ଓଡ଼ିଶା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡି ହେବ ନୂଆ ଅଧାୟ। ଏଥର ଏଆଇ କରିବ ଗର୍ଭବତୀଙ୍କ ଚିକିତ୍ସା, ଉପାନ୍ତ ରାୟଗଡ଼ାରେ ପ୍ରଥମ କରି ହେବ ଏହାର ବ୍ୟବହାର। ଏହି ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାର ଜାତୀୟ ପରିସଂଖ୍ୟାନ ଠାରୁ ଅଧିକ ରହୁଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି ପଦକ୍ଷପ ନେଇଛନ୍ତି ରାଜ୍ୟ ସରକାର। ଏଥି ପାଇଁ ଗର୍ଭାବସ୍ଥା ନିରୀକ୍ଷଣ ପାଇଁ ଡିଜିଟାଲ ଡାଇଗ୍ନୋସିସ୍ ଡିଭାଇସ କିଟ୍ ବ୍ୟବହାର କରାଯିବ। ପୂର୍ବରୁ ଏହାର ସଫଳ ପରୀକ୍ଷଣ ସରିଛି। ଏଥିରେ ଏଆଇ ସହାୟତାରେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ହେବ। ଏହାପରେ ଆଉ ଗର୍ଭବତୀ ମହିଳାଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ ଲଗେଇବାକୁ ପଡିବ ନାହିଁ। ଏବେ ନର୍ସ, ଡାକ୍ତରଙ୍କ ଅନୁପସ୍ଥିତି ବି ସମସ୍ୟା ସୃଷ୍ଟି କରିବ ନାହିଁ କି ରିପୋର୍ଟ ଆସିବାରେ ବିଳମ୍ବ ହେବ ନାହିଁ।
ଏଆଇ ଏବେ ସବୁ କାମ ଫାଟଫଟ କରିଦେବ। ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଜାଣି ତୁରନ୍ତ ଉପଯୁକ୍ତ ଚିକିତ୍ସା ମିଳି ପାରିବ। ଭ୍ରୁଣ ଅବସ୍ଥାରୁ ପ୍ରସବ ପର୍ଯ୍ୟନ୍ତ ଏଇଆ ଦ୍ବାରା ମହିଳାଙ୍କ ସ୍ବାସ୍ଥ୍ୟର ଅନୁଧ୍ୟାନ କରାଯିବ। ଏହି କିଟ୍ ପରିଚାଳନା ସହ ଗର୍ଭବତୀଙ୍କ ସ୍ବାସ୍ଥ୍ୟସେବା ଯାଞ୍ଚ ପାଇଁ ଆଶା କର୍ମୀଙ୍କୁ ତାଲିମ ଦିଆଯିବା ସହ ସ୍ମାର୍ଟ ଫୋନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଆଶା କର୍ମୀ ଗର୍ଭବତୀଙ୍କ ତଥ୍ୟ ସଂଗ୍ରହ କରିବା ପରେ ସଫ୍ଟୱେର ମାଧ୍ୟମରେ ତାହାର ଅନୁଶୀଳନ କରାଯିବ। ଏହି ରିପୋର୍ଟ ଆଧାରରେ ଡାକ୍ତର ପରାମର୍ଶ ଦେବେ। ଏହା ମା’ ଓ ଶିଶୁର ରୋଗକୁ ଚିହ୍ନଟ କରିବା ସହ ଡାକ୍ତରଙ୍କ ଅଭାବ ଦୂର କରିବ। ଏହା ଚିକିତ୍ସା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଇଛି। ଏହାକୁ ଆଶା କର୍ମୀଙ୍କଠାରୁ ଆରମ୍ଭ କରି ଡାକ୍ତରମାନେ ମଧ୍ୟ ସ୍ବାଗତ କରିଛନ୍ତି। ତେବେ ଦେଖାଯାଉ ଏହି ପଦ୍ଧତି କେତେ ଲାଭ ଦାୟକ ହେଉଛି।
Also read https://purvapaksa.com/after-four-years-air-health-services-reboot/
