ରାଜ୍ୟ ସରକାର କିପରି ଅମଲାଙ୍କ ଚକ୍ରବ୍ୟୁହରେ ପଡ଼ିଛି ତାହାର ଆଉ ଗୋଟିଏ ଉଦାହରଣ ଆଜି ଆଲୋଚନା କରିବା। ଏମିତି ଏକ ଚକ୍ରବ୍ୟୁହରେ ପଡ଼ି କିପରି ରାଜ୍ୟ ସରକାର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନାଙ୍କୁ ଅବସର ପରେ ଓଇଆର୍ସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ ତାହା ଆଲୋଚନା କରିଥିଲେ। ଆଜି ଆପଣଙ୍କୁ କିପରି ରାଜ୍ୟରେ ମୁଖ୍ୟ ସୂଚନା କମିଶନ ନିଯୁକ୍ତିଠାରୁ ଆରମ୍ଭ କରି ସୂଚନା କମିଶନ ନିଯୁକ୍ତିରେ ବାବୁ ବ୍ୟୁହ ରହିଛି, ତାହା ଆଲୋଚନା କରିବା।
ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ସୂଚନାକୁ ଆଧାର କରି ଆମେ ଏ ବିଷୟ ସ୍ପଷ୍ଟ କରିବାକୁ ଚାହୁଁଛି। ନିକଟରେ ଜଣେ ମୁଖ୍ୟ ସୂଚନା କମିଶନ ଓ ୩ ସୂଚନା କମିଶନଙ୍କ ନିଯୁକ୍ତି ଲାଗି ଉଚ୍ଚସ୍ତରୀୟ କମିଟି ୧୭ ଜଣଙ୍କ ନାମ ତାଲିକାଭୁକ୍ତ କରିଥିଲେ ମୋହନ ସରକାର। ଏହି ୧୭ ଜଣଙ୍କ ମଧ୍ୟରେ ୧୬ ଜଣ ବିଭିନ୍ନ ବର୍ଗର ଅବସରପ୍ରାପ୍ତ ବାବୁ ଥିଲେ ବୋଲି ଜଣାଯାଇଛି।
ତେବେ ଏହି ୧୭ଜଣିଆ ତାଲିକାରେ ଅବସରପ୍ରାପ୍ତ ବାବୁ ସରୋଜ ସାମଲଙ୍କ ନାମ ରହିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ହେଉଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ। ପୂର୍ବରୁ ଝାରସୁଗୁଡ଼ାର ଜିଲ୍ଲାପାଳ ବି ଥିଲେ। ସେ ଜିଲ୍ଲାପାଳ ଥିବା ସମୟରେ ହିଁ ତତ୍କାଳୀନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି ମରାଯାଇ ହତ୍ୟା କରାଯାଇଥିଲା। ଏହି ମାମଲାର ତଦନ୍ତ ଆଜିଯାଏ ସରିନାହିଁ। ସେତେବେଳେ ନବଙ୍କ ହତ୍ୟା ବ୍ୟବସାୟଜନିତ ଏବଂ ଏଥିରେ ସରୋଜଙ୍କ ସମ୍ପୃକ୍ତି ରହିଥିବା ନେଇ ଆଲୋଚନା ହେଉଥିଲା।
ଅନେକ ବି ସେତେବେଳେ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ସନ୍ଦେହ କରିଥିଲେ। କାରଣ ନବଙ୍କ ହତ୍ୟା ପୂର୍ବରୁ ତାଙ୍କ ରୋଷେୟାଙ୍କୁ ହତ୍ୟାଘଟଣାକୁ ଚାପିଦେବାରେ ତତ୍କାଳୀନ ଜିଲ୍ଲାପାଳ ସରୋଜ ସାମଲଙ୍କ ପ୍ରଚ୍ଛନ୍ନ ହାତ ଥିବା ଅଭିଯୋଗ ହୁଏ। ସରୋଜ ଦୀର୍ଘଦିନ ଧରି ଝାରସୁଗୁଡ଼ାରେ ରହିବା ସହିତ ବିଜେଡିର ଏକପ୍ରକାର କର୍ମୀ ପାଲଟି ଯାଇଥିଲେ ବୋଲି ବିରୋଧୀ ଦଳ ଆକ୍ଷେପ କରିବାକୁ ପଛାଇନଥିଲେ। ଝାରସୁଗୁଡ଼ାରେ ତାଙ୍କ ସମୟରେ ଅନେକ କଳାକାରନାମା ନେଇ ସୂଚନା ଅଧିକାର କର୍ମୀମାନେ ଅଭିଯୋଗ ମଧ୍ୟ ଆଣିଥିଲେ।
ନିର୍ବାଚନର ଅବ୍ୟବହିତ ପୂର୍ବରୁ ସରୋଜଙ୍କୁ ପୁରସ୍କାରସ୍ୱରୂପ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବଦଳି କରାଯାଇଥିଲା। ସେଠାରେ ରହି ତତ୍କାଳୀନ ବିଜେଡି ସରକାରକୁ ସମସ୍ତ ପ୍ରକାର ସହାୟତା କରିଥିଲେ। ସେ ଯେଉଁ ଖବରକାଗଜରେ ସରକାରଙ୍କ ବିରୁଦ୍ଧରେ ଖବର ପ୍ରକାଶ ପାଉଥିଲା, ତା’ର ବିଜ୍ଞାପନ ତୁରନ୍ତ ବନ୍ଦ କରିଦେଉଥିଲେ ସରୋଜ। ଏହି ତାଲିକାରେ ରାଜ୍ୟର ଦୁଇ ଅଗ୍ରଣୀ ଖବରକାଗଜ ‘ସମ୍ବାଦ’ ଓ ‘ପ୍ରଜାତନ୍ତ୍ର’ ମଧ୍ୟ ରହିଥିଲେ।
ବିଜ୍ଞାପନ କେଳେଙ୍କାରୀର ଗୁମର ଫିଟିବାରୁ କାଳେ ବିଜେପି ସରକାରଙ୍କ ଖଣ୍ଡାଚୋଟ ପଡ଼ିବ, ସେଥିପାଇଁ ଅବସରର କିଛିଦିନ ପୂର୍ବରୁ ସମସ୍ତଙ୍କ ନଜର ହଟାଇବା ପାଇଁ ସରୋଜ ଛୁଟିରେ ପଳାଇଥିଲେ। ତେବେ ଏଭଳି ଜଣେ ବିବାଦୀୟ ଅଫିସରଙ୍କ ନାଁ ରାଜ୍ୟ ସୂଚନା କମିଶନର ତାଲିକାରେ କିଏ ରଖିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇଛି।
Also readhttps://purvapaksa.com/amalanka-chakrabyuhare-odisha-tantra-1/