ବିଶ୍ୱସ୍ତରୀୟ। ଏହି ଶବ୍ଦ ସହ ଓଡ଼ିଶାବାସୀ ବେଶ ଭଲଭାବେ ଅବଗତ। ପୂର୍ବ ବିଜୁ ଜନତା ଦଳ ସରକାରରେ ଶୌଚାଳୟଠାରୁ ଆରମ୍ଭ କରି ସ୍କୁଲ ହେଉ ଅବା ଡାକ୍ତରଖାନା ସବୁକୁ ବିଶ୍ୱସ୍ତରୀୟ ବୋଲି ଘୋଷଣା କରାଯାଉଥିଲା। ଏହି କାମର କିଛିମାସ ଭିତରେ ଶୌଚାଳୟ କାନ୍ଥ, ସ୍କୁଲ ପାଚେରୀ ଭୁଶୁଡ଼ିବାର ନଜିର ଆମେ ଦେଖିଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କରିବାର କାମ ଏବେ ଜୋରସୋରରେ। ହେଲେ ଏହାକୁ ମଧ୍ୟ ଅନେକ ଭିନ୍ନ ଦୃଷ୍ଟିରେ ଦେଖି ନାନାଦି ଆଲୋଚନା କରୁଛନ୍ତି। ମାତ୍ର ଆଖିରେ ନ ଦେଖିଲେ ଏହାର ସତ୍ୟତାକୁ ଆଦୌ ହୃଦବୋଧ କରିହେବ ନାହିଁ। ‘ବିଶ୍ୱସ୍ତରୀୟ’କୁ ନେଇ କିଛି ଲୋକଙ୍କ ଭିତରେ ଯେଉଁ ସାମାନ୍ୟତମ ଦ୍ୱନ୍ଦ୍ୱ ଓ ସନ୍ଦେହ ରହିଛି ସେମାନେ ଅତିକମରେ ଥରୁଟିଏ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ରେଳ ଷ୍ଟେସନକୁ ବୁଲି ଦେଖିବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କିପରି ଓଡ଼ିଶାର ରେଳବାଇର ବିକାଶ ଏବଂ ଯାତ୍ରୀ ସୁବିଧାକୁ ପ୍ରାଥମିକତା ଦେଉଛନ୍ତି ତା’ର ଉତ୍ତର ପାଇପାରିବେ ସେମାନେ।
କେଉଁ ସୁବିଧା ମିଳିବ
୧. ପୃଥକଭାବେ ଆଗମନ ଏବଂ ପ୍ରସ୍ଥାନ ପାଇଁ ଏଲିଭେଟେଡ ରୋଡ
୨. ଲିଫ୍ଟ ସଂଖ୍ୟା ୩୪, ରହିବ ୨୦ ଏସ୍କାଲେଟର
୩. ୨୪ ଅବସର କୋଠାରୀ, ୧୫୦ ବେଡ୍ର ଡର୍ମିଟୋରି
୪. ଫୁଟ କୋଟ୍, ଦେୟଯୁକ୍ତ ଲାଉଞ୍ଜ, ପିଲାଙ୍କ ପାଇଁ ଖେଳ ସୁବିଧା, ଏଟିଏମ୍
୫. ଅତ୍ୟାଧୁନିକ ସୁବିଧା ସହ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ
୬. ଇଲେକ୍ଟ୍ରୋନିକ ବ୍ୟବସ୍ଥାରେ ଟ୍ରେନ ସୂଚନା ପ୍ରଣାଳୀ
୭. ସିସିଟିଭି ମନିଟର, ଲଗେଜ ସ୍କାନର, ସ୍ୱତନ୍ତ୍ର ଯାଞ୍ଚ
୮. ପାର୍କିଂ ସ୍ଥଳରେ କାର୍ ଚାର୍ଜ ପଏଣ୍ଟ
୯. ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା
ଭାରତ ବର୍ଷର ଅଧିକାଂଶ ବଡ଼ ବଡ଼ ରେଳ ଷ୍ଟେସନ ଏବଂ ମେଟ୍ରୋ ଷ୍ଟେସନରେ ଉପଲବ୍ଧ ସୁବିଧା ସୁଯୋଗ, ବିମାନ ବନ୍ଦର ଭିତରେ ଆରାମଦାୟକ ସେବା ସୁବିଧା ଭୁବନେଶ୍ୱର ରେଳ ଷ୍ଟେସନରେ ମିଳିବା ସହ ବିମାନ ବନ୍ଦରର ଭ୍ରମ ସୃଷ୍ଟି କରିବ?
କାରଣ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାରମ୍ବାର କହିଆସୁଛନ୍ତି ଓଡ଼ିଶାରେ ରେଳ ବିକାଶକୁ ଆମେ ପ୍ରାଥମିକତା ଦେଉଛୁ। ୨୦୧୪ ମସିହା ପରଠାରୁ ଓଡ଼ିଶା ପାଇଁ ରେଳବଜେଟ୍ ବଢ଼ିଥିଲାବେଳେ ଗତ ୪ ବର୍ଷ ଧରି ଏହା ୧୦ହଜାର କୋଟି ଟପିଛି। ପ୍ରତିଟି କୋଣଅନୁକୋଣରେ ଥିବା ରେଳ ଷ୍ଟେସନର ଭିତ୍ତିଭୂମିକୁ ମଜଭୁତ କରାଯାଉଥିଲାବେଳେ ଯାତ୍ରୀ ସୁରକ୍ଷାକୁ ଦିଆଯାଉଛି ପ୍ରାଥମିକତା। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି। ରେଳମନ୍ତ୍ରୀଭାବେ ଶ୍ରୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରକେଟ୍ ବେଗରେ ବଢୁଛି ଓଡ଼ିଶା ରେଳବାଇ।
ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ୨୦୨୨ରେ ଘୋଷଣା କରାଯାଇଥିଲାବେଳେ ପ୍ରକୃତ କାମ ଆରମ୍ଭ ହେଲା ୨୦୨୩ ଜାନୁଆରୀରୁ। ଦୈନିକ ୧ ଲକ୍ଷରୁ ଅଧିକ ଯାତ୍ରୀ ଚଳପ୍ରଚଳ କରୁଥିବା ଓଡ଼ିଶାର ଏହି ଅନ୍ୟତମ ବଡ଼ ରେଳ ଷ୍ଟେସନରେ ଟ୍ରେନ ସେବାକୁ ବନ୍ଦ କରି କାମ କରିବା ସମ୍ଭବ ନ ଥିଲା। ଟ୍ରେନ ଚଳାଚଳ, ଯାତ୍ରୀ ଚଳପ୍ରଚଳ ଭିତରେ କାମ ଆରମ୍ଭ କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲେ ମଧ୍ୟ ଦକ୍ଷ ଇଞ୍ଜିନିୟର, ରେଳ ବିଭାଗର ଅଧିକାରୀ, ନିର୍ମାଣ ଦାୟିତ୍ୱରେ ଥିବା ଚେନ୍ନାଇର ୟୁଆରସି କନଷ୍ଟ୍ରକ୍ସନର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହା ଏବେ ସଫଳ ରୂପ ନେବାକୁ ଯାଉଛି। ନିୟମିତ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସି ଏହି କାର୍ଯ୍ୟର ସମୀକ୍ଷା କରୁଛନ୍ତି । ସୂଚନା ଅନୁସାରେ ୧୧ମହଲା ବିଶିଷ୍ଟ ଏହି ଷ୍ଟେସନର ପ୍ରଥମ ୪ ମହଲା କାମ ଖୁବ୍ ଶୀଘ୍ର ଶେଷ ହେବ ଏବଂ ଏହାକୁ ଆନୁଷ୍ଠାନିକ ଉଦ୍ଘାଟନ କରାଯିବ।
କାହିଁକି ବିଶ୍ୱସ୍ତରୀୟ
ବିମାନ ବନ୍ଦରରେ ଯେପରି ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ସୁବିଧା ରହିଛି ଠିକ୍ ଏହିଭଳି ବ୍ୟବସ୍ଥା ରହିବ ରେଳ ଷ୍ଟେସନରେ। ମାଷ୍ଟର କ୍ୟାଣ୍ଟନ ପଟୁ ଯାତ୍ରୀମାନେ ଏଲିଭେଟେଡ ରୋଡରେ ଆସିବେ ଷ୍ଟେସନ। ସେମାନଙ୍କ ଗାଡ଼ି ଅଟକିବ ଷ୍ଟେସନର ଦ୍ୱିତୀୟ ମହଲାରେ । ସେଠାରେ ସେମାନେ ଭିତରକୁ ଯିବେ । ଆଉ ସେହି ଗାଡ଼ି ଅନ୍ୟ ରାସ୍ତା ଦେଇ ବାହାରିଯିବ । ଟ୍ରେନରୁ ଯେଉଁମାନେ ପ୍ରସ୍ଥାନ କରିବେ ସେମାନଙ୍କ ପାଇଁ ମଧ୍ୟ ରହିଛି ଭିନ୍ନ ରାସ୍ତା । ପୃଥକ୍ ଆଗମନ ଏବଂ ପ୍ରସ୍ଥାନ ପାଇଁ ଉଭୟ ପାର୍ଶ୍ୱ ପ୍ରବେଶ ପଥରେ ଏଲିଭେଟେଡ୍ ରୋଡ଼ ଥିବାରୁ ଯାତ୍ରୀ ଭିଡ଼ ଅନେକାଂଶରେ ଦୂର ହୋଇପାରିବ ।
ଷ୍ଟେସନ ଭିତରେ ମଧ୍ୟ ଅଥା ଭିଡ଼କୁ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେ ନେଇଛି ରେଳବାଇ । ଯେଉଁ ଯାତ୍ରୀମାନେ ରେଳରେ ନିଜ ଗନ୍ତବ୍ୟ ପଥକୁ ଯିବାକୁ ପହଞ୍ଚିବେ ସେମାନେ ଦ୍ୱିତୀୟ ମହଲାରେ ପହଞ୍ଚିବା ପରେ ଉପଲବ୍ଧ ଥିବା ଲାଉଞ୍ଜରେ ପ୍ରତୀକ୍ଷା କରିବେ । ଏହି ପ୍ରତୀକ୍ଷା ସ୍ଥଳଟି ଫୁଟବଲ୍ ପଡ଼ିଆଠାରୁ ବଡ଼ । ସମସ୍ତ ସୁବିଧା ପେରିକି ଫୁଡକୋଟ୍, ପିଲାଙ୍କ ପାଇଁ ଖେଳ ସ୍ଥାନ, ଏଟିଏମ୍, ଆରାମ ପାଇଁ ପ୍ରକୋଷ୍ଠ ରହିଛି ଏଠାରେ । ଲାଗିଥିବା ବଡ଼ବଡ଼ ଇଲେକ୍ଟ୍ରୋନିକ୍ସ ବୋର୍ଡ ମାଧ୍ୟମରେ ଏବଂ ଘୋଷଣା ମାଧ୍ୟମରେ ଅପେକ୍ଷାରେ ଥିବା ଯାତ୍ରୀ ଜାଣିପାରିବେ କେଉଁ ପ୍ଲାଟଫର୍ମରେ ଆସୁଛି ସେମାନଙ୍କ ଟ୍ରେନ୍ । ଠିକ୍ ଯେପରି ବିମାନ ବନ୍ଦରରେ ସୂଚନା ଦିଆଯାଇଥାଏ କେଉଁ ଗେଟରେ ଆପଣ ବିମାନ ଭିତରକୁ ପ୍ରବେଶ କରିପାରିବେ ।
ଏହି ପ୍ରତୀକ୍ଷା ସ୍ଥଳରେ ପ୍ରତି ପ୍ଲାଟଫର୍ମ ପାଇଁ ଲିଫ୍ଟ, ଏସ୍କାଲେଟର ସୁବିଧା ରହିଛି । ଅର୍ଥାତ୍ ପ୍ଲାଟଫର୍ମ ଘୋଷଣା ପରେ ଯାତ୍ରୀମାନେ ଏହା ମାଧ୍ୟମରେ ନିଜ ପ୍ଲାଟଫର୍ମରେ ପହଞ୍ଚି ନିଜ ଟ୍ରେନ୍ ଧରିପାରିବେ । ଏହି ସବୁ ବ୍ୟବସ୍ଥା ସିସିଟିଭର ନଜରରେ ରହିଛି । ଯାତ୍ରୀଙ୍କ ସୁରକ୍ଷାକୁ ଏବଂ ସୁବିଧାକୁ ଦିଆଯାଉଛି ପ୍ରାଥମିକତା । ଏହି ଦ୍ୱିତୀୟ ମହଲାରୁ ବିନା ଟିକେଟରେ କୌଣସି ଯାତ୍ରୀ ପ୍ରତୀକ୍ଷା ସ୍ଥଳ କିମ୍ବା ଲାଉଞ୍ଜକୁ ଯାଇପାରିବେ ନାହିଁ । ଗୋଟିଏ ପଦରେ କହିଲେ ଆନ୍ତର୍ଜାତିକ ବିମାନ ବନ୍ଦରରେ ଯେପରି ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦିଆଯାଇଥାଏ ଠିକ୍ ସେହି ଢାଞ୍ଚାରେ ତିଆରି ଚାଲିଛି ଏହି ଭୁବନେଶ୍ୱର ରେଳ ଷ୍ଟେସନ ।
ଖୁବ୍ ଶୀଘ୍ର ମେନ ବିଲ୍ଡିଂରୁ ଆରମ୍ଭ ହେବ ବୁକିଂ କାଉଣ୍ଟର
ଏବେ ନିର୍ମାଣ କାର୍ଯ୍ୟ ଚାଲିଥିବା କାରଣରୁ ଯାତ୍ରୀମାନଙ୍କୁ କିଛି ମାତ୍ରାରେ ଅସୁବିଧା ଭୋଗିବାକୁ ପଡୁଛି। ଭିଡ଼ ମଧ୍ୟ ବଢୁଛି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ନୂଆ ବିଲ୍ଡିଂରୁ ବୁକିଂ କାଉଣ୍ଟର ଆରମ୍ଭ କରିବାର ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩୧ରୁ ଏହି କାଉଣ୍ଟର ଖୋଲିବ । ଯାତ୍ରୀମାନେ ତିଆରି ହେଉଥିବା ନୂଆରାସ୍ତା ମାଧ୍ୟମରେ ମେନ୍ ବିଲ୍ଡିଂରେ ପହଞ୍ଚି ବୁକିଂ କାଉଣ୍ଟରକୁ ଯାଇପାରିବେ, ସେଠାରୁ ସିଧାସଳଖ ଯିବେ ପ୍ଲାଟଫର୍ମ ଭିତରକୁ। ନୂଆ ଷ୍ଟେସନ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଏହି ଧାରା ଜାରି ରହିବ ।
Also readhttps://purvapaksa.com/obcs-kalanimis-arun-raja-srikant/