ରାକ୍ଷୀ ପୂର୍ଣ୍ଣିମାରେ ଭୁବନେଶ୍ୱରର ପାତ୍ରପଡ଼ାରେ ଘଟିଥିବା ହିଟ୍ ଆଣ୍ଡ ରନ୍ ମାମଲାରେ ସମ୍ପୃକ୍ତ ଥିବା ଥାର୍ ଡ୍ରାଇଭରଙ୍କୁ ପୋଲିସ ଆଜି ଗିରଫ କରିଛି। ଘଟଣାର ଦେଢମାସ ପରେ ପୁରୀରୁ ଡ୍ରାଇଭର ସୋମନାଥ ବେହେରାଙ୍କୁ ଗିରଫ କରିଛି ପୋଲିସ । ଅଗଷ୍ଟ ୯ ତାରିଖରେ ଘଟିଥିବା ଏହି ଘଟଣା ଗୋଟିଏ ଥାର ଏବଂ ଏକ ସ୍କୋର୍ପିଓ ମଧ୍ୟରେ ବେପରୁଆ ରେସ୍ ଯୋଗୁଁ ଘଟିଥିଲା । ଯାହାକି ସେତେବେଳେ ସମଗ୍ର ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା। ଗାଡ଼ି ଧକ୍କାରେ ମା’ ଝିଅଙ୍କର ମୃତ୍ୟୁ ହୋଇଥିଲା ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହୋଇଥିଲେ। ଅନ୍ୟତମ ଅଭିଯୁକ୍ତ ସୋମନାଥ ବେହେରାଙ୍କୁ ଗିରଫ କରିବା ପରେ, ପୀଡିତାଙ୍କ ପରିବାର ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଆବେଦନ କରିଥିଲେ।
ଚଳିତ ବର୍ଷ ଅଗଷ୍ଟ ୯ ତାରିଖ ରାତିରେ, ଏକ ସ୍କୋର୍ପିଓ ସହିତ ରେସ କରୁଥିବା ଥାର ଆଠ ବର୍ଷୀୟ ରେଶମା ରାଉଳ, ତାଙ୍କ ମାଆ ରେବତୀ ରାଉଳ ଏବଂ ସାନ ଭାଇଙ୍କୁ ଧକ୍କା ଦେଇଥିଲା। ରେଶମାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ମାଆ ଏବଂ ଭାଇ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ମା’ ରେବତୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ପାତ୍ରପଡ଼ା ଏବଂ ଫୁଲେଶ୍ୱରୀ ଅଞ୍ଚଳରେ ପ୍ରତିବାଦ ଏବଂ ରାସ୍ତା ଅବରୋଧ ଏବଂ ରାଜ୍ୟବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଥିଲା।
ପୂର୍ବରୁ, ପୋଲିସ ଏହି ମାମଲାରେ ସ୍କୋର୍ପିଓ ଡ୍ରାଇଭର ଅଙ୍କିତ ସାହୁ ଏବଂ ତାଙ୍କ ସହଯୋଗୀ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଅଟକ ରଖିଥିଲା। ଏହାସହ ଖୋଳତାଡ଼ ପରେ, କମିଶନରେଟ୍ ପୋଲିସ ପଟିଆର ଜଣେ ମଦ ବ୍ୟବସାୟୀଙ୍କ ପୁଅ ଏବଂ ସ୍କୋର୍ପିଓ ମାଲିକ ରୋହନ ରଞ୍ଜନ ରାଉତ ଏବଂ ତାଙ୍କ ସହଯୋଗୀ ଦିଲ୍ଲୀର ଏକ ଘରୋଇ ବ୍ୟାଙ୍କ ପରିଚାଳକ ସୋହମ ରାଜ ତ୍ରିପାଠିଙ୍କୁ ଗିରଫ କରିଥିଲା।ଅଭିଯୁକ୍ତମାନେ ପ୍ରଥମେ ମନାଲି ବୁଲିବାକୁ ଯାଇ ଦିଲ୍ଲୀରେ ଲୁଚି ରହିଥିଲେ । ଦୁର୍ଘଟଣାରେ ଜଡିତ ଉଭୟ ଗାଡି ଜବତ କରାଯାଇଥିଲା ଏବଂ ଅଭିଯୁକ୍ତଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯାଇଥିଲା।
