ମାଲକାନଗିରି ସ୍ଥିତ ଜଳସେଚନ ଉପନିର୍ଦ୍ଦେଶକ ଓ ପ୍ରକଳ୍ପ ନିର୍ଦେଶକ (ପିଡି)ଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରି ପ୍ରାୟ ୨ କୋଟି ଟଙ୍କା ନଗଦ ଠାବ କରିବା ପରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ କପିଳପ୍ରସାଦ ଶାଖାସ୍ଥିତ ଏସ୍ ବିଆଇରେ ଥିବା ଲକରର ଯାଞ୍ଚ ପାଇଁ ଗୁରୁବାର ଭୁବନେଶ୍ୱର ଆଣିଛି।ଶାନ୍ତନୁ ମହାପାତ୍ର ନାମକ ଏହି ସରକାରୀ ଅଧିକାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଛି।ଅଧିକାରୀଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଚଢ଼ାଉ କରି ଭିଜିଲାନ୍ସ ଅଧିକାରୀମାନେ ବିପୁଳ ପରିମାଣର ସମ୍ପତ୍ତି ଠାବ କରିଛନ୍ତି। ଚଢ଼ାଉ ବେଳେ ନଗଦ ୨.୦୬ କୋଟି ଟଙ୍କା ସହ ୪୨୨ ଗ୍ରାମ ସୁନା ମିଳିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।
ସୂତ୍ରରୁ ପ୍ରକାଶ ଯେ ତାଙ୍କ ରିୟଲ ଇଷ୍ଟେଟ୍ ପୋର୍ଟଫୋଲିଓ ଉଲ୍ଲେଖନୀୟ ଭାବରେ ବିସ୍ତୃତ, ଯେଉଁଥିରେ ସାରା ରାଜ୍ୟରେ ବିଭିନ୍ନ ଜମି ଏବଂ ଅନେକ ବିଳାସପୂର୍ଣ୍ଣ ବାସଭବନ ରହିଛି। ସୂଚନାଯୋଗ୍ୟ, କୋରାପୁଟରେ ତାଙ୍କର ଏକ ତିନି ମହଲା ଘର ରହିଛି, ଯାହା କି ୬ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ରହିଛି। ଜୟପୁର ଓ ଭୁବନେଶ୍ୱରରେ ଥିବା ୪ଟି ମୂଲ୍ୟବାନ ପ୍ଲଟ୍ ମଧ୍ୟ ତାଙ୍କ ନିକଟରେ ରହିଛି।
ଭିଜିଲାନ୍ସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଶ୍ରୀ ମହାପାତ୍ର ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ସନ୍ଦେହ କରାଯାଉଛି। ଶ୍ରୀ ମହାପାତ୍ର ଓ ତାଙ୍କ ସହଯୋଗୀମାନେ ସରକାରୀ ପାଣ୍ଠିରୁ କାମ ଦେଖାଇ ଶ୍ରମିକ ଆକାଉଣ୍ଟକୁ ଟଙ୍କା ପଇଠ କରିଥିବା ସନ୍ଦେହ କରାଯାଉଛି।
ବିଶ୍ୱଜିତ ମଣ୍ଡଳ, ଡିଇଓ ଓ କାର୍ଯ୍ୟାଳୟର ଠିକା କର୍ମଚାରୀ ଅମୀୟକାନ୍ତ ସାହୁଙ୍କ ବାସଭବନରେ ଚଢ଼ାଉ କରି ବହୁ ସଂଖ୍ୟାରେ ଶ୍ରମିକଙ୍କ ପାସ୍ବୁକ୍ ଜବତ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି କର୍ମଚାରୀମାନେ ସରକାରୀ ପାଣ୍ଠିକୁ ସୁରୁଖୁରୁରେ ଉଠାଣ ଓ ଅପବ୍ୟବହାର କରିବା ପାଇଁ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟ ଚଳାଉଥିଲେ। ଏ ସଂକ୍ରାନ୍ତରେ ପୃଥକ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଗତ ୨ ବର୍ଷ ରେ ଶେଷ ହୋଇଥିବା କାର୍ଯ୍ୟ ସହ ଜଡ଼ିତ ଫାଇଲଗୁଡ଼ିକୁ ଯାଞ୍ଚ ପାଇଁ ଅଣାଯାଇଛି।
ଗଞ୍ଜାମ ଜଗନ୍ନାଥ ପ୍ରସାଦରେ ଜନସେବା କେନ୍ଦ୍ର ଚଳାଉଥିବା ଅଲେଖ ଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଲାଞ୍ଚ ଆଦାୟରେ ମହାପାତ୍ରଙ୍କ ବାହକ ଭାବେ କାର୍ଯ୍ୟ କରୁଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଶ୍ରୀ ମହାପାତ୍ରଙ୍କ ତରଫରୁ ଠିକାଦାର ଓ ଅନ୍ୟମାନଙ୍କଠାରୁ ଅନଲାଇନରେ ଲାଞ୍ଚ ଆଦାୟ କରି ପରେ ତାଙ୍କୁ ହସ୍ତାନ୍ତର କରୁଥିବା ଅଭିଯୋଗ ହୋଇଥିଲା। ଚଢ଼ାଉ ବେଳେ ଶ୍ରୀ ପ୍ରଧାନ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଟଙ୍କାର ବଦଳି କରିଥିବାର ପ୍ରମାଣ ସଂଗ୍ରହ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଜବତ ହୋଇଥିବା ମୋଟ ୨ କୋଟି ୬ ଲକ୍ଷ ଟଙ୍କା ମଧ୍ୟରୁ ଶ୍ରୀ ମହାପାତ୍ରଙ୍କ ଘରୁ ୧ କୋଟି ୯୮ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ଅବଶିଷ୍ଟ ଟଙ୍କା ତାଙ୍କ ସହ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ଜବତ କରାଯାଇଛି। ଚଢ଼ାଉ ବେଳେ ଭିଜିଲାନ୍ସ ୪୨୨ ଗ୍ରାମ ଓଜନର ସୁନା ଅଳଙ୍କାର, ବ୍ୟାଙ୍କ, ବୀମା, ୯୧ ଲକ୍ଷ ଟଙ୍କାର ଅନ୍ୟାନ୍ୟ ଜମା, ଭୁବନେଶ୍ୱର ଓ ଜୟପୁର ସହରରେ ୪ଟି ମହଙ୍ଗା ପ୍ଲଟ, ଗୋଟିଏ ଚାରି ଚକିଆ ଯାନ, ଦୁଇଟି ଦୁଇ ଚକିଆ ଯାନ ଓ ୨୯ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଜବତ କରିଛି।
ଶ୍ରୀ ମହାପାତ୍ର କୃଷି ଅର୍ଥନୀତିରେ ଏମଏସସି କରିବା ପରେ ୧୯୯୫ ମସିହାରୁ ସରକାରରେ କାର୍ଯ୍ୟ କରୁଛନ୍ତି । ସେ ପ୍ରାୟ ତିନି ଦଶନ୍ଧି ଧରି ଅବିଭକ୍ତ କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି।
୨.୦୬ କୋଟି ଟଙ୍କା ଜବତ ଓଡ଼ିଶା ଭିଜିଲାନ୍ସ ଇତିହାସରେ ଶ୍ରେଷ୍ଠ ୩ଟି ବୃହତ୍ ନଗଦ ଟଙ୍କା ମଧ୍ୟରୁ ଅନ୍ୟତମ। ୨୦୨୨ରେ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଠାରୁ ୩ କୋଟି ୪୧ ଲକ୍ଷ ଟଙ୍କା ଜବତ ହୋଇଥିଲା। ୨୦୨୩ରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଠାରୁ ୩ କୋଟି ୧୨ ଲକ୍ଷ ଟଙ୍କା ଆଦାୟ ହୋଇଥିଲା।
Also read https://purvapaksa.com/fake-beneficiaries-in-prime-ministers-housing-list/