ଏବେ ମହାରାଷ୍ଟ୍ର ଓ ଝାରଖଣ୍ଡ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲୁ ରହିଛି। ସବୁ ଦଳ ଜିତିବା ପାଇଁ ଜାନ ଲଗାଇ ଦେଇଛନ୍ତି। ମୁଖ୍ୟତ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ମୁକାବିଲା ହେଉଛି। ଏବେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ଥିବା ବେଳେ ଝାରଖଣ୍ଡରେ ଜେଏମଏମ ସରକାର ରହିଛି। ବିଜେପିର ଲକ୍ଷ୍ୟ କଂଗ୍ରେସମୁକ୍ତ ଭାରତ। ସବୁ ରାଜ୍ୟରେ ବିଜେପି ଶାସନ ମୋଦି-ଶାହଙ୍କ ଲକ୍ଷ୍ୟ। ଚଳିତ ନିର୍ବାଚନରେ ମୋଦି-ଶାହଙ୍କ ରଣନୀତି ବିଜେପିକୁ ତୃତୀୟଥର ପାଇଁ କ୍ଷମତାକୁ ଆଣି ଇତିହାସ ରଚିଛି। ଏବେ ନିକଟରେ ହରିୟାଣା ଓ ଜମ୍ମୁ-କାଶ୍ମୀର ନିର୍ବାଚନ ଶେଷ ହୋଇଥିବା ବେଳେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପି ହରିୟାଣାରେ ହ୍ୟାଟ୍ରିକ କରି ସରକାର ଗଢିଛି। ଅବଶ୍ୟ ଜମ୍ମୁ-କାଶ୍ମୀରରେ ବିଜେପି ପରାଜୟବରଣ କରିଛି। ଧାରା ୩୭୦ ଉଚ୍ଛେଦ ସତ୍ତ୍ୱେ ବିଜେପି କ୍ଷମତାକୁ ଆସିପାରିନାହିଁ।
ଏବେ ମହାରାଷ୍ଟ୍ରରେ କ୍ଷମତାକୁ ବଜାୟ ରଖିବା ଓ ଝାରଖଣ୍ଡରେ ଜେଏମଏମକୁ ହଟାଇ କ୍ଷମତାକୁ ଆସିବା ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଏବେ ବିଜେପିର ରାଜନୀତିରେ ଶାହଙ୍କ ରଣନୀତି ତାଙ୍କୁ ଚାଣକ୍ୟର ମର୍ଯ୍ୟାଦା ଦେଇଛି। ଯଦି ଆମେ ଟିକେ ପଛକୁ ଫେରିବା ତେବେ ଶାହଙ୍କ ରଣନୀତି ଯୋଗୁ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ସରକାରକୁ ହଟାଇ ଶାସନକୁ ଫେରିଛି। ଚଳିତ ସାଧାରଣ ନିର୍ବାଚନରେ ଓଡିଶାରେ ୨୪ବର୍ଷ ଶାସନରେ ଥିବା ବିଜେଡିକୁ ହଟାଇ ବିଜେପି କ୍ଷମତା ଅକ୍ତିଆର କରିଛି। ଯାହାର ଦାୟିତ୍ୱ ନେଇଥିଲେ ଖୋଦ ଅମିତ ଶାହ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ସେତେବେଳେ ନିର୍ବାଚନ ପ୍ରଚାର ସମୟରେ ଶାହ ନବୀନ ସରକାରଙ୍କୁ ପୋଡା ଟ୍ରାନ୍ସଫର୍ମର କହି କଟାକ୍ଷ କରିଥିଲେ। ଆଉ ପୋଡା ଟ୍ରାନ୍ସଫର୍ମରକୁ ଉପାଡି ସମୁଦ୍ରରେ ଫୋପାଡି ଦେବାକୁ ଲୋକଙ୍କୁ କହିଥିଲେ। କିନ୍ତୁ ଶାହଙ୍କ ଏପରି ମନ୍ତବ୍ୟ ବିଜେପି ପାଇଁ ବୁମେରାଂ ହୋଇଥିଲା। ବିଜେଡି ପୁଣି କ୍ଷମତାକୁ ଫେରି ରେକର୍ଡ କରିଥିଲା।
ଏବେ ଝାରଖଣ୍ଡ ହାତେଇବା ପାଇଁ ବିଜେପି ସବୁ କଳ ବଳ କୌଶଳ ଲଗାଇ ଦେଇଛି। ସୋମବାର ଝାରଖଣ୍ଡରେ ନିର୍ବାଚନ ପ୍ରଚାର କରିଥିଲେ ଅମିତ ଶାହ। ରାଞ୍ଚି ଜିଲ୍ଲାର ତମାରରେ ୟୋଜିତ ବିଜେପିର ଏକ ଶୋଭାଯାତ୍ରାରେ ଯୋଗଦେଇଥିଲେ ଶାହ। ସେ ତାଙ୍କ ଭାଷଣରେ କହିଥିଲେ, ହେମନ୍ତ ସୋରେନଙ୍କ ସରକାର ଏକ ପୋଡା ଟ୍ରାନ୍ସଫର୍ମର। ଯଦି ଆପଣଙ୍କ ଅଞ୍ଚଳରେ ଟ୍ରାନ୍ସଫର୍ମର ପୋଡି ଯାଏ ଆପଣମାନେ କଣ କରିବେ? ନିଶ୍ଚୟ ପୋଡା ଟ୍ରାନ୍ସଫର୍ମର ଫୋପାଡି ଦେବେ, ଆଉ ନୂଆ ଟ୍ରାନ୍ସଫର୍ମର ଲଗାଇବେ। ଝାରଖଣ୍ଡର ଉନ୍ନତି ପାଇଁ କେନ୍ଦ୍ରରରୁ ଟଙ୍କା ଆସିଥିଲେ ମଧ୍ୟ ଏଠାକାର ସରକାର ତାହା ବିନିଯୋଗ କରିବାରେ ବିଫଳ ହୋଇଛି। ପୋଡା ଟ୍ରାନ୍ସଫର୍ମର ବିଜୁଳି ଦେବାରେ ବିଫଳ ହେଲେ ତାକୁ କାଢି ନୂଆ ଟ୍ରାନ୍ସଫର୍ମର ବସାଇବାକୁ ପଡିଥାଏ। ତେଣୁ ଆପଣମାନେ ଯଦି ଝାରଖଣ୍ଡର ବିକାଶ ଚାହୁଁଛନ୍ତି ତାହାଲେ ଦୁର୍ନୀତିଗ୍ରସ୍ତ ନିକମା ସୋରେନ ସରକାରୁ କ୍ଷମତାରୁ ହଟାଇ ବିଜେପିକୁ ଶାସନକୁ ଆଣନ୍ତୁ।
ଏହାସହ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦୁର୍ନୀତିର ପେଡି ଖୋଲି ଥିଲେ ଶାହ। ମନରେଗା ଯୋଜନାରେ ହଜାରେ କୋଟି, ଜମି ଦୁର୍ନୀତିରେ ୩ଶହ କୋଟି, ଖଣି ଓ ମଦ ଦୁର୍ନୀତିରେ ହଜାରେ କୋଟି ଓ ଝାରଖଣ୍ଡ ଉନ୍ନତି ପାଇଁ କେନ୍ଦ୍ର ଦେଇଥିବା ୩୫୦କୋଟି ଟଙ୍କା ଚଳୁ କରି ଦେଇଛି ଏ ସରକାର। ଏହାକୁ ବିରୋଧ କରିବାରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ କାମଚଳା ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନିର୍ଯାତନା ଦିଆଯାଇ ଦଳରୁ ତଡି ଦିଆଗଲା। ହେମନ୍ତ ବାବୁ ଭାବୁଛନ୍ତି କଂଗ୍ରେସ କୋଳରେ ବସି ସୁରକ୍ଷିତ ବୋଲି, ସେ ଜାଣିନାହାନ୍ତି ଯେ ବସିଥିବା ଡଙ୍ଗାଟି ବୁଡିବାକୁ ଯାଉଛି। ଯେଉଁ ଡଙ୍ଗାରେ ଅନେକ କଣା ହୋଇସାରିଛି। ତେଣୁ ଝାରଖଣ୍ଡର ବିକାଶ ପାଇଁ ବିଜେପିକୁ କ୍ଷମତାକୁ ଆଣିବା ପାଇଁ ନିବେଦନ କରିଥିଲେ ଶାହ। ତେବେ ଯଦି ଏଠାରେ ବିଚାର କରିବା, ନବୀନ ଓ ହେମନ୍ତଙ୍କ ଭିତରେ ବହୁତ ତଫାତ ରହିଛି।
ନବୀନ ୨୦୦୦ ମସିହାରେ କ୍ଷମତାକୁ ଆସି ଲଗାତର ପାଞ୍ଚଥର ଜିତି ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ। ଏଥିରୁ ତାଙ୍କ ଲୋକପ୍ରିୟତା ସହଜରେ ଅନୁମେୟ। କିନ୍ତୁ ହେମନ୍ତ ସୋରେନ ୨୦୦୫ରେ ପ୍ରଥମେ ବିଧାୟକ ହୋଇଥିବା ବେଳେ ୨୦୧୩ରେ କମ ବୟସ୍କ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଅବଶ୍ୟ ମାତ୍ର ବର୍ଷକ ପାଇଁ। ଏହାପରେ ୨୦୧୯ରେ ସେ ପୁଣି କ୍ଷମତାକୁ ଆସି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ସମୟରେ ସେ ମନିଲଣ୍ଡରିଂ କେସରେ ଜେଲ ଯାଇ ଜାମିନରେ ଆସିଛନ୍ତି। ତାଙ୍କ ଶାସନ ସମୟରେ ରାଜ୍ୟରେ ପର୍ଯ୍ୟଟନର ଅାଖିଦୃଶିଅା ବିକାଶ ଘଟିଛି। ବିଶେଷ କରି ଧାର୍ମିକ ପର୍ଯ୍ୟଟନର ବେଶୀ ଉନ୍ନତି ହୋଇଛି। ଏହାସହ ସରକାର ମାଓବାଦୀ ସମସ୍ୟା ଓ ମରୁଡିର ସଫଳ ମୁକାବିଲା କରିଛନ୍ତି। ଯଦି ହେମନ୍ତଙ୍କ ଲୋକପ୍ରିୟତା ଥିବ ତେବେ ଶାହଙ୍କ ମନ୍ତବ୍ୟ ବିଜେପି ପାଇଁ କାଳ ହେବ।
story read: https://purvapaksa.com/over-crowd-in-puri-temple-devotees-injured/