Ashokastami 2025: ହିନ୍ଦୁ ଧର୍ମରେ ୧୨ମାସରେ ୧୩ ପର୍ବ ପାଳନ କରାଯାଏ। ବିଶେଷ କରି ଆମ ଓଡ଼ିଶାରେ ସମସ୍ତ ପର୍ବ ବେଶ ଧୁମଧାମର ସହ ପାଳନ କରାଯାଏ । ଏଥିମଧ୍ୟରୁ ଗୋଟିଏ ପର୍ବ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ପର୍ବ ପାଳିତ ହୁଏ । ଏହିଦିନ ଅଶୋକ ବୃକ୍ଷ ଏବଂ ଭଗବାନ ଶଙ୍କରଙ୍କର ପୂଜା କରାଯାଇଥାଏ। ଏଥିସହ ଅଶୋକ ଗଛ ଚାରିପଟେ ୧୦୮ ଥର ପରିକ୍ରମା କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଉଲ୍ଲେଖ ରହିଛି, ତ୍ରେତୟା ଯୁଗରେ ଲଙ୍କାପତି ରାବଣ ଦେବୀ ସୀତାଙ୍କୁ ହରଣ କରି ନେବା ପରେ ଅଶୋକ ବନରେ ରଖିଥିଲେ । ଯେଉଁଠାରେ ମା ସୀତା ଭଗବାନ ରାମଙ୍କୁ ଅପେକ୍ଷା କରି ରହିଥିଲେ। ସେହି ଅଶୋକ ବନରେ ସୀତା ମାତାଙ୍କୁ ଭେଟି ହନୁମାନ ତାଙ୍କୁ ରାମଙ୍କ ମୁଦ୍ରିକା ମଧ୍ୟ ଦେଇ ଯଥାଶୀଘ୍ର ଭଗବାନ ତାଙ୍କ ନିକଟରେ ପହଞ୍ଚିବାର ସଂକେତ ଦେଇଥିଲେ। ମା ସୀତା ହେଉଛନ୍ତି ଲକ୍ଷ୍ମୀଙ୍କ ସ୍ୱରୂପା। ତେଣୁ ଅଶୋକାଷ୍ଟମୀ ଦିନ ଉପବାସ କରିବା ଦ୍ୱାରା ମନୁଷ୍ୟ ଜୀବନରୁ ଦୁଃଖ ଦୂର ହେବା ସହ ଲକ୍ଷ୍ମୀନାରାୟଣ ଏବଂ ଭଗବାନ ଶଙ୍କରଙ୍କର ବିଶେଷ କୃପା ଲାଭ ହୋଇଥାଏ। ଏହି ସମୟରେ ରଥରେ ବାସୁଦେବ, ରୁକୁଣା ଏବଂ ଲିଙ୍ଗରାଜ ଯାତ୍ରା କରିଥାନ୍ତି। ଉଲ୍ଲେଖ ଅନୁଯାୟୀ ଏହି ଯାତ୍ରା କେବଳ ଏକାମ୍ର କ୍ଷେତ୍ରର ଶୈବ ପୀଠରେ ହିଁ ପାଳନ କରାଯାଏ
ରୁକୁଣା ରଥଯାତ୍ରା ଶ୍ରୀପଞ୍ଚମୀ ଦିନଠାରୁ ଆରମ୍ଭ ହୋଇଥାଏ । ସୂକ୍ଷେ୍ମଶ୍ୱର ମନ୍ଦିର ନିକଟସ୍ଥ ଆମ୍ବତୋଟାର ଏକ ଆମ୍ବ ଗଛରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହେବାପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପକ୍ଷରୁ ଏକ କୁରାଢ଼ୀରେ ଆମ୍ବଗଛରୁ ଏକ କ୍ଷୁଦ୍ର କାଠ ଆସିଥାଏ । ସେହି କାଠ ସର୍ବପ୍ରଥମେ ରଥ ନିର୍ମାଣ କାର୍ଯ୍ୟରେ ଲାଗିଥାଏ । ମାଘ ସପ୍ତମୀ ଦିନ ରାତ୍ରର ଦ୍ୱିତୀୟ ପ୍ରହରରେ ବ୍ରହ୍ମେଶ୍ୱର ପାଟଣାସ୍ଥିତ ଭାସ୍କରେଶ୍ୱର ମନ୍ଦିରରୁ ରଥମାପ ଓ ଭାସ୍କରେଶ୍ୱର ମନ୍ଦିରର ଉତ୍ତରରେ ଥିବା ରଥ ଚକଡ଼ାରୁ ରଥ ମାପ ଆଣିବାପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭଳି ମହାପ୍ରଭୁ ଲିଙ୍ଗରାଜଙ୍କ ରଥରେ ସମ୍ପୂର୍ଣ୍ଣ ନୂଆ କାଠ ଲାଗିନଥାଏ । ଏଥିରେ ଅନେକ କାଠ ପୂର୍ବବର୍ଷର ହୋଇଥାଏ। ତେବେ ରଥର ଚକଗୁଡ଼ିକ ସମ୍ପୂର୍ଣ୍ଣ ନୂଆ ହୋଇଥିବାବେଳେ ମାଘ ସପ୍ତମୀରୁ ଚୈତ୍ର ସପ୍ତମୀ ପର୍ଯ୍ୟନ୍ତ ରଥ ନିର୍ମାଣ କରାଯାଇଥାଏ ।
ପ୍ରତିବର୍ଷ ଚୈତ୍ରମାସ ଶୁକ୍ଲ ଅଷ୍ଟମୀ ତିଥିରେ ପାଞ୍ଚଦିନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ମାଉସୀ’ମା ମନ୍ଦିରକୁ ଯାଇଥା’ନ୍ତି । ପୁରାଣ ଅନୁଯାୟୀ, ଏହି ରଥଯାତ୍ରା ସହିତ ଶ୍ରୀରାମଚନ୍ଦ୍ରଙ୍କ ନିଘନ ସମ୍ପର୍କ ରହିଛି । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବହୁ ଚେଷ୍ଟା କରି ରାବଣକୁ ଯୁଦ୍ଧରେ ପରାସ୍ତ କରିପାରୁନଥିଲେ । ବିଭୀଷଣଙ୍କ ପରାମର୍ଶ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ପୂଜା କରି ସନ୍ତୁଷ୍ଟ କରିଥିଲେ । ପରେ ଚୈତ୍ର ଶୁକ୍ଲ ଅଷ୍ଟମୀ ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କାର ରାବଣକୁ ବଧ କରିଥିଲେ । ବିଜୟପ୍ରାପ୍ତିର ଉତ୍ସାହରେ ରାମଚନ୍ଦ୍ର ଶିବ ଓ ଶିବଦୁର୍ଗାଙ୍କୁ ରଥରେ ବସାଇ ସେହିଦିନ ବିଜୟ ଉତ୍ସବ ପାଳନ କରିଥିଲେ । ସେହି ବିଜୟଯାତ୍ରାର ସ୍ମାରକ ବହନ ପୂର୍ବକ ପବିତ୍ର ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ଓ ପାର୍ବତୀ ରଥରେ ବସି ରାମଙ୍କ ଦ୍ୱାରା ନିର୍ମିତ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥା’ନ୍ତି ।
ବାହୁଡ଼ା ଦିନ ରଥ ମହାଖଳରେ ପହଞ୍ଚିବା ପରେ ମନ୍ଦିରରୁ ପାର୍ବତୀ ଠାକୁରାଣୀ ପାଲିଙ୍କିରେ ଆସି ରଥରୁ କାଠ ଚୋରି କରନ୍ତି । ଏହାକୁ ଦୟାଣ ଚୋରି କୁହାଯାଏ । ମହାପ୍ରଭୁ ଭଉଣୀ ରୁକୁଣାଙ୍କୁ ନେଇ ଯାତ୍ରା କରିଥିବାରୁ ପାର୍ବତୀ ମନ୍ଦିରର ମୁଖ୍ୟଦ୍ୱାରକୁ ବନ୍ଦ ରଖନ୍ତି । ପରେ ଦେବୀ ପାର୍ବତୀଙ୍କୁ ଶ୍ରୀଲିଙ୍ଗରାଜ ଚନ୍ଦନଯାତ୍ରାରେ ବାଇଶି ଦିନ ସଙ୍ଗରେ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଥାଏ । ଏହାହିଁ ହେଉଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର ମାହାତ୍ମ୍ୟ ।
ଅଶୋକାଷ୍ଟମୀରେ କାହିଁକି ଗଡେ ରୁକୁଣା ରଥ?
ପ୍ରାଚୀନ କାଳରୁ ଅର୍ଥାତ ରାମାୟଣ ଯୁଗରୁ ଏକାମ୍ର କ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡ଼ି ଆସୁଛି ବୋଲି ଶୁଣିବାକୁ ମିଳେ । ଏହିଦିନ ଠାରୁ ପ୍ରଭୁ ଲିଙ୍ଗରାଜ ୫ ଦିନ ପାଇଁ ମାଉସୀ ମା’ଙ୍କ ଘର ଅର୍ଥାତ୍ ରାମେଶ୍ୱର ମନ୍ଦିରକୁ ଯାଇ ଅବସ୍ଥାନ କରିଥାନ୍ତି । ସେଠାରେ ଏହି ପାଞ୍ଚଦିନ ଯାତ୍ରୀ ପରେ ପୁଣି ପ୍ରଭୁ ମନ୍ଦିରକୁ ଫେରିଥାନ୍ତି । କିମ୍ବଦନ୍ତୀ କହେ, ଏଠାରେ ରାମଚନ୍ଦ୍ର ପ୍ରଭୁ ଶଙ୍କରଙ୍କର ଅତିଥି ହୋଇ ଆସିଥିଲେ । ତେଣୁ ଅଶୋକାଷ୍ଟମୀକୁ ଏକ ପବିତ୍ର ପର୍ବ ଭାବେ ମନେ କରାଯାଏ । ଆଉ ତା ପରଦିନ ପାଳନ ହୁଏ ରାମ ନବମୀ।
ALSO READ: https://purvapaksa.com/weather-update-odisha-to-experience-thunderstorm-activities/