Human vs Animal: ସାଧାରଣତଃ ଆମେ ଦୁଇ ପ୍ରକାରର ମଣିଷ ଦେଖିଥାଉ । ଯେଉଁମାନେ କି ଡାହାଣ ହାତରେ କାମ କରିଥାନ୍ତି । ଆଉ କିଛି ଲୋକ ବାମ ହାତରେ କାମ କରିଥାନ୍ତି ।
ତାଙ୍କୁ ଆମେ ବାଉଁଆ ବୋଲି କହିଥାଉ । ଯେଉଁ ସବୁ କାମ ଆମେ ଡାହାଣ ହାତରେ କରିଥାଉ, ସେହି ସବୁ କାମ ସେମାନେ ବାମ ହାତରେ କରିଥାନ୍ତି । ତେବେ ଏହା ଆମକୁ ଦେଖିବା ପାଇଁ ଟିକେ ଅଦ୍ଭୁତ ଲାଗୁଥିଲେ ମଧ୍ୟ ସେମାନଙ୍କ ପାଇଁ ଏହା ସାଧାରଣ କଥା ହୋଇଥାଏ । ଅନେକ ଡାହାଣହାତୀ ଲୋକ ମଧ୍ୟ ସେମାନଙ୍କର ବାମ ହାତରେ ଅନେକ କାର୍ଯ୍ୟ କରୁଥିବା ଦେଖାଯାଇଥାଏ । କୁହାଯାଏ କି, ବାଉଁଆ ଲୋକ ଡାହାଣ ହାତରେ କାମ କରୁଥିବା ଲୋକଙ୍କ ଅପେକ୍ଷା ଅଧିକ ଚତୁର ହୋଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି, ମଣିଷ ଭଳି ପଶୁମାନେ ମଧ୍ୟ ବାଉଁଆ ହୋଇଥାନ୍ତି । ସେମାନଙ୍କର ମଧ୍ୟ ଡାହାଣ ହାତ ଅପେକ୍ଷା ବାମ ହାତ ଅଧିକ କାମ କରିଥାଏ ।
ଏକ ଅନୁସନ୍ଧାନରେ ଜଣାପଡ଼ିଛି ଯେ, ମଣିଷ ଯେପରି ବାମ କିମ୍ବା ଡାହାଣ ହାତରେ କାମ କରିଥାନ୍ତି । ପଶୁମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟେ । ଏହା ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ, ଆପଣ ବାଉଁଆ କି ଡାହାଣ ହାତରେ କାମ କରୁଛନ୍ତି ତାହା ପାଇଁ ଏକ ନିର୍ଦ୍ଦିଷ୍ଟ ଜିନ୍ ଦାୟୀ । କିନ୍ତୁ ବର୍ତ୍ତମାନ ଏହା ଜଣା ପଡ଼ିଛି ଯେ, କେବଳ ଗୋଟିଏ ନୁହେଁ ଅନେକ ପ୍ରକାରର ଜିନ୍ ଏଥିପାଇଁ କାର୍ଯ୍ୟ କରନ୍ତି । ଏହା ବ୍ୟତୀତ ପରିବେଶ ମଧ୍ୟ ଏହାକୁ ପ୍ରଭାବିତ କରିଥାଏ । ଏଥିରେ ମସ୍ତିଷ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ପଶୁମାନଙ୍କ ମଧ୍ୟରେ ଏହା ସତ । ଯେତେବେଳେ ଆପଣ କୌଣସି କୁକୁର ବା ବିଲେଇ ସହ ଖେଳିବେ ବା ହ୍ୟାଣ୍ଡସେକ ପାଇଁ ହାତ ବଢ଼ାଇବେ, ସେତେବେଳେ ଅନେକ ସମୟରେ ସେମାନେ ନିଜ ବାମ ଗୋଡ଼କୁ ଆଗକୁ ବଢ଼ାଇଥାନ୍ତି । ଏହାସହ ଯେତେବେଳେ କୌଣସି ଏକ ପଶୁ ଚାଲିବାବେଳେ ପ୍ରଥମେ ତାଙ୍କ ବାମ ଗୋଡ଼କୁ ଆଗକୁ ବଢ଼ାଇବେ ସେତେବେଳେ ଆପଣ ଲକ୍ଷ କରିପାରିବେ । କିଛି ସମୟ ପୂର୍ବରୁ କୁକୁର ଏବଂ ବିଲେଇମାନଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ ପଶୁମାନଙ୍କର ବାମ ହାତ ଏବଂ ଡାହାଣ ହାତର ଅନୁପାତ ସମାନ ବୋଲି ଜଣା ପଡ଼ିଲା ।