- ବାହାରକୁ ଯିବାର ବାହାନା କେଲ, ୨ମିନିଟରେ ଫେରି ଆସିଥିଲେ।
ଶନିବାର ପୂର୍ବାହ୍ନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବଜେଟ୍ ଅଭିଭାଷଣ ପାଇଁ ଠିଆ ହେବା ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ତାଙ୍କ ଦଳର ଅନ୍ୟ ସାଂସଦମାନେ ପ୍ରୟାଗରାଜ କୁମ୍ଭ ସମୟରେ ମୌନି ଅମାବାସ୍ୟାରେ ଘଟିଥିବା ଦଙ୍ଗାକୁ ନେଇ ପ୍ରସଙ୍ଗ ଉଠାଇବା ଆରମ୍ଭ କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସେମାନଙ୍କୁ ଶାନ୍ତ ହେବାକୁ ପରାମର୍ଶ ଦେଇଥିଲେ। ବାତାବରଣ ଏପରି ହୋଇଥିଲା ଯେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣକୁ ବିରୋଧୀ ମାନେ ବହିଷ୍କାର କରିପାରନ୍ତି ବୋଲି ମନେ ହେଉଥିଲା। କିଛି ବିରୋଧୀ ସାଂସଦ ଓ୍ଵାକ୍ ଆଉଟ୍ କରିଥିଲେ, କିନ୍ତୁ କିଛି ସମୟ ପରେ ନିଜ ଆସନକୁ ଫେରିଥିଲେ।
ପୂର୍ବାହ୍ନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ବିଶେଷ କରି ସମାଜବାଦୀ ପାର୍ଟିର ସଦସ୍ୟମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ବାଚସ୍ପତି ଓମ୍ ବିର୍ଲା ବଜେଟ୍ ଭାଷଣ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ଡାକିଥିଲେ। ସେ ନିଜ ଆସନରେ ଠିଆ ହୋଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ସେମାନଙ୍କୁ ଶାନ୍ତ କରି ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ ବଜେଟ୍ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ସେ ସେମାନଙ୍କୁ କହିବାପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେବେ, କିନ୍ତୁ ବିରୋଧୀ ସଦସ୍ୟମାନଙ୍କ ହୋ-ହାଲ୍ଲା ଜାରି ରଖିଥିଲେ। ଏହାର ଜବାବରେ ବାଚସ୍ପତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନାମ ଉଲ୍ଲେଖ କରି କହିଛନ୍ତି ଯେ ସେମାନେ ସଂସଦର ଶୃଙ୍ଖଳା ବଜାୟ ରଖିବା ଉଚିତ। ବଜେଟ୍ ଭାଷଣ ସମୟରେ ଏଭଳି ଆଚରଣ କେବେ ହୋଇନଥିଲା। ବାଚସ୍ପତି ବାରମ୍ବାର କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଲୋଚନା ସମୟରେ ସେ ବିରୋଧୀ ସଦସ୍ୟମାନଙ୍କୁ କହିବାର ସୁଯୋଗ ଦେବେ। ମାତ୍ର କେହି ତାଙ୍କ କଥାକୁ ଧ୍ୟାନ ଦେଇନଥିଲେ।
ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ଭାଷଣ ଆରମ୍ଭ କରିଥିଲେ। ବିରୋଧୀ ସଦସ୍ୟମାନେ କୋଳାହଳ ଜାରି ରଖିଥିଲେ। ଦିନ ୧୧ଟା ୫ମିନିଟରେ ବିରୋଧୀ ଦଳ ସଦସ୍ୟମାନେ ଗୃହ ଛାଡ଼ିବା ଆରମ୍ଭ କରିଥିଲେ। ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣକୁ ବିରୋଧୀ ମାନେ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ମାତ୍ର ୨ ମିନିଟ୍ ପରେ ବିରୋଧୀ ସଦସ୍ୟମାନେ ନିଜ ନିଜ ଆସନକୁ ଫେରି ଆସିଥିଲେ।
ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କ ଏହା କ୍ରମାଗତ ଅଷ୍ଟମ ବଜେଟ୍। ଏପର୍ଯ୍ୟନ୍ତ କୌଣସି ଅର୍ଥମନ୍ତ୍ରୀ ଲଗାତର ୮ ଥର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିନାହାନ୍ତି। ମୋରାରଜୀ ଦେଶାଇ ସର୍ବାଧିକ ୧୦ ଥର ବଜେଟ ଉପସ୍ଥାପିତ କରିଥିଲେ। ସେହିପରି ପି ଚିଦାମ୍ବରମ ୯ ଥର ଏବଂ ପ୍ରଣବ ମୁଖାର୍ଜୀ ୮ ଥର ବଜେଟ୍ ଉପସ୍ଥାପନ କରିଥିଲେ।
previous article: https://purvapaksa.com/budget-2025-modi-government-kind-to-farmers-women-and-youth-find-out-who-got-what/