କାହାର ହେବ ହ୍ୱାଇଟହାଉସ
ବହୁ ପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଇଲେକ୍ଟୋରାଲ କଲେଜ ସଦସ୍ୟ ମନୋନୟନ ନିମନ୍ତେ ଭୋଟଗ୍ରହଣ କରାଯାଇଛି । ଏହି ନିର୍ବାଚନ ଜରିଆରେ ଆମେରିକା ତାହାର ୪୭ତମ ରାଷ୍ଟ୍ରପତିଙ୍କୁ ବାଛିବାକୁ ଯାଉଛି । ଏଥର ନିର୍ବାଚନରେ ଉପରାଷ୍ଟ୍ରପତି କମଲା ହାରିସ୍ ଡେମୋକ୍ରାଟିକ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି ।
ମ୍ୟାଜିକ୍ ନମ୍ବର
କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ତାକୁ ନେଇ ଲାଗି ରହିଛି ଚର୍ଚ୍ଚା । ପୁଣିଥରେ କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ ନା ବାଜି ମାରିନେବେ ଭାରତୀୟ ବଂଶୋଦ୍ଭବ କମଲା ହାରିସ । ଏହାକୁ ନେଇ ବଢୁଛି ଉତ୍କଣ୍ଠା । କିଏ ହେବେ ହ୍ୱାଇଟ ହାଉସର ବସ । ତେବେ ମ୍ୟାଜିକ୍ ନମ୍ବର ୨୭୦ କିଏ ପାର୍ କରି ହ୍ୱାଇଟ ହାଉସରେ ଏଣ୍ଟ୍ରି ମାରିବେ ତାକୁ ନେଇ ସାରା ବିଶ୍ୱ ଅନେଇ ରହିଛି ।
ନିର୍ବାଚନ ଏକ ଜଟିଳ ପ୍ରକ୍ରିୟା
ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏକ ଜଟିଳ ପ୍ରକ୍ରିୟା । ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପରୋକ୍ଷ ନିର୍ବାଚନଦ୍ୱାରା ନିର୍ବାଚିତ ହୋଇଥାନ୍ତି । ପ୍ରଥମେ ପ୍ରତ୍ୟେକ ରାଜ୍ୟର ଭୋଟରମାନେ ଇଲେକ୍ଟୋରାଲ କଲେଜ ସଦସ୍ୟଙ୍କୁ ପ୍ରତ୍ୟକ୍ଷ ଭୋଟ ଜରିଆରେ ନିର୍ବାଚିତ କରିଥାନ୍ତି । ରାଷ୍ଟ୍ରପତି ହେବାପାଇଁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ କଲେଜ୍ ଭୋଟ୍ ଆବଶ୍ୟକ ।
ସଦସ୍ୟଙ୍କ ସଂଖ୍ୟା
ଆମେରିକାର ୫୦ ରାଜ୍ୟରେ ଏଭଳି ସଦସ୍ୟଙ୍କ ସଂଖ୍ୟାରେ ପାର୍ଥକ୍ୟ ଦେଖାଯାଏ । କାଲିଫର୍ଣ୍ଣିଆରେ ୫୫ ସଦସ୍ୟଙ୍କୁ ନିର୍ବାଚିତ କରାଯାଉଥିବାବେଳେ ଟେକ୍ସାସରେ ୩୪ ଏବଂ ୱୋମିଙ୍ଗ୍ ଓ ସାଉଥ ଡାକୋଟା ଭଳି ପ୍ରଦେଶରୁ ପ୍ରତ୍ୟେକ ୩ ଜଣ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଥାଏ ।
ସ୍ୱିଙ୍ଗ ଷ୍ଟେଟ ଉପରେ ନଜର
ଚଳିତ ଥର ୭ଟି ରାଜ୍ୟ (ସ୍ୱିଙ୍ଗ ଷ୍ଟେଟ୍)ର ଭୋଟ ଉପରେ ନଜର ରହିଛି । ଏହି ୭ଟି ରାଜ୍ୟ ହେଉଛି ଆରିଜୋନା, ଜର୍ଜିଆ, ମିଚିଗାନ, ନେବାଡା, ଉତ୍ତର କାରୋଲିନା, ନେସିଲଭାନିଆ ଏବଂ ୱିସକନସିନ ।
ସ୍ୱିଙ୍ଗ ଷ୍ଟେଟ କ’ଣ?
ସ୍ୱିଙ୍ଗ ଷ୍ଟେଟର ଅର୍ଥ ହେଉଛି ଯେଉଁଠାରେ ୨ ପ୍ରମୁଖ ରାଜନୈତିକ ଦଳର ସମାନ ସଂଖ୍ୟକ ସମର୍ଥକ ଥିବେ । ଏହି ସ୍ୱିଙ୍ଗ୍ ଷ୍ଟେଟ ଉପରେ ପୂରା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳ ନିର୍ଭର କରୁଛି । ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ କଲେଜ ଭୋଟ୍ରୁ ଅଧିକାଂଶ ଇଲେକ୍ଟୋରାଲ୍ ଭୋଟ୍ ଏହି ସ୍ୱିଙ୍ଗ୍ ଷ୍ଟେଟରୁ ଆସିବ ।
ପ୍ରମୁଖ ପ୍ରାର୍ଥୀ
ଦୁଇ ପ୍ରମୁଖ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍, କମଳା ହାରିସଙ୍କ ସହ ଅନ୍ୟ ଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଲଢେଇରେ ସାମିଲ ହୋଇଛନ୍ତି । ଲିବରେସନ୍ ପାର୍ଟି ପ୍ରାର୍ଥୀ ଚେଜ୍ ଅଲିଭର ନିର୍ବାଚନ ଲଢୁଛନ୍ତି ଏବଂ ଗ୍ରିନ ପାର୍ଟି ପ୍ରାର୍ଥୀ ଜିଲ ଷ୍ଟେନ ଦ୍ୱିତୀୟ ଥର ନିର୍ବାଚନ ଲଢୁଛନ୍ତି । ଏଥିସହ କିଛି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢୁଛନ୍ତି ।
Previous posthttps://purvapaksa.com/iskcon-demolish-hindu-religion/
1 Comment
Pingback: Baby hippo Moo Deng predicts win for Trump in US election