Mohammad Yunus Creating A Ring Of Fire For India: ଶେଖ୍ ହସିନାଙ୍କ କାର୍ଯ୍ୟକାଳରେ ଚୀନ୍ ପୂର୍ବରୁ ବାଂଲାଦେଶରେ ଅନୁପ୍ରବେଶ କରିସାରିଥିବାବେଳେ ଏବେ ମହମ୍ମଦ ୟୁନୁସ୍ ବାଂଲାଦେଶରେ ଚୀନ୍ ପାଇଁ ସମ୍ପୂର୍ଣ୍ଣ ଦ୍ୱାର ଖୋଲି ଦେଇଛନ୍ତି। ଏହାବ୍ୟତୀତ ପାକିସ୍ତାନ ପୁଣିଥରେ ବାଂଲାଦେଶରେ ଅନୁପ୍ରବେଶ କରିଛି। ବାଂଲାଦେଶ ଓ ପାକିସ୍ତାନର ସାମରିକ ନେତାଙ୍କ ମଧ୍ୟରେ ବୈଠକ ଚାଲିଛି। ବାଂଲାଦେଶର ସାମ୍ବାଦିକ ଓ ନେତାମାନେ ପ୍ରଶିକ୍ଷଣ ପାଇଁ ବେଜିଂ ଯାଉଛନ୍ତି।
ଭାରତର ଶତ୍ରୁ ପଡ଼ୋଶୀଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ବାଂଲାଦେଶ ଏବେ ସେହି ପଡ଼ୋଶୀ ଦେଶଙ୍କ ତାଲିକାରେ ସାମିଲ ହୋଇଛି, ଯେଉଁମାନେ ଭାରତର ବିକାଶ ଓ ପ୍ରଭାବକୁ ସହ୍ୟ କରିପାରନ୍ତି ନାହିଁ। ପାକିସ୍ତାନ ସହ ବନ୍ଧୁତା ବଢ଼ାଇବା ପରେ ବାଂଲାଦେଶ ଏବେ ଚୀନ୍ ସହ ମିଶିଛି। ଆଉ ଏବେ ବାସ୍ତବରେ ମୋଦୀ ସରକାରଙ୍କ କୂଟନୀତି ପାଇଁ ବାଂଲାଦେଶ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇପାରେ। ଚୀନ୍ କମ୍ୟୁନିଷ୍ଟ ପାର୍ଟିର ହର୍ଣ୍ଣ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନିକଟରେ (ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୬) ବାଂଲାଦେଶରୁ ଏକ ୨୧ ଜଣିଆ ପ୍ରତିନିଧି ଦଳ ବେଜିଂ ଗସ୍ତ କରିଥିଲେ। ଯେଉଁଥିରେ ରାଜନେତା, ସାମ୍ବାଦିକ, ଛାତ୍ରନେତା ସାମିଲ ଥିଲେ। ଏହି ସମୟରେ ସେମାନଙ୍କୁ ଚୀନ୍ର ପ୍ରଯୁକ୍ତି ବିଦ୍ୟା ଏବଂ ଭିତ୍ତିଭୂମି ବିକାଶ ବିଷୟରେ ଅବଗତ କରାଯାଇଥିଲା। କିନ୍ତୁ ସବୁଠାରୁ ବଡ଼ କଥା ହେଲା ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)କୁ ନେଇ ସେମାନଙ୍କ ବ୍ରେନ୍ ୱାସ୍ କରାଯାଇଥିଲା। ବାଂଲାଦେଶ ପ୍ରତିନିଧି ଦଳ ବିୱାଇଡି ଓ ଏଲଏନଜିଆଇ ଭଳି ପ୍ରମୁଖ ଚୀନ୍ କମ୍ପାନି ପରିଦର୍ଶନ କରିଥିଲେ।
ଏଠାରେ ଗୁରୁତ୍ୱପୂର୍ଣ୍ଣ ଯେ ବାଂଲାଦେଶକୁ ଋଣ ପରିଶୋଧ କରିବା ପାଇଁ ଚୀନ୍ ନୀତିଗତଭାବେ କିଛି ସମୟ ବଢ଼ାଇବାକୁ ରାଜି ହୋଇଛି ଏବଂ ବେଜିଂ ମଧ୍ୟ ବାଂଲାଦେଶ ଉପରେ ଲାଗୁ ହୋଇଥିବା ସୁଧ ହାର ହ୍ରାସ କରିପାରେ ବୋଲି ଖବର ଆସିଛି। ଏଥିରୁ ସ୍ପଷ୍ଟ ଯେ ଚୀନ୍ ବାଂଲାଦେଶକୁ ନିଜ ପଟକୁ ଆଣିବାକୁ ଚାହୁଁଛି। ବାଂଲାଦେଶ ଚୀନକୁ ସୁଧ ହାର ୨-୩%ରୁ ୧%କୁ ହ୍ରାସ କରିବାକୁ ଅନୁରୋଧ କରିଛି। ଏଥିସହିତ ପ୍ରତିବଦ୍ଧତା ଶୁଳ୍କ ଛାଡ଼ କରିବା ସହ ଅଗ୍ରାଧିକାର କ୍ରେତା ଋଣ ଏବଂ ସରକାରୀ ରିହାତି ଋଣର ପରିଶୋଧ ଅବଧିକୁ ୨୦ ବର୍ଷରୁ ୩୦ ବର୍ଷକୁ ବୃଦ୍ଧି କରିବାକୁ ଅନୁରୋଧ କରିଛି।
ଚୀନ୍ କୋଳରେ ବସିବାକୁ ବାଂଲାଦେଶ ହଙ୍କହଙ୍କ
ଆମେରିକୀୟ ଥିଙ୍କଟ୍ୟାଙ୍କ ଆମେରିକୀୟ ଏଣ୍ଟରପ୍ରାଇଜ୍ ଇନଷ୍ଟିଚ୍ୟୁଟ୍ (ଏଇଆଇ)ର ଆକଳନ ଅନୁଯାୟୀ, ୨୦୨୩ ସୁଦ୍ଧା ବାଂଲାଦେଶରେ ଚୀନ୍ର ମୋଟ ପୁଞ୍ଜିନିବେଶ ୭.୦୭ ବିଲିୟନ ଡଲାର ଥିଲା। କିନ୍ତୁ ସେତେବେଳକୁ ଦେଶରେ ଶେଖ ହସିନା ଶାସନ କରୁଥିଲେ, ଯିଏ କି ଭାରତ ପ୍ରତି ଆକୃଷ୍ଟ ଥିଲେ। କିନ୍ତୁ ଶେଖ୍ ହସିନା ସରକାରଙ୍କ ପତନ ପରେ ଚୀନ୍ ପାଇଁ ରଣନୀତି ପ୍ରସ୍ତୁତ କରିବା ବହୁତ ସହଜ ହୋଇଯାଇଛି। ତେଣୁ ପଡ଼ୋଶୀ ଅଞ୍ଚଳରେ ସ୍ଥିତି ନୂଆଦିଲ୍ଲୀ ପାଇଁ ଟିକେ କଷ୍ଟକର ହୋଇପଡ଼ିଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶେଖ୍ ହସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ଚୀନ୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ଅତି ଘନିଷ୍ଠ ଭୂମିକା ଗ୍ରହଣ କରିଥିଲା।
ଆଇଏସ୍ଆଇ ସମର୍ଥିତ ଜମାତ-ଇ-ଇସଲାମୀ ଏବଂ ଏହାର ଛାତ୍ର ଶାଖା ଇସଲାମୀ ଛାତ୍ର ଶିବିର (ଆଇସିଏସ) ଚୀନ୍ ଓ ପାକିସ୍ତାନ ସହାୟତାରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ହିଂସାତ୍ମକ କରିଥିଲେ ବୋଲି ସେତେବେଳେ ଅଭିଯୋଗ ହୋଇଥିଲା। ଚୀନ୍,ଭାରତ ବିରୋଦୀ ଶକ୍ତିଙ୍କୁ ସାହାଯ୍ୟ କରିବାକୁ ପାକିସ୍ତାନ ଦେଇ ବାଂଲାଦେଶକୁ ଅର୍ଥ ମଧ୍ୟ ପଠାଇଥିଲା । ରିପୋର୍ଟ ଅନୁଯାୟୀ, ଚୀନ୍ର ବୈଦେଶିକ ସୁରକ୍ଷା ମନ୍ତ୍ରାଳୟ (ଏମଏସଏସ) ଏହି ପ୍ରୟାସରେ ସହାୟକ ହୋଇଥିବା ଜଣାପଡ଼ିଛି।
ପାକିସ୍ତାନର ଉପସ୍ଥିତି ଭାରତ ପାଇଁ ଚିନ୍ତାର କାରଣ
ଇତିମଧ୍ୟରେ ବାଂଲାଦେଶ ଆଉ ଏକ ପଦକ୍ଷେପ ନେଇଛି ଯାହା ଦିଲ୍ଲୀକୁ ବିଚଳିତ କରିବାକୁ ଯାଉଛି। ବାଂଲାଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ପାକିସ୍ତାନର ଏକ ମାଲବାହୀ ଜାହାଜ ସିଧାସଳଖ ବାଂଲାଦେଶର ମଙ୍ଗଲା ବନ୍ଦରରେ ପହଞ୍ଚିଛି। ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପାକିସ୍ତାନରୁ ୫୦ ହଜାର ମେଟ୍ରିକ୍ ଟନ୍ ବାସମତୀ ଚାଉଳ ଆମଦାନୀ କରିବାକୁ ସରକାର ବୁଝାମଣା କରିବା ପରେ ଏହି ଜାହାଜ ବାଂଲାଦେଶରେ ପହଞ୍ଚିଥିଲା।
୨୫ ମେଟ୍ରିକ୍ ଟନ୍ ଚାଉଳ ନେଇ ଏହି ଜାହାଜ କରାଚିର କାସିମ ବନ୍ଦରରୁ ବାହାରି ମଙ୍ଗଲାରେ ପହଞ୍ଚିବା ପୂର୍ବରୁ ଚିଟାଗଙ୍ଗରେ ଅବତରଣ କରିବ। ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ କାରଣ ପୂର୍ବ ଶେଖ୍ ହସିନା ସରକାର ଚିଟାଗଙ୍ଗ ଏବଂ ମଙ୍ଗଲା ବନ୍ଦରକୁ ପ୍ରବେଶ ପ୍ରଦାନ କରି ଭାରତ-ବାଂଲାଦେଶ ଯୋଗାଯୋଗକୁ ବହୁତ ସୁଦୃଢ଼ କରିଥିଲେ। ଯେଉଁଠାରେ ପାକିସ୍ତାନ ଏବେ ପାଦ ଥାପିବାକୁ ଚେଷ୍ଟା କରୁଛି, ଯାହାକି ଭାରତ ପାଇଁ ଉତ୍ତେଜନାର କାରଣ ହୋଇପାରେ।
ପ୍ରତିରକ୍ଷା ଚୁକ୍ତିକୁ ନେଇ ମଧ୍ୟ ଚିନ୍ତାରେ ଭାରତ
ଭାରତର ଦୁଃଖ ବଢ଼ାଇବା ପାଇଁ ପାକିସ୍ତାନର ଆଇଏସ୍ଆଇ ବାଂଲାଦେଶରେ ନିଜର ପ୍ରଭାବ ବିସ୍ତାର କରୁଥିବା ସୂଚନା ମିଳିଛି। ଏହି ପଦକ୍ଷେପ ଅଧୀନରେ ବାଂଲାଦେଶ ଜେଲରେ ବନ୍ଦୀ ଥିବା କୁଖ୍ୟାତ ଆତଙ୍କବାଦୀଙ୍କୁ ମୁକ୍ତ କରିବା ପାଇଁ ଆଲୋଚନା ଚାଲିଛି। ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ଯେ ଆଇଏସ୍ଆଇ ସମର୍ଥିତ ଗୋଷ୍ଠୀ ଯଥା ଜମାତ-ଏ-ଇସଲାମୀ ଏବଂ ଇସଲାମୀ ଛାତ୍ର ଶିବିର ଉଗ୍ରବାଦୀ ନେଟୱାର୍କକୁ ସୁଦୃଢ଼ କରୁଛନ୍ତି, ଯାହା ଉଭୟ ବାଂଲାଦେଶର ସୁରକ୍ଷା ଏବଂ ଭାରତର ଆଞ୍ଚଳିକ ସ୍ୱାର୍ଥ ପ୍ରତି ବିପଦ ସୃଷ୍ଟି କରିପାରେ। ବାଂଲାଦେଶ ନୌସେନା ମୁଖ୍ୟ ଆଡମିରାଲ ମହମ୍ମଦ ନଜମୁଲ ହାସନ ରାଓ୍ଵଲପିଣ୍ଡିରେ ପାକିସ୍ତାନ ସେନାମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର ଅହମ୍ମଦ ଶାହଙ୍କୁ ଭେଟିଛନ୍ତି। ବାଂଲାଦେଶ ଓ ପାକିସ୍ତାନ ସେନାର ହାତ ମିଶିବା ନିଶ୍ଚିତଭାବେ ଭାରତକୁ ବ୍ୟଥିତ କରିବ।
ଏହାବ୍ୟତୀତ ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନସେନା ବାଂଲାଦେଶୀ ସୈନିକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏହାବ୍ୟତୀତ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଗୁଇନ୍ଦା ବିନିମୟ ମଧ୍ୟ ଆରମ୍ଭ ହୋଇଯାଇଛି। ଅନ୍ତରୀଣ ସରକାର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ବିଫଳ ହେଲେ ଏବଂ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଲେ ସେନା ହସ୍ତକ୍ଷେପ କରିପାରେ ବୋଲି ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ ଚେତାବନୀ ଦେଇଛନ୍ତି। ଶେଖ୍ ହସିନା କ୍ଷମତାରୁ ହଟିବା ପରେ ହିଜବୁଲ୍-ୟୁର-ତାହରିର୍ ଏବଂ ଜମାତ-ଏ-ଇସଲାମୀ ଭଳି ଇସଲାମିକ ମୌଳବାଦୀ ଗୋଷ୍ଠୀ ୧୦୦ରୁ ଅଧିକ ସୁଫି ମନ୍ଦିର ନଷ୍ଟ କରିଥିବା ଜଣାଯାଇଛି। ଏସବୁ ଘଟଣା ଭାରତ ପାଇଁ ଚିନ୍ତାଜନକ ଏବଂ ଭବିଷ୍ୟତରେ ବାଂଲାଦେଶ ଭାରତର ସୁରକ୍ଷା ପାଇଁ ବିପଦର କାରଣ ହୋଇପାରେ।
Also readhttps://purvapaksa.com/merger-of-koshal-with-odisha-a-blunderjayanarayan/
