ଭାରତୀୟ ରାଜନୀତି ଆଜି ଏକ ନୂତନ ରାଷ୍ଟ୍ରବାଦୀ ଚିନ୍ତାଧାରାରେ ପ୍ରବେଶ କରିଛି, ଯେଉଁଠି ସୁରକ୍ଷା ଓ ପରିଚୟ ଏକାତ୍ମ ହୋଇ ଦେଶପ୍ରେମର ନୂତନ ଅର୍ଥ ତିଆରି କରୁଛି।
ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ପ୍ରଚାରିତ “୩–ଡି ଫର୍ମୁଲା” ଏବେ ନିର୍ବାଚନ କମିଶନଙ୍କ ଏସ୍ଆଇଆର ଯୋଜନାର ଅଂଶବିଶେଷ ବୋଲି କୁହାଯାଉଛି। ଡିଟେକ୍ଟ, ଡିଲିଟ ଓ ଡିପୋର୍ଟ – ଏହି ଧାରାର ସଂକେତ ଭାବେ ଦେଖାଯାଉଛି।
ଏହି ସଂକଳ୍ପନା କେବଳ ନୀତିଗତ ଘୋଷଣା ନୁହେଁ; ଏହା ଏକ ସଂଗଠିତ ରାଜନୀତିକ ଦୃଷ୍ଟିକୋଣ ଯାହା ଭାରତର ନାଗରିକତା, ସୀମା ସୁରକ୍ଷା ଓ ସାମାଜିକ ସନ୍ତୁଳନକୁ ନୂତନ ଭାବରେ ପରିଭାଷିତ କରୁଛି।
ଅନୁପ୍ରବେଶ ଓ ରାଜନୀତି: ବାଙ୍ଗଲାଦେଶୀ ଭୟ ଓ ଭୋଟ ବ୍ୟାଙ୍କ
ଅମିତ ଶାହଙ୍କ ୩–ଡି ରଣନୀତିର ମୂଳ କେନ୍ଦ୍ର ହେଉଛି ଅବୈଧ ଅନୁପ୍ରବେଶ — ବିଶେଷକରି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ।
ସରକାରୀ ତଥ୍ୟ ଅନୁଯାୟୀ, ସୀମା ଅଞ୍ଚଳରେ ଏପରି ଅନୁପ୍ରବେଶ ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଛି।
ଏହି ଲୋକମାନେ ଆସାମ, ପଶ୍ଚିମବଙ୍ଗ, ତ୍ରିପୁରା ଓ ଭାରତର ସବୁ ରାଜ୍ୟରେ ବସିଗଲେ।
ଅମିତ ଶାହ ନିର୍ବାଚନ କମିଶନଙ୍କ “ଏସ୍ଆଇଆର” ଯୋଜନା ମାଧ୍ୟମରେ ଏହି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଏସ୍ଆଇଆର ଭୟରେ ଅନେକ ବାଙ୍ଗଲାଦେଶୀ ନିଜ ଦେଶକୁ ଫେରିଯିବା ଆରମ୍ଭ କରିଥିବା ଖବର ମିଳୁଛି।
କିନ୍ତୁ ଏହି ନୀତି ଉପରେ ସବୁଠାରୁ ଅଧିକ ପ୍ରତିକ୍ରିୟା ଆସୁଛି ରାଜନୀତିକ ମଞ୍ଚରୁ।
ଯେଉଁ ଦଳ ଏହି ଅବୈଧ ଅନୁପ୍ରବେଶକାରୀଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ — ଯଥା, ଟିଏମସି, କଂଗ୍ରେସ ଇତ୍ୟାଦି-ସେମାନେ ଏହି ଯୋଜନାକୁ ଅସହଯୋଗ କରୁଛନ୍ତି।
ଟିଏମସି ନେତା ମମତା ବାନାର୍ଜୀ ଏହାକୁ “ମାନବିକତା ବିରୋଧୀ ନୀତି” ଭାବେ ବିବେଚନା କରିଛନ୍ତି। ସବୁଠାରୁ ବଡ଼କଥା ହେଲା ଏହି ବାଲାଂଦେଶୀ ଅନୁପ୍ରବେଶକାରୀମାନଙ୍କୁ ଭୋଟ୍ ବ୍ୟାଙ୍କ ସଜାଇଥିବା ନେତା ଓ ରାଜନୈତିକ ଦଳମାନେ ବେଶୀ ପାଟିତୁଣ୍ଡ କରୁଛନ୍ତି। ସେମାନେ ଏହି ଏସ୍ଆଇଆରକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟକୁ ଯାଇଥିଲେ। କିନ୍ତୁ ସେଠାରୁ ନିରାଶ ହେବା ପରେ ଏବେ ରାଜ୍ୟ ସ୍ତରରେ କିପରି ଏସଆଇଆର ହୋଇନପାରିବ ସେ ଦିଗରେ ପଦକ୍ଷେପ ନେବା ସହିତ ଅରାଜକତା ସୃଷ୍ଟି କରୁଛନ୍ତି। ଏଥିରେ ସବୁଠାରୁ ଆଗରେ ରହିଛନ୍ତି ଟିଏମସି ମୁଖିଆ ମମତା ବାନାର୍ଜୀ।
ଡିଟେକ୍ଟ-ଚିହ୍ନଟର ରାଜନୀତି ଓ ସନ୍ଦେହର ସାମାଜ

“ଡିଟେକ୍ଟ” ଅର୍ଥାତ ଚିହ୍ନଟ। ଦେଶ ମଧ୍ୟରେ କେଉଁମାନେ ବାହାରୁ ଆସିଥିବା ଅବୈଧ ଅନୁପ୍ରବେଶକାରୀଙ୍କୁ ନିର୍ବାଚନ କମିଶନଙ୍କ ଏସ୍ଆଇଆର ମାଧ୍ୟମରେ ଖୋଜାଯିବ।
ସୀମା ସୁରକ୍ଷା ଓ ଜନସଂଖ୍ୟା ନିୟନ୍ତ୍ରଣ ଏହି ଧାରଣାର ଭିତ୍ତିସ୍ଥମ୍ଭ।
କିନ୍ତୁ ଯେତେବେଳେ ଚିହ୍ନଟ ହୁଏ ଧର୍ମ, ଭାଷା, ପୋଷାକ କିମ୍ବା ଜାତି ଆଧାରରେ, ସେତେବେଳେ ଏହା ଜନତା ମଧ୍ୟରେ ଭୟ ଓ ସନ୍ଦେହ ସୃଷ୍ଟି କରେ।
ଆସାମର ଏନଆରସି ଅଭିଯାନ ଏହାର ଉଦାହରଣ। ଲକ୍ଷ ଲକ୍ଷ ଲୋକ, ଯାହା ପାଖରେ ୫୦ ବର୍ଷ ପୁରୁଣା ଦଳିଲ ନ ଥିଲା, ସେମାନେ “ସନ୍ଦେହି ନାଗରିକ” ହେଲେ।
“ଡିଟେକ୍ଟ” ତେଣୁ କେବଳ ନୀତି ନୁହେଁ, ଏହା ଏକ ଦେଶ ସୁରକ୍ଷା ଆଭିଯାନ। କିନ୍ତୁ ନିର୍ବାଚନ କମିଶନଙ୍କ ଏସ୍ଆଇଆରକୁ ରାଜନୀତିର ନୂତନ ଅସ୍ତ୍ର ବୋଲି ବିରୋଧୀ ଦଳର ନେତାମାନେ କହୁଛନ୍ତି। କାରଣ ସେମାନଙ୍କ ନିର୍ବାଚନ ବିଜୟ ରାଜନୀତି ଏହି ଅନୁପ୍ରବେଶକାରୀଙ୍କ ମୂଳଦୁଆ ଉପରେ ନିର୍ଭରଶୀଳ।
ଆସାମ ଓ ଉତ୍ତର–ପୂର୍ବ ଭାରତର ଅନୁଭବ ଏହି ପ୍ରସଙ୍ଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୭୯ରୁ ଆରମ୍ଭ ହୋଇଥିବା “ବାହିରୁ ଆସିଥିବା” ଲୋକମାନଙ୍କୁ ଚିହ୍ନଟ କରିବା ଆନ୍ଦୋଳନ ୪୦ ବର୍ଷ ପରେ ମଧ୍ୟ ସେହି ସମସ୍ୟାକୁ ଶେଷ କରିପାରିନାହିଁ।
ଜାତୀୟ ନାଗରିକ ନିବନ୍ଧନ (ଏନଆରସି) ଯେତେବେଳେ ପ୍ରୟୋଗ ହେଲା, ସେତେବେଳେ ଲକ୍ଷ ଲକ୍ଷ ଲୋକ “ନାଗରିକ” ଅବସ୍ଥାରେ ସନ୍ଦେହି ହୋଇଗଲେ।
ପ୍ରଶ୍ନ ହେଉଛି- ଏକ ସାଧାରଣ ଗରିବ ଚାଷୀ, ଯାହା ପାଖରେ ୫୦ ବର୍ଷ ପୁରୁଣା ଦଳିଲ ନାହିଁ, ସେ କିପରି ତାଙ୍କ ଭାରତୀୟତା ପ୍ରମାଣ କରିବେ?
ଡିଲିଟ-ଅସ୍ତିତ୍ୱ ଓ ନାଗରିକତା ଲୋପ

“ଡିଲିଟ” ଅର୍ଥ; ଯେଉଁମାନେ ଅବୈଧ ଅନୁପ୍ରବାଶକରୀ ବୋଲି ଏସଆଇଆର ମାଧ୍ୟମରେ ଚିହ୍ନଟ ହେବେ ତାଙ୍କ ନାଗରିକତା ବା ଆଇନଗତ ସୁବିଧା ଅପସାରଣ କରାଯିବ।
ନାଗରିକତା (ସଂଶୋଧନ) ଆଇନ ୨୦୧୯-ସିଏଏ; ଏହି ଅଂଶକୁ ଆଗକୁ ଆଣିଛି।
ଏହି ଆଇନ ଅନୁଯାୟୀ, ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଓ ଖ୍ରଷ୍ଟିଆନ୍ — ଯଦି ସେମାନେ ପଡ଼ୋଶୀ ଦେଶରୁ ଧର୍ମୀୟ ନିର୍ଯାତନା ଅଭିଯୋଗ ନେଇ ଆସନ୍ତି, ସେମାନଙ୍କୁ ନାଗରିକତା ଦିଆଯିବ। କିନ୍ତୁ ମୁସଲମାନମାନେ ସେହି ସୂଚୀରୁ ବାହାର।
ଏହି “ଡିଲିଟ” ଏକ ଆଇନଗତ ପଦକ୍ଷେପ ମାତ୍ର ନୁହେଁ; ଏହା ଗୋଟିଏ ପରିଚୟ ହରାଇବାର ଭୟ। କାରଣ ଏହି ଅନୁପ୍ରବେଶକାରୀମାନେ ଚିହ୍ନଟ ହେବା ପରେ ସେମାନଙ୍କ ନାମ ଭୋଟ୍ ପରିଚୟ ପତ୍ରରୁ ହଟାଯିବା ସହିତ ପାଉଥିବା ସମସ୍ତ ସରକାରୀ ଯୋଜନାର ଲାଭରୁ ସେମାନଙ୍କୁ ବଞ୍ଚିତ କରାଯିବ। ଯାହାଫଳରେ ସେମାନେ ନିଜ ଦେଶକୁ ଫେରିଯିବାକୁ ଏକ ପ୍ରକାରର ବାଧ୍ୟ ହେବେ। ଏହି କିଛି ଅନୁପ୍ରବେଶକାରୀ ନିଜ ଦେଶକୁ ସ୍ୱତଃ ଫେରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଡିପୋର୍ଟ- ନିଷ୍କାସନ

‘ଡିପୋର୍ଟ’ର ଅର୍ଥ ହେଉଛି ଯେଉଁମାନେ ଅବୈଧ ଅନୁପ୍ରବେଶକାରୀ, ସେମାନଙ୍କୁ ବାହାର କରିଦେବା। କିନ୍ତୁ ଏହା ପ୍ରାୟୋଗିକ ଭାବରେ କେତେ ସମ୍ଭବ?
ଯଦି ବାଙ୍ଗଲାଦେଶ ଏହି ଅନୁପ୍ରବେଶକାରୀମାନଙ୍କୁ ଗ୍ରହଣ କରିବାକୁ ମନା କରେ, ତେବେ ଭାରତ କ’ଣ କରିବ? ଏହା ହିଁ ଏବେ ବଡ଼ ପ୍ରଶ୍ନ ହେଉଛି।
ଅନେକ ଦେଶ, ଯେପରି ବାଲାଂଦେଶ, ମ୍ୟାନ୍ମାର କିମ୍ବା ନେପାଳ, ନିଜେ ମଧ୍ୟ ଏହି “ଡିପୋର୍ଟି” ଲୋକମାନଙ୍କୁ ଗ୍ରହଣ କରିବାକୁ ପଛକୁ ହଟିଥାଆନ୍ତି।
ଏହିପରି ପରିସ୍ଥିତିରେ, “ଡିପୋର୍ଟ” ରାଜନୀତିକ ଭାବନା ତିଆରି କରିପାରେ- କିନ୍ତୁ ପ୍ରାୟୋଗିକ ଭାବେ ଏହା ପ୍ରାୟ ଅସମ୍ଭବ। ସେହିପରି, ଏହା ଏକ ପ୍ରତୀକାତ୍ମ ନୀତି – ଜନସମାଜକୁ “ଆମେ କାର୍ଯ୍ୟ କରୁଛୁ” ବୋଲି ବିଶ୍ୱାସ ଦେବାର ମାଧ୍ୟମ।
ଭୋଟ୍ ବ୍ୟାଙ୍କ ରାଜନୀତି ଓ ରାଷ୍ଟ୍ରୀୟ ଗର୍ବର ମିଶ୍ରଣ

ଭାରତୀୟ ରାଜନୀତିରେ ନାଗରିକତା ଓ ପରିଚୟ ଏବେ ଭୋଟ୍ ଗଣିତର ଏକ ମୁଖ୍ୟ ଅଂଶ ହୋଇଛି।
ଏହି ପ୍ରସଙ୍ଗ ଉଠିଲେ, ଦେଶପ୍ରେମ ଓ ଜାତିଗତ ଗର୍ବର ଭାବନା ସହଜରେ ଜାଗ୍ରତ ହୋଇଥାଏ।
ଯେଉଁ ଦଳ ଏହି ଧାରଣାକୁ ଆଗକୁ ଆଣୁଛି, ସେମାନେ ରାଷ୍ଟ୍ରୀୟ ସୁରକ୍ଷାର ନାମରେ ଜନମନୋଭାବ ଗଢ଼ି ନେଉଛନ୍ତି।
ଯେଉଁମାନେ ଏହି ନୀତିର ବିରୋଧ କରୁଛନ୍ତି, ସେମାନଙ୍କୁ “ଦେଶବିରୋଧୀ” ବୋଲି ସଚେତନ ମତଦାତାମାନେ ବିଚାର କରି ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।
ଏପରି ସଂକୁଚିତ ରାଜନୀତି ଗଣତାନ୍ତ୍ରିକ ଆଲୋଚନାକୁ ସୀମିତ କରିଦେଉଛି।
ମାନବିକ ଓ ଆଇନଗତ ଦୃଷ୍ଟିକୋଣ
ଭାରତ “ରିଫ୍ୟୁଜି କନଭେନସନ”ର ସଦସ୍ୟ ନୁହେଁ, ତେଣୁ ଆମ ଦେଶରେ ଶରଣାର୍ଥୀଙ୍କ ଅଧିକାର ନିର୍ଦ୍ଧାରିତ ନୁହେଁ।
କିନ୍ତୁ ମାନବିକ ଦୃଷ୍ଟିରୁ ଦେଖିଲେ, ଯେକୌଣସି ମାନବ ହିସାବରେ ସୁରକ୍ଷା, ଆଶ୍ରୟ ଓ ଗରିମା ତାଙ୍କ ମୌଳିକ ଅଧିକାର। କିନ୍ତୁ ଯେତେବେଳେ ଏହି ଅନୁପ୍ରବେଶକାରୀମାନେ ଦେଶରେ ଅରାଜକତା ସୃଷ୍ଟି କରନ୍ତି ସେମାନଙ୍କୁ କିଏ ସମ୍ଭାଳିବ ବୋଲି ପ୍ରଶ୍ନ ଉଠିଲାଣି।
ଯଦି ଏକ ରାଷ୍ଟ୍ର ଏହି ମୂଲ୍ୟବୋଧକୁ ଅଗ୍ରାହ୍ୟ କରେ, ସେତେବେଳେ ସେ ନିଜ ଆତ୍ମାକୁ ହାରାଇଥାଏ ବୋଲି ବିରୋଧୀ କହୁଛନ୍ତି। ମୂଲ୍ୟବୋଧ କ’ଣ ରାଷ୍ଟ୍ରର ସୁରକ୍ଷା ଦୋଇପାରିବ।
ସେହିପରି, ୩–ଡି ଫର୍ମୁଲା ଏବେ ସୁରକ୍ଷା ନୀତି ଭାବେ ଲାଗୁ କରିବାର ସମୟ ଆସିଛି।
ସୁରକ୍ଷା ଓ ମାନବିକତାର ସମତୁଳନ
ଅମିତ ଶାହଙ୍କ ୩–ଡି ଫର୍ମୁଲା ନିଶ୍ଚୟ ଭାବେ ଏକ ଦୃଢ଼ ରାଜନୀତିକ ସନ୍ଦେଶ — ଦେଶର ସୁରକ୍ଷା ପ୍ରଥମ।
କିନ୍ତୁ ଭାରତ କେବଳ ଏକ ଭୂମିଭାଗ ନୁହେଁ; ଏହା ଏକ ଧାରଣା — ବିଭିନ୍ନତା, ସହିଷ୍ଣୁତା ଓ ମାନବିକତାର ଏକତା।
ଯଦି “ଡିଟେକ୍ଟ, ଡିଲିଟ, ଡିପୋର୍ଟ” ଆଭିଯାନ ଚାଲିବ, ତେବେ ଏହା ଆଇନ ଓ ମାନବିକତାର ସୀମା ମଧ୍ୟରେ ହେବା ଆବଶ୍ୟକ।
ସୁରକ୍ଷା ଓ ମାନବିକତା — ଏହି ଦୁଇଟି ମଧ୍ୟରେ ସମତୁଳନ ରଖିଲେ ମାତ୍ର ଭାରତ ତାହାର ଗଣତନ୍ତ୍ରୀୟ ଆତ୍ମାକୁ ସୁରକ୍ଷିତ ରଖିପାରିବ।
Also readhttps://purvapaksa.com/why-is-indonesia-buying-the-supersonic-missile-brahmos/

