ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ନିଜ ସାମାଜିକ ଗଣମାଧ୍ୟମରେ ରାଜନୀତିକ ଦଳରେ ଗଣତନ୍ତ୍ର ସ୍ଥାପନ କାଇଁ ଆହ୍ୱାନ ଦେଇଛନ୍ତି। ଯେତେବେଳେ ରାଜନୀତିକ ଦଳରେ ଆନ୍ତରୀଣ ଗଣତନ୍ତ୍ର ପରାହତ ହୁଏ ସେତେବେଳେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ମାନ ମିଳେ ନାହିଁ। ଲୋକଙ୍କ ମତକୁ ସମ୍ମାନ ଦେବା ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଏକଛତ୍ରବାଦକୁ ସମୂଳେ ଉପାଡ଼ି ପୋପାଡ଼ିଲେ ଯାଇ ଗଣତନ୍ତ୍ର ଆସିବ ବୋଲି କହିଛନ୍ତି ଅରୁଣ ସାହୁ। ଗଣତନ୍ତ୍ର ଓ ଏକଛତ୍ରବାଦ ଏକାଠି ରହିପାରିବେ ନାହିଁ ବୋଲି ଚେତାଇଛନ୍ତି ଅରୁଣ ସାହୁ।
ସାମାଜିକ ଗଣମାଧ୍ୟମରେ ଜଣେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଅରୁଣ ଏକଥା କହିଛନ୍ତି। ବାରମ୍ବାର ଏବେକାର ଗଣତନ୍ତ୍ର ଘୁଣ ଖାଉଛି ବୋଲି କହିବା ସହ ସେ ସ୍ୱର ଉତ୍ତୋଳନ କରିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି। ହେଲେ ଅରୁଣଙ୍କ ଏ ଇଙ୍ଗିତ କାହା ପାଇଁ? ଏହା କ’ଣ ତାଙ୍କ ଦଳରେ ଚାଲିଥିବା ଅଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରତିକ୍ରିୟା?
କିଛିଦିନ ହେଲା ଅରୁଣ ଦଳରେ ଚାଲିଥିବା ଆନ୍ତଃକନ୍ଦଳକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଭିନ୍ନ ଫୋରମରେ ସେ ଦଳର ତଥାକଥିତ ନେତୃତ୍ୱକୁ ନେଇ ଇଙ୍ଗିତ କରିଛନ୍ତି। ଏହି ଆଲୋଚନା ବେଳେ ମଧ୍ୟ ସେ ସମାନ କଥାକୁ ବୌଦ୍ଧିକ ସ୍ତରରେ ରଖିବାକୁ ଚାହିଁଥାଇପାରନ୍ତି।
କାରଣ ତାଙ୍କରି ଦଳ ବିଜୁ ଜନତା ଦଳରେ ହିଁ ଏବେ ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ୱନ୍ଦ୍ୱରେ ପଡ଼ିଛି। ସେଠାରେ ହିଁ ଦଳ ହାଇଜାକ୍ ହେବାର ଚର୍ଚ୍ଚା ହେଉଛି। ସେହି ଦଳରେ ଗଣତନ୍ତ୍ର ନାହିଁ ବରଂ ଅଣ ନିର୍ବାଚିତ ବ୍ୟକ୍ତି ହିଁ ଦଳର ସେକେଣ୍ଡ ମ୍ୟାନ ହୋଇ ସବୁକିଛି ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ହେଉଛି।
ସେ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଆମେ ବୌଦ୍ଧିକ ଦେବାଳିଳିଆ ହୋଇଛୁ। ରାଜନୀତିକ ଦଳ ବା ରାଜନୀତିକ ନେତାମାନେ ସ୍ୱାଧୀନ ମତବ୍ୟକ୍ତି କରିପାରନ୍ତି ନାହିଁ। ଦଳମାନେ କେବଳ ବିରୋଧୀ ଦଳମାନଙ୍କ ପ୍ରତି କରିଥାନ୍ତି। ନିଜ ଦଳର ନେତା ବା ବସ୍ଙ୍କ ପ୍ରତି ପରାମର୍ଶ ଦେବାକୁ ତାଙ୍କ ମନରେ ସାହସ ନ ଥାଏ ଭୟ ଥାଏ। ହେଲେ ଅରୁଣଙ୍କୁ କେଉଁ ଭୟ ଘାରୁଛି? ଅରୁଣଙ୍କୁ ଦଳରୁ ବାହାର କରି ଦିଆଯିବ ବୋଲି ସେ ବ୍ୟସ୍ତ ଅଛନ୍ତି କି? ସେ କ’ଣ ଏ ବାବଦରେ କିଛି ସୁରାକ୍ ପାଇଛନ୍ତି ?
ଭିନ୍ନ ମତଧାରୀଙ୍କ ପ୍ରତି ବିପଦ ରହୁଥିବାରୁ ସେମାନେ ଆପେ ବଞ୍ଚିଲେ ବାପାର ନାଁ ବୋଲି କହି ଉଠାଇଥିବା ପ୍ରସଙ୍ଗରୁ ଦୂରେଇ ରହିବାକୁ ଚାହାନ୍ତି ବୋଲି କହିଛନ୍ତି ଅରୁଣ। ହେଲେ ସ୍ୱାଧୀନତା ସମୟ ହେଉ ବା ଜରୁରୀ କାଳୀନ ପରିସ୍ଥିତି ସମୟରେ ଯଦି ଲୋକେ ସାମ୍ନାକୁ ଆସି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ ନିଜ ଅଧିକାର ଓ ଗଣତାନ୍ତ୍ରିକ ବ୍ୟବସ୍ଥା ବିଷୟରେ କହିପାରୁଥିଲେ, ଆଜି କାହିଁକି ନୁହେଁ ବୋଲି ପ୍ରଶ୍ନ କରିବା ସହ ଆଜି ବୌଦ୍ଧିକ ଚେତନାର ଅବକ୍ଷୟ ହୋଇଛି ବୋଲି କହିଛନ୍ତି ଅରୁଣ। ଏଥିଲାଗି କିଛି ଲୋକ ମଝି ରାସ୍ତା ବାଛନ୍ତି। କିନ୍ତୁ ଏହି ରାସ୍ତାକୁ ବିପଜ୍ଜନକ ବୋଲି କହିଛନ୍ତି। ଏପରି କହି ସେ ଦଳରେ ସମର୍ଥନ ସାଉଁଟିବାକୁ ଚାହିଁଛନ୍ତି। ନେତାଙ୍କୁ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି କି?
ସେ କହିଛନ୍ତି ନିୟମ ରହିଛି ରାନ୍ତାର ବାମ ପାର୍ଶ୍ୱରେ ଚାଲିବା। ଏହା ଚାଲୁଥିବା ଲୋକଟି ପାଇଁ ନିରାପଦ ବୋଲି ଗ୍ରହଣ କରାଯାଏ। ଡାହାଣ ପାର୍ଶ୍ୱରେ ଚାଲୁଥିବା ଲୋକ ନିଜ ସଚେତନତାରେ ବାଟ କାଢ଼ି ଯାଇପାରେ କିନ୍ତୁ ମଝିରେ; ଚାଲୁଥିବା ଲୋକଟିର ବିପଦରେ ପଡ଼ିବାର ଆଶଙ୍କା ଅଧିକ ଥାଏ। ଏଣୁ ମଝି ରାସ୍ତାକୁ ବିପଜ୍ଜନକ ବୋଲି କହିଛନ୍ତି ଅରୁଣ। କିନ୍ତୁ ଏହି ବିପଜ୍ଜନକ ମୁହୂର୍ତ୍ତକୁ କିପରି ସୁଧାରିବେ ଡ. ଅରୁଣ କୁମାର ସାହୁ ନା ଏପରି ପାଠ ପଢ଼ାଉ ପଢ଼ାଉ ନିଜର ସ୍କୁଲ୍ ବନ୍ଦ କରିବସିବେ ଡ.ସାହୁ, ତାହାକୁ ଅପେକ୍ଷା।
Also readhttps://purvapaksa.com/mohan-dharmendra-meeting-wickets-will-fall-on-both-sides/
Mohan-Dharmendra meeting II ମୋହନ-ଧର୍ମେନ୍ଦ୍ର ଭେଟଘାଟ: ଉଭୟପଟୁ ୱିକେଟ ପଡ଼ିବ!
