ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ଥିଏରି ମାଥୋ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶା ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକୀୟ ରଣନୀତି ଉପରେ ଆଲୋଚନା କରିଛନ୍ତି।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନ ଅଧୀନରେ ଓଡ଼ିଶାର ବିକାଶ ଏବଂ ରାଜ୍ୟରେ ପୁଞ୍ଜିନିବେଶ, ଶିକ୍ଷା, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସୁଯୋଗ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା।
ଫ୍ରାନ୍ସ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସିଏମଓ ପକ୍ଷରୁ କୁହାଯାଇଛି।
ଫ୍ରାନ୍ସ ପ୍ରତିନିଧି ଦଳ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆଙ୍କୁ ମଧ୍ୟ ଭେଟିଥିଲେ। ସ୍ଥାୟୀ ପର୍ଯ୍ୟଟନ ଏବଂ ସାଂସ୍କୃତିକ ଆଦାନ ପ୍ରଦାନକ୍ଷେତ୍ରରେ ସେମାନେ ଭାଗିଦାରୀ ସୁଯୋଗ ଉପରେ ଆଲୋକପାତ କରିଥିଲେ। ଜଙ୍ଗଲ ସମ୍ପଦ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଓଡ଼ିଶା ସରକାରଙ୍କ ସହ ସହଯୋଗ କରିବାକୁ ଫ୍ରାନ୍ସ ପ୍ରତିନିଧି ଦଳ ଆଗ୍ରହ ପ୍ରକାଶ କରିଥିଲେ।
ବୈଠକ ପରେ ମାଥୁ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ପର୍ଯ୍ୟଟନ, ସାଂସ୍କୃତିକ ସମନ୍ୱୟ ବିକାଶ, ଜୈବ ବିବିଧତା ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭ କ୍ଷେତ୍ରରେ ସହଯୋଗ ସହିତ ଅଂଶୀଦାର ଦକ୍ଷତା ମାଧ୍ୟମରେ କ୍ରୀଡ଼ା ପ୍ରତିଭାକୁ ବି ପ୍ରୋତ୍ସାହିତ କରିବା ଉପରେ ଆଲୋଚନା ହୋଇଥିଲା।
ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱର ଆସି ଓଡ଼ିଶା ସରକାରଙ୍କ ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଆଲୋଚନା କରିଯାଇଛନ୍ତି ।
Also readhttps://purvapaksa.com/wakf-politics-division-of-minorities-in-bjd/