କୌଣସି ବ୍ୟକ୍ତି ବା ସଂଗଠନ ଭାରତ ବନ୍ଦର ଘୋଷଣା କରିପାରେ କି? ଦେଶବ୍ୟାପୀ ବନ୍ଦ ସମ୍ପର୍କରେ ସଂବିଧାନ ସେମାନଙ୍କୁ କେତେ ଅଧିକାର ଦେଇଛି? ଏହି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ କେବେ ନା କେବେ ଆସିଥିବ । ଏହାର କାରଣ ହେଉଛି ଭାରତ ବନ୍ଦ କରି ବ୍ୟାଙ୍କିଙ୍ଗ, ଖଣି, ପରିବହନ ଓ ଉତ୍ପାଦନ ସମେତ ଅନେକ କ୍ଷେତ୍ରର ୨୫ କୋଟିରୁ ଅଧିକ କର୍ମଚାରୀ ଆଜି (୦୯ ଜୁଲାଇ) ହରତାଳରେ ଅଛନ୍ତି। କର୍ମଚାରୀମାନେ ସମଗ୍ର ଦେଶରେ ଭାରତ ବନ୍ଦର ଆହ୍ୱାନ ଦେଇଛନ୍ତି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଓ ସେମାନଙ୍କୁ ମିଳୁଥିବା ସେବା ଉପରେ ପଡ଼ିଛି। ଭାରତ ବନ୍ଦରେ ଏଟକ (ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ), ଏଚଏମଏସ, ସିଟୁ, ଇଣ୍ଟକ, ଇନୁଟୁକ, ଟିୟୁସିସି, ଏଆଇସିସିଟିୟୁ, ଏଲପିଏଫ ଓ ଯୁଟିୟୁସି ସାମିଲ ହୋଇଛି। କୃଷି ଶ୍ରମିକ ସଂଘ ଓ ସଂଯୁକ୍ତ କିସାନ ମୋର୍ଚ୍ଚା ମଧ୍ୟ ଏହି ହରତାଳକୁ ସମର୍ଥନ କରିଛନ୍ତି।
ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କ’ଣ ସଂବିଧାନ ଭାରତ ବନ୍ଦ କରୁଥିବା ଲୋକମାନଙ୍କୁ ଏପରି କରିବାର ଅଧିକାର ଦେଇଛି? ଭାରତ ବନ୍ଦ ସମୟରେ ଯଦି କୌଣସି ହିଂସା ହୁଏ, ତେବେ ତାହାର ଉତ୍ତରଦାୟିତ୍ୱ କାହାର? ହିଂସାର ମାମଲାରେ କେଉଁ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର।
କେହି ବି ଭାରତ ବନ୍ଦର ଘୋଷଣା କରିପାରେ କି?
ସୁପ୍ରିମକୋର୍ଟ ଆଇନଜୀବୀ ଆଶୀଷ ପାଣ୍ଡେ କୁହନ୍ତି ଯେ, ଭାରତ ଏକ ଗଣତାନ୍ତ୍ରିକ ଦେଶ ଏବଂ ସମସ୍ତଙ୍କୁ ନିଜର କଥା କହିବାର ଅଧିକାର ରହିଛି। ଭାରତୀୟ ସମ୍ବିଧାନରେ ମିଳୁଥିବା ଅଧିକାର ଏହାକୁ ସମର୍ଥନ କରେ। ସମ୍ବିଧାନର ଅନୁଚ୍ଛେଦ ୧୯(ଏ) ପ୍ରତ୍ୟେକ ଭାରତୀୟଙ୍କୁ ଭାଷଣ ଦେବା ସହ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ଦେଇଛି।
ସେକ୍ସନ-ବି କହୁଛି, ବିନା ଅସ୍ତ୍ରଶସ୍ତ୍ରରେ ଭାରତୀୟମାନେ ଶାନ୍ତିପୂର୍ଣ୍ଣ ଭାବେ ଯେକୌଣସି ସ୍ଥାନରେ ଏକତ୍ରିତ ହୋଇପାରନ୍ତି। ଅର୍ଥାତ୍ ଦେଶରେ ଭାରତ ବନ୍ଦର ଘୋଷଣା ମଧ୍ୟ କରିପାରନ୍ତି। ଶାନ୍ତିପୂର୍ଣ୍ଣ ଭାବେ କରାଯାଇଥିବା ଭାରତ ବନ୍ଦ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ।
ପ୍ରଦର୍ଶନକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହୁଏ?
ଆଇନଜୀବୀ ଶ୍ରୀ ପାଣ୍ଡେ କୁହନ୍ତି, ଶାନ୍ତିପୂର୍ଣ୍ଣ ଭାବେ କରାଯାଇଥିବା ଭାରତ ବନ୍ଦ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ, କିନ୍ତୁ ଯେତେବେଳେ ଭାରତ ବନ୍ଦ ବା ଏହି ସମୟରେ ହେଉଥିବା ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥାଏ, ପ୍ରଦର୍ଶନକାରୀମାନେ ଉଗ୍ର ହୋଇ ଅନ୍ୟର ସମ୍ପତ୍ତି ବା ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଆରମ୍ଭ କରନ୍ତି, ଲୋକମାନଙ୍କୁ ଭୟଭୀତ କରନ୍ତି ବା ଧମକ ଦିଅନ୍ତି, କିଛି ଏପରି କରନ୍ତି ଯାହା ଦ୍ୱାରା ଅନ୍ୟ ନାଗରିକଙ୍କୁ କ୍ଷତି ପହଞ୍ଚେ ବା ସେମାନଙ୍କ ଅଧିକାରର ହନନ ହୁଏ ବା ଜବରଦସ୍ତି ଦୋକାନଗୁଡ଼ିକୁ ବନ୍ଦ କରାନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।
ପ୍ରଦର୍ଶନ ହିଂସାତ୍ମକ ହେଲେ କେଉଁ କେଉଁ କାର୍ଯ୍ୟାନୁଷ୍ଠାନ ହେବ?
ଭାରତୀୟ ସଂବିଧାନ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନର ଅନୁମତି ଦେଇଥାଏ, କିନ୍ତୁ ସେଥିରେ ଅସ୍ତ୍ରଶସ୍ତ୍ର ସହ ଅଂଶଗ୍ରହଣ କରାଯାଇ ପାରିବ ନାହିଁ। କାର୍ଯ୍ୟାନୁଷ୍ଠାନ ସେତେବେଳେ ନିଆଯାଏ ଯେତେବେଳେ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥାଏ। କାର୍ଯ୍ୟାନୁଷ୍ଠାନ କେଉଁ ପ୍ରକାରର ହେବ, ତାହା ନିର୍ଭର କରେ ହିଂସା କେଉଁ ପ୍ରକାରର ହୋଇଛି ଏବଂ କେଉଁ ପ୍ରକାରର କ୍ଷତି ହୋଇଛି ତାହା ଉପରେ।
ଯଦି ହିଂସା କରୁଥିବା ପ୍ରଦର୍ଶନକାରୀମାନେ କାହାର ସମ୍ପତ୍ତିକୁ କ୍ଷତି ପହଞ୍ଚାଇଛନ୍ତି, ତେବେ ପ୍ରିଭେନସନ ଅଫ ଡ୍ୟାମେଜ ଅଫ ପବ୍ଲିକ ପ୍ରୋପର୍ଟୀ ଆକ୍ଟ ୧୯୮୪ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଆଇନ କହୁଛି ଯେ, ଯେଉଁ ବ୍ୟକ୍ତି ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଛି, ତାଙ୍କୁ ପାଞ୍ଚ ବର୍ଷର କାରାଦଣ୍ଡ ସହ ଜୋରିମାନା ମଧ୍ୟ ଲାଗିପାରେ।
ସମୟ ସହ ପ୍ରଦର୍ଶନରେ ହିଂସାର ମାମଲା ବଢ଼ିବାର ଦେଖି ସୁପ୍ରିମକୋର୍ଟ ଏହି ଆଇନକୁ ଆହୁରି ଉନ୍ନତ କରିବା ପାଇଁ ସ୍ୱତଃସ୍ଫୂର୍ତ ସଂଜ୍ଞାନ ନେଇଥିଲେ ଏବଂ ୨୦୦୭ରେ ଏଥିପାଇଁ କମିଟି ଗଠନ କରିଥିଲେ। ପ୍ରଥମ ଥିଲା ଜଷ୍ଟିସ ଥୋମାସ କମିଟି ଏବଂ ଦ୍ୱିତୀୟ ଥିଲା ନରିମାନ କମିଟି। ଯଦିଓ ଏହି ପଦକ୍ଷେପ ବହୁତ ପ୍ରଭାବୀ ସାବ୍ୟସ୍ତ ହୋଇନଥିଲା। ପ୍ରଦର୍ଶନ ଓ ଦଙ୍ଗାର ସଂଖ୍ୟା ବଢ଼ିବାରେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଗଠନ କରିବାର କଥା କହିଥିଲେ, ଏହି ପଦକ୍ଷେପ ମଧ୍ୟ ତାର ଅନ୍ତିମ ଲକ୍ଷ୍ୟରେ ପହଞ୍ଚି ନଥିଲା।
ଏହାକୁ ନେଇ ଉତ୍ତର ପ୍ରଦେଶ ସରକାର ଏକ ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ସେତେବେଳେ ପ୍ରଣୟନ ହୋଇଥିଲା ଯେତେବେଳେ ରାଜ୍ୟରେ ସିଏଏ ପାଇଁ ପ୍ରଦର୍ଶନଗୁଡ଼ିକ ଜୋର ଧରିଥିଲା। ଆଇନର ନାମ ହେଉଛି, ଉତ୍ତର ପ୍ରଦେଶ କମ୍ପେନସେସନ ଫର ଡ୍ୟାମେଜ ଟୁ ପବ୍ଲିକ ଆଣ୍ଡ ପ୍ରାଇଭେଟ ପ୍ରୋପର୍ଟୀ ଆକ୍ଟ ୨୦୨୦। ଏହି କାନୂନ କହୁଛି, ଯଦି ପ୍ରଦର୍ଶନକାରୀଙ୍କ କାରଣରୁ କାହାର ସମ୍ପତ୍ତିକୁ କ୍ଷତି ପହଞ୍ଚେ, ତେବେ ସେହି ସମ୍ପତ୍ତିର କ୍ଷତିପୂରଣ ମଧ୍ୟ ସେହି ଦଙ୍ଗାକାରୀମାନଙ୍କଠାରୁ ଆଦାୟ କରାଯିବ। ଦେଶର ଲୋକମାନଙ୍କ ପାଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାର ଅଧିକାର ରହିଛି, କିନ୍ତୁ ହିଂସା କରିବା ଓ ତୋଡ଼ଫୋଡ଼ କରିବାର ଅଧିକାର ନାହିଁ।
Also Read https://purvapaksa.com/bjp-leader-jagannath-pradhan-gets-bail-in-bmc-assault-case/
