ବିଜୁ ଜନତା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏବେ ସଭାସମିତି ଓ ଗଣମାଧ୍ୟମରେ ବିଶେଷ କ୍ରିୟାଶୀଳ ଥିବା ପରି ଜଣାପଡ଼ୁଛନ୍ତି। କେତେବେଳେ ସାମାଜିକ ଗଣମାଧ୍ୟମରେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ତ କେତେବେଳେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସଚେତନ ହେବା ଲାଗି ଆହ୍ୱାନ ଦେଉଛନ୍ତି। ତାଙ୍କ ଦ୍ୱାରା ପ୍ରାୟୋଜିତ ସଭାରେ ତାଙ୍କ ଭାଷଣ ଓ ବକ୍ତବ୍ୟରୁ ଗୋଟିଏ ଜିନିଷ ସ୍ପଷ୍ଟ ଯେ ଅରୁଣ ଏବେ ନିଜ ପ୍ରତିଚ୍ଛବି ବଦଳାଇବାକୁ ପ୍ରସ୍ତୁତ ହେଲେଣି। ସରକାରରେ ଥିବା ସମୟରେ ଯେଉଁ ପ୍ରତିଚ୍ଛବିରେ ସେ ଜର୍ଜରିତ ହେଉଥିଲେ ଏବେ ଆଉ ସେଥିରେ ସେ ଜୀଇଁବାକୁ ଚାହୁଁ ନାହାନ୍ତି। ଏବେ ସେ ବିପ୍ଲବର ଡାକରା ଦେଉଛନ୍ତି। କିନ୍ତୁ ଅନୁଭବ ଓ ଅନୁଭୂତି ଆଧାରରେ ଏହାକୁ ଉଚିତ ସମୟ ବୋଲି କହୁଛନ୍ତି। କିନ୍ତୁ ଲକ୍ଷ୍ୟ କ’ଣ? କାହାକୁ ଇଙ୍ଗିତ କରି ସେ ବିପ୍ଳବର ଇଙ୍ଗିତ ଦେଉଛନ୍ତି?
ଅଭିଜ୍ଞତା ଓ ଅନୁଭୂତିକୁ ଏବେ କାମରେ ଲଗାଇବେ ଅରୁଣ
ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟ ରାଜନୀତି ଓ ମିଡିଆରେ ଅନେକ ପରିଚିତ। ନୟାଗଡ଼ରେ ସେ ନିଜର ସଂଗଠନ ଏବଂ ଜନସମ୍ପର୍କ ଲାଗି ଜଣା ଯାଆନ୍ତି। ସେଥିଲାଗି ଅନେକ ବିରୋଧ ସତ୍ତ୍ୱେ ୨୦୨୪ ନିର୍ବାଚନରେ ସେ ଜିତି ପୁଣି ବିଧାନସଭାକୁ ପ୍ରତିନିଧିତ୍ୱ କରିଛନ୍ତି। ଏହା ତାଙ୍କର ପଞ୍ଚମ ପାଳି। ୨୦୦୪ ମସିହାରୁ ସେ ଲଗାତାର ନିର୍ବାଚିତ ହୋଇ ଆସୁଛନ୍ତି। ୨୦୨୯ରେ କିନ୍ତୁ ତାଙ୍କର ରାଜନୀତିକ ପରାକାଷ୍ଠା ବଦଳିବାକୁ ଯାଉଛି। ଏହା ନିର୍ବାଚନମଣ୍ଡଳୀ ପୁନର୍ଗଠନ ପାଇଁ ନୁହେଁ ବରଂ, ବିଜେଡିରେ ସୃଷ୍ଟି ହୋଇଥିବା ଜଟିଳ ପରିସ୍ଥିତି ଲାଗି। କିନ୍ତୁ ପରିସ୍ଥିତିକୁ ନିଜ ପଟିଆ କରିବା ବଦଳରେ ଅରୁଣ କିନ୍ତୁ ଏଥର ବିପ୍ଲବର ଆହ୍ୱାନ ଦେଇଛନ୍ତି। ଓଡ଼ିଶାର ଦୁର୍ଗିତି ଲାଗି ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଏହି ଆହ୍ୱାନ। ଏହି ଆହ୍ୱାନ ସେ ନିଜ ପକ୍ଷରୁ ଆୟୋଜିତ ବିଭିନ୍ନ ମଞ୍ଚରେ ସ୍ପଷ୍ଟ ଜଣାଉଛନ୍ତି। ସେ କହୁଛନ୍ତି ଏବେ ଏ ବିଦ୍ରୋହ ଆହ୍ୱାନ ଦେବାର କାରଣ ହେଉଛି ତାଙ୍କର ଅନୁଭବ ଓ ଅଭିଜ୍ଞତା। ଅନେକ ବର୍ଷ ହେଲା ସାଉଁଟିଥିବା ଅଭିଜ୍ଞତା ଓ ଅନୁଭୂତିକୁ ଏବେ କାମରେ ଲଗାଇ ବିପ୍ଲବକୁ ତେଜୀୟାନ କରିବା ଲାଗି ଏହା ଉଚିତ ସମୟ ବୋଲି କହିଛନ୍ତି ଅରୁଣ।
ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଉଚ୍ଚ ଶିକ୍ଷିତ
ଗୁରୁଦିବସ ଅବସରରେ ନୟାଗଡ଼ର ପଠାଣୀ ସାମନ୍ତ ପ୍ରେକ୍ଷାଳୟରେ ଅରୁଣ ଏମିତି କିଛି ଆହ୍ୱାନ ଶିକ୍ଷକମାନଙ୍କ ଉପସ୍ଥିତିରେ ଦେଇଛନ୍ତି। ଏଥିରେ ସେ କହିଛନ୍ତି, ‘ଓଡ଼ିଶାର ଦୁର୍ଗତି ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ମୁଖା ଖୋଲିଦେବି’। ସେ କହିଛନ୍ତି, ପ୍ରତିଟି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଉଚ୍ଚ ଶିକ୍ଷିତ ହୋଇଥାଆନ୍ତି। ଭାରତରେ ଦୁର୍ନୀତି ବଢ଼ିବାର କାରଣ ହେଉଛନ୍ତି ଏମାନେ। ଉଚ୍ଚ ଶିକ୍ଷିତ ଓ କ୍ଷମତା ଧରିଥିବା ବ୍ୟକ୍ତି ହିଁ ଦୁର୍ନୀତିରେ ଲିପ୍ତ ହୋଇଥାଆନ୍ତି। କାରଣ ସେମାନେ ବ୍ୟବସ୍ଥା କ’ଣ ଜାଣିଛନ୍ତି।
‘ଏ ବିଶ୍ଳେଷଣ କରିବାବେଳେ ମୋର ମନ ଭିତରେ ବିଦ୍ରାହର ଦାବାନଳ ସୃଷ୍ଟି ହେଉଛି। ଅସମ୍ଭବ ନୀରବତାର ଝଡ଼ ବହୁଛି, କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅରୁଣ। ଜୀବନରେ ବିଳାସ ବ୍ୟସନ ଅୟସ କ’ଣ ଜରୁରୀ? କ’ଣ ପାଇଁ ଆଜିବି ସାମନ୍ତବାଦୀ ଚିନ୍ତାଧାରା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଶିକ୍ଷା ବ୍ୟବସ୍ଥା ଆଜିର ଅବସ୍ଥା ପାଇଁ ଦାୟୀ
ବିପ୍ଲବ ଓ ସଂଘର୍ଷର ଆହ୍ୱାନ ଦେଇ ସେ ଶିକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି, ଅଭିଭାବକଙ୍କ ବଦଳୁଥିବା ଚିନ୍ତାଧାରାକୁ ଦାୟୀ କରିଛନ୍ତି। କାରଣ ଏହି ଚିନ୍ତାଧାରାରେ ଆମେ ଶିଶୁଟିକୁ ସହଜରେ ସାମାଜିକ ପ୍ରତିଷ୍ଠା କିପରି ଲାଭ କରିହେବ ତାହା ଶିକ୍ଷା ଦେଉଛି। ହେଲେ ଯେଉଁ ଜୀବନରେ ସଂଘର୍ଷ ନ ଥିବ ସେ ଜୀବନରେ କିଛି ନାହିଁ। ସାମାଜିକ ପ୍ରତିଷ୍ଠା ଆମକୁ କେତେ କ୍ଷତି କରୁଛନ୍ତି ତାହା ଜାଣିଛନ୍ତି କି ବୋଲି ପଚାରିବା ସହ ସେ କହିଛନ୍ତି, ସାମାଜିକ ପ୍ରତିଷ୍ଠାକୁ ଧରି ରଖିବା ପାଇଁ ହେଉଥିବା ଅହରହ ଉଦ୍ୟମ ମଣିଷକୁ ବିପଥଗାମୀ କରିଥାଏ। ତାହାର ସେ ବି ଅନେକ ସମୟରେ ଶିକାର ହୋଇଛନ୍ତି ବୋଲି ସ୍ୱୀକାର କରିଛନ୍ତି।
ଅରୁଣ କାହା ଆଡ଼କୁ ଇଙ୍ଗିତ କରୁଛନ୍ତି?
ହେଲେ ଏ ହିତବାଣୀ ସବୁ ଏବେ କାହିଁକି ଅରୁଣଙ୍କ ମନରେ ପ୍ରବେଶ କରିଛି। କାହିଁକି ସେ ବିଭିନ୍ନ ପ୍ଲାଟଫର୍ମରେ ଏପରି ଭାଷଣ ରଖୁଛନ୍ତି? ସେ କ’ଣ କିଛି ରାଜନୀତିକ ପରିବର୍ତ୍ତନ ଚାହୁଁଛନ୍ତି? ନିଜ ଦଳ ସରକାରରେ ରହିବାର ୨୪ ବର୍ଷ ପରେ ଆଜି ରାଜ୍ୟରେ ବିଜେପି ସରକାର ଆସିଛି। ତାହା ପୁଣି ବର୍ଷକର କଥା। ଏଣୁ ଅରୁଣ କାହାଆଡ଼କୁ ଇଙ୍ଗିତ କରୁଛନ୍ତି? ଓଡ଼ିଶାର ଦୁର୍ଗତୀ ପାଇଁ କିଏ ଦାୟୀ? ନିଜ ଦଳରେ ଚାଲିଥିବା ଅଚଳାବସ୍ଥାକୁ ସେ ଇଙ୍ଗିତ କରୁଛନ୍ତି କି? କିଏ ଏଠି ସାମନ୍ତବାଦୀ ଚିନ୍ତାଧାରାକୁ ପ୍ରଶ୍ରୟ ଦେଉଛି? ଶିକ୍ଷକଙ୍କୁ ସମ୍ବୋଧନ କରିବାବେଳେ ଅରୁଣ ବାବୁମାନଙ୍କ କ୍ଷମତା ଓ ହାକିମାତି କଥା କହିଥିଲେ। କ୍ଷମତାରେ ଥିବାବେଳେ ହାକିମାତି ସହଜ ବୋଲି କହି କାହାକୁ ସେ ଇଙ୍ଗିତ କରିଛନ୍ତି?
ପାଣ୍ଡିଆନ୍-ନବୀନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ
ଏସବୁକୁ ନିରିଖେଇ ଦେଖିଲେ ତାଙ୍କରି ଦଳର ଆଭ୍ୟନ୍ତରୀଣ ରହସ୍ୟକୁ ଉନ୍ମୋଚନ କରୁଛି। ପରୋକ୍ଷ ହେଲେ ବି ସେ ପାଣ୍ଡିଆନ୍-ନବୀନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସମ୍ଭବତଃ ସମାଲୋଚନା ଆଳରେ ନବୀନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବାରେ ଏହା ବୋଧହୁଏ କୌଣସି ଦଳୀୟ ନେତାଙ୍କ ପ୍ରଥମ ଉଦ୍ୟମ ହୋଇପାରେ। ସେ ସାମନ୍ତବାଦୀ ଚିନ୍ତାଧାରା କଥା କହି ବିଜେଡିର ଉତ୍ତରାଧିକାର ଚୟନ କଥା କହୁଥାଇପାରନ୍ତି। କାରଣ ବିଜେଡିରେ ଉତ୍ତରାଧିକାରୀ କିଏ ହେବେ ତାହା ନେତାଙ୍କ ନେତୃତ୍ୱ ନେବାର ପ୍ରତିଭା, ଅଭିଜ୍ଞତାକୁ ଆଧାର କରି ନାହିଁ। ଦଳର ନେତାମାନେ ନବୀନଙ୍କ ନିଷ୍ପତ୍ତି ଉପରେ ଛାଡ଼ିଛନ୍ତି। ଯେଉଁ ବିଜେଡିରେ ନବୀନ ବି ଗଣତାନ୍ତ୍ରିକ ଉପାୟରେ ବଛା ଯାଇଥିଲେ ସେ ବିଜେଡିରେ ନବୀନଙ୍କ ଇଚ୍ଛାକୁ ଆଧାର କରି ପରବର୍ତ୍ତୀ ମୁଖିଆ ସ୍ଥିର କରିବା କେତେଦୂର ଉଚିତ ହେବ? ବୋଧହୁଏ ଏହି ଇଙ୍ଗିତ ଅରୁଣ ପରୋକ୍ଷରେ ଦେବାକୁ ଚାହୁଁଛନ୍ତି।
ବିଜେଡିରେ ସାମନ୍ତବାଦୀ ପ୍ରଥା
ନବୀନଙ୍କ ଉତ୍ତରାଧିକାରୀ ଯେ ପାଣ୍ଡିଆନ୍ ଏହା ଆଉ କାହାକୁ ଅଛୁପା ହୋଇ ରହିନାହିଁ। ଯେଉଁଭଳି ଭାବେ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ନବୀନଙ୍କୁ ହାଇଜାକ୍ କରିଛନ୍ତି ବା ନବୀନ ଆଉ କାହା କଥା ଶୁଣିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ତାହା ସ୍ପଷ୍ଟ କରୁଛି ଯେ ବିଜେଡିରେ ସାମନ୍ତବାଦୀ ପ୍ରଥା ଚାଲିଛି।
ପ୍ରଶଂସାକୁ କଣ୍ଟା ବୋଲି ଅଭିହିତ କରି ବିଜେଡି ନେତାମାନଙ୍କର ପାଣ୍ଡିଆନ୍ଙ୍କ ପ୍ରତି ପ୍ରଶଂସାକୁ ସେ ଇଙ୍ଗିତ କରିଥାଇପାରନ୍ତି। କାରଣ ଏଠାର ଅସନ୍ତୋଷ ରହିଥିଲେ ବି ଅନେକ ଭୟ ଓ ଆଉ କିଛି ତାଙ୍କର ସମର୍ଥକଭାବେ ପ୍ରଶଂସା କରୁଛନ୍ତି। ବାସ୍ତବରେ ଏ ପ୍ରଶଂସା ଲୋକପ୍ରିୟତାରେ ରୂପାନ୍ତର ହେବା ଅନେକ କଷ୍ଟ। ଯାହା ବିଜେଡି ୨୦୨୪ ନିର୍ବାଚନରେ ଦେଖିଛି। ପ୍ରଶଂସାରେ ଶତମୁଖ ଥିବା ପାଣ୍ଡିଆନ୍ଙ୍କ ପ୍ରଚାରକୁ ଲୋକସଭାରେ ଗ୍ରହଣ କରିପାରିନଥିଲେ। ଫଳରେ ଦଳର ପରାଜୟ ହୋଇଥିଲା।
ଏଭଳି ପରିସ୍ଥିତିରେ ତାଙ୍କର ଓଡ଼ିଶାର ଦୁର୍ଗତି ହୋଇଛି ବୋଲି କହିବା ଏବଂ ଏଥିପାଇଁ ଯେଉଁମାନେ ଦାୟୀ ତାଙ୍କ ବିରୋଧରେ ବିପ୍ଲବ ଡାକରା ଦେଇଥିବା ଅରୁଣ ବାସ୍ତବରେ ଲୋକଙ୍କୁ ସଂଗଠିତ କରିପାରିବେ? ବିଜେଡିର ଅନ୍ୟ ନେତାମାନଙ୍କୁ ଏକାଠି କରିପାରିବେ? ଏ ପ୍ରଶ୍ନ ଉଠିବା ପଛର କାରଣ ହେଉଛି ଅରୁଣଙ୍କ ଅତୀତ।
ଓଡ଼ିଶାବାସୀଙ୍କୁ ସେ କ’ଣ ଏକଜୁଟ କରିପାରିବେ?
ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ନୟାଗଡ଼ ବିଧାୟକ ଅରୁଣ ସାହୁଘଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ। କିନ୍ତୁ ଅତୀତରେ ଅରୁଣ ସାହୁ ସିବିଆଇଠାରୁ ଆରମ୍ଭ କରି କ୍ରାଇମବ୍ରାଞ୍ଚ ମାମଲାରେ ଚର୍ଚ୍ଚିତ ହୋଇଛନ୍ତି। ୨୦୨୦ ମସିହାରେ ସେ ମନ୍ତ୍ରୀ ଥିବାବେଳେ ନୟାଗଡ଼ରେ ଏକ ୫ ବର୍ଷର ଝିଅ ପରୀର ହତ୍ୟା ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା। ତାଙ୍କ ବିରୋଧରେ ଅନେକ ଅଭିଯୋଗ ଓ ଆନ୍ଦୋଳନ ହୋଇଥିଲା। ତାଙ୍କର ଘନିଷ୍ଠ ସହଯୋଗୀ ଏଥିରେ ସମ୍ପୃକ୍ତ ବୋଲି ଅଭିଯୋଗ ହୋଇଥିଲା। ଏବଂ ତାଙ୍କୁ ଅରୁଣଙ୍କ ପୃଷ୍ଠପୋଷକତା ମିଳିଥିବା ଚର୍ଚ୍ଚା ହେଉଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ହୋଇନାହିଁ।
ଏହା ପୂର୍ବରୁ ଅରୁଣଙ୍କୁ ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ମାମଲାଭୁକ୍ତ କରି ଜେରା ପାଇଁ ନୋଟିସ୍ କରିଥିଲା। ସରକାରରେ ଥିବା ସମୟରେ ତାଙ୍କ ବିରୋଧରେ ଏପରି ଅଭିଯୋଗ ଓ ତଦନ୍ତ ହୋଇଥିଲା। ଆଜି ତାଙ୍କ ଦଳ ସରକାରରେ ନାହିଁ। ବିରୋଧୀ ଦଳର ସରକାର ଆସିଛି। ଏଣୁ ଅରୁଣଙ୍କ ନିଜ ଦଳର ନେତାଙ୍କ ପ୍ରତି ବିପଦ ଭୟ ନାହିଁ ତାହା ସତ୍ୟ। ହେଲେ ଓଡ଼ିଶାବାସୀଙ୍କୁ ସେ କ’ଣ ଏକଜୁଟ୍ କରିପାରିବେ? ବିଜେଡିର ଅନ୍ୟ ନେତାମାନେ କ’ଣ ତାଙ୍କର ଏହି ଡାକରାର ଉଦ୍ଦେଶ୍ୟକୁ ବୁଝିପାରିବେ? ନବୀନଙ୍କ ବିରୋଧାରା କ’ଣ ସାମନ୍ତବାଦୀ ଚିନ୍ତାଧାରାର ବାହକ ବୋଲି ପ୍ରମାଣିତ କରିହେବ? ଏମିତି ଅନେକ ପ୍ରଶ୍ନ ଏ ଭିତରେ ବି ରହିଛି। ଏଣୁ ଅପେକ୍ଷା ସମୟକୁ, ଭବିଷ୍ୟତକୁ। ଆପଣମାନଙ୍କ ନିର୍ଣ୍ଣୟକୁ।
