ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ଅନେକ ଜୀବନ ନେବା ସହ ୨୦୦ରୁ ଅଧିକ ପରିବାରକୁ ନଷ୍ଟ କରିଦେଇଛି। ଏହି ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଛି ଏବଂ ଏୟାର ଇଣ୍ଡିଆ ପରିଚାଳନାକୁ ସ୍ତବ୍ଧ କରିଦେଇଛି। ଅନେକ ପ୍ରଶ୍ନ ଆଉ ଆଶା ଆକାଂକ୍ଷା ଭିତରେ ସବୁ ପୋଡି ପାଉଁଶ ହୋଇ ଯାଇଛି। ଏକ ବିରଳ ଦୁର୍ଘଟଣାରେ, ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବା ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ମୋଟ ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି।ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିବା ବେଳେ ସମଗ୍ର ଅଞ୍ଚଳ ଧୂଆଁ ମୟ ହୋଇ ଯାଇଥିଲା। ଜୀବଜନ୍ତୁ ବି ଏଥିରୁ ରକ୍ଷା ପାଇ ନଥିଲେ। ବିମାନଟି ଉଡ଼ାଣ ଆରମ୍ଭ କରିବାର ମାତ୍ର ୩୦ ସେକେଣ୍ଡ ପରେ ବିମାନବନ୍ଦରରୁ ମାତ୍ର ୨ କିଲୋମିଟର ଦୂରରେ ଏକ ମେଡିକାଲ କଲେଜ ହଷ୍ଟେଲ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏହି ଦୁର୍ଘଟଣାର ଦୁଇଦିନ ପରେ ଏୟାର ଇଣ୍ଡିଆ ନେଇଛି ବଡ ନିଷ୍ପତି। ପିଟିଆଇ ଅନୁଯାୟୀ ଦିବଙ୍ଗତ ଆତ୍ମାଙ୍କ ପ୍ରତି ସମ୍ମାନା ଜଣାଇ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ‘171’ ଫ୍ଲାଇଟ୍ ନମ୍ବରକୁ ଅବସର ଦେବାକୁ ନିଷ୍ପତି ନେଇଛି। ବୋଇଂ 787-8 ଡ୍ରିମଲାଇନର୍ ବିମାନ, ଯାହା ଏହାର ୧୬ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଦୁର୍ଘଟଣାଗ୍ରସ୍ତ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ୍ ପାଇଁ ଫ୍ଲାଇଟ୍ AI-171 ସେବା ଯୋଗାଉଥିଲା।
ଏହା ସାଧାରଣ କଥା ଯେ, ମାରାତ୍ମକ ଦୁର୍ଘଟଣା ପରେ ବିମାନ କମ୍ପାନୀଗୁଡ଼ିକ ନିର୍ଦ୍ଦିଷ୍ଟ ଫ୍ଲାଇଟ୍ ନମ୍ବର ବ୍ୟବହାର ବନ୍ଦ କରିଦିଅନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ, ଏକ କମ୍ ମୂଲ୍ୟର ବିମାନ କମ୍ପାନୀ ଏବଂ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ମାଲିକାନା ଥିବା ସହାୟକ କମ୍ପାନୀ ଯାହା ଭାରତ, ମଧ୍ୟପ୍ରାଚ୍ୟ ଏବଂ ଦକ୍ଷିଣ ପୂର୍ବ ଏସିଆର ୪୫ ଟି ସ୍ଥାନକୁ ବିମାନ ସେବା ପ୍ରଦାନ କରେ। ତେବେ ଏହି ଦୁର୍ଘଟଣା ପରେ ଏହାର ଉଡ଼ାଣ ନମ୍ବର ‘IX-171’ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ।
ଏହାପୂର୍ବରୁ ୨୦୨୦ ମସିହାରେ କୋଝିକୋଡରେ ଏହାର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ, ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ନମ୍ବର IX-1344 ବ୍ୟବହାର ବନ୍ଦ କରିଦେଇଥିଲା। ମାଲେସିଆ ଏୟାରଲାଇନ୍ସ ଫ୍ଲାଇଟ୍ MH370 ଏବଂ ଲାୟନ୍ ଏୟାର ଫ୍ଲାଇଟ୍ JT610 କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖାଯାଇଥିଲା, ଦୁର୍ଘଟଣା ପରେ ଉଭୟର ଫ୍ଲାଇଟ୍ ନମ୍ବର ପରିବର୍ତ୍ତନ କରାଯାଇଥିଲା। ଏହି ପରିବର୍ତ୍ତନଗୁଡ଼ିକୁ ପ୍ରାୟତଃ ଲୋକଙ୍କୁ ଆଗକୁ ବଢ଼ିବା ଏବଂ ବିମାନ ଯାତ୍ରାରେ ବିଶ୍ୱାସ ଫେରାଇ ଆଣିବା ପାଇଁ ଏକ ଆବଶ୍ୟକୀୟ ପଦକ୍ଷେପ ଭାବରେ ଦେଖାଯାଏ।
ଦୁର୍ଘଟଣାର ବର୍ତ୍ତମାନର ତଦନ୍ତ ଚାଲିଛି, ଅଧିକାରୀମାନେ ସମ୍ଭାବ୍ୟ ବୈଷୟିକ ଏବଂ ମାନବୀୟ ତ୍ରୁଟିର ତଦନ୍ତ କରୁଛନ୍ତି। ଦୁର୍ଘଟଣାର କାରଣ ବୁଝିବା ପାଇଁ ବ୍ଲାକ୍ ବାକ୍ସଗୁଡ଼ିକର ପୁନରୁଦ୍ଧାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପର୍ଯ୍ୟନ୍ତ ଦୁଇଟି ବ୍ଲାକ୍ ବାକ୍ସ ମଧ୍ୟରୁ ଗୋଟିଏ ଉଦ୍ଧାର କରାଯାଇଛି, ଏବଂ ଅନ୍ୟଟିକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି। ଜାତୀୟ ତଦନ୍ତ ସଂସ୍ଥା (NIA) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାର ସହାୟତାରେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଆନୁଷ୍ଠାନିକ ଭାବରେ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଏୟାର ଇଣ୍ଡିଆର ମାଲିକ ଟାଟା ଗ୍ରୁପ୍ ପ୍ରତ୍ୟେକ ପୀଡିତଙ୍କ ପରିବାର ପାଇଁ ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛି। ମଣ୍ଟ୍ରିଆଲ୍ କନଭେନସନ୍ ଚୁକ୍ତି ଅନୁଯାୟୀ ଏୟାର ଇଣ୍ଡିଆ ପ୍ରତ୍ୟେକ ପୀଡିତଙ୍କୁ ପ୍ରାୟ ୧.୫ କୋଟି ଟଙ୍କା ପ୍ରଦାନ କରିବ ବୋଲି ମଧ୍ୟ ଆଶା କରାଯାଉଛି। ଦୁର୍ଘଟଣା ସହିତ ଜଡିତ ମୋଟ କ୍ଷତିପୂରଣ ପ୍ରାୟ ୩୬୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
Also read https://purvapaksa.com/neet-ug-2025-results-declared/