ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବା ସହିତ ଯାହା ଦୃଶ୍ୟ ପ୍ରକାଶ ପାଇଛି, ସେଥିରେ ଲୋକତନ୍ତ୍ରର ସାର୍ଥକତା ନେଇ ଗଭୀର ପ୍ରଶ୍ନ ଉଠିଛି। ୧୭ ତାରିଖରୁ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ, ଶୋକ ପ୍ରସ୍ତାବ, ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଓ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ବ୍ୟତୀତ ଗୃହରେ ପ୍ରାୟ କୌଣସି କାର୍ଯ୍ୟ ହୋଇନାହିଁ। ଦିନକୁ ଦିନ ହଟ୍ଟଗୋଳ, ସ୍ଲୋଗାନବାଜି ଓ ଗୃହ ମଧ୍ୟରେ ପ୍ରତିବାଦ—ଏହା ହେଉଛି ଅଧିବେଶନର ପରିଚୟ।
ଚାଷୀଙ୍କ ଧାନ ଅଭାବୀ ବିକ୍ରି, କଟନୀ–ଛଟନୀ, ମଣ୍ଡିରେ ଅବ୍ୟବସ୍ଥା—ଏହି ସମସ୍ୟାକୁ ନେଇ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜାତୀୟ କଂଗ୍ରେସ (କଂଗ୍ରେସ) ଗୃହକୁ ଅଚଳ କରୁଛନ୍ତି। କିନ୍ତୁ ପ୍ରଶ୍ନ ଏହା—ଗୃହ ଅଚଳ କରିଦେଲେ ସମସ୍ୟାର ସମାଧାନ ହେବ କି? ନା ଏହା ଲୋକତାନ୍ତ୍ରିକ ଦାୟିତ୍ୱରୁ ପଳାୟନର ରାସ୍ତା? ନା ସରକାରୀ ଦଳକୁ ଉତ୍ତରଦାୟିତ୍ୱରୁ ମୁକ୍ତ କରିବାର ବୁଝାମଣା। କାରଣ ବିଧାନସଭା ଚାଲିଲେ ସରକାରୀ ଦଳ ଓ କଳ ଉତ୍ତର ରଖିବା ପାଇଁ ଅସୁବିଧାରେ ପଡ଼ନ୍ତି। ବିଧାନସଭା ଚାଲୁ ନ ଥିବାରୁ ସରକାରୀ ଦଳ ଏବେ ଆରାମରେ ରହିଛି।
ପ୍ରଶ୍ନୋତ୍ତର କାଳ: ସରକାରକୁ ଅଡୁଆରେ ପକାଇବାର ସର୍ବୋତ୍ତମ ମଞ୍ଚ
ବିଧାନସଭାରେ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ପ୍ରଶ୍ନୋତ୍ତର କାଳ ହୁଏ। ଏହା ହେଉଛି ସେଇ ସମୟ ଯେଉଁଠାରେ ବିଧାୟକମାନେ ସରକାରକୁ ସିଧାସଳଖ ଉତ୍ତର ଦେବାକୁ ବାଧ୍ୟ କରନ୍ତି। ମନ୍ତ୍ରୀମାନେ ବିଭାଗୀୟ ତଥ୍ୟ ନେଇ ଆସନ୍ତି; ଅଫିସରମାନେ ପ୍ରସ୍ତୁତ ରହନ୍ତି। ବହୁ ସମୟରେ ଟାଣୁଆ ପ୍ରଶ୍ନରେ ମନ୍ତ୍ରୀମାନେ ଅପଦସ୍ତ ହୋଇଥାନ୍ତି। ଏହା ହେଉଛି ଲୋକତନ୍ତ୍ରର ଜୀବନରେଖା।
କିନ୍ତୁ ଏଥର ପ୍ରଶ୍ନୋତ୍ତର କାଳ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ଗୃହମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରୁଛନ୍ତି। ପ୍ରଶ୍ନ ହେଉଛି—ଯଦି ପ୍ରଶ୍ନୋତ୍ତର କାଳ ଚାଲିବ ନାହିଁ, ତେବେ ସରକାରକୁ ଉତ୍ତରଦାୟୀ କରିବାର ମଞ୍ଚ କେଉଁଠି?
ଏଥିରେ କାହାର ଲାଭ? ବିଶ୍ଳେଷକମାନଙ୍କ ମତରେ, ସରକାର ଏଥିରେ ସବୁଠାରୁ ବେଶୀ ଆଶ୍ୱସ୍ତ। କାରଣ ଜବାବ ଦେବାର ସୁଯୋଗ ନ ଆସିଲେ ଅସୁବିଧା ନାହିଁ। କେବଳ ସୁବିଧା ହିଁ ସୁବିଧା। ବିଧାନସଭାରେ ଭୁଲ ତଥ୍ୟ ଦେଲେ ତାହା ରେକର୍ଡ ହୋଇ ପରବର୍ତ୍ତୀ ସମୟ ପାଇଁ ଅକାଟ୍ୟ ତଥ୍ୟ ହୋଇଯାଏ।

ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ: ବିରୋଧୀଙ୍କ ସବୁଠାରୁ ବଡ଼ ଅସ୍ତ୍ର
ପ୍ରଶ୍ନୋତ୍ତର ପରେ ଶୂନ୍ୟକାଳ। ଏହା ପ୍ରାୟ ଘଣ୍ଟାଏ ଚାଲେ ଓ ବିରୋଧୀଙ୍କୁ ରାଜ୍ୟର ଜ୍ୱଳନ୍ତ ପ୍ରସଙ୍ଗ ଉଠାଇବାର ମଞ୍ଚ ଦେଇଥାଏ। ଏହାପରେ ମୁଲତବୀ ପ୍ରସ୍ତାବ—ଯେଉଁଠାରେ ବିରୋଧୀ ପ୍ରସ୍ତାବ ଦେଇ ଆଲୋଚନାକୁ ବାଧ୍ୟ କରନ୍ତି ଓ ମନ୍ତ୍ରୀଙ୍କୁ ଉତ୍ତର ଦେବାକୁ ପଡ଼େ। ୫ଜଣ ବିରୋଧୀ ଓ ୪ଜଣ ଶାସକ ଦଳର ବିଧାୟକ ଆଲୋଚନାରେ ଭାଗ ନିଅନ୍ତି। ଏହା ହେଉଛି ଲୋକତନ୍ତ୍ରର ସଂବାଦ।
ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ବା ନୋଟିସ ଜରିଆରେ ମଧ୍ୟ ସରକାରକୁ ସଚେତନ କରାଯାଇପାରେ। କିନ୍ତୁ ଯଦି ଗୃହ ଅଚଳ ରହେ, ଏହି ସମସ୍ତ ପ୍ରକ୍ରିୟା କାର୍ଯ୍ୟକରୀ ହୋଇପାରେ ନାହିଁ।
ତେବେ ପ୍ରଶ୍ନ—ଯେଉଁ ମଞ୍ଚ ବିରୋଧୀଙ୍କ ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଦିଏ, ସେହି ମଞ୍ଚକୁ ନିଜେ ଅଚଳ କରିବାର ଅର୍ଥ କ’ଣ?
/odishatv/media/media_files/2026/02/20/assss_le_upscale_prime-2026-02-20-11-51-51.jpg)
ରେକର୍ଡରେ ରହେ କ’ଣ?
ବିଧାନସଭାରେ ଯାହା ଆଲୋଚନା ହୁଏ, ତାହା ଲିଖିତ ଓ ବକ୍ତବ୍ୟ ରେକର୍ଡ ଭାବେ ସଂରକ୍ଷିତ ହୁଏ। ଭବିଷ୍ୟତ ପିଢ଼ି ପାଇଁ ଏହା ଇତିହାସ। କିନ୍ତୁ ହୋ-ହଲ୍ଲା, ସ୍ଲୋଗାନ, ବିକ୍ଷୋଭ—ଏସବୁ ରେକର୍ଡରେ ରହେନାହିଁ। ଅର୍ଥାତ ବିରୋଧୀଙ୍କ ପ୍ରତିବାଦ ଇତିହାସରେ ଲିଖିତ ହୁଏନାହିଁ।
ଲୋକତନ୍ତ୍ରରେ ଆଲୋଚନା ହିଁ ରେକର୍ଡ। ଯଦି ବିରୋଧୀ ନିଜ କଥା ରେକର୍ଡରେ ରଖିପାରୁନାହାନ୍ତି, ତେବେ ସେମାନଙ୍କ ରାଜନୀତିକ ଦାବି କେତେ ସ୍ଥାୟୀ ଓ କେତେଦୂର ମଜଭୂତ ହେବ। ବିରୋଧୀମାନେ ନିଜ ଜିଦରେ ଅଟଳ ରହିଥିବାରୁ ଏବେ ଆଲୋଚନା ହେଲାଣି ଯେ ବିରୋଧୀ ଦଳର ବିଧାୟକମାନେ ସରକାରୀ ଦଳ ସହିତ ଭିତିରି ବୁଝାମଣା କରି ବିଧାନସଭା ବନ୍ଦ କରୁଛନ୍ତି।
ବାଚସ୍ପତିଙ୍କ ଅସହାୟତା
ଗୃହ ଅଚଳ ହେବାରେ ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ଆସନରେ ଛିଡ଼ା ହୋଇ ନିବେଦନ ରଖୁଛନ୍ତି। ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକି ସହଯୋଗ ଲୋଡ଼ଧିଥିଲେ। କିନ୍ତୁ ଗୃହ ସଚଳ ହେଉନାହିଁ। ଏହା କେବଳ ପ୍ରଶାସନିକ ଅସୁବିଧା ନୁହେଁ; ଏହା ଲୋକତାନ୍ତ୍ରିକ ପ୍ରତିଷ୍ଠାନର ଅବମାନ।

ଲୋକଙ୍କ ଟଙ୍କା, ଲୋକଙ୍କ ଅସୁବିଧା
ବିଧାନସଭା ଚାଲୁନଥିବାରୁ କୋଟି କୋଟି ଟଙ୍କା ଅଯଥା ବ୍ୟୟ ହେଉଛି। ସଚିବ, ଅଫିସର, ପୋଲିସ—ସମସ୍ତେ ପ୍ରସ୍ତୁତ ରହୁଛନ୍ତି। ବିଧାନସଭା ପରିସରରେ ସୁରକ୍ଷା କଟକଣାରେ ସାଧାରଣ ଲୋକ ହନ୍ତସନ୍ତ। ସ୍କୁଲ ଯାଉଥିବା ପିଲା, ଡାକ୍ତରଖାନାକୁ ଯାଉଥିବା ରୋଗୀ, କାର୍ଯ୍ୟାଳୟକୁ ଯାଉଥିବା କର୍ମଚାରୀ—ସମସ୍ତଙ୍କ ଅସୁବିଧା ହେଉଛି।
ଲୋକତନ୍ତ୍ରର ମଞ୍ଚ ଯଦି ଅଚଳ ହୋଇଯାଏ, ସେହି ମୂଲ୍ୟ ଦେଉଛନ୍ତି ସାଧାରଣ ଲୋକ।
ବିରୋଧୀଙ୍କ ପଳାୟନପନ୍ଥୀ ରଣନୀତି?
ରାଜନୀତି ବିଜ୍ଞାନର ଅନେକ ବିଶ୍ଳେଷକ କହୁଛନ୍ତି—ବିଧାନସଭାକୁ ଅଚଳ ରଖି ବିରୋଧୀ ଦୀର୍ଘକାଳୀନ ଲାଭ ପାଇବେ ନାହିଁ। ଲୋକଙ୍କ ସମସ୍ୟା ଉଠିପାରୁନାହିଁ। ଆଲୋଚନା ହେଉନାହିଁ। ସରକାର ଜବାବ ଦେଉନାହିଁ। ଶେଷରେ ସମୟ ଗଡ଼ିଯାଏ।
ବିରୋଧୀଙ୍କ ବଡ଼ ଦାୟିତ୍ୱ—ସୁଯୋଗର ସଦ୍ବ୍ୟବହାର କରି ସରକାରକୁ ଅଡ଼ୁଆରେ ପକାଇବା। ତଥ୍ୟ, ତର୍କ ଓ ପ୍ରମାଣ ସହିତ ଆଲୋଚନାରେ ଚାପ ସୃଷ୍ଟି କରିବା। ହଟ୍ଟଗୋଳ ଏକ ଦିନର ଶୀର୍ଷ ଖବର ହୋଇପାରେ, କିନ୍ତୁ ଆଲୋଚନା ହେଉଛି ଇତିହାସ।
ନେତୃତ୍ୱର ପ୍ରଶ୍ନ
ବିରୋଧଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ନିରବ, କିନ୍ତୁ ବାହାରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖୁଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଗୃହରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇ ବିରୋଧୀଙ୍କୁ ସମାଲୋଚନା କରୁଛନ୍ତି ଓ ତାହା ରେକର୍ଡ ହେଉଛି।
ଏହାର ରାଜନୈତିକ ସଂକେତ କ’ଣ? ଗୃହରେ ନିରବତା ଓ ବାହାରେ କଟାକ୍ଷ—ଏହା କି ରଣନୀତି, ନା ଅସୁବିଧା?
ଲୋକତନ୍ତ୍ରର ମଞ୍ଚ କାହା ପାଇଁ?
ବିଧାନସଭା ହେଉଛି ଲୋକଙ୍କ ମଞ୍ଚ। ଏଠାରେ ଲୋକଙ୍କ ସମସ୍ୟା ଉଠିବା ଉଚିତ। ପ୍ରଶ୍ନୋତ୍ତର, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣ ପ୍ରସ୍ତାବ—ଏହି ସବୁ ହେଉଛି ଲୋକତନ୍ତ୍ରର ଯନ୍ତ୍ରଣାର ଅବତାରଣା କରିବା। ଯଦି ସେଗୁଡ଼ିକୁ ନିଜେ ଅଚଳ କରାଯାଏ, ତେବେ ଲାଭ କାହାର?
ବିରୋଧୀ ଦଳ ଯଦି ସତରେ ଚାଷୀଙ୍କ ପକ୍ଷରେ, ତେବେ ଗୃହରେ ଆଲୋଚନା କରି ସରକାରକୁ ଉତ୍ତର ଦେବାକୁ ବାଧ୍ୟ କରିବା ହେଉଛି ସର୍ବୋତ୍ତମ ପଥ। ହଟ୍ଟଗୋଳ ଓ ଅଚଳ ଶେଷରେ ଲୋକଙ୍କୁ ନିରାଶ କରେ।
ପ୍ରଶ୍ନ ଅବଶେଷରେ ସେଇ—ବିରୋଧୀ ଦଳ ଗଠନମୂଳକ ଭୂମିକା ନେବେ କି, ନା ଅଚଳତାର ରାଜନୀତିରେ ଅଟକି ରହିବେ? ଲୋକତନ୍ତ୍ରର ମୂଲ୍ୟ ରଖିବାର ଦାୟିତ୍ୱ ସମସ୍ତଙ୍କର—ଶାସକ ଓ ବିରୋଧୀ ଉଭୟଙ୍କର।
AlsoRead; https://purvapaksa.com/supreme-court-flags-pre-election-freebie-politics/

