ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ତୃଣମୂଳସ୍ତରରେ ସକ୍ରିୟ ହୋଇପାରୁନି। ଅଧିକାଂଶ ଜିଲାରେ ସଭାପତିଙ୍କଠାରୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଘୋଷଣା ସରିଥିଲେ ମଧ୍ୟ ଦଳ ଡବଲ ଇଞ୍ଜିନ ସରକାରକୁ ପ୍ରଭାବଶାଳୀ ଢଙ୍ଗରେ ନିଶାଣ କରିପାରୁନି। ବିଜେଡିର ପ୍ରମୁଖ ରାଜ୍ୟସ୍ତରୀୟ ନେତା ଭୁବନେଶ୍ବରରେ ଶଙ୍ଖ ଭବନ ଓ ନବୀନ ନିବାସ ମଧ୍ୟରେ ସୀମିତ ରହୁଛନ୍ତି। ମଇଦାନରେ ବିଶେଷ ନଜର ଆସୁନାହାନ୍ତି। ଶଙ୍ଖ ଭବନରେ ବୈଠକ ଓ ସାମ୍ବାଦିକ ସମ୍ମିଳନୀ କରି କାମ ସାରି ଦେଉଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ମଧ୍ୟ ମଇଦାନକୁ ଓହ୍ଲାଉ ନାହାନ୍ତି। ବିଜେଡିର ନେତୃତ୍ବକୁ ନେଇ ନେତାଠୁ କର୍ମୀ ଏବେ ସନ୍ଦିହାନ ଅବସ୍ଥାରେ। ଫଳରେ ବିଭିନ୍ନ ପଞ୍ଚାୟତରେ ଦଳର ସଂଗଠନ ଦୋହଲିଗଲାଣି। ବିନା ନିର୍ବାଚନରେ ବିଜେପି ଗୋଟିଏ ପରେ ଗୋଟିଏ ବ୍ଲକ୍ ହାତେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଶକ୍ତି ବଢ଼ାଇବାରେ ଲାଗିଛି। ଏହା ବିଜେଡି ପାଇଁ ଆଗକୁ ବଡ଼ ଆହ୍ବାନ ଭାବେ ଉଭା ହେବ ବୋଲି କୁହାଯାଉଛି।
ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ତୃଣମୂଳସ୍ତରରେ ବିଜେଡି ଗଡ଼ ଭୁଶୁଡିବାରେ ଲାଗିଛି। ଅନେକ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମିତି ସଭ୍ୟ ଏବଂ ସରପଞ୍ଚ ଶଙ୍ଖ ଶିବିରରୁ ପଦ୍ମ ପୋଖରୀକୁ ଡେଉଁଛନ୍ତି। ଯେଉଁଠି ବ୍ଲକ୍ ଅଧ୍ୟକ୍ଷ ବିଜେପି ଆଡ଼କୁ ଢଳୁନାହାନ୍ତି, ସେଠି ଅନାସ୍ଥା ଚାଲ୍ରେ ବିଜେଡିକୁ ମାତ୍ ଦେଉଛି ବିଜେପି। ଦଳ ଜିତିଥିବା ବିଧାନସଭା ଆସନରେ ବି ବ୍ଲକ୍ ବଞ୍ଚାଇ ପାରୁନି ବିଜେଡି। କେନ୍ଦ୍ରାପଡ଼ାରୁ କଳାହାଣ୍ଡି, ବଡ଼ଚଣାରୁ ବ୍ରହ୍ମପୁର; ସବୁଠି ସମାନ ଧାରା। ସବୁଠୁ ବଡ଼ କଥା ହେଲା, ଏକଦା ବିଜେଡି ଗଡ଼ ଥିବା ଗଞ୍ଜାମ ଏବଂ ଯାଜପୁରରେ ସ୍ଥିତି ଜଟିଳ। କେଉଁଠି ଅନାସ୍ଥା ତ କେଉଁଠି ଦଳରେ ସାମିଲ କରି ବ୍ଲକ୍ ଦଖଲ କରୁଛି ବିଜେପି। ୧୪ ମାସରେ ବିଜେପି ବହୁ ବ୍ଲକ୍ ଦଖଲ କଲାଣି। ଉଦଳା, ଧର୍ମଶାଳା, ବଡ଼ଚଣା, ବଡ଼ମ୍ବା, କେନ୍ଦୁଝର ସଦର, ସାହାରପଡ଼ା, ତେନ୍ତୁଳିଖୁଣ୍ଟି, ଜୟପୁର, ବେଲଗୁଣ୍ଠା ବ୍ଲକରେ ନିର୍ବାଚିତ ପ୍ରତିନିଧିମାନେ ସିଧାସଳଖ ବିଜେପିରେ ମିଶିଥିବାବେଳେ ଅନାସ୍ଥା ଆଣି ଖଲ୍ଲିକୋଟ, ଢେଙ୍କାନାଳ ସଦର, ମହାକାଳପଡ଼ା, ପାଟଣା ବ୍ଲକ ହାତେଇଛି ବିଜେପି। କିଛି ବ୍ଲକରେ ଅଧ୍ୟକ୍ଷ ଏବଂ ନିର୍ବାଚିତ ପ୍ରତିନିଧିମାନେ ବିଜେଡିରେ ଥାଇ ବି ଭିତିରିଆ ଶାସକ ଦଳ ସହିତ ସମ୍ପର୍କ ରଖିଛନ୍ତି। ଆଗକୁ ଆଉ କିଛି ବ୍ଲକ୍ରେ ଏଭଳି ଧାରା ଦେଖିବାକୁ ମିଳିପାରେ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ନିଜର ସାଂଗଠନିକ ଶକ୍ତି ବଢ଼ାଉ ଥିବାବେଳେ ବିଜେଡି ନେତା ଦଳର ଭବିଷ୍ୟତକୁ ନେଇ ଦ୍ବନ୍ଦ୍ବରେ ରହୁଛନ୍ତି। ବିେଶଷ କରି ତୃଣମୂଳସ୍ତରର ନେତା ଦଳର ଆଭିମୁଖ୍ୟ, ଭବିଷ୍ୟତ ଏବଂ ନେତୃତ୍ବ ନେଇ ସ୍ପଷ୍ଟ ସନ୍ଦେଶ ପାଉନାହାନ୍ତି। ବିଜେପି ରାଜ୍ୟରେ ଶାସନ ଭାରରେ ଥିବାରୁ ଅଧିକାଂଶ ନେତା ପଦ୍ମ ଆଡ଼କୁ ଢଳୁଛନ୍ତି। ଏ ଦିଗରେ ବିଜେଡି କ’ଣ ରଣନୀତି ଆପଣାଇବ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ନବୀନ ନିବାସରେ ଦଳୀୟ ନେତାଙ୍କୁ ଭେଟି ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ତଥ୍ୟ ନେଉଛନ୍ତି। ତୃଣମୂଳସ୍ତରରେ ନେତା ନବୀନଙ୍କ ଗସ୍ତ ଅପେକ୍ଷାରେ ଥିବାବେଳେ ଆଗକୁ ସେ ମଇଦାନକୁ ଓହ୍ଲାଇବେ ବୋଲି ଦଳୀୟ ନେତାମାନେ ମତ ରଖୁଛନ୍ତି।
ଅନ୍ୟପକ୍ଷରେ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବାରେ ଲାଗିଛି। ବରିଷ୍ଠ ନେତାମାେନ ଦଳର ପରିଚାଳନାକୁ ନେଇ ଗଣମାଧ୍ୟମରେ ନିଜର ଅସନ୍ତୋଷ ଜାହିର କରୁଛନ୍ତି। ଭିକେ ପାଣ୍ଡିଆନ ଏବଂ ସୁଜାତା ଆର. କାର୍ତ୍ତିକେୟନଙ୍କୁ ନେଇ ଦଳ ଭିତରେ ଗୁଞ୍ଜରଣ ପ୍ରକାଶ ପାଉଛି। ବିଭିନ୍ନ ସମୟେର ନେତାମାନେ ମେଳି କରୁଥିବା ସାମ୍ନାକୁ ଆସୁଛି। ନିକଟେର ଛାତ୍ର ଓ ଯୁବ ସଭାପତି ନିଯୁକ୍ତ ହେବା ପରେ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଦଳ କେବେ ପାଗ ଭିଡ଼ିବ ଏବଂ ଭବିଷ୍ୟତ ରଣନୀତି କ’ଣ ହେବ; ତା’ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପଦଯାତ୍ରା ଜରିଆରେ ବିଜେଡି ଲୋକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।
Also Read https://purvapaksa.com/how-active-is-congress-in-odisha/
How Active is Congress in Odisha? ।। ଓଡିଶାରେ କଂଗ୍ରେସ କେତେ ପ୍ରଭାବଶାଳୀ ?
