ତିନି ଜଣ ହାଇପ୍ରୋଫାଇଲ ବ୍ୟକ୍ତି ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ରାଜ୍ୟର ପ୍ରଭାବଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳରେ ଯୋଗଦେଇଥିଲେ। ଭାବିଥିଲେ ନିଜର ଗୌରବ ଓ ବିଜେଡିର ଜନସମର୍ଥନକୁ ଆଧାର କରି ନିର୍ବାଚନୀ ବୈତରଣୀ ପାର ହୋଇଯିବେ। ଏଥିପାଇଁ ଏହି ନେତାମାନେ ଯେତେବେଳେ ବିଜେଡିରେ ମିଶିଲେ ବଡ଼ ଧୂମଧାମରେ ମିଶ୍ରଣ ଉତ୍ସବ କରାଯାଇ ପ୍ରଚାର ପ୍ରସାର ବି କରାଗଲା। କିନ୍ତୁ ଦଳରେ ନେତାମାନଙ୍କ ଭାଗ୍ୟ ଡୋରୀ ଧରିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧିକାରୀରୁ ସେବକ ପାଲଟିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏମାନଙ୍କୁ ବ୍ୟବହାର କରିବା ସହିତ ଭବିଷ୍ୟତରେ ଯେପରି ତାଙ୍କ ରାସ୍ତାରେ କଣ୍ଟା ନ ହେବେ ସେଥିପାଇଁ କାମ ସରିଲା ପରେ ଫିଙ୍ଗି ଦେଇଥିବା କୁହଯାଉଛି।
ଦବଙ୍ଗ ଅଫିସରରୁ ରାଜନୀତିରେ ପ୍ରବେଶ
୧୯୯୦ ଦଶକର କଥା। ମୁମ୍ବାଇ ଉପରେ ଥିଲା ସଂଗଠିତ ଅପରାଧର ସମ୍ପୂର୍ଣ୍ଣ ନିୟନ୍ତ୍ରଣ। ଅଳିଆଠାରୁ ବଲିଉଡ୍ ସବୁ ଉପରେ ଥିଲା ମାଫିଆ ନିୟନ୍ତ୍ରଣ। କିଏ କାହା ସହିତ ଡିଲ୍ କରିବ, କରିବ ନାହିଁ ଆଉ ଯଦି କରିବ ତେବେ ଭାଇର କେତେ ଭାଗ ରହିବ, ସବୁଥିରେ ନାକ ପୁରାଉଥିଲେ ମାଫିଆ। ବିଗ୍ ବସ୍ ଦାଉଦକୁ ଛାଡ଼ିଦେଲା ପରେ ଆହୁରି ଅନେକ ଛୋଟ ଖେଳାଳୀ ଥିଲେ। ଯେମିତି ଅଶ୍ୱିନୀ ନାୟକ,ଛୋଟା ରାଜନ ହେଉ କିମ୍ବା ଅରୁଣ ଗୱାଲୀ। ରିୟଲ ଇଷ୍ଟେଟଠାରୁ ସଟା ବଜାର, ଏକ ନମ୍ବରୀରୁ ଦୁଇ ନମ୍ବରୀ ସମସ୍ତେ ମାଫିଆଙ୍କୁ ସଲାମ କରୁଥିଲେ। ଆଉ ସେହି ସମୟରେ ଭାରତର ପୂର୍ବ ଭାଗରୁ ଯାଇଥିବା ଜଣେ ଯୁବ ଆଇପିଏସ ଅଫିସରଙ୍କ ଉଦୟ ହୁଏ। ନାଁ ଥିଲା ଅରୂପ ପଟ୍ଟନାୟକ। ଏମିତି ଗୋଟିଏ ନାମ, ଯାହାକୁ ଶୁଣି ବଡ଼ବଡ଼ ମାଫିଆ ବି ଡରୁଥିଲେ। ବଲିଉଡର ନକଲି ହିରୋ ତାଙ୍କ ସାଙ୍ଗିଆ ନେଇ ସ୍କ୍ରିନ୍ ଉପରେ ମାଫିଆଙ୍କୁ ସାବାଡ଼ କରୁଥିଲେ। ଏହାର ୩୦ବର୍ଷ ପରେ ସେହି ବ୍ୟକ୍ତି ରାଜନୀତିକୁ ଆସେ। କିନ୍ତୁ ସଂଗଠିତ ଅପରାଧ ଦୁନିଆର ମାଫିଆଙ୍କୁ ଜବତ କରିଥିବା ବ୍ୟକ୍ତି ଜଣକ ରାଜନୀତିରେ ଫେଲ୍ ହୁଏ କାହିଁକି ଓ କ’ଣ ପାଇଁ?
ମୁମ୍ବାଇର ୩୬ତମ ପୋଲିସ କମିଶନର ଅରୂପ
ରାଜନୀତିଜ୍ଞ ଅରୂପ ଓ ପୋଲିସ ଅଧିକାରୀ ଅରୂପଙ୍କ କ୍ୟାରିୟର ଗ୍ରାଫ୍ ଢେର ଅଲଗା। ପୋଲିସ ସେବାରୁ ଅବସର ପରେ ରାଜନୀତିକୁ ଏଣ୍ଟ୍ରି କରିଥିବା ଅରୂପ ପଟ୍ଟନାୟକଙ୍କ ଜନ୍ମ ହୋଇଥିଲା ୧୯୫୫ ସେପ୍ଟେମ୍ବର ୮ରେ। ସେ ମୁମ୍ବାଇର ୩୬ତମ ପୋଲିସ କମିଶନର ଭାବରେ ୨୦୧୧ ଫେବୃଆରୀରୁ ୨୦୧୨ ଅଗଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେ ୧୯୭୯ ମସିହାରେ ଆଇପିଏସ୍ରେ ଯୋଗଦେଇ ମହାରାଷ୍ଟ୍ର କ୍ୟାଡରରେ ନିଯୁକ୍ତ ହୋଇଥିଲେ ଏବଂ ୩୬ ବର୍ଷରୁ ଅଧିକ ସମୟ ମହାରାଷ୍ଟ୍ର ପୋଲିସରେ ସେବା କରି ୨୦୧୫ ସେପ୍ଟେମ୍ବର ୩୦ରେ ଅବସର ଗ୍ରହଣ କରିଥିଲେ। ସେ ମୁମ୍ବାଇର ପ୍ରଥମ ଓ ଏକମାତ୍ର ଓଡ଼ିଆ ଆଇପିଏସ୍ ଅଧିକାରୀ, ଯିଏ ଏହି ପଦବୀ ଅଳଙ୍କୃତ କରିଛନ୍ତି। ତାଙ୍କ କାର୍ଯ୍ୟକାଳରେ ସେ ମୁମ୍ବାଇର ଅଣ୍ଡରଓ୍ୱାର୍ଲ୍ଡ ଓ ମାଫିଆଙ୍କୁ ଦମନ କରିବାରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କୁ ୧୯୯୦ରେ ଇଣ୍ଡିଆନ୍ ପୋଲିସ ପଦକ (ମେରିଟୋରିଅସ୍ ସର୍ଭିସ୍) ଓ ୨୦୦୩ରେ ରାଷ୍ଟ୍ରପତିଙ୍କ ପୋଲିସ ପଦକ ପ୍ରଦାନ କରାଯାଇଥିଲା।
ଅରୂପ ପଟ୍ଟନାୟକ ୧୯୭୯ରେ ଆଇପିଏସ୍ରେ ଯୋଗ ଦେଇଥିଲେ ଏବଂ ମହାରାଷ୍ଟ୍ର ପୋଲିସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ସେ ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଭାବରେ କାର୍ଯ୍ୟ କରିବା ପରେ ୨୦୧୧ରେ ମୁମ୍ବାଇ ପୋଲିସ କମିଶନର ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ସେ ଅପରାଧ ନିୟନ୍ତ୍ରଣ, ସଂଗଠିତ ଅପରାଧ ଦମନ ଓ ସହରର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅରୂପ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ମୁମ୍ବାଇର ଅଣ୍ଡରଓ୍ୱାର୍ଲ୍ଡ ଓ ମାଫିଆ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସେ ଦାଉଦ ଇବ୍ରାହିମ ଭଳି ବଡ଼ ବଡ଼ ମାଫିଆ ଗ୍ୟାଙ୍ଗର ଅନେକ ସାର୍ପ ଶୁଟରଙ୍କୁ ନ୍ୟୁଟ୍ରାଇଲ୍ଜ କରିଥିଲେ। ତାଙ୍କ ସୁରକ୍ଷାର ଛତ୍ରଛାୟା ତଳେ ଅନେକ ହାଇପ୍ରୋଫାଇଲ ଏନକାଉଣ୍ଟର ହୋଇଥିଲା। ୧୯୯୩ ମୁମ୍ବାଇ ବିସ୍ଫୋରଣ ସମୟରେ ଆରଡିଏକ୍ସ୍ ସମ୍ପର୍କିତ ଗୁଇନ୍ଦା ସୂଚନା ସଂଗ୍ରହ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୨ରେ ସେ ଦାବି କରିଥିଲେ ଯେ ଗ୍ୟାଙ୍ଗଷ୍ଟରମାନଙ୍କର ଏକ୍ସଟର୍ସନ୍ କଲ୍ ସଂଖ୍ୟା ୧୦%କୁ ହ୍ରାସ ପାଇଛି, ଯାହା ତାଙ୍କ ନେତୃତ୍ୱରେ ମୁମ୍ବାଇର ଅପରାଧ ନିୟନ୍ତ୍ରଣରେ ସଫଳତାକୁ ପ୍ରତିଫଳିତ କରେ।
ମୁସଲିମଙ୍କ ପ୍ରତି ନରମ ଅରୂପ
କିନ୍ତୁ ଅରୂପଙ୍କ ଖାକି କ୍ୟାରିୟରେ ୨୦୧୨ର ଆଜାଦ ମୈଦାନ ହିଂସା ଦାଗ ଲଗାଇଥିଲା। ନିଜ ପଲିଟିକାଲ ବସ୍ଙ୍କୁ ଖୁସି କରାଇବା ପାଇଁ ସେ ହିଂସାକାରୀ ମୁସଲିମଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଥିଲେ। ଆଜାଦ ମୈଦାନ ହିଂସାରେ ହିଂସାକାରୀ ପବ୍ଲିକ୍ ପ୍ରପର୍ଟି ନଷ୍ଟ କରିବା ସହିତ ପୋଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ପୋଲିସକୁ ଗୁଳି ଚଳାଇବା କିମ୍ବା ଅନ୍ୟକୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନର ଭାବେ ଅରୂପ ଅନୁମତି ଦେଇନଥିଲେ ବୋଲି ଆଲୋଚନା ହୁଏ। ଏମିତିକି କୁହାଯାଏ ଯେ, ଜଣେ ପୋଲିସ ଅଧିକାରୀଙ୍କୁ ସେ ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା କାରଣରୁ ଭର୍ତ୍ସନା ମଧ୍ୟ କରିଥିଲେ। ହିଂସାକାରୀ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। କିନ୍ତୁ ଅରୂପ ପୋଲିସର ହାତ ବାନ୍ଧି ଦେଇଥିଲେ। ଆଜାଦ ମୈଦନାର ଘଟଣା ଅରୂପଙ୍କ ସେଇ ଇମେଜକୁ ଭାଙ୍ଗି ଦେଇଥିଲା,ଯାହା ଥିଲା ଜଣେ ଦବଙ୍ଗ ପୋଲିସ ଅଧିକାରୀର ଇମେଜ। ଯାହାଙ୍କ କ୍ୟାରେକ୍ଟରୁ ନେଇ ଦୁଇ ଦୁଇଟି ଫିଲ୍ମ ତିଆରି ହୋଇଥିଲା। ଅରୂପ ସେତେବେଳେ ନିଜ ପଲିଟିକାଲ ବସ୍ଙ୍କ ଗୁଡ୍ ବୁକରେ ରହିବାକୁ ପୋଲିସକୁ କେବଳ ଦେଖିବାକୁ ବାଧ୍ୟ କରିଥିଲେ। ହିଂସା ପାଇଁ ଗୁଇନ୍ଦା ବିଫଳତା ସହିତ ଅରୂପଙ୍କ ନିଷ୍କ୍ରିୟତାକୁ ମଧ୍ୟ ଦାୟୀ କରାଯାଇଥିଲା। ରାଜ୍ୟରେ ଥିବା କଂଗ୍ରେସ ସରକାରକୁ ଖୁସି କରିବା ପାଇଁ ଦଙ୍ଗାକାରୀଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଥିବା ଅରୂପଙ୍କୁ କିନ୍ତୁ ଏହାର କ୍ଷତି ଭରଣ କରିବାକୁ ପଡ଼ିଥିଲା। ଚାରି ଆଡୁ ହେଉଥିବା ସମାଲୋଚନାରୁ ବଞ୍ଚିବା ପାଇଁ କଂଗ୍ରେସ ସରକାର ଅରୂପଙ୍କ ବଳିବୋଦା କରିଥିଲେ। ୨୦୧୨ଅଗଷ୍ଟ ୨୩ରେ ତାଙ୍କୁ ମୁମ୍ବାଇ କମିଶନର ପଦରୁ ବେଦଖଲ କରି ଦିଆଯାଇଥିଲା। ପ୍ରକୃତ ଅର୍ଥରେ ଏହା ଥିଲା ରାଜନୀତି ଓ ଏହାର କାର୍ପଟଦାରଙ୍କ ସହିତ ଅରୂପଙ୍କ ପ୍ରଥମ ସିଧା ସମ୍ପର୍କ। ଯେଉଁଥିରେ ସେ ତତ୍କାଳୀନ ମହାରାଷ୍ଟ୍ର ସରକାରକୁ ଖୁସି କରିବାରେ ବିଫଳ ହୋଇଥିଲେ।
ହିରୋରୁ ଭିଲେନ ଅରୂପ
ଯେଉଁ ଅରୂପ ବଲିଉଡର ଅଣ୍ଡରୱାର୍ଲଡ୍ କ୍ରାଇମ୍ ଥ୍ରୀଲରର ହିରୋ ଥିଲେ ସେ ଆଜାଦ ମୈଦାନ ଦଙ୍ଗା ପରେ ଗୋଟିଏ ଝଟକାରେ ମିଡିଆ ପାଇଁ ଭିଲେନ୍ ପାଲଟି ଯାଇଥିଲେ। ଇଏ ସେହି ଅରୂପ ପଟ୍ଟନାୟକ ଥିଲେ,ଯାହାଙ୍କୁ ନେଇ ବଲିଉଡ୍ ଦୁଇ ଦୁଇଟି ଫିଲ୍ମ ତିଆରି କରିଥିଲା। ଆଉ କିଛି ଫିଲ୍ମରେ ପଟ୍ଟନାୟକ ସାଙ୍ଗିଆ ଧାରୀ ପୋଲିସ ଅଧିକାରୀଙ୍କ ଚରିତ୍ର ଅରୂପଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ଭଳି ଲାଗେ। କିନ୍ତୁ ୨୦୦୪ର ଅକ୍ଷୟ କୁମାରଙ୍କ ଡିସିପି ହରି ଓମ ପଟ୍ଟନାୟକ ସିଧାସଳଖଭାବେ ଅରୂପଙ୍କ ଚରିତ୍ରର ନାଟକୀୟ ରୂପାନ୍ତର ଥିଲା ବୋଲି କୁହାଯାଏ। ଫିଲ୍ମର ନାମ ଥିଲା ଆନ୍। ସେହିଭଳି ୧୯୯୯ର ଅନୁରାଗ କାଶ୍ୟପଙ୍କ ଫିଲ୍ମ ବ୍ଲାକ୍ ଫ୍ରାଇଡେରେ ମଧ୍ୟ ଅରୂପଙ୍କ ଚରିତ୍ର ଥିଲା। ୧୯୯୩ର ବମ୍ବେ ବ୍ଲା୍ଷ୍ଟର ତଦନ୍ତ ଉପରେ ଆଧାରିତ ଏହି ଫିଲ୍ମ କୁହେ,ଅରୂପ କେମିତି ସିରିଜ୍ ବ୍ଲାଷ୍ଟକୁ ନେଇ ଗୋପନୀୟ ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଥିଲେ। କିନ୍ତୁ ୨୦୧୨ ଆସୁ ଆସୁ ଅରୂପ ଅତୀତତର ଅରୂପ ନ ଥିଲେ। ଏସବୁ ସତ୍ୱେ ମୁମ୍ବାଇ ଓ ବଲିଉଡ୍ ଅରୂପଙ୍କ ଜୀବନର ଦ୍ୱିତୀୟ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିଲା। ବିଜେଡି ଓ ବଲିଉଡ ସମ୍ପର୍କର ସେତୁ ହେବାକୁ ଯାଉଥିଲେ ଅରୂପ।
ବଲିଉଡିଆ ସେଲିବ୍ରିଟି ବି ନବୀନଙ୍କ ପସନ୍ଦ
୨୦୧୫ରେ ଅରୂପ ପଟ୍ଟନାୟକ ଅବସର ନିଅନ୍ତି। କିନ୍ତୁ ଜୀବନ ସାରା ପବ୍ଲିକ୍ ଲାଇଫରେ ଥିବା ଅରୂପ ରିଟାୟରମେଣ୍ଟ ପରେ ପରଦା ପଛରେ ରହିବାକୁ ଚାହାନ୍ତି ନାହିଁ। ଅବସର ପରେ ନିଜ ଘର ଓଡ଼ିଶାକୁ ଫେରନ୍ତି। ଆଉ ଏହି ସମୟରେ ଓଡ଼ିଶାର ୧୫ ବର୍ଷ କ୍ଷମତାରେ ରହି ସାରିଥିବା ବିଜେଡି ମଧ୍ୟ ଜାଣି ସାରିଥାଏ ଯେ, ଆଉ କେବଳ ନବୀନଙ୍କ ସଫେଦ୍ ଇମେଜ୍ ସହାୟତାରେ ନିର୍ବାଚନୀ ବୈତରଣୀ ପାର ହେବା ସହଜ ନୁହେଁ। ସବୁ ରାଜନୈତିକ ଦଳ ଓ ନେତାଙ୍କ ଭଳି ବିଜେଡି ତଥା ଏହାର ଟପ୍ ବ୍ରାସ୍ ପବ୍ଲିକ ଓ ନିଜ ସମର୍ଥକଙ୍କୁ କିଛି ଚକମା ଦେଖାଇ ଜଳକା କରିବା ଚକ୍କରରେ ଥାନ୍ତି। ସାଇନିଂ ଓଡ଼ିଶାର ଗୋଟିଏ ଇମେଜ୍, ଯେଉଁଥିରେ ନବୀନ ମ୍ୟାଜିକ୍ ଥିବ। ଆଉ ଏହା କହୁଥିବ ଯେ, ନବୀନ କ୍ରେଜ୍ କେବଳ ଓଡ଼ିଶାରେ ନାହିଁ। ଓଡ଼ିଶାଠାରୁ ଦୂର ପଶ୍ଚିମ ଉପକୂଳର ମାୟନଗରୀ ମୁମ୍ବାଇର ବଲିଉଡିଆ ସେଲିବ୍ରିଟି ବି ନବୀନଙ୍କ ପସନ୍ଦ କରନ୍ତି। ନବୀନ ପାଇଁ ସେମାନେ ଓଡ଼ିଶାକୁ ପସନ୍ଦ କରନ୍ତି। ବଙ୍ଗଳାରେ ଦିଦି ଯଦି କୋଲକତା ନାଇଟ୍ ରାଇଡର ମାଲିକ ଶାହାରୁଖଙ୍କୁ ଆଣି ନିଜ ଇମେଜ୍ ଚମକାଇ ପାରିବେ ତେବେ ନବୀନ କାହିଁକି ସେମିତି କରିବେନି।
ରାଜନୀତିର ମାଫିଆଙ୍କ ଶାହା-ମାତ୍ ଖେଳରେ ହାରିଗଲେ ଅରୂପ
ଓଡ଼ିଶାକୁ ଶାହାରୁଖ ଆସିବ, ସଲମାନ ଆସିବ ଆଉ ମାଧୁରୀ ବି ଆସିବେ। ତେବେ କେମିତି ଆସିବେ। ଏଇଠି ଏଣ୍ଟ୍ରି ହୁଏ ଅରୂପ ପଟ୍ଟନାୟକଙ୍କର। ମୁମ୍ବାଇ ପୋଲିସର କମିଶନର ଭାବେ ବଲିଉଡ ଆଉ ଏହାର ସେଲିବ୍ରିଟିଙ୍କ ସହିତ ଅରୂପଙ୍କର ଭଲ କଣ୍ଟାକ୍ଟ ଥିଲା। ତେଣୁ ବିଜେଡି ତାଙ୍କୁ ରାଇଟ୍ ଚଏସ ଭାବିଲା। ଜୀବନର ଦ୍ୱିତୀୟ ଇନିଂସ ଖୋଜୁଥିବା ଅରୂପ ମଧ୍ୟ ବିଜେଡିର ପ୍ରସ୍ତାବକୁ ସ୍ୱୀକାର କରନ୍ତି। କିନ୍ତୁ ଭୁଲି ଯାଆନ୍ତି ବଲିଉଡର ସେହି ପ୍ରସିଦ୍ଧ ଡାଏଲଗ ଏହି ଦେଶର ସବୁଠାରୁ ବଡ଼ ମାଫିଆ ହେଉଛନ୍ତି ଏହାର ରାଜନେତା। ମୁମ୍ବାଇ ମାଫିଆକୁ କିଛି ମାତ୍ରାରେ ଦମନ କରିଥିବା ଅରୂପ,ରାଜନୀତିର ମାଫିଆଙ୍କ ଶାହା-ମାତ୍ ଖେଳରେ ହାରିଯାଆନ୍ତି। ଅବଶ୍ୟ ଏଥିରେ ତାଙ୍କର ବି କିଛି ଯୋଗଦାନ ଥିଲା।
ଅବସର ପରେ ଅରୂପ ପଟ୍ଟନାୟକ ୨୦୧୮ ଏପ୍ରିଲ ୧୮ରେ ସେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ସେ ଭୁବନେଶ୍ୱର ଆସନରୁ ବିଜେଡି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ପରାଜିତ ହୋଇଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ସେ ପୁରୀ ଆସନରୁ ବିଜେଡି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ବିଜେପିର ସମ୍ବିତ ପାତ୍ରଙ୍କଠାରୁ ୧,୦୦,୯୩୫ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ।
ରାଜନୀତି ଅରୂପଙ୍କ ଚା-କପ୍ ନ ଥିଲା କହିଲେ ଚଳିବ। କାରଣ ବଲିଉଡର ସେଲିବ୍ରିଟିଙ୍କୁ ଓଡ଼ିଶା ଆଣିବା ଅଲଗା କଥା,ଆଉ ଭୋଟରଙ୍କୁ ତାଙ୍କ ସପକ୍ଷରେ ଭୋଟ୍ ଦେବାକୁ ମନାଇବା ଆଉ ଗୋଟିଏ କଥା। ସଲମାନଙ୍କୁ ଅରୂପ ଓଡ଼ିଶା ଆଣି ନବୀନଙ୍କ ସହିତ ଫଟୋ ସେସନ୍ କରାଇ ପାରିଥିଲେ କିନ୍ତୁ ବୁଥରେ ନିଜ ସପକ୍ଷରେ ଭୋଟ୍ ଯୋଗାଡ଼ କରିବାରେ ବିଫଳ ହୋଇଥିଲେ। କାରଣ ଯେତିକି ରାଜନୈତିକ ଥିଲା,ସେତିକି ବ୍ୟକ୍ତିଗତ ମଧ୍ୟ ଥିଲା। ଅରୂପ ପଟ୍ଟନାୟକ ପୋଲିସ ବିଭାଗ ଛାଡ଼ିଲା ପରେ ବି ତାଙ୍କ ଭିତରେ ଥିବା ପୋଲିସ ତାଙ୍କୁ ଛାଡ଼ିନଥିଲା। ସେ ୟୁନିଫର୍ମ ବଦଳାଇ ନେତାଙ୍କ ଗେଟ୍ ଅପକୁ ଆସିଥିଲେ ସତେ କିନ୍ତୁ ଭିତରର ପୋଲିସକୁ ବଦଳାଇ ପାରିନଥିଲେ। ଖୋଦ ତାଙ୍କ କର୍ମୀମାନେ ମଧ୍ୟ ତାଙ୍କ ବ୍ୟବହାରରେ ଅହଂକାର ଦେଖୁଥିଲେ,ଯାହା ଜଣେ ନେତା ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଦୁଇ ଦୁଇଟା ନିର୍ବାଚନରେ ଦୁଇ ଦୁଇଟା ଆସନ ବଦଳାଇବା ପରେ ବି ଅରୂପଙ୍କୁ ସଫଳତା ନମିଳିବାର କାରଣ ତାଙ୍କ ପାଇଁ ରାଜନୀତି ଫୁଲ ଟାଇମ୍ ବଦଳରେ ପାର୍ଟ୍ ଟାଇମ୍ ହେବା ଯେତିକି ସେତିକି ମଧ୍ୟ ଦଳ ଭିତରେ ସକ୍ରିୟ ଥିବା ପଲିଟିକାଲ ମାଫିଆ। ଯେଉଁ ଶକ୍ତି ୨୦୧୯ ଓ ୨୦୨୪ ନିର୍ବାଚନକୁ ନିୟନ୍ତ୍ରଣ କରୁଥିଲା ସେହି ଶକ୍ତିର ସମ୍ପୂର୍ଣ୍ଣ ସମର୍ଥନ ଅରୂପଙ୍କ ପଛରେ ଥିଲା କି ନାହିଁ ତାହା ମଧ୍ୟ ସନ୍ଧାନ ସାପେକ୍ଷ।
କ’ଣ ପାଇଲେ ଅମର
ସିଏଜି ଥିବାବେଳେ ଅମର ପଟ୍ଟନାୟକ ରାଜ୍ୟ ସରକାରଙ୍କ ଅନେକ ଦୋଷ ତ୍ରୁଟିକୁ ଧରିଥିଲେ। ଯାହାଫଳରେ ନବୀନ ପଟ୍ଟନାୟକଙ୍କ ସରକାର ଅଡୁଆରେ ପଡ଼ି ଯାଇଥିଲେ। ଏଭଳି ଅପଦ୍ତରୁ ରକ୍ଷା ପାଇବା ପାଇଁ ବିଜେଡି ନେତୃତ୍ୱ ଅମରଙ୍କୁ ପ୍ରଲୋଭନ ଦେଖାଇ ରାଜନୀତିକୁ ଟାଣିଥିଲେ। ପ୍ରତିଦାନ ସ୍ୱରୂପ ଥରେ ରାଜ୍ୟସଭାକୁ ପଠାଇଥିଲେ। ଏହି ଥରକ ପରେ ତାଙ୍କ ରାଜନୀତି ଶେଷ ଅର୍ଥାତ୍ ଆଉ ତାଙ୍କୁ ରାଜ୍ୟଭସା ପଠାଗଲା ନାହିଁ କି କୌଣସି ନିର୍ବାଚନରେ ପ୍ରାର୍ଥୀ କରାଗଲା ନାହିଁ। କେବଳ ତାଙ୍କୁ ଆଇଟି ସେଲ ଲଲିପପ୍ ଧରାଇ ଦେଇଛନ୍ତି। ଏଥିନେଇ ସେ ଅସନ୍ତୁଷ୍ଟ ଥିଲେ ବି କେହି ଶୁଣିବାକୁ ନାହାନ୍ତି।
ସଂତୃପ୍ତଙ୍କ ମୁଣ୍ଡରେ ଅଠା
କର୍ପୋରେଟ ଜଗତର ହାଇପ୍ରୋଫାଇଲ ଅଧିକାରୀ ହେଉଛନ୍ତି। ସଂତୃପ୍ତ ମିଶ୍ର। ତାଙ୍କ ଯୋଗୁ ବିଜେଡି ବହୁ ପରିମାଣରେ ଇଲେକ୍ଟ୍ରୋରାଲ ବଣ୍ଡ ପାଇଥିବା ଚର୍ଚ୍ଚା ହୁଏ। ତାଙ୍କୁ ବିଜେଡି ରାଜନୀତିକୁ ଆଣି ଏମିତି ଯାଗାରୁ ପ୍ରାର୍ଥୀ କଲା ଯେ ସେ ଜିତି ପାରିଲେ ନାହିଁ। ଏହି ନିର୍ବାଚନୀ ପରାଜୟ ପରେ ତାଙ୍କ ସମ୍ମାନକୁ ଆଞ୍ଚ ଆସିଲା ଭଳି ତାଙ୍କୁ ନବୀନଙ୍କ ରାଜନୈତିକ ସଚିବ ନିଯୁକ୍ତି କରାଯାଇଛି। ରାଜପନୀତି ବିଷୟରେ ଆଦୌ ଜାଣିନଥିବା ସଂତୃପ୍ତ କେବଳ ଏକ ଗୁରୁତ୍ୱହୀନ ପଦବୀ ପାଇଁ ମୁହଁ ଲୁଚାଇ ବିଳାପ କରୁଥିଲେ ବି କେହି ଶୁଣିବାକୁ ନାହାନ୍ତି। ଭିକେ ପାଣ୍ଡିଆନ ଦଳର ସବୁ ନିଷ୍ପତ୍ତି ନେଉଥିଲେ ହେଁ ସହତୃପ୍ତଙ୍କ ମୁଣ୍ଡରେ ଅଠା ବୋଳାଯାଉଛି।
ବିଜେଡି ଏଭଳି ଅଣ ରାଜନୈତିକ ବ୍ୟକ୍ତିତ୍ୱ ଦଳକୁ ଆଣି ଯେପରି ହୀନସ୍ତା କରୁଛି ତାକୁ ଦେଖିଲେ ଆଗାମୀ ଦିନରେ ଭଲ ଲୋକ ଆଉ ରାଜନୀତିକୁ ଆସିବାକୁ ପସନ୍ଦ କରିବେ ନାହିଁ।
Also readhttps://purvapaksa.com/does-the-department-of-public-education-properly-work/
Does the Department of Public Education properly work ? ।। ଗଣଶିକ୍ଷା ବିଭାଗର ମା ଓ ବାପ ଅଛନ୍ତି କି ?
