Pahalgam attack: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣଙ୍କ ମୃତ୍ୟୁ ହେବାର ୪୦ ଘଣ୍ଟାରୁ ବି କମ୍ ସମୟ ମଧ୍ୟରେ ଭାରତୀୟ ସୁରକ୍ଷା ବାହିନୀ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ନିର୍ଦ୍ଦିଷ୍ଟ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଏବଂ ପ୍ରଶିକ୍ଷଣ ଶିବିରଗୁଡ଼ିକୁ ଠାବ କରିଛି।
ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କେନ୍ଦ୍ରଗୁଡ଼ିକ ଉପରେ ଭାରତୀୟ ଏଜେନ୍ସିମାନେ ମାସ ମାସ ଧରି ତୀକ୍ଷ୍ନ ନଜର ରଖିଛନ୍ତି। ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଅପରେସନ୍ ବିକଳ୍ପ ଏବଂ ରଣନୈତିକ ସୁପାରିସ ସମେତ ଏକ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା।
ସେନା ଏସବୁ ଘଟଣା ଉପରେ ତୀକ୍ଷ୍ନ ନଜର ରଖିଛି। ଅନୁପ୍ରବେଶ ନିରୋଧୀ ଗ୍ରିଡ୍ ର ସଠିକ୍ ତଦାରଖ ସମ୍ପ୍ରସାରଣ ଏବଂ ସୁଦୃଢ଼ୀକରଣ ସମେତ ରଣନୀତିକ ବିକଳ୍ପ ଉପରେ ବିଚାର କରାଯାଉଛି।
ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀର ସମ୍ମୁଖରେ ଅନୁପ୍ରବେଶ ଉଦ୍ୟମ ପାଇଁ ୧୫୦ରୁ ୨୦୦ ପ୍ରଶିକ୍ଷିତ ଆତଙ୍କବାଦୀ ଏବେ ବିଭିନ୍ନ କ୍ୟାମ୍ପରେ ମୁତୟନ ଅଛନ୍ତି।
ପାକିସ୍ତାନ ସେନା ଏହି ଅନୁପ୍ରବେଶକୁ ସହାୟତା କରୁଥିବା ବେଳେ ନିକଟରେ ବଟଲ ସେକ୍ଟର ନିକଟରେ ଏକ ବଡ଼ ଧରଣର ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ ଏହି ବିଫଳ ଅନୁପ୍ରବେଶ ଉଦ୍ୟମ ସମୟରେ ୬୪୨ ମୁଜାହିଦ ବାଟାଲିୟନର ବ୍ୟାପକ କ୍ଷୟକ୍ଷତି ହୋଇଥିଲା।
ଏହାବ୍ୟତୀତ ଜମ୍ମୁ-କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ, ଜୈଶ-ଏ-ମହମ୍ମଦ ଓ ଲସ୍କର-ଇ-ତୋଏବାର ମୋଟ ୬୦ ଜଣ ବିଦେଶୀ ଆତଙ୍କବାଦୀ ସକ୍ରିୟ ଅଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ଥିବା ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ୧୭ ରହିଛି।
ନିୟନ୍ତ୍ରଣ ରେଖା ନିକଟରେ ହାଇ ଆଲର୍ଟ ଜାରି କଲା ପାକ୍ ସେନା
ନିୟନ୍ତ୍ରଣ ରେଖା ପାର୍ଶ୍ୱରେ ହାଇ ଆଲର୍ଟ ଘୋଷଣା କରିଛି ପାକ୍ ସେନା । ଭାରତୀୟ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ଭାବ୍ୟ ଭାରତୀୟ କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ଏପରି କରାଯାଇଛି।
ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ପାକ୍ ସେନା ୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ସମୟରେ ଭାରତୀୟ ସେନା ସହ ଏନକାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।
ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିୟନ୍ତ୍ରଣ ରେଖା ନିକଟପାକିସ୍ତାନ ଅଧିକୃତ କଶ୍ମୀରରେ ୪୨ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍ ସକ୍ରିୟ ଅଛନ୍ତି। ଏହି ଲଞ୍ଚପ୍ୟାଡ୍ ଗୁଡ଼ିକରେ ପ୍ରାୟ ୧୩୦ ଜଣ ଆତଙ୍କବାଦୀ ଉପସ୍ଥିତ ଥିବା ସନ୍ଦେହ କରାଯାଉଛି କାଶ୍ମୀର ଉପତ୍ୟକାରେ ୭୦ରୁ ଅଧିକ ଏବଂ ଜମ୍ମୁ, ରାଜୌରୀ ଓ ପୁଞ୍ଚରେ ୬୦-୬୫ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୧୫ ଜଣ ପାକିସ୍ତାନୀ ନାଗରିକ।
ଉପଲବ୍ଧ ତଥ୍ୟ ଅନୁଯାୟୀ ନିହତ ହୋଇଥିବା ୪୨ ଜଣ ଅଣ-ସ୍ଥାନୀୟ ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ, ଉଧମପୁର, କଠୁଆ, ଡୋଡା ଏବଂ ରାଜୌରୀ ଅଞ୍ଚଳର ପାଞ୍ଚଟି ଜିଲ୍ଲାରେ ଅଛନ୍ତି। ଉପତ୍ୟକାର ବାରମୁଲା, ବାନ୍ଦିପୋରା, କୁପଓ୍ଵାରା ଓ କୁଲଗାମ ଜିଲ୍ଲାରେ ବିଦେଶୀ ଆତଙ୍କବାଦୀନିହତ ହୋଇଛନ୍ତି।
ଜମ୍ମୁ-କଶ୍ମୀରର ଯେଉଁ ୯ଟି ଜିଲ୍ଲାରେ ବିଦେଶୀ ଆତଙ୍କବାଦୀ ଙ୍କ ଉପସ୍ଥିତି ଦେଖିବାକୁ ମିଳିଛି, ସେଥିମଧ୍ୟରୁ ବାରାମୁଲ୍ଲା ଆତଙ୍କବାଦୀ ଙ୍କ ମୃତ୍ୟୁ ତାଲିକାର ଶୀର୍ଷରେ ରହିଛି, ଯେଉଁଠାରେ ୯ଟି ଏନକାଉଣ୍ଟରରେ ୧୪ ଜଣ ଅଣସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଉରି ସେକ୍ଟରର ସାବୁରା ନାଲା ଅଞ୍ଚଳ, ମେନ୍ ଉରି ସେକ୍ଟର, ନିୟନ୍ତ୍ରଣ ରେଖା ରେ କମଲକୋଟ ଉରି ଏବଂ ସୋପୋରର ଚକ୍ ଟପ୍ପର କ୍ରିରି, ନୌପୋରା, ହାଡିପୋରା, ସାଗିପୋରା, ୱାଟରଗାମ୍ ଏବଂ ରାଜପୁର ଅଞ୍ଚଳର ଆଭ୍ୟନ୍ତରୀଣ ଅଞ୍ଚଳରୁ ନିପାତ ହୋଇଥିଲେ।
ପୁଲବାମାରୁ ପହଲଗାମ,ଭାରତରେ ହୋଇଥିବା ସବୁ ବଡ଼ ଆକ୍ରମଣ ପଛରେ ଥିବା ଏହି ବ୍ୟକ୍ତି କିଏ ?