ସମସ୍ତ ବୃକ୍ଷଲତା ମଧ୍ୟରେ ତୁଳସୀ ଗଛ ଅନ୍ୟତମ। ଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛରେ ଦେବାଦେବୀ ବାସ କରିଥାଆନ୍ତି।
ଏହାର ଦୈବିକ ଗୁଣ ସହ ଔଷଧୀୟ ଗୁଣ ମଧ୍ୟ ରହିଛି । ସେଥିପାଇଁ ତ କୁହାଯାଏ, ବିଷ୍ଣୁପ୍ରିୟା ସେ । ଘରେ ଘରେ ପୂଜିତା। ପବିତ୍ର ଏହାର ପତ୍ରରୁ ମୃତ୍ତିକା ପର୍ଯ୍ୟନ୍ତ । ମୂଳରେ ଏହାର ସବୁ ତୀର୍ଥ । ପୁଣି ପତ୍ରରେ ଦେବତା କରନ୍ତି ବାସ । ପୁରାଣରୁ ଆୟୁର୍ବେଦ, ମଣିଷର ଜନ୍ମରୁ ମୃତ୍ୟୁ ଯାଏଁ ସବୁଠି ଲୋଡ଼ା ତୁଳସୀ ।
ସମସ୍ତେ ତାଙ୍କ ଘର ଅଗଣାରେ ତୁଳସୀ ବୃକ୍ଷ ଲଗେଇଥାନ୍ତି । ଶାସ୍ତ୍ର ଅନୁଯାୟୀ, ପ୍ରାତଃ କାଳରେ ତୁଳସୀ ବୃକ୍ଷଠାରେ ଜଳ ଅର୍ପଣ କରି ପରିକ୍ରମା କଲେ, ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ସନ୍ଧ୍ୟା ସମୟରେ ଘିଅର ଦୀପ ଲଗାଇ ପୂଜା କଲେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ତୁଳସୀ ପତ୍ରକୁ ସର୍ବଦା ସକାଳ ସମୟରେ ତୋଳିବା ଉଚିତ। ସନ୍ଧ୍ୟା ସମୟରେ ତୋଳିବା ଅନୁଚିତ । ଠାକୁର ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ନୀତି ଓ ବେଶରେ ଭିନ୍ନ ଭିନ୍ନ ରଙ୍ଗ ଓ ବାସ୍ନାର ଫୁଲ ଲାଗିଥାଏ । ଆଉ ଭୋଗରେ ଲାଗିଥାଏ ତୁଳସୀ ପତ୍ର । ଭଗବାନ କୃଷ୍ଣଙ୍କୁ ନିୟମିତ ତୁଳସୀ ଅର୍ପଣ କରିବାଦ୍ୱାରା ଜ୍ଞାନର ବୃଦ୍ଧି ହୋଇଥାଏ । କୁହାଯାଏ, ଭୋଜନ ପ୍ରସ୍ତୁତ କରିବା ପରେ ସେଥିରେ ତୁଳସୀ ପତ୍ର ପକାଇଲେ ଖାଦ୍ୟ ନିଅଣ୍ଟ ହୋଇନଥାଏ ।
ତୁଳସୀ ଔଷଧୀୟ ଗୁଣ ସମ୍ପନ୍ନ। ଏହାର କେବଳ ପତ୍ର ନୁହେଁ, ଚେର, ମୂଳ, ମଞ୍ଜରୀ, ଫୁଲ ଓ ମଞ୍ଜିକୁ ମଧ୍ୟ ଔଷଧରୂପେ ଗ୍ରହଣ କରାଯାଏ । ତୁଳସୀ ପତ୍ରରେ ରୋଗ ପ୍ରତିରୋଧକ କ୍ଷମତା ରହିଛି । ଏହାକୁ ନିୟମିତ ଖାଇଲେ ଥଣ୍ଡା, କାଶ, କଫ ଭଳି ରୋଗରୁ ସହଜରେ ମୁକ୍ତି ମିଳିଥାଏ। ବିଛା କିମ୍ବା କଙ୍କଡ଼ା ବିଛା କାମୁଡ଼ାର ଯନ୍ତ୍ରଣା ଦୂର କରିବା ପାଇଁ ତୁଳସୀ ପତ୍ର ରସ ବ୍ୟବହାର କରାଯାଏ । ଯେଉଁ ପିଲାଙ୍କ ମଧ୍ୟରେ ବାରମ୍ବାର କୃମି ସମସ୍ୟା ଦେଖାଯାଏ, ସେମାନେ ନିୟମିତ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଉତ୍ତମ ଫଳ ପାଇଥାନ୍ତି।
PREVIOUS STORY: https://purvapaksa.com/which-animal-sees-the-world-in-which-colo/