ଆଜି ଦେଶର ମୁଖ୍ୟ ନିର୍ବାଚନ ଆୟୋଗ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ହେବ ବିହାରର ନିର୍ବାଚନ। ପ୍ରଥମେ ୬ ନଭେମ୍ବରରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୧୧ ନଭେମ୍ବରରେ ଅନୁଷ୍ଠିତ ହେବ। ୧୪ ନଭେମ୍ବରରେ ଗଣତି ହୋଇ ବିଜେତାଙ୍କ ନାମ ଘୋଷଣା ହେବ। ୩୮ ଜିଲ୍ଲାକୁ ୨ ଭାଗରେ ବିଭକ୍ତ କରାଯାଇଛି। ଏହି ଦୁଇଟି ପର୍ଯ୍ୟାରେ ୨୪୩ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ।
ଏଥର ବିହାର ନିର୍ବାଚନ ସବୁଠାରୁ ନିଆରା ତଥା ସ୍ୱତନ୍ତ୍ର ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ବିହାର ନିର୍ବାଚନରେ ଲାଗୁ ହେବ ନୂଆ ନିୟମ। ବୁଥ ପାଖରେ ରହିବ ମୋବାଇଲ ଫୋନ୍ ବୁଥ। ଏଠାରେ ମୋବାଇଲ ଜମା କରି ବୁଥ ଭିତରକୁ ଯିବେ ଭୋଟର। ଗୋଟିଏ ମୋବାଇଲ ଆପରେ ରହିବ ସମସ୍ତ ବ୍ୟବସ୍ଥା। ଧାଡ଼ି ଯେମିତି ଲମ୍ବା ନ ହେବ ଗୋଟିଏ ବୁଥରେ ୧୨୦୦ରୁ ଅଧିକ ଭୋଟର ରହିବେ ନାହିଁ।
ସମୁଦାୟ ୭.୪୨ କୋଟି ଭୋଟର ଏହି ପର୍ଯ୍ୟାୟରେ ଭୋଟ ଦେବେ। ଏଥିରେ ୩.୫ କୋଟି ମହିଳା ଭୋଟର ରହିଛନ୍ତି। ସମୁଦାୟ ବରିଷ୍ଠ ନାଗରିକ ଭୋଟରଙ୍କ ସଂଖ୍ୟା ରହିଛି ୪ ଲକ୍ଷ। ଶହେ ବର୍ଷରୁ ଅଧିକ ୧୪ ହଜାର ମତଦାତା ରହିଛନ୍ତି। ପ୍ରଥମଥର ୧୪ ଲକ୍ଷ ଭୋଟ ଦେବେ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ଯେମତି ଆପଣମାନେ ଜାଣିଛନ୍ତି ଯେ ମତଦାତାଙ୍କ ସୁବିଧାର ପାଇଁ ସବୁ ବୁଥରେ ୧୨୦୦ରୁ ଅଧିକ ମତଦାତା ରହିବେ ନାହିଁ ତାହାକୁ ନଜର ରଖିଛନ୍ତି। ୯୦୭୧୨ ବୁଥ ବ୍ୟବସ୍ଥା କରାଯାଇଛି। ଗୋଟିଏ ବୁଥରେ ହାରାହାରି ପ୍ରାୟ ୮୧୮ ଜଣ ଭୋଟର ରହିଛି। ୧୦୪୪ ମହିଳା ଚାଳିତ ବୁଥ ହେବ।
ସବୁବୁଥକୁ ସିସିଟିଭିରେ ନିରୀକ୍ଷଣ କରାଯିବ। ଦିଆରା ଅଞ୍ଚଳରେ ୨୫୦ ଷ୍ଟେସରେ ଘୋଡ଼ାରେ ଏବଂ ୧୯୭ ବୁଥକୁ ଡଙ୍ଗାରେ ପୁଲିଂ ପାର୍ଟି ଯିବେ ବୋଲି କହିଛନ୍ତି ଇସିଆଇ।
ସେ କହିଛନ୍ତି ବିହାର ନିର୍ବାଚନ ପରିଚାଳନାରେ ୧୭ ନୂଆ ପଦକ୍ଷେପ ନିଆଯାଇଛି। ଯାହା ବିହାରରୁ ଆରମ୍ଭ ହୋଇ ପୂରା ଦେଶରେ ଲାଗୁ ହେବ। ବହୁତ ନିରୀକ୍ଷଣ ପରେ ଏହି ବ୍ୟବସ୍ଥାଗୁଡ଼ିକୁ ହାତକୁ ନିଆଯାଇଛି।
୨୪୩ ନିର୍ବାଚନମଣ୍ଡଳୀ ସ୍ତରୀୟ ଅଧିକାରୀ, ୯୦ ହଜାର ବୁଥସ୍ତରୀୟ ଅଧିକାରୀ, ୧.୬ଲକ୍ଷ ଏଜେଣ୍ଟ ମିଶି ଏହି ତାଲିକା ପ୍ରସ୍ତୁତ କରାଯାଇଛି। ପୂର୍ବରୁ ଭୋଟର କାର୍ଡ ପାଇଁ ମାସ ମାସ ସମୟ ଲାଗୁଥିଲା କିନ୍ତୁ ଏଥର ୧୫ ଦିନରେ ମିଳିଲା ଭୋଟର କାର୍ଡ।
ବିହାରରେ ମତଦାତା ଶୁଦ୍ଧିକରଣ ସମ୍ପର୍କରେ ମତ ରଖି ଜ୍ଞାନେଶ କୁମାର କହିଛନ୍ତି, ୨୪ ଜୁନରୁ ମତଦାତା ସୂଚୀର ଶୁଦ୍ଧିକରଣ ଆରମ୍ଭ କରାଯାଇଥିଲା। ୧ ଅଗେଷ୍ଟରୁ ୧ ସେପ୍ଟେ;ମ୍ବର ଯାଏ ଅଭିଯୋଗ ଦାଖଲ ସମୟ ରହିଲା। ଏଥିରେ ତାଙ୍କ ଆବେଦନକୁ ଭରପୂର ସମୟ ଦିଆଯାଇଥିଲା। ୩୦ ସେପ୍ଟେମ୍ବରକୁ ଅନ୍ତିମ ଭୋଟରତାଲିକା ପ୍ରସ୍ତୁତ କରାଯାଇଛି। ଏବେ କୌଣସି ବି ଭୁଲ୍ ଥିଲେ ଜିଲ୍ଲା ଅଧିକାରୀଙ୍କ ପାଖରେ ଅଭିଯୋଗ ଦାଖଲ କରିପାରିବ। ନାମାଙ୍କନର ୧୦ ଦିନ ପୂର୍ବରୁ ମତଦାତା ନିଜ ନାମ ଦାୟର କରିପାରିବେ।
ଯଦି କୌଣସି ମତଦାତା ଇସିଆଇ ନେଟ୍ ମୋବାଇଲ ଆପ୍ଲିକେସନରେ ଭୋଟର କାର୍ଡ ନମ୍ବର ଦେଇ ବୁଥସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇପାରିବେ। ଏହା ସହ ୧୯୫୦ ନମ୍ବରରେ ୨୪୩ ବିଧାନମଣ୍ଡଳୀ ସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇପାରିବେ। ନ ହେଲେ ପାଟଣା ସିଇଓ ବା ୩୮ ଜିଲ୍ଲାପାଳଙ୍କ ସହ କଥା ହୋଇପାରିବେ।
