ବର୍ଡର-ଗାଭାସ୍କର ଟ୍ରଫି ରେକର୍ଡ…
ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିବସ ରୋମାଞ୍ଚକର ରହିଥିଲେ ହେଁ ଅନେକ ବୋଲିଂ ରେକର୍ଡ ସ୍ଥାପନ ହୋଇଛି । ଉଭୟ ଦଳର ପେସ୍ ବାହିନୀ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ ଓ ମୋଟ୍ ୧୭ଟି ୱିକେଟର ପତନ ଘଟିଥିଲା । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା କୌଣସି ଟେଷ୍ଟର ପ୍ରଥମ ଦିନରେ ଏହା ସର୍ବାଧିକ ୱିକେଟର ପତନ ରେକର୍ଡ । ପ୍ରଥମ ଦିନରେ ସର୍ବାଧିକ ୨୫ଟି ୱିକେଟର ପତନ ଘଟିଥିବା ରେକର୍ଡ ରହିଛି । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ୧୯୦୨ ମସିହାରେ ମେଲବର୍ଣ୍ଣରେ ଖେଳାଯାଇଥିବା ମ୍ୟାଚର ପ୍ରଥମ ଦିନରେ ୨୫ଟି ୱିକେଟର ପତନ ଘଟିଥିଲା ।
- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ପର୍ଯ୍ୟନ୍ତ ଖେଳାଯାଇଥିବା ଟେଷ୍ଟରେ ପ୍ରଥମ ଦିନରେ ସର୍ବାଧିକ ୱିକେଟ୍ର ପତନ ରେକର୍ଡ ରହିଛି ୨୦। ୨୦୦୪ରେ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଅନୁଷ୍ଠିତ ମ୍ୟାଚର ପ୍ରଥମ ଦିନରେ ଏହି ରେକର୍ଡ ସ୍ଥାପନ ହୋଇଥିଲା ।
- ଭାରତ ଅପ୍ଟସରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୫୦ ରନ୍ କରି ଅଲ୍ ଆଉଟ୍ ହୋଇଥିଲା । ଅଷ୍ଟ୍ରେଲିଆ ମାଟିରେ ଏହା ଦ୍ୱିତୀୟ ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର ରହିଥିଲା । ୨୦୦୦ ମସିହାରେ ଅନୁଷ୍ଠିତ ସିଡନୀ ଟେଷ୍ଟରେ ଭାରତ ଟସ୍ ଜିତି ବ୍ୟାଟିଂ କରି ୧୫୦ ରନରେ ସମସ୍ତ ୱିକେଟ୍ ହରାଇଥିଲା । ଏହା ପୂର୍ବରୁ ୧୯୪୭ରେ ଅନୁଷ୍ଠିତ ବ୍ରିସବେନ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୫୮ରନ୍ କରି ଅଲ୍ ଆଉଟ୍ ହୋଇଥିଲା ।
- ପୂର୍ବରୁ ଅଷ୍ଟ୍ରେଲିଆ ମାଟିରେ ୩ ଥର ବିଦଶୀ ଦଳ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ୧୫୦ରୁ କମ୍ ରନରେ ଅଲ୍ ଆଉଟ୍ ହୋଇଛନ୍ତି । ୧୯୫୮ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୩୪ ରନ୍ କରିଥିଲା ଓ ୨୦୨୧ରେ ସମାନ ପରିସ୍ଥିତରେ ୧୪୭ ରନ୍ କରି ଅଲ୍ ଆଉଟ୍ ହୋଇଥିଲା । ୨୦୧୯ରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୪୪ ରନରେ ସମସ୍ତ ୱିକେଟ୍ ହରାଇଥିଲା । ଉପରୋକ୍ତ ୩ଟି ଯାକ ଟେଷ୍ଟ ଗାବା(ବ୍ରିସବେନ)ରେ ଖେଳାଯାଇଥିଲା ।
- ଚଳିତ ବର୍ଷ ଭାରତ ମୋଟ୍ ୫ଥର ୧୬୦ରୁ କମ୍ ରନ୍ ମଧ୍ୟରେ ଅଲ୍ ଆଉଟ୍ ହୋଇ ସାରିଲାଣି । ପୂର୍ବରୁ ଦଳ ୧୯୫୨ ଓ ୧୯୫୯ରେ ୬ଥର ଲେଖାଏଁ ୧୬୦ରୁ କମ୍ ରନ୍ ମଧ୍ୟରେ ଅଲ୍ ଆଉଟ୍ ହୋଇଥିଲା ।
- ରିଷଭ ପନ୍ତ ପ୍ରଥମ ଇନିଂସରେ ୩୭ ରନ୍ କରିଥିଲେ । ବିଦେଶୀ ୱିକେଟ୍ କିପର ଭାବେ ଅଷ୍ଟ୍ରେଲିଆ ମାଟିରେ ସେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ରେକର୍ଡ କରିଥିଲେ । ସେ ଅଷ୍ଟ୍ରେଲିଆରେ ମୋଟ୍ ୬୬୧ ରନ୍ ସଂଗ୍ରହ କରିସାରିଛନ୍ତି। ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ଆଲାନ ନଟଙ୍କ ନାମରେ ଥିଲା । ସେ ଅଷ୍ଟ୍ରେଲିଆରେ ମୋଟ୍ ୬୪୩ ରନ୍ ସଂଗ୍ରହ କରିଥିଲେ।
previous article: https://purvapaksa.com/rare-talent-nitish-kumar-reddy/