେ ଏହି ଭୋଟଦାନ ହେବ। କିଏ କାହାକୁ ଭୋଟ ଦେଲା ତାହା ଗୁପ୍ତ ରହିବ। ଅର୍ଥାତ୍ ସମସ୍ତ ସଦସ୍ୟଙ୍କୁ ନିଜର ବ୍ୟକ୍ତିଗତ ମତ ଉପସ୍ଥାପନ କରିବାକୁ ସୁଯୋଗ ମିଳିବ। ଏହି ଭୋଟ ଆନୁପାତିକ ପସନ୍ଦ ଭିତ୍ତିକ ହେବ। ଜଣେ ଭୋଟରଙ୍କୁ ନିର୍ବାଚନରେ ଠିଆ ହୋଇଥିବା ପ୍ରାର୍ଥୀଙ୍କ ଭିତରୁ ପ୍ରଥମ-ଦ୍ୱିତୀୟ-ତୃତୀୟ ପସନ୍ଦ ବୋଲି ଲେଖିବାକୁ ହେବ। ତାହାପୁଣି ଇଂରାଜୀ ସଂଖ୍ୟା ବା କୌଣସି ସ୍ୱିକୃତୀପ୍ରାପ୍ତ ଭାରତୀୟ ଭାଷାର ସଂଖ୍ୟା ଅନୁସାରେ ଦାୟର କରିବାକୁ ନିର୍ଦ୍ଦେଶ ରହିଛି।
ଏହି ନିର୍ବାଚନରେ ଭୋଟ ଦେବା ଲାଗି ଉଭୟ ସଭାର ନିର୍ବାଚିତ ଓ ମନୋନୀତ ସଦସ୍ୟମାନେ ଯୋଗ୍ୟ। ପୁଣି ସମସ୍ତଙ୍କ ଭୋଟର ମୂଲ୍ୟ ସମାନ। ଏହି ଅନୁସାରେ ରାଜ୍ୟସଭାର ସମୁଦାୟ ଆସନ ୨୩୩ରୁ ଏବେ ୨୨୮ ଜଣ ସଦସ୍ୟ ରହିଛନ୍ତି। ଏହାଙ୍କ ସହ ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ହେଉଛି ୧୨। ଅର୍ଥାତ୍ ରାଜ୍ୟସଭାର ୨୫୦ ଜଣ ସଦସ୍ୟ ଭୋଟ ଦେବାକୁ ଅଧିକାର ପାଇବେ। ଏମାନଙ୍କ ଭିତରେ ୭ ଜଣ ହେଉଛନ୍ତି ବିଜେଡି ଭୋଟର।
ସେହିପରି ଲୋକସଭାରେ ସମୁଦାୟ ଆସନ ସଂଖ୍ୟା ହେଉଛି ୫୪୩। ଏବେ ୫୪୨ ଜଣ ଉପସ୍ଥିତ ଅଛନ୍ତି। ଏମାନେ ଭୋଟ୍ ଦେବେ। ଅର୍ଥାତ୍ ସମୁଦାୟ ଭୋଟ ସଂଖ୍ୟା ହେଉଛି ୭୮୨। ଏଥିରୁ ଏନ୍ଡିଏ ସଦସ୍ୟଙ୍କ ସଂଖ୍ୟା ହେଉଛି ୪୨୬। ଅନ୍ୟ ୩୫୬ ହେଉଛନ୍ତି ବିଭିନ୍ନ ବିରୋଧୀ ଦଳ। ଏହି ତାଲିକାରେ ବିଜେଡି ରହିଛି।
କିନ୍ତୁ ଲୋକସଭାରେ ବିଜେଡିର କୌଣସି ସାଂସଦ ନ ଥିବାରୁ ରାଜ୍ୟଭାରେ ବିଜେଡି ସାଂସଦମାନେ କ’ଣ କରିବେ ତାହାକୁ ଅପେକ୍ଷା ରହିଛି। ନିକଟରେ ଅପରେସନ୍ ସିନ୍ଦୂର ପ୍ରସଙ୍ଗରେ ରାଜ୍ୟର ବିଜେଡି ସାଂସଦମାନଙ୍କୁ ସରକାରଙ୍କ ପକ୍ଷରେ କହିବା ଲାଗି ଦଳ ଇଙ୍ଗିତ କରିଥିଲା। ଅପରପକ୍ଷେ ଉପରାଷ୍ଟ୍ରପତି ନିର୍ବାଚନରେ ନିଜର ସାଂସଦଙ୍କୁ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନ କରିବାକୁ ଇଙ୍ଗିତ ଦିଆଯାଇଛି। ହେଲେ ସଭାପତି ଏ ନେଇ କୌଣସି ମତ ଦେଇ ନାହାନ୍ତି।
ଗୋଟିଏ ପଟେ ହ୍ୱିପର ଅଭାବ ଏବଂ ସଭାପତିଙ୍କ ନିର୍ଦ୍ଦେଶ ନ ଥିବାରୁ ବିଜେଡି ସାଂସଦମାନେ ଦଳର ବରିଷ୍ଠ ନେତାଙ୍କ କୌଣସି ଆଦେଶକୁ ନ ମାନିପାରନ୍ତି। ଅର୍ଥାତ୍ ନିଜ ନିଜ ଅନ୍ତରାତ୍ମା ଡାକରାରେ ଯାଇପାରନ୍ତି। ଏହା ହେଲେ ପୁଣିଥରେ ଦଳରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବ।
ଏହା ହେଲେ ବିଜେଡି ଯେ ବିଜେପି ସହିତ ରହିଛି ତାହା ପ୍ରମାଣିତ ହେବ। ରାଜ୍ୟରେ ଏତେ ବିବାଦ ସତ୍ତ୍ୱେ କେନ୍ଦ୍ରରେ ଏ ଦୁଇ ଦଳ ପରସ୍ପରର ସହଯୋଗୀ ତାହାକୁ ଏହି ସମୀକରଣ ସ୍ପଷ୍ଟ କରିବ।
Also readhttps://purvapaksa.com/lok-sabha-report-card-of-bjp-mps/
Lok Sabha report card of BJP MPs II ବିଜେପି ସାଂସଦଙ୍କ ଲୋକସଭା ରିପୋର୍ଟ କାର୍ଡ
