USAID: ଆମେରିକାରେ ଏବେ ଚର୍ଚ୍ଚା ହେଉଛି ଯେ ଏ ଅର୍ଥର ଏକ ଅଂଶ ଭାରତୀୟ ଗଣତନ୍ତ୍ରରେ ବିଦେଶୀଙ୍କ ହସ୍ତକ୍ଷେପକୁ ସୁନିଶ୍ଚିତ କରିବା ପାଇଁ ବ୍ୟୟ ହୋଇଛି। ଅବଶ୍ୟ ଏଯାଏ ଏହା ସ୍ପଷ୍ଟ ହୋଇନାହିଁ।
ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ଵିତୀୟ ବାର କ୍ଷମତାସୀନ ହେବାପରେ ଆରମ୍ଭ ହୋଇଥିବା ଖର୍ଚ୍ଚକୁ କମ୍ ପଦକ୍ଷେପ କିପରି ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟିର କାରଣ ହୋଇଛି ତାହା ଦେଖିବା ବେଶ୍ କୌତୂହଳପ୍ରଦ।
ଏଲନ ମସ୍କଙ୍କ ନେତୃତ୍ୱାଧୀନ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନସି ପକ୍ଷରୁ ଏବେ ଘୋଷଣା କରାଯାଇଛି ଯେ ଆମେରିକୀୟ ଟିକସଦାତାଙ୍କ ଅର୍ଥ ‘ଫାଲତୁ (ବାଜେ) କାର୍ଯ୍ୟରେ ବରବାଦ କରାଯିବ ନାହିଁ।
ଆମେରିକାରେ ଏବେ ଚର୍ଚ୍ଚା ହେଉଛି ଯେ ଏ ଅର୍ଥର ଏକ ଅଂଶ ଭାରତୀୟ ଗଣତନ୍ତ୍ରରେ ବିଦେଶୀଙ୍କ ହସ୍ତକ୍ଷେପକୁ ସୁନିଶ୍ଚିତ କରିବା ପାଇଁ ବ୍ୟୟ ହୋଇଛି। ଅବଶ୍ୟ ଏଯାଏ ଏହା ସ୍ପଷ୍ଟ ହୋଇନାହିଁ; ବାସ୍ତବରେ କୌଣସି ଅର୍ଥ ପ୍ରଦାନ କରାଯାଇଥିଲା କି ନାହିଁ । ମସ୍କ ମଧ୍ୟ ସୋସିଏଲ ମିଡ଼ିଆ ଏକ୍ସ’ରେ ନିଜେ ଏକ ବାର୍ତ୍ତା ଦେଇ ଦର୍ଶାଇଛନ୍ତି ଯେ ଯାହା ବି ଆବଣ୍ଟିତ ଅର୍ଥରାଶି ଥିଲା, ତାହାର ଫଣ୍ଡିଂକୁ ରୋକି ଦିଆଯାଇଛି।
କିନ୍ତୁ ଚର୍ଚ୍ଚାର ପ୍ରସଙ୍ଗ ଏହି ଯେ ଏହି ବୁଝାମଣାପତ୍ର ୟୁପିଏ ଶାସନକାଳରେ ୨୦୧୨ରେ ଉଭୟ ପକ୍ଷ ଦସ୍ତଖତ କରିଥିଲେ। କଂଗ୍ରେସ ସେତେବେଳେ ଶାସନ କ୍ଷମତାରେ ଥିଲା। ଏଯାଏଁ କଂଗ୍ରେସ ନିରବ ଅଛି। ସରକାରଏ ସମ୍ପର୍କରେ ଶ୍ୱେତପତ ପ୍ରକାଶ କରିବା ପାଇଁ କେବଳ ଜୟରାମ ରମେଶ ଦାବି କରିଛନ୍ତି।
ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ଏସ୍.ୱାଇ. କ୍ୟୁରେଶୀ ଏହି ବୁଝାମଣାପତ୍ରକୁ ସ୍ଵୀକାର କରିଛନ୍ତି। କିନ୍ତୁ ଗୋଟିଏ ପଇସା ମଧ୍ୟ ନେଣଦେଣ ହୋଇନାହିଁ ବୋଲି ଦୃଢ଼ଭାବେ କହିଛନ୍ତି। ଏ ଅବସ୍ଥାରେ ପ୍ରଶ୍ନ ଉଠୁଛି, ଯଦି ବାସ୍ତବରେ ସେ କାର୍ଯ୍ୟକ୍ରମ ଅନୁଯାୟୀ ଭାରତକୁ ଅର୍ଥ ପଠାଯାଇଥିଲା ତେବେ ତାହା କେଉଁ ଢଙ୍ଗରେ ଆସିଥିଲା, କେଉଁ ଲୋକଙ୍କୁ ମାଲ ପଠାଯାଇଥିଲା ସେ ଅର୍ଥା କିଭଳିଭାବେ ଖର୍ଚ୍ଚ କରାଯାଇଥିଲା।
ଏ ପ୍ରଶ୍ନ ସେତେବେଳର ଆମେରିକାର ଶାସକ ଦଳ ପକ୍ଷରୁ ଉଠାଯାଇଛି, ତେଣୁ ସ୍ମରଣ କରାଇଦେବା ଜରୁରୀ ଯେ ପ୍ରଶ୍ନକୁ ଅଧିକ ସନ୍ଦେହର ପରିବେଶ ସୃଷ୍ଟି ପାଇଁ ଯେ ଉଦ୍ୟମ ହେଉଛି; ତା’ ନୁହେଁ, ବରଂ ମାମଲାର ଚେର ଯାଏ ପହଞ୍ଚି ଠୋସ୍ ତଥ୍ୟ ପ୍ରମାଣ ସହିତ ସନ୍ଦେହର କୁହେଳିକାକୁ ଦୂର କରିବା ଓ ଦୋଷୀଙ୍କୁ ଦଣ୍ଡିତ କରିବା ଲାଗି ଉଦ୍ଦିଷ୍ଟ।
ଅବଶ୍ୟ ଆମେରିକାରୁ ବିଭିନ୍ନ ସୂତ୍ରରୁ ଅର୍ଥ ବିନିଯୋଗ କରାଯାଇ ବିଶ୍ଵର ବହୁ ଦେଶରେ ଶାସନ ପରିବର୍ତ୍ତନ କରାଯାଉଥିବା ଖବରକୁ ଉଡ଼ାକଥା କହି ଆଡ଼େଇ ଦେଇହେବ ନାହିଁ। ପ୍ରତ୍ୟକ୍ଷଭାବେ ହେଉ କି ପରୋକ୍ଷଭାବେ ଆମେରିକା ପକ୍ଷରୁ ଅନ୍ୟ ଦେଶମାନଙ୍କରେ ସରକାରକୁ ନିୟନ୍ତ୍ରଣ କରିବା ଏକ ଯୋଜନାବଦ୍ଧ ଉଦ୍ୟମ ହୋଇଆସିଛି।
ଆମେରିକା ଭାରତରେ ଅର୍ଥ ଖଟାଉଥିବା ଖବର ଅନେକଙ୍କୁ ଅଡୁଆରେ ପକାଇ ଦେଇଛି। ତେବେ, ଯେ ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ତଥ୍ୟ ପ୍ରମାଣ ଲୋକଲୋଚନକୁ ନ ଆସିଛି, ସେ ଯାଏ ଷଡ଼ଯନ୍ତ୍ର ଅଭିଯୋଗକୁ ସେତେ ଅଧିକ ଗୁରୁତ୍ଵ ଦିଆଯିବା ଅନୁଚିତ। ଏ ସନ୍ଦର୍ଭରେ ସ୍ମରଣ ରଖିବାକୁ ହେବ ଯେ ଗଣତନ୍ତ୍ର ହେଉଛି ଏକ ମୂଲ୍ୟବୋଧ।
ନିର୍ବାଚନ ପରିଣାମକୁ ପ୍ରଭାବିତ କରିବାକୁ ଉଦ୍ୟମ ହେବା ଗୋଟିଏ କଥା ଓ ମତଦାନ ପ୍ରତିଶତ ବଢ଼ାଇବା ଲାଗି ପ୍ରୟାସ କରିବା ସମ୍ପୂର୍ଣ୍ଣଭାବେ ଅଲଗା କଥା। ଯେତେବେଳେ ଭାରତରେ ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା, ସେତେବେଳେ ବିବିସି ଭଳି ବିଦେଶୀ ମିଡ଼ିଆ ଲୋକଙ୍କ ପାଖରେ ସଠିକ ସୂଚନା ପହଞ୍ଚାଉଥିଲା। ଏପ୍ରକାର ଉଦ୍ୟମକୁ ସର୍ବତ୍ର ପ୍ରଶଂସା କରାଯିବା ଦରକାର।
ଭାରତର ଗଣତନ୍ତ୍ରକୁ ଅର୍ଥଦ୍ୱାରା ପ୍ରଭାବିତ କରାଯାଇ ପାରିବ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନେ ଭୁଲିଯାଉଛନ୍ତି ଯେ ଏଠି ନିର୍ବାଚନରେ ଧନୀ ବି ହାରୁଛି, ନିର୍ଧନ ଜିତି କ୍ଷମତାଗାଦିରେ ବସୁଛି।
ଦଶନ୍ଧି ଧରି ଭାରତକୁ ୟୁଏସଏଆଇଡି ଅନୁଦାନ ନେଇ ଶ୍ୱେତପତ୍ର ଦାବି କଲା କଂଗ୍ରେସ