ରାଜ୍ୟରେ ବିଜେପି ଶାସନକୁ ଏକ ବର୍ଷ ବିତିବାକୁ ଯାଉଛି। କିନ୍ତୁ ଶାସନର ମୌଳିକ ନୀତିରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ପ୍ରାୟତଃ ଫେଲ ମାରିଛନ୍ତି। ଯେଉଁ ଅମଲାତନ୍ତ୍ରୀଙ୍କ ଶାସନରେ ଅତିଷ୍ଠ ହୋଇ ରାଜ୍ୟବାସୀ ଏକ ରାଜନୀତିକ ସରକାର ଆଶାରେ ବିଜେପିକୁ ଭୋଟ୍ ଦେଇଥିଲେ ତାହା ବିଫଳ ହୋଇଛି। ଏହା ଗୋଟିଏ ମାମଲାରେ ନୁହେଁ। ବାରମ୍ବାର ଏହି ଅଭିଯୋଗ ଆସୁଛି ଯେଉଁଥିରେ ସ୍ପଷ୍ଟ ହେଉଛି ଯେ ଅମଲାଙ୍କ ଚକ୍ରବ୍ୟୁହରେ ପଡ଼ିଛନ୍ତି ମୋହନ ସରକାର।
ଏଣୁ ଏହି ବିଷୟକୁ ଗୋଟିଏ ରିପୋର୍ଟରେ ସୀମିତ କରି ନୁହେଁ, ବରଂ ସିରିଜରେ ଆପଣଙ୍କୁ କହିବାକୁ ଚାହିଁବୁ। ଆଜି ଏହାର ପ୍ରଥମ ଏପିସୋଡରେ ଆସନ୍ତୁ ଜାଣିବା ଏମିତି ଜଣେ ଅଧିକାରୀଙ୍କ ବିଷୟରେ ଯିଏ ଚାକିରି ସରିବା ପରେ ବି ମୋହନ ସରକାରଙ୍କୁ ବାଧ୍ୟ କରିଛନ୍ତି ପୁଣିଥରେ ନିଯୁକ୍ତି ଲାଗି।
ଅବଶ୍ୟ ଆଇଏଏସ୍ ଅଧିକାରୀଙ୍କ ଚରାକିରି ପରେ ରାଜ୍ୟରେ ପୁଣିଥରେ ନିଯୁକ୍ତି କିଛି ନୂଆ କଥା ନୁହେଁ। ଏହା ବିଗତ ୨୪ ବର୍ଷର ନବୀନ ସରକାରଙ୍କ ସମୟରେ ବେଶ୍ ଦେଖାଦେଇଥିଲା। ଯାହାକୁ ନେଇ ଅନେକ ତୁମ୍ବିତୋଫାନ ପୂର୍ବରୁ ହୋଇଛି। ଏପରିକି ନୂଆକରି ସରକାରକୁ ଆସିବା ପରେ ମୋହନ ମାଝୀଙ୍କ ସରକାର ଏ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଘୋଷଣା କରିଥିଲେ। ଠିକା, ନିଯୁକ୍ତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନ ନେବା ଲାଗି ମାର୍ଗଦର୍ଶିକା ବି ଜାରି କରିଥିଲେ। ହେଲେ ସେ ମାର୍ଗଦର୍ଶିକା ଆଜି କେଉଁ ଫାଇଲ ତଳେ ଚପିଛି ତାହା କେବଳ କିଛି ଅମଲା ହିଁ ଜାଣନ୍ତି।
ଆଜି ଏମିତି ଜଣେ ଅଧିକାରୀଙ୍କ କୌଶଳ କଥା କହିବାକୁ ଯାଉଛି, ଯିଏ ପୂର୍ବରୁ ମୁଖ୍ୟ ସଚିବ ଥିଲେ। ନବୀନ ସରକାରଙ୍କ ସମୟରେ ତାଙ୍କୁ ନିଯୁକ୍ତି ମିଳିଥିଲା। ସେତେବେଳେ ନବୀନ ସରକାରଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଲୋକମତକୁ ଆଖିରେ ରଖି ପ୍ରଦୀପଙ୍କୁ ଏହି ଦାୟିତ୍ୱ ଶେଷ ମୁହୂର୍ତ୍ତରେ ମିଳିଥିଲା। କାରଣ ସେ ଜଣେ ଓଡ଼ିଆ ଅଧିକାରୀ ହେବା ସହ ଓବିସି ବର୍ଗଙ୍କୁ ପ୍ରତିନିଧିତ୍ୱ କରୁଥିଲେ। ପୂର୍ବରୁ ଅନେକ ଅଣ ଓଡ଼ିଆ ଅଧିକାରୀଙ୍କୁ ମୁଖ୍ୟ ସଚିବ ଓ ଡିଜି ପଦବୀ ଦେଇଥିବାରୁ ନବୀନ ଚର୍ଚ୍ଚାକୁ ଆସିଥିଲେ। ଏଣୁ ରାତିଅଧିଆ ଡିଜି ଓ ମୁଖ୍ୟ ସଚିବ ପଦବୀରେ ପରିବର୍ତ୍ତନ କରାଯାଇଥିଲା।
ପ୍ରଦୀପଙ୍କ ସମୟରେ ରାଜ୍ୟ ନିର୍ବାଚନ ଲଢ଼ିଥିଲା। ସେ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟର ଦୁଇ ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଲେଖିଥିଲେ। ଏମାନେ ବିଜେଡି ସପକ୍ଷରେ କାର୍ଯ୍ୟ କରି ନିରପେକ୍ଷ ମତକୁ ପ୍ରଭାବିତ କରୁଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତ ଦେଇଥିଲେ। ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଥିଲେ। ହେଲେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ ତତ୍କାଳୀନ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା।
ଏହାପରେ ସରକାର ବଦଳିଲେ ହେଲେ ପ୍ରଦୀପଙ୍କ କାର୍ଯ୍ୟକାଳ ସରିଥିଲେ ବି ଆଉଥରେ ତାହାକୁ ବୃଦ୍ଧି କରାଯାଇଥିଲା। କୁହାଯାଏ ଶ୍ରୀ ଜେନା ନିଜ ପାଇଁ ଏମିତି ଚକ୍ରବ୍ୟୁହ ତିଆରି କରିଥିଲେ ଯେ ସେଥିରୁ ବର୍ତ୍ତି ପାରିଲେ ନାହିଁ ରାଜ୍ୟ ସରକାର। ଫଳରେ ଅଭିଯୁକ୍ତ ଅଧିକାରୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରରର କଥା ପ୍ରଦୀପଙ୍କ କାର୍ଯ୍ୟକାଳକୁ ସମ୍ପ୍ରସାରଣ କରାଯାଇଥିଲା। ଏହି ସମୟରେ ପ୍ରଦୀପ ମୋହନଙ୍କଠାରୁ ଅଧିକ ଭାରି ବୋଲି ପ୍ରମାଣିତ କରିଥିଲେ।
ଚାକିରିରୁ ଅବସର ପରେ ତାଙ୍କୁ ସରକାର ଓଇଆରସିର ଅଧ୍ୟକ୍ଷ ପଦରେ ଥଇଥାନ କରିବାକୁ ବାଧ୍ୟ ହୋଇଛନ୍ତି। ରାଜ୍ୟରେ କ’ଣ ଆଉ କେହି ଯୋଗ୍ୟ ବ୍ୟକ୍ତି ନ ଥିଲେ କି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି। ପ୍ରଦୀନ ଜେନା ତାଙ୍କ ଚାକିରି କାଳ ଭିତରେ ବହୁତ ଦିନ ଧରି ଶକ୍ତି ସଚିବ ଭାବରେ କାମ କରିଥଇଲେ। ତାଙ୍କ ସମୟରେ ଶକ୍ତି ବିଭାଗରେ ସେଭଳି କିଛି ଆଖି ଦୃଶିଆ ସଂସ୍କାର ହୋଇନାହିଁ ବୋଲି କୁହାଯାଉଛି।
ଦେଶରେ ଅନେକ ରାଜ୍ୟରେ ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବରେ ବିଚାର ବିଭାଗର ଲୋକମାନଙ୍କୁ ନିଯୁକ୍ତି ଦିଆଯାଉଛି। ରାଜ୍ୟରେ ଗତ ୨୪ ବର୍ଷ ଧରି କ୍ଷମତାରେ ବିଜେଡି ଶାସନ କାଳରେ ଆଇଏଏସ ଅଫିସରମାନଙ୍କୁ ଏଠାରେ ଥଇଥାନ କରାଯାଉଥିଲା। ଆଶା କରାଯାଉଥିଲା ବିଜେପି ସରକାର କ୍ଷମତାକୁ ଆସିବା ପରେ ଏଥିରେ ପରିବର୍ତ୍ତନ ହେବ। କିନ୍ତୁ ଏଥିରେ କିଛି ପରିବର୍ତ୍ତନ ହେଲା ନାହିଁ। ପ୍ରଦୀପ ଜେନାଙ୍କ ପାଖରେ ସରକାର ଆଣ୍ଡେଇବାକୁ ବାଧ୍ୟ ହୋଇଛନ୍ତି।
Also readhttps://purvapaksa.com/indias-bhargavastra-tested-how-it-goes-into-hard-kill-mode/
ଭାରତର ‘ଭାର୍ଗବାସ୍ତ୍ର’ର ପରୀକ୍ଷଣ; ଏହା କିପରି ‘ହାର୍ଡ କିଲ ମୋଡ’କୁ ଯାଉଛି