Ministry Exapanation: ମନ୍ତ୍ରୀମାନେ ଏକାଧିକ ଦାୟିତ୍ୱ ସମ୍ଭାଳୁଥିବାରୁ ବିଭାଗକୁ ଚଳାଇବାରେ ସକ୍ଷମ ହୋଇପାରୁ ନାହାନ୍ତି। ଫଳରେ ଅଧିକାରୀ ଅଧିକ ଶକ୍ତିଶାଳୀ ହୋଇ ବିନା ମନ୍ତ୍ରୀଙ୍କ ଆଲୋଚନାରେ ବି ଅନେକ ନିଷ୍ପତ୍ତି ନେଉଛନ୍ତି। ଏସବୁ ଅଭିଯୋଗ କେନ୍ଦ୍ରୀୟ ନେତୃତ୍ୱ ପାଖରେ ପହଞ୍ଚିବା ପରେ ଏବେ ଆରମ୍ଭ ହୋଇଛି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ତଥା ପଦବୀ ବଣ୍ଟନ।
ଆଉ କିଛି ଦିନରେ ମୋହନ ସରକାରଙ୍କୁ ୧୦ମାସ ପୂରିବ। ପ୍ରଭାବଶାଳୀ ନେତା, ତାଙ୍କ ପିଆଦା ଏବଂ କେନ୍ଦ୍ରୀୟ ଲବିକୁ ଆଖିରେ ରଖି ରାଜ୍ୟ ସରକାରରେ ପରିବର୍ତ୍ତନ ହୋଇପାରେ। ଏପରିକି ମନ୍ତ୍ରିମଣ୍ଡଳରେ ଏବେ ରହିଥିବା କିଛି ମନ୍ତ୍ରୀଙ୍କ ମଧ୍ୟ ୟୁଟର୍ଣ୍ଣ ନେବାକୁ ପଡ଼ିପାରେ। ଖୋଦ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆଇନ ମନ୍ତ୍ରୀଙ୍କ ଯାଏ ବିଭାଗ ହରାଇବାର ବି ଆଶଙ୍କା ରହିଛି। କାରଣ ଏ ବିଷୟକୁ ନେଇ ସରକାରର ପ୍ରଚ୍ଛଦପଟ୍ଟରେ ଥିବା ଗୋଷ୍ଠୀଙ୍କ ସବୁଜ ସଙ୍କେତ ମିଳିଗଲାଣି।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ଏ ଆଭାସ ଓ ଚର୍ଚ୍ଚା ଭିତରେ ସମନାକୁ ଆସୁଛି ତିନିଟି ପ୍ରମୁଖ କାରଣ। ପ୍ରଥମ ହେଲା, ଅନେକ ମନ୍ତ୍ରୀ ଏକାଧିକ ଦାୟିତ୍ୱରେ ଥିବାରୁ କାମ ଆଗକୁ ବଢ଼ିପାରୁନାହିଁ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏବେ ୬ଟି ବିଭାଗର ଦାୟିତ୍ୱ ରହିଛି। ଗୃହ, ସାଧାରଣ ପ୍ରଶାସନ, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ହେପାଜତରେ ରହିଛି। ପୁଣି ସେ ଅନେକ ସମୟରେ ଅନେକ କାର୍ଯ୍ୟରେ ରାଜ୍ୟ ବାହାରେ ରହୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିବାକୁ ବି ସମୟ ପାଉ ନାହାନ୍ତି। ଗଲା ୧୦ ମାସ ଭିତରେ ମୁଖ୍ୟମନ୍ତ୍ରୀ ମାତ୍ର ୬ ଥର ଅଭିଯୋଗ ପ୍ରକୋଷ୍ଠ ଆସି ଲୋକଙ୍କୁ ଭେଟିଛନ୍ତି। ଏଣୁ ତାଙ୍କୁ ଦାୟିତ୍ୱ ମୁକ୍ତ କରାଗଲେ ବିଜେପି ସୃଷ୍ଟି କରିଥିବା ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଉକ୍ତିଟି ଅଧିକ ପ୍ରଭାବଶାଳୀ ହୋଇପାରିବ।
ସେହିପରି ଦୁଇ ଉପମୁଖ୍ୟମନ୍ତ୍ରୀ ୫ଟି ବିଭାଗର ମୁଖ୍ୟ ଅଛନ୍ତି। କ୍ୟାବିନେଟ୍ ମନ୍ତ୍ରୀଙ୍କ ଭିତରେ ବରିଷ୍ଠ ସୁରେଶ ପୂଜାରୀ ଗୋଟିଏ ବିଭାଗରେ ଥିବାବେଳେ ନିତ୍ୟାନନ୍ଦ ଗଣ୍ଡଙ୍କୁ ସର୍ବାଧିକ ୪ଟି ବିଭାଗ ମିଳିଛି। ଆଳୁ ଓ ରାସନ କାର୍ଡ ଚର୍ଚ୍ଚାରେ ଆଗ ଧାଡ଼ିରେ ଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଟି ବିଭାଗ ସମ୍ଭାଳୁଛନ୍ତି। ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମିଳିଛି। ମୁକେଶ ମହାଲିଙ୍ଗ ୩ଟି ବିଭାଗର ମନ୍ତ୍ରୀ ହୋଇଥିବାବେଳେ ବିଭୁତିଭୂଷଣ ଜେନାଙ୍କୁ ଦୁଇଟି ଏବଂ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏକାସଙ୍ଗେ ଦୁଇଟି ବିଭାଗ ସମ୍ଭାଳୁଛନ୍ତି।
ଏତିକିରେ ସରିନି; କୌଣସି ରାଷ୍ଟ୍ରମନ୍ତ୍ରୀ ଗୋଟିଏ ବିଭାଗରେ ସୀମିତ ରହି ନାହାନ୍ତି। ସେମାନେ ଏକାଧିକ ବିଭାଗର ଦାୟିତ୍ୱ ତୁଲାଉଛନ୍ତି ସ୍ୱାଧୀନ ଭାବେ। ଗଣେଶରାମ ଖୁଣ୍ଟିଆ ଦୁଇଟି ବିଭାଗର ମନ୍ତ୍ରୀ ଥିବାବେଳେ ସୂର୍ଯ୍ୟବଂଶୀ ସୂରଜ ୩ଟି, ପ୍ରଦୀପ ବଳ ସାମନ୍ତ ୨ଟି, ଗୋକୁଳାନନ୍ଦ ମଲ୍ଲିକ ୨ଟି ଏବଂ ସମ୍ପଦ ଚରଣ ସ୍ୱାଇଁ ଦୁଇଟି ବିଭାଗ ସମ୍ଭାଳୁଛନ୍ତି।
ମନ୍ତ୍ରୀମାନେ ଏକାଧିକ ଦାୟିତ୍ୱ ସମ୍ଭାଳୁଥିବାରୁ ବିଭାଗକୁ ଚଳାଇବାରେ ସକ୍ଷମ ହୋଇପାରୁ ନାହାନ୍ତି। ଫଳରେ ଅଧିକାରୀ ଅଧିକ ଶକ୍ତିଶାଳୀ ହୋଇ ବିନା ମନ୍ତ୍ରୀଙ୍କ ଆଲୋଚନାରେ ବି ଅନେକ ନିଷ୍ପତ୍ତି ନେଉଛନ୍ତି। ଏସବୁ ଅଭିଯୋଗ କେନ୍ଦ୍ରୀୟ ନେତୃତ୍ୱ ପାଖରେ ପହଞ୍ଚିବା ପରେ ଏବେ ଆରମ୍ଭ ହୋଇଛି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ତଥା ପଦବୀ ବଣ୍ଟନ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପଛରେ ଆଉ ଏକ କାରଣ ହେଉଛି ଆଞ୍ଚଳିକ ବୈଷମ୍ୟ ଦୂର କରିବା। ଏବେ ଯେଉଁ ମନ୍ତ୍ରିମଣ୍ଡଳ ରାଜ୍ୟରେ ରହିଛି ତାହା ପଶ୍ଚିମାଞ୍ଚଳକୁ ଅଧିକ ଗୁରୁତ୍ୱ ଦେଇଛି। ଯଦିଓ ଉପକୂଳରେ ବିଜେପିର ପ୍ରାଦୂର୍ଭାବ କ୍ଷୀଣ କିନ୍ତୁ ରାଜ୍ୟ ରାଜନୀତିରେ ଉପକୂଳ ଓଡ଼ିଶାର ପ୍ରଭାବ ପୂର୍ବରୁ ରହି ଆସିଛି। କିନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ କଟକ, ଭୁବନେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ୱର, କେନ୍ଦ୍ରାପଡ଼ା, କନ୍ଧମାଳ ଓ କୋରାପୁଟ ଭଳି ୮ ଜିଲ୍ଲାରେ କେହି ପ୍ରତିନିଧି ନାହାନ୍ତି।
ଅବଶ୍ୟ ଏହା ସତ୍ୟ ଯେ, ମନ୍ତ୍ରିମଣ୍ଡଳରେ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତିନିଧିତ୍ୱ କରାଯାଇ ପାରିବ ନାହିଁ। କାରଣ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସମୁଦାୟ ସଦସ୍ୟ ସଂଖ୍ୟାର ୧୫ ପ୍ରତିଶତ ଅର୍ଥାତ୍ ୨୨ଜଣ ମନ୍ତ୍ରୀ ରହିପାରିବେ। କିନ୍ତୁ ଆଞ୍ଚଳିକ ବୈଷମ୍ୟକୁ ଦୂର କରିବା ଲାଗି ସମସ୍ତ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରିମଣ୍ଡଳରେ ସଦସ୍ୟ ରହିବା ଆବଶ୍ୟକ। ପୁଣି ରାଜ୍ୟ ମନ୍ତ୍ରିମଣ୍ଡଳରେ ଯେଉଁ ଜିଲ୍ଲା ସାମିଲ ହୋଇପାରୁ ନାହିଁ ସେହି ଜିଲ୍ଲାର ପ୍ରତିନିଧିତ୍ୱ ବଢ଼ାଇବା ଲାଗି ବିଭିନ୍ନ ନିଗମ ଦ୍ୱାର ଖୋଲାଯିବା ଉଚିତ। କିନ୍ତୁ ରାଜ୍ୟରେ ଏହା କରାଯାଇ ନାହିଁ। ଏଯାଏ ବିଜେପି ପକ୍ଷରୁ ନିଗମ, କର୍ପେୋରେଟ ଦ୍ୱାରକୁ ଖୋଲାଯାଇପାରି ନାହିଁ।
ଅପରପକ୍ଷେ ରାଜ୍ୟରେ ଅନେକ ବରିଷ୍ଠ ନେତା ରହିଛନ୍ତି ଯେଉଁମାନଙ୍କୁ ଦଳରେ ଓ ମନ୍ତ୍ରିମଣ୍ଡଳରେ ଅବହେଳା କରାଯାଇଛି। କିଛି କେନ୍ଦ୍ରୀୟ ନେତା ତଥା କେନ୍ଦ୍ରମନ୍ତ୍ରୀଙ୍କ ଚାପ ଏଥିରେ ରହିଛି। କିନ୍ତୁ ଏ ଚାପକୁ ବି ପ୍ରଶମନ କରିବା ପାଇଁ କେନ୍ଦ୍ର ସଂଗଠନ ଚିନ୍ତା କରିଛି।
Also readhttps://purvapaksa.com/muslim-population-in-india-97-out-of-100-people-in-this-state-are-muslims/
