Syria civil war : ପିଏମ୍ ମହମ୍ମଦ ଗାଜୀ ଏକ ଭିଡିଓ ମାଧ୍ୟରେ ବାର୍ତ୍ତା ଦେଇଛନ୍ତି ଯେ, ସେ ଦେଶରେ ରହିବେ ଏବଂ ସିରିଆବାସୀ ଯେଉଁ ବ୍ୟକ୍ତିଙ୍କୁ ଚୟନ କରିବେ ତାଙ୍କ ସହିତ ମିଶି କାମ କରିବେ।
ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ଶାସନର ପତନ ଘଟିଛି। ସେ ଦେଶ ଛାଡ଼ିବା ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀମାନଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛନ୍ତି। ପିଏମ୍ ମହମ୍ମଦ ଗାଜୀ ଏକ ଭିଡିଓ ମାଧ୍ୟରେ ବାର୍ତ୍ତା ଦେଇଛନ୍ତି ଯେ, ସେ ଦେଶରେ ରହିବେ ଏବଂ ସିରିଆବାସୀ ଯେଉଁ ବ୍ୟକ୍ତିଙ୍କୁ ଚୟନ କରିବେ ତାଙ୍କ ସହିତ ମିଶି କାମ କରିବେ। ତେବେ ଚାଲନ୍ତୁ ଜାଣିବା ବସନ୍ତ ବିପ୍ଲବର ୧୩ ବର୍ଷରେ କେମିତି ଭୁଶୁଡ଼ିଲା ଏକଛତ୍ରବାଦୀ ସାମ୍ରାଜ୍ୟ ।
ଆରବରେ ଥିବା ଦେଶମାନଙ୍କ ପାଇଁ ୨୦୧୧ ମସିହା ସଂକଟପୂର୍ଣ୍ଣ ବର୍ଷ ରହିଥିଲା। ଟ୍ୟୁନିସିଆରେ ଜଣେ ପରିବା ବିକୁଥିବା ବ୍ୟକ୍ତିର ଆତ୍ମଦାହରୁ ଆରମ୍ଭ ହୋଇଥିବା ଆନ୍ଦୋଳନର ପ୍ରଭାବ ଅନେକ ଦେଶ ଉପରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ପଡ଼ିଥିଲା। ମିଶର, ଲିବିୟା, ୟମନ,ଓ ସିରିଆ ଅନେକ ଦେଶର ସରକାର ବିରୋଧରେ ସେତେବେଳେ ଜନ ଅସନ୍ତୋଷ ଦେଖାଯାଇଥିଲା। ବିଦ୍ରୋହର ଏହି ବହ୍ନୀକୁ ଜୈସ୍ମୀନ କ୍ରାନ୍ତି ବା ଆରବ ସ୍ପ୍ରିଙ୍ଗ ବା ବସନ୍ତ ବିପ୍ଲବ ଭାବରେ ନାମକରଣ କରାଯାଇଥିଲା। ଏହି ବିପ୍ଲବ ଅନେକ ଏକଛତ୍ରବାଦୀ ଶାସକଙ୍କ ଆଖିରୁ ନିଦ ହଜେଇ ଦେଇଥିଲା ଓ କିଛିଙ୍କୁ ଗାଦିଚ୍ୟୁତ କରିଥିଲା। ଏହି ତାଲିକାରେ ପ୍ରଥମ ନାମ ହେଉଛି ମିଶର ଏକଛତ୍ରବାଦୀ ଶାସକ ହୋସନି ମୁବାରକ। ହୋସନି ମୁବାରକ ୧୯୮୧ ମସିହାରେ ଅଊନୱର ସଦତଙ୍କ ହତ୍ୟା ପରେ ମିଶ୍ରର ରାଷ୍ଟ୍ରପତି ହେଲେ। ସେ ୧୯୮୧ରୁ ୨୦୧୧ ପର୍ଯ୍ୟନ୍ତ ମିଶ୍ରରେ ଏକଛତ୍ର ରାଜ କରି ଆସୁଥିଲେ। କିନ୍ତୁ ୨୦୧୧ ମସିହାରେ ଟ୍ୟୁନସିଟିରୁ ବାହାରିଥିବା ବିଦ୍ରୋହର ଅଗ୍ନୀରେ ତାଙ୍କୁ ରାଜଗାଦୀ ତ୍ୟାଗ କରିବାକୁ ପଡ଼ିଥିଲା।
ଜାନୁଆରୀ ୨୦୧୧ ମସିହା ମିଶର ରାଜଧାନୀ କାହିରାର ତହରୀର ସ୍କୋୟରରେ ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ଏକତ୍ରୀତ ହୋଇଥିଲେ। ସେମାନଙ୍କର ଦାବି ରହିଥିଲା ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ଓ ମୁବାରକଙ୍କ ଇସ୍ତଫା। ସୋସିଆଲ ମିଡିଆ ଓ ଇଣ୍ଟରନେଟ ଜରିଆରେ ଏହି ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଥିଲା।
ହୋସନି ମୁବାରକ ସରକାର ପ୍ରଥମେ ଏହି ବିରୋଧକୁ ଦମନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଜନସାଧାରଣଙ୍କ ସମର୍ଥନ ତଥା ବିଶ୍ୱ ଚାପ କାରଣରୁ ସରକାରଙ୍କ ରଣନୀତି ବିଫଳ ହୋଇଥିଲା। ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲେ ମଧ୍ୟ ଜନତା ନିଜର ଦାବିରୁ ଓହରିନଥିଲେ। ୧୮ ଦିନ ଯାଏଁ ବିଦ୍ରୋହର ଅଗ୍ନୀ ବଢ଼ି ବଢ଼ି ଚାଲିଥିଲା ଓ ଶେଷରେ ହୋସନି ମୁବାରକ କ୍ଷମତାରୁ ଓହରିବା ସହ କ୍ଷମତା ସେନା ହାତକୁ ଯାଇଥିଲା। ମଧ୍ୟପ୍ରାଚ୍ୟରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ବିଦ୍ରୋହର ସ୍ୱର ରାଜପଥରେ ପହଞ୍ଚି ଜଣେ ଏକଛତ୍ରବାଦୀ ଶାସକଙ୍କୁ କ୍ଷମତାରୁ ହଟାଇ ଦେଇଥିଲା। ଅବଶ୍ୟ ଏଥିରେ ୨୩୯ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା।
ଜସ୍ମିନ୍ ବିପ୍ଳବର ନିଆଁରେ ଲିବିଆର ଏକଛତ୍ରବାଦୀ ଶାସକ ମୁଆମ୍ମାର ଅଲ ଗଦ୍ଦାଫୀଙ୍କ ସିଂହାସନ ମଧ୍ୟ ଜଳି ଯାଇଥିଲା। ବିରୋଧୀ ରାଜଧାନୀ ତ୍ରିପୋଲୀରେ ଗଦ୍ଦାଫୀର ବାବ ଅଲ-ଅଜୀଜିଆ ଉପରେ କବଜା କରିଥିଲେ । ଯେଉଁ ଘଟଣା ଅନ୍ତରାଷ୍ଟ୍ରୀୟ ଅପରାଧ ଅଦାଲତ ଯାଏଁ ପହଞ୍ଚିଥିଲା। ଏହି ସମୟରେ ଗଦ୍ଦାଫୀଙ୍କ ମୂର୍ତ୍ତି ମଧ୍ୟ ଜଳାଯାଇଥିଲା। ବିଦ୍ରୋହୀମାନେ ଗଦାଫିଙ୍କ ପ୍ରାସାଦରେ ୨୫ ଏକର ଜମିରେ ପ୍ରବେଶ କରି ଲୁଟପାଟ୍ କରିଥିଲେ। ଏହାପରେ ଗଦ୍ଦାଫୀ କାବୁ ହୋଇଥିଲେ।
ମୁଅମ୍ମର ଅଲ ଗଦ୍ଦାଫୀ ଲିବିୟାରେ ୪୨ ବର୍ଷ ଯାଏଁ ରାଜ କରିଥିଲେ। ସେ ମାତ୍ର ୨୭ ବର୍ଷ ବୟସରେ ସେ କ୍ଷମତାକୁ ଆସିଥିଲେ। ଗଦ୍ଦାଫୀ ଅତ୍ୟନ୍ତ ନିଷ୍ଠୁର ଥିଲେ । ଜନତା ତାଙ୍କୁ ପାଗଳ ବୋଲି ମଧ୍ୟ ସମ୍ବୋଧନ କରୁଥିଲେ। ଆନ୍ଦୋଳନ ପରେ ଗଦ୍ଦାଫୀ ଓ ତାଙ୍କ ପୁଅ ସୈଫ ଅଲ ଇସଲାମ ଓ ତାଙ୍କୁ ଭିଣୋଇ ବିରୁଦ୍ଧରେ ଅଭିଯୋଗ ଦାଖଲ କରାଯାଇଥିଲା। ବିଶ୍ୱର ୩୦ଟି ଦେଶ ବିଦ୍ରୋହ ପରେ ଲିବିଆରେ ବିଦ୍ରୋହୀ ସରକାରକୁ ସ୍ୱୀକୃତି ଦେଇଥିଲେ । ୨୦ ଅକ୍ଟୋବର ୨୦୧୧ରେ ଗଦ୍ଦାଫୀଙ୍କୁ ତାଙ୍କ ବାସଭବନରେ ହତ୍ୟା କରାଯାଇଥିଲା । କିନ୍ତୁ ତାଙ୍କ ମୃତ୍ୟୁର କାରଣ ଏବେ ମଧ୍ୟ ଅସ୍ପଷ୍ଟ । ମୃତ୍ୟୁ ପରେ ଗଦ୍ଦାଫୀଙ୍କ ଅନେକ ଭିଡିଓ ଦେଖିବାକୁ ମିଳିଥିଲା,ଯେଉଁଥିରେ ସେ କ୍ଷମାପ୍ରାର୍ଥନା କରୁଥିଲେ ।
କହିରଖୁ ଯେ, ଟ୍ୟୂନସିଟି କ୍ରାନ୍ତି ୨୮ ଦିନ ଯାଏଁ ଚାଲିଥିବା ଏକ ବିପ୍ଲବ। ଜନତାଙ୍କ ଏହି ବିରୋଧ କାରଣରୁ ଜାନୁଆରୀ ୨୦୧୧ରେ ଲମ୍ବା ସମୟ ଧରି ଥିବା ରାଷ୍ଟ୍ରପତି ଜୀନ ଅଲ ଆବିଦୀନ ବେନ ଅଲୀଙ୍କୁ ମଧ୍ୟ ନିଜ ପଦରୁ ଓହରିବାକୁ ପଡ଼ିଥିଲା। ଏହା ପରେ ଦେଶରେ ବିମୁଦ୍ରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ବର୍ତ୍ତମାନ ବିଦ୍ରୋହୀମାନେ ସିରିଆକୁ କାବୁ କରି ନେଇଛନ୍ତି। ରାଷ୍ଟ୍ରପତି ବଶର ଅଲ-ଅସଦ ପରିବାର ସହିତ ଋଷିଆରେ ଆଶ୍ରୟ ନେଇଛନ୍ତି। ଏହି ପରିସ୍ଥିତିରେ ଅନେକ ଲୋକମନେ ରାଷ୍ଟ୍ରିୟ ଭବନ ଭିତରେ ଲୁଟ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି। କହିରଖୁଛୁ ଯେ, ବଶର ଅଲ-ଅସଦ ଦେଶ ଛାଡ଼ିବା ପରେ ସିରିଆ ପ୍ରଧନମନ୍ତ୍ରୀ ବିଦ୍ରୋହୀମାନଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଗୋଟେ ସପ୍ତାହରେ ବିଦ୍ରୋହୀମାନେ ରାଜଧାନୀ ଦାମାସକସ୍ ସହ ଚାରୋଟି ବଡ଼ ସହରକୁ ନିଜ ଆୟତ୍ତକୁ ନେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ, ସିରିଆ ଲୋକମାନଙ୍କର ଏବେ କ’ଣ ହେବ? ବିଦ୍ରୋହୀଙ୍କ ବିଜୟ ସହିତ ସିରିଆରେ ବଶର ଅଲ-ଅସଦଙ୍କ ୨୪ ବର୍ଷର ଶାସନ ଏବଂ ୧୩ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧର ଅନ୍ତ ଘଟିଛି। ବର୍ତ୍ତମାନ ବର୍ତ୍ତମାନ ସିରିଆର ରାଜଧାନୀ ଦମ୍ମେସକ ହାୟାତ୍ ଅଲ-ଶାମଙ୍କ ଅଧୀନରେ ଅଛି।
