Royal Marriage: ୧୯୪୯ ମସିହାରେ ଅଷ୍ଟ୍ରେଲିଆର ଉତ୍ତରାଧିକାରୀ ଜୋଆନ୍ ଫାଲ୍କିନର ଜାତି, ଧର୍ମ, ସାମାଜିକ ନିୟମ ଓ ପାରିବାରିକ ବିରୋଧକୁ ଅଣଦେଖା କରି ପାଲନପୁରର ନବାବଙ୍କୁ ବିବାହ କରିଥିଲେ। ନିଜ ପରିବାରର ଇଚ୍ଛା ବିରୁଦ୍ଧରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କଠାରୁ ତିନି ଦଶନ୍ଧିରୁ ଅଧିକ ବଡ଼ ନବାବ ତାଲି ଖାନଙ୍କୁ ବିବାହ କରିଥିଲେ ।
- ଇତିହାସରେ ଲିପିବଦ୍ଧ ବିରଳ ଏକ ପ୍ରେମକାହାଣୀ
୧୯୪୯ ମସିହାରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣର ଜଣେ ୨୪ ବର୍ଷୀୟ ଅଷ୍ଟ୍ରେଲୀୟ ଉତ୍ତରାଧିକାରୀ ଭାରତର ବର୍ତ୍ତମାନର ଗୁଜୁରାଟର ଏକ ଛୋଟ ରାଜ୍ୟ ପାଲନପୁରର ନବାବଙ୍କୁ ବିବାହ କରିବା ପାଇଁ ଭାରତ ଆସିଥିଲେ । ସେହି ନବାବଙ୍କ ନାମ ଥିଲା ତାଲି ମହମ୍ମଦ ଖାନ୍ ବାହାଦୁର (୧୮୮୩-୧୯୫୭)। ସେତେବେଳେ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଅଷ୍ଟ୍ରେଲୀୟ ଉତ୍ତରାଧିକାରୀ ଜୋଆନଙ୍କ ଠାରୁ ସେ ଥିଲେ ୩୨ ବର୍ଷ ବଡ଼। ସେତେବେଳେ ପାଲନପୁର ବ୍ରିଟିଶ ରାଜର ପ୍ରଶାସନ ଅଧୀନରେ ଉପନିବେଶ ସାମ୍ରାଜ୍ୟର ଅଧିନରେ ରହିଥିଲା ।
୧୯୩୭ ମସିହାରେ ଏହି ଦମ୍ପତିଙ୍କ ପ୍ରେମ କାହାଣୀ ଜର୍ମାନୀରେ ଆରମ୍ଭ ହୋଇଥିଲା। ନବାବ ପୋଲୋ ଖେଳୁଥିବା ସମୟରେ ଆହତ ହୋଇଥିଲେ। ଜର୍ମାନୀର ଫ୍ରେଇବର୍ଗ ସ୍ଥିତ ଏକ ହୋଟେଲରେ ନବାବ ରହି ଚିକିତ୍ସିତ ହେଉଥିଲେ। ଜୋଆନ ମଧ୍ୟ ସେତେବେଳେ ମା’ ଓ ଭଉଣୀ ଆନଙ୍କ ଉକ୍ତ ହୋଟେଲକୁ ଅବସ୍ଥାନ କରିବା ପାଇଁ ଆସିଥିଲେ। ସେଠାରେ ଜୋଆନଙ୍କୁ ନବାବ ପ୍ରଥମେ ଦେଖିଥିଲେ ଏବଂ ପ୍ରଥମ ଦେଖାରେ ପ୍ରେମ ହୋଥିଲା। ଜୋଆନ ମଧ୍ୟ ନବାବଙ୍କୁ ହୃଦୟ ଦେଇ ବସିଥିଲେ।
ଅଷ୍ଟ୍ରେଲିଆର ଏକ ଖବରକାଗଜ ’ଦ ଅଷ୍ଟ୍ରେଲିଆନ ୱିମେନ୍ସ ୱିକଲି’ରେ ପ୍ରକାଶ ପାଇଥିବା ଖବର ‘ହାଓ ଜୋଆନ୍ ଫାଲ୍କିନର ମେଟ୍ ଇଣ୍ଡିଆନ୍ ପ୍ରିନ୍ସ’ ରେ ସେମାନଙ୍କର ଅଣପାରମ୍ପରିକ ରୋମାନ୍ସକୁ ଏକ ଷଡ଼ଯନ୍ତ୍ର ଏବଂ ଦୁର୍ନୀତିର ଉତ୍ସ ରୂପେ ଦର୍ଶା ଯାଇଥିଲା। ’’ଅଗଷ୍ଟ ୨୨ ତାରିଖରେ ଯେତେବେଳେ ଜୋଆନ ମେଲବର୍ଣ୍ଣରୁ ଭାରତ ଅଭିମୂଖେ ଯାତ୍ରା କରିଥିଲେ, ତାଙ୍କ ପରିବାରବର୍ଗ ଜାଣିଥିଲେ ଯେ ସେ ତାଙ୍କ ଭାରତୀୟ ରାଜକୁମାରଙ୍କୁ ବିବାହ କରିବାକୁ ଯାଉଛନ୍ତି ଏବଂ ଭାରତରେ ତାଙ୍କ ନିର୍ବନ୍ଧ ମୁଦି ଏବଂ ସୁନ୍ଦର ଉପହାରସବୁ ତାଙ୍କୁ ଅପେକ୍ଷା କରିଛି।’’
ଜୋଆନଙ୍କ ପିତାମାତା ମେଲବର୍ନର ଶ୍ରୀ ଏବଂ ଶ୍ରୀମତୀ ଲେହ ଫଲକିନର ମଧ୍ୟ ବିବାହ ଖବରକୁ ଗୋପନ ରଖିବାକୁ ଚାହିଁଥିଲେ। ଭାରତର ନବାବ ବିଳାସପୂର୍ଣ୍ଣ ବିବାହ ଚାହୁଁନଥିବା ଉକ୍ତ ପରିବାର ଦର୍ଶାଇଥିଲା ଓ ନବାବଙ୍କ ପ୍ରଜାମାନେ ଏହି ବିବାହକୁ ନେଇ ବେଶ ଆନନ୍ଦିତ ଥିବା କହାଯାଇଥିଲା।
ବିବାହ ସମୟରେ ନବାବଙ୍କୁ ୫୬ ବର୍ଷ ହୋଇଥିଲା ଏବଂ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ। ଜୋଆନଙ୍କ ପିତାମାତା ପ୍ରଥମେ ବିବାହକୁ ବିରୋଧ କରିଥିଲେ। ନବାବଙ୍କ ବୟସ, ଧର୍ମ ଏବଂ ବିଶେଷ କରି ତାଙ୍କର ୨ଜଣ ପରିପକ୍ୱ ସନ୍ତାନ ହୋଇଥିବାରୁ ଫଲ୍କିନର ପରିବାର ଏହି ବିବାହ ଚାହୁଁନଥିଲା। ମାତ୍ର ଜୋଆନ ନିଜ ଜିଦରେ ଅଟଳ ରହିଥିଲେ।
ସୁଜାନ୍ ଫାଲ୍କିନର ତାଙ୍କ ପୁସ୍ତକ ‘ଜୋଆନ୍ ଇନ୍ ଇଣ୍ଡିଆ’ରେ ଉଲ୍ଲେଖ କରିଛନ୍ତି, “ସେହି ସମୟର ବ୍ୟାପକ ବର୍ଣ୍ଣବାଦ, ଜୋଆନଙ୍କ ବିବାହକୁ ନେଇ ପାରିବାରିକ ଅସନ୍ତୋଷ ସୃଷ୍ଟି କରିବାର ପ୍ରମୁଖ କାରଣ ଥିଲା। ପରିବାରର ବହୁ ଲୋକ ଏହି ବିବାହକୁ ବିରୋଧ କରିଥିଲେ।
ସବୁ ବିରୋଧ ସତ୍ତ୍ୱେ ଜୋଆନ୍ ଭାରତ ପଳାଇ ଆସି ନବାବଙ୍କୁ ବିବାହ କରିଥିଲେ। ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ପାଲନପୁରର ବେଗମ ଜାହାନାରା ଭାବେ ନୂଆ ପରିଚୟ ପାଇଥଇଲେ। ଏକ ଇସଲାମ ପ୍ରଥାରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବର୍ଷ ବର୍ଷ ଧରି ତାଙ୍କୁ “ବେଗମ” ଉପାଧିରୁ ବଞ୍ଚିତ କରାଯାଇଥିଲା କାରଣ ବ୍ରିଟିଶ ଔପନିବେଶିକ ପ୍ରଶାସନ ବିଦେଶୀ ମହିଳା ଏବଂ ଭାରତୀୟ ଶାସକଙ୍କ ମଧ୍ୟରେ ବିବାହକୁ ସ୍ୱୀକୃତି ଦେଇନଥିଲା । ୧୯୪୭, ଅଗଷ୍ଟ ୧୪ରେ ଜୋଆନଙ୍କୁ ଆନୁଷ୍ଠାନିକ ଭାବରେ ଆଭିଜାତ ଉପାଧି ପ୍ରଦାନ କରାଯାଇଥିଲା, ଯାହାକୁ “ୟୋର ହାଇନେସ” ଭାବରେ ନାମିତ କରାଯାଇଥିଲା ।
ଏହି ଦମ୍ପତିଙ୍କର ଗୋଟିଏ କନ୍ୟା ସନ୍ତାନ ଥିଲେ। ତାଙ୍କ ନାମ ଥିଲା ଶମିମ ସୁଲତାନା। ନବାବଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ଏକାଠି ରହୁଥିଲେ। ଏହାପରେ ସେ ଝିଅକୁ ନେଇ ଫ୍ରାନ୍ସ ଯାତ୍ରା କରିଥିଲେ। ଶେଷରେ ବେଗମ ଜାହାନାରା ୨୦୦୩ ରେ ତାଙ୍କ ମୃତ୍ୟୁବରଣ କରିଥିଲେ।
previous article: https://purvapaksa.com/there-is-140-trillion-times-more-water-than-the-earths-oceans/