Ratna Bhandar: ପ୍ରଥମ ଦିନରେ ୧୫ରୁ ୨୦ଜଣ ଶ୍ରମିକଙ୍କ ସହ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍।
ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ। ଏଏସ୍ଆଇ ଟିମ୍ ଆଜି ଶ୍ରମିକଙ୍କୁ ଧରି ଭାରା ବନ୍ଧା କାମରୁ ସଂରକ୍ଷଣ କାମ ଆରମ୍ଭ କରିଛି।
ପୂର୍ବରୁ ସ୍ଥିରୀକୃତ ମାର୍ଗଦର୍ଶିକା ଅନୁସାରେ ପ୍ରଥମ ଦିନରେ ୧୫ରୁ ୨୦ଜଣ ଶ୍ରମିକଙ୍କ ସହ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍ ରତ୍ନ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ। ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ସହ ଛତିଶା ନିଯୋଗ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଭଣ୍ଡାର ମେକାପ, ତଢ଼ଉ କରଣ, ଦେଉଳକରଣ ଆଦିଙ୍କ ଉପସ୍ଥିତରେ ଖୋଲାଯାଇଥିଲା ମହାପ୍ରଭୁଙ୍କ ଅଳଙ୍କାର ଗୃହ। ଯେହେତୁ ଏବେ ଠାକୁରଙ୍କ ପହିଲି ଭୋଗ ନୀତି ଚାଲିଛି, ତାକୁ ଦୃଷ୍ଟିରେ ରଖି ଭୋଗ ମଣ୍ଡପ ଉଠିବା ପରେ ଦୈନିକ ୫ରୁ ୬ ଘଣ୍ଟା ଯାଏଁ ମରାମିତି କାର୍ଯ୍ୟ ଚାଲୁ ରଖିବାକୁ ଏଏସ୍ଆଇ ନିଷ୍ପତ୍ତି ନେଇଛି।
ଏଏସ୍ଆଇ ଅଧୀକ୍ଷକ ଡି.ବି ଗଡ଼ନାୟକ କହିଛନ୍ତି, ଭାରା ବନ୍ଧାଯିବା ପରେ ପ୍ଲାଷ୍ଟର ସଫା କରାଯିବ। ତା’ପରେ ଯେଉଁଠି ନୂଆ ପଥର ଲାଗିବ, ସେ କାର୍ଯ୍ୟ ଆରମ୍ଭ ହେବ। କାନ୍ଥରେ ଭର୍ଟିକାଲ ବା ଭୂ-ଲମ୍ବ ଫାଟ ଥିବା ପୂର୍ବରୁ ଜଣା ପଡ଼ିସାରିଛି। ତା’ର ମରାମତି ସହ ଚଟାଣରେ ଗ୍ରାନାଇଟ୍ ଲଗାଯିବ।
କାନ୍ଥରେ ଫାଟ ଓ ଚଟାଣର ଦୀର୍ଘସ୍ଥାୟୀ ମରାମତିକୁ ଏଏସଆଇ ଗୁରୁତ୍ୱ ଦେଉଛି। ମରାମତିବେଳେ ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତ ଦ୍ୱନ୍ଦ୍ୱରେ ଥିବାବେଳେ ଏହି ସମୟରେ ବାହାର କାଠ ପାଖରୁ ଦର୍ଶନ ଚାଲିବ ବୋଲି ନୀତି ପ୍ରଶାସକ ସ୍ପଷ୍ଟ କରିଛନ୍ତି। ତେବେ ଆସନ୍ତାକାଲି ଦିବାପହୁଡ଼ ନୀତି ପାଇଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ।
ସେପ୍ଟେମ୍ବର ୨୧ ଓ ୨୨ରେ ଏନଜିଆରଆଇ ଓ ଏଏସ୍ଆଇ ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଏବଂ ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ଚାଲିବ ରତ୍ନଭଣ୍ଡାର ମରାମତି। ତେବେ ପୂର୍ବରୁ ଜୁଲାଇ ୧୪ ଓ ୧୮ରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଅଳଙ୍କାର ସ୍ଥାନାନ୍ତରଣ ସହ ଅଗଷ୍ଟ ୨୩ରେ ସିନ୍ଦୁକ ସ୍ଥାନାନ୍ତରଣ ସମୟରେ ରତ୍ନଭଣ୍ଡାର ଭିତରକୁ ଯାଇ ସ୍ଥିତି ଦେଖିଥିବା ତଦାରଖ କମିଟିର ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି- ଭଣ୍ଡାର ଘରର ସ୍ଥିତି ଭଲନହିଁ। କାନ୍ଥରେ ଫାଟ ସାଙ୍ଗକୁ ସନ୍ତସନ୍ତିଆ ଅଛି। ପଥର ଖସି ଚଟଣାରେ ପଡ଼ିଥିବା ଦେଖିଥିଲୁ। ତେଣୁ ଦୀର୍ଘସ୍ଥାୟୀ ମରାମତି କରାଯାଉ।
ସେହିଭଳି ଭଣ୍ଡାର ମେକାପ ମଧ୍ୟ ମାନିଛନ୍ତି ଯେ ରତ୍ନଭଣ୍ଡାର ଗୁମୁଟର ପଥର ଦୁର୍ବଳ ଅଛି। ଶୀଘ୍ର ମରାମତି ସାରି ଅଳଙ୍କାର ସବୁକୁ ଯଥାସ୍ଥାନକୁ ନିଆଯାଉ। ଆଇନ ମନ୍ତ୍ରୀ କହିଛନ୍ତି ୩ ମାସ ଭିତରେ ରତ୍ନଭଣ୍ଡାର ମରାମତି ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମରାମତି ପରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ।
ରତ୍ନଭଣ୍ଡାର ମରାମତିବେଳେ ଠାକୁରଙ୍କ ଦର୍ଶନରେ ଉପୁଜିବ କି ବାଧା ? ସାଧାରଣ ଭକ୍ତଙ୍କ ମନରେ ଏଭଳି ପ୍ରଶ୍ନ ଉଠିଥିବାବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି, ମରାମତି କାମ ଯୋଗୁଁ ଶ୍ରୀଜୀଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ କି ଶୃଙ୍ଖଳିତ ଦର୍ଶନରେ ସମସ୍ୟା ନ ହୁଏ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ମରାମତି ଚାଲୁଥିବାବେଳେ କେବଳ ବାହାର କାଠ ନିକଟରୁ ଦର୍ଶନ ଚାଲିବ।
Also readhttps://purvapaksa.com/ias-bishnupada-sethi-has-been-transferred-as-an-osd/
