Donald Trump: ଲାଗୁଛି ଡୋନାଲ୍ଡ ଟ୍ରମ୍ପ ଚୀନ୍ ପିଛା ଛାଡ଼ିବେ ନାହିଁ । ଚୀନ ପଛରେ ଟ୍ରମ୍ପ ଏମିତି ପଡ଼ିଛନ୍ତି ଯେମିତି ଶିକାର ପଛରେ ଚିତା ଲାଗେ । ଦ୍ୱିତୀୟ ପାଳିରେ ଟ୍ରମ୍ପ ଚୀନକୁ ପାନେ ଦେବା ପାଇଁ ମସୁଧା କରି ଆସିଥିବା ମନେ ହେଉଛି । ପ୍ରଥମେ ଟାରିଫ୍ ୱାରା ଏବେ ପୁରୁଣା ପାଠର ଆଲୋଚନା କରୁଛନ୍ତି ଟ୍ରମ୍ପ । ୫ ବର୍ଷ ତଳର କୋଭିଡ୍ ଫାଇଲ ଖୋଲି ଚୀନକୁ ପୁଣି ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ ।
୫ ବର୍ଷ ପୂର୍ବେ ବିଶ୍ୱବ୍ୟାପୀ ବିପର୍ଯ୍ୟୟ ସୃଷ୍ଟି କରିଥିବା କୋଭିଡ-୧୯ ପ୍ରସଙ୍ଗକୁ ପୁନର୍ବାର ଉଠାଇ ଚୀନ ଉପରେ ଆକ୍ରମଣ କରିଛନ୍ତି। ଆମେରିକୀୟ ସରକାର କରୋନା ଭୂତାଣୁର ଉତ୍ପତ୍ତି ପ୍ରସଙ୍ଗକୁ ଆଉ ଦବାଇ ରଖିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏବଂ ବିଶ୍ୱକୁ ‘କୋଭିଡର ସତ୍ୟ’ ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଶୁକ୍ରବାର ହ୍ୱାଇଟ୍ ହାଉସ୍ ଏକ ନୂଆ କୋଭିଡ-୧୯ ୱେବସାଇଟ୍ ଲଞ୍ଚ କରିଛି, ଯେଉଁଥିରେ ସିଧାସଳଖ ଚୀନ ଏବଂ ୱୁହାନର ଲ୍ୟାବକୁ କରୋନା ମହାମାରୀ ପାଇଁ ଦାୟୀ କରାଯାଇଛି। ୱେବସାଇଟ୍ ଅନୁସାରେ, ଭୂତାଣୁର ଉତ୍ପତ୍ତି ୱୁହାନର ଏକ ଲ୍ୟାବରୁ ହୋଇଛି, ଯାହା ପୂର୍ବରୁ ସନ୍ଦେହଜନକ ଗବେଷଣା ଏବଂ ସୁରକ୍ଷା ତ୍ରୁଟି ପାଇଁ ଜଣାଶୁଣା।
ଏତିକି ନୁହେ, ଟ୍ରମ୍ପ ପ୍ରଶାସନ ଏହି ୱେବସାଇଟ୍ ମାଧ୍ୟମରେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍, ପୂର୍ବତନ ଚିକିତ୍ସା ଉପଦେଷ୍ଟା ଡକ୍ଟର ଆନ୍ଥୋନୀ ଫାଉଚି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉପରେ ମଧ୍ୟ ଆକ୍ରମଣ କରିଛି। ଅଭିଯୋଗ ଅଛି ଯେ ଏହି ସମସ୍ତେ ମିଳିତ ଭାବେ ‘ଲ୍ୟାବ ଲିକ୍ ଥିଓରୀ’କୁ ଦବାଇବାକୁ ଚେଷ୍ଟା କରିଥିଲେ ଏବଂ ସତ୍ୟକୁ ଲୁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ଟ୍ରମ୍ପଙ୍କ ବାଇଡେନ୍ ଉପରେ ଆକ୍ରମଣ
ୱେବସାଇଟ୍ରେ ଏକ ବ୍ୟାନର ରହିଛି, ଯେଉଁଥିରେ ଲେଖାଯାଇଛି- ‘ଲ୍ୟାବ ଲିକ୍: କୋଭିଡ-୧୯ର ପ୍ରକୃତ ଉତ୍ପତ୍ତି’, ଏବଂ ଟ୍ରମ୍ପଙ୍କ ଫଟୋ ସହିତ ଦାବି କରାଯାଇଛି ଯେ ପୂର୍ବତନ ସରକାର ଏବଂ ମିଡିଆ ‘ସତ୍ୟକୁ ଲୁଚାଇବା, ଭ୍ରମ ସୃଷ୍ଟି କରିବା ଏବଂ ଉତ୍ତରଦାୟିତ୍ୱ ଅଭାବର ଏକ ଅଭିଯାନରେ ସାମିଲ ଥିଲେ।
ହ୍ୱାଇଟ୍ ହାଉସ୍ ଏକ ବିବୃତିରେ କହିଛି ଯେ ଏହି ୱେବସାଇଟ୍ କୋଭିଡ-୧୯ର ଉତ୍ପତ୍ତିକୁ ପ୍ରତିଫଳିତ କରେ ଏବଂ ଡେମୋକ୍ରାଟ୍ମାନେ ଏବଂ ମିଡିଆ କିପରି ବିକଳ୍ପ ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ଲ୍ୟାବ-ଲିକ୍ ଥିଓରୀକୁ ବଦନାମ କରିଥିଲେ ତାହା ଦର୍ଶାଇଛି। ଏହା ବ୍ୟତୀତ, ୱେବସାଇଟ୍ରେ ପାଞ୍ଚଟି ପ୍ରମୁଖ ବିଷୟ ତାଲିକାଭୁକ୍ତ କରାଯାଇଛି, ଯାହା ସୂଚାଇଥାଏ ଯେ କୋଭିଡ-୧୯ର ଉତ୍ପତ୍ତି ପ୍ରାକୃତିକ ନ ଥିଲା।
ଏଥିରେ ୫ଟି ମୁଖ୍ୟ ଦାବି ଦାବି କରାଯାଇଛି । ତାହା ହେଲା, କରୋନା ଭୂତାଣୁରେ ଏକ ଜୈବିକ ବିଶେଷତା ରହିଛି, ଯାହା ପ୍ରକୃତିରେ ମିଳେ ନାହିଁ। ସମସ୍ତ କୋଭିଡ ମାମଲା ଏକ ଏକକ ଉତ୍ସରୁ ବ୍ୟାପିଥିଲା, ଯେତେବେଳେ ପୂର୍ବର ମହାମାରୀଗୁଡିକରେ ଏକାଧିକ ସ୍ପିଲଓଭର ଘଟଣା ଘଟିଥିଲା। ୱୁହାନ ଲ୍ୟାବରେ ଜୀନ ପରିବର୍ତ୍ତନର ଇତିହାସ ରହିଛି, ଯେଉଁଠାରେ ସୁପର-ଭୂତାଣୁ ସୃଷ୍ଟି କରାଯାଉଥିଲା। ୨୦୧୯ର ଶରତ ଋତୁରେ ଲ୍ୟାବର କିଛି ଗବେଷକ କୋଭିଡ ଲକ୍ଷଣ ସହ ଅସୁସ୍ଥ ହୋଇପଡ଼ିଥିଲେ। ଏପର୍ଯ୍ୟନ୍ତ ଭୂତାଣୁର ପ୍ରାକୃତିକ ଉତ୍ପତ୍ତିର କୌଣସି ସ୍ପଷ୍ଟ ବୈଜ୍ଞାନିକ ପ୍ରମାଣ ମିଳି ନାହିଁ।
ୱୁହାନରେ ଚୀନର ପ୍ରମୁଖ ସାର୍ସ ଗବେଷଣା ଲ୍ୟାବ ରହିଛି, ଯାହାର ପର୍ଯ୍ୟାପ୍ତ ଜୈବ ସୁରକ୍ଷା ବିନା ଗେନ୍-ଅଫ୍-ଫଙ୍କସନ୍ ଗବେଷଣା (ଜୀନ ପରିବର୍ତ୍ତନ ଏବଂ ଜୀବମାନଙ୍କୁ ଅତିଶକ୍ତିଶାଳୀ କରିବା)ର ଇତିହାସ ରହିଛି। ୱୁହାନ ଇନଷ୍ଟିଟ୍ୟୁଟ୍ ଅଫ୍ ଭାଇରୋଲୋଜୀର ଗବେଷକମାନେ ୨୦୧୯ର ଶରତ ଋତୁରେ କୋଭିଡ ଲକ୍ଷଣ ସହ ଅସୁସ୍ଥ ହୋଇଥିଲେ, ଯାହା ୱେଟ୍ ମାର୍କେଟରେ କୋଭିଡ-୧୯ ଆବିଷ୍କାର ହେବାର ମାସ ମାସ ପୂର୍ବରୁ ଥିଲା। ବିଜ୍ଞାନର ପ୍ରାୟ ସମସ୍ତ ମାପଦଣ୍ଡ ଅନୁସାରେ, ଯଦି କରୋନା ଭୂତାଣୁର ପ୍ରାକୃତିକ ଉତ୍ପତ୍ତିର କୌଣସି ପ୍ରମାଣ ଥାଆନ୍ତା, ତାହା ଏତେ ଦିନରେ ସାମ୍ନାକୁ ଆସିଥାନ୍ତା। କିନ୍ତୁ ତାହା ଘଟି ନାହିଁ।
ଏବେ ବିଶ୍ୱର ନଜର ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ଉପରେ ରହିଛି। ସେ କ’ଣ ଏଥର ମଧ୍ୟ ଚୁପ୍ ରହିବେ ନା କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେବେ? ଟ୍ରମ୍ପ ପୂର୍ଣ୍ଣ ପ୍ରସ୍ତୁତି ସହ ମୈଦାନକୁ ଓହ୍ଲାଇଛନ୍ତି ଏବଂ ଏଥର ସେ ପଛକୁ ହଟିବା ମୁଡ୍ରେ ନାହାନ୍ତି।