ରଥଯାତ୍ରାରେ ବିଭ୍ରାଟ ହେବା କିଛି ନୂଆ କଥା ନୁହେଁ। ଶତାବ୍ଦୀ ପୂର୍ବରୁ ହେଉଥିଲା ଆଉ ଏବେବି ହେଉଛି। କେବଳ ଫରକ ଏତିକି ଯେ, ଏତେ ଟେକ୍ନୋଲୋଜି, ସୁବିଧା ସୁଯୋଗ ଥାଇ ମଧ୍ୟ ଆମେ ସାମାନ୍ୟ ସମନ୍ୱୟ ରକ୍ଷା କରିନପାରିବାରୁ ବିଭ୍ରାଟ ଘଟୁଛି। ଇତିହାସକୁ ଦ୍ୱାହି ଦେଇ ଆମେ ଖସିଯିବାକୁ ଚେଷ୍ଟା କରୁଛୁ। ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା କହି ଭକ୍ତଙ୍କ ସମବେଦନା ହାସଲ କରୁଛୁ। କିନ୍ତୁ ଆମେ ଆମର ମୂଳ କର୍ତ୍ତବ୍ୟକୁ ଭୁଲି ଯାଉଛୁ। ଏ ପ୍ରସଙ୍ଗ ଆଜି ସାରା ଓଡ଼ିଶାରେ ଏବଂ ବିଶ୍ୱର କୋଣେ ଅନୁକୋଣେ ଥିବା ଆମର ସମସ୍ତ ଜଗନ୍ନାଥପ୍ରେମୀଙ୍କ ଭିତରେ ଆଲୋଚିତ ହେଉଛି। ସେହି ଆଲୋଚନାକୁ ନେଇ ଆଜିର ଆଲୋଚନା।
ଆମର ଆସ୍ଥା, ଭାବାବେଗ, ବିଶ୍ୱାସ ସର୍ବୋପରି ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କରି ଯାତ୍ରାକୁ ସୁଗମ, ସୁସଜ୍ଜିତ, ଶୃଙ୍ଖଳିତ କରିବା ହେଉଛି ପ୍ରଶାସନର ଦାୟିତ୍ୱ। ସେ ରାଜତନ୍ତ୍ରର ସମୟ ହେଉ ବା ଶରଣ କାଳର ସମୟ ହେଉ ଅଥବା ଉପନିବେଶ କାଳ ସବୁବେଳେ ଯିଏ ବି ଯେତେବେଳେ ଶାସନ କରିଛି ସେ ହେଜିଛି ଯେ, ଜଗନ୍ନାଥ ହିଁ ଏ ଭୂଇଁ, ଏ ଆକାଶର ପାଳନକର୍ତ୍ତା। ତାଙ୍କରି ଶୃଙ୍ଖଳାରେ ବିଶୃଙ୍ଖଳା କରିବା ଅର୍ଥ ନିଜ ଶାସନକୁ ବିପଦରେ ପକାଇବା। ଯେତେବେଳେ ଗଣତନ୍ତ୍ର ଆପଣାଇଲୁ ଆମେ ସେଇ ଧାରାକୁ ଅକ୍ଷୁର୍ଣ୍ଣ ରଖିବାକୁ ବାଧ୍ୟ ହେଲୁ, ଆଜି ବି ସେ ଧାରା ଚାଲିଛି। କିନ୍ତୁ ଯଦି କୌଣସି ଜିନିଷରେ ଆମେ ସାଲିସ କରିଛୁ ତାହା ହେଲା ଶୃଙ୍ଖଳା ରକ୍ଷା। ବିଶେଷ କରି ଏକବିଂଶ ଶତାବ୍ଦୀର ପ୍ରବେଶ ପ୍ରଶାସକମାନଙ୍କ ଏହି ମାନସିକତାକୁ ଅଧିକ ଆକ୍ରାନ୍ତ କରିଛି। ତତ୍ସ୍ୱରୂପ ବାରମ୍ବାର ଶ୍ରୀମନ୍ଦିରରେ ଅଘଟଣ, ବିଶୃଙ୍ଖଳା, ଓ ଭାବାବେଗର ସହ ଚକ୍ରାନ୍ତ କରାଯାଉଛି। କିଛି ଲୋକ ଏଥିରେ ପକେଟ ଗରମ କରୁଛନ୍ତି ସତ, କିଛି ପ୍ରଶାସକ ଫାଇଦା ପାଇଛନ୍ତି ସତ କିନ୍ତୁ ଲୋକେ ଅସନ୍ତୁଷ୍ଟ ହୋଇଛନ୍ତି, କୋର୍ଟ ଭର୍ତ୍ସନା କରିଛନ୍ତି, ସରକାର ବଦଳିଛି ଦେଶ ବିଦେଶରେ ଆମେ ବଦନାମ ହୋଇଛୁ।
ମୁଁ ଆଜି ଏ ବିଷୟକୁ ଆପଣଙ୍କ ସାମ୍ନାକୁ ଆଣିବାକୁ ଏଥିପାଇଁ ବାଛିଲି କାରଣ ଏ ଯେଉଁ ସରକାରଙ୍କୁ ଆମେ ଭୋଟ୍ ଦେଇ ନିର୍ବାଚିତ କରିଛୁ; ତାହାର ନିର୍ବାଚନୀ ଆଶ୍ୱାସନାରେ ପ୍ରଥମ ବିନ୍ଦୁ ଥିଲା ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା। ହେଲେ ଗଲା ଦୁଇବର୍ଷର ରଥଯାତ୍ରାକୁ ଅନୁଶୀଳନ କରିବାକୁ ଗଲେ ଏ ସରକାର ଓ ସରକାରୀ କଳ ଆମକୁ ନିନ୍ଦା ଛଡ଼ା ଆଉକିଛି ଦେଇ ନାହାନ୍ତି। ଗତବର୍ଷ ବଳଭଦ୍ରଙ୍କ ପହଣ୍ଡି ସମୟରେ ପ୍ରଭୁ ଖସିପଡ଼ିବା ଏକ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଥିଲା। ଆଉ ଚଳିତ ବର୍ଷର ରଥଟଣାରେ ଅନିୟମିତ ଆଚରଣ କରି ଶ୍ରୀମନ୍ଦିର ପ୍ରଶାସକ ‘ପ୍ରଭୁଙ୍କ ଇଚ୍ଛା’ ବୋଲି କହି ପଳାୟନମାର୍ଗ ଆପଣାଇବା ଆମର ଅପରାଗତାକୁ ପଦାରେ ପକାଇଛି।
ଯେଉଁ ପ୍ରଶାସକଙ୍କ କଥା ମୁଁ ଏଠାରେ କହିବାକୁ ଚାହୁଁଛି ସେ ହେଉଛନ୍ତି ଅରବିନ୍ଦ ପାଢ଼ୀ। ୧୯୯୬ ବ୍ୟାଚର ଆଇଏଏସ୍ ଅଧିକାରୀ। ଗତ ରଥଯାତ୍ରାରେ ପହଣ୍ଡିବେଳେ ବଳଭଦ୍ର ଖସିପଡ଼ିବା ଘଟଣାରେ ନୂଆ ସରକାର ତତ୍କାଳୀନ ପ୍ରଶାସକ ବୀରବିକ୍ରମ ଯାଦବଙ୍କୁ ହଟାଇ ଅରବିନ୍ଦଙ୍କୁ ଦାୟିତ୍ୱ ଦେଇଥିଲେ। ମୂଳରେ ଏହା ଉଦ୍ଦେଶ୍ୟ ଥିଲେ ଯେ ସେ ଜଣେ ଓଡ଼ିଆ ପୁଅ, ଓଡ଼ିଆ ସଂସ୍କୃତିକୁ ବୁଝନ୍ତି ବୋଲି ପ୍ରଚାର କରନ୍ତି ଆଉ ପୂର୍ବରୁ ତାଙ୍କର ରଥଯାତ୍ରା ପରିଚାଳନାରେ ଅଭିଜ୍ଞତା ଥିଲା। କିଛିଦିନ ପରେ ତାଙ୍କୁ ସ୍ଥାୟୀଭାବେ ଏହି ଦାୟିତ୍ୱ ଦିଆଯାଇଥିଲା।
ଏଠାରେ ମନେପକାଇ ଦେବାକୁ ଚାହେଁ ଯେ ଶ୍ରୀ ପାଢ଼ୀ ୨୦୧୨-୨-୧୪ ଯାଏ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଥିଲେ। ସେ ସମୟରେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଅପସାରଣ କରି ଶ୍ରୀ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଦୁଇଟି ଦାୟିତ୍ୱରେ ଥିବା ଅରବିନ୍ଦଙ୍କ ସମୟରେ ଶ୍ରୀମନ୍ଦିର ଅନେକଗୁଡ଼ିଏ ପ୍ରସଙ୍ଗ ହେତୁ ଚର୍ଚ୍ଚାର ବିଷୟ ହୋଇଥିଲା। ସେ ସମୟରେ ଅଣହିନ୍ଦୁଙ୍କ ପ୍ରବେଶକୁ ନେଇ ଅନେକ ଖବରକାଗଜରେ ଚର୍ଚ୍ଚା ହୋଇଥିଲା। ଯଦିଓ ଅଣହିନ୍ଦୁଙ୍କ ପ୍ରବେଶକୁ ଇଂରେଜ ଶାସନ ସମୟରୁ ବାରଣ କରାଯାଇ ଏକ ବୋର୍ଡ ସ୍ଥାପନ କରାଯାଇଥିଲା, ଏ ବିଷୟକୁ ଉଠାଇବା ପଛରେ କିଛି ଷଡ଼ଯନ୍ତ୍ର ଜଡ଼ିତ ଥିବା ଅଭିଯୋଗହୁଏ। କିନ୍ତୁ ଶ୍ରୀ ପାଢ଼ୀଙ୍କ ସମୟ ପରେ ଏ ବିଷୟ ଆଉ ସେତିକି ଚର୍ଚ୍ଚିତ ହୋଇନାହିଁ।
ଶ୍ରୀଜୀଉଙ୍କ ବନକ ଲାଗିପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ବାଧ୍ୟତମୂଳକ କରାଯିବା ପରେ ସେବାୟତ ଅସନ୍ତୁଷ୍ଟ ହୋଇଥିଲା। ସେହିପି ୨୦୧୩ ମସିହାରେ ଦଇତାପତି ସେବାୟତ ଓ ପ୍ରଶାସନ ଭିତରେ ଖେଇ ଅର୍ଥକୁ ନେଇ ମଧ୍ୟଳ ଅନେକ ବିବାଦ ସୃଷ୍ଟି ହୋଇଥିଲା। କିନ୍ତୁ ଯେଉଁ ପ୍ରସଙ୍ଗ ସେତେବେଳେ ଉଠିଥିଲା ତାହାକୁ ଏବେ ସରକାର ନିୟମରେ ପରିଣତ କରିଛନ୍ତି। ପୁଣି ରତ୍ନଭଣ୍ଡାର ବିବାଦ ସେହି ସମୟରେ ମଞ୍ଜି ବୁଣିଥିଲା। ରତ୍ନ ପରିଚାଳନାରେ ସ୍ୱଚ୍ଛତା ରହୁନଥିବା ଅଭିଯୋଗ ହୋଇଥିଲା। ଏହା ଭକ୍ତଙ୍କ ଆବେଗକୁ ଅନେକ ପରିମାଣରେ ଆଘାତ ପହଞ୍ଚାଇଥିଲା। ଆଉ ମିଡିଆର ପ୍ରମୁଖ ଚର୍ଚ୍ଚାରେ ଥିଲେ ପ୍ରଶାସକ ଶ୍ରୀ ପାଢ଼ୀ। କିନ୍ତୁ ସେତେବେଳେ ରଥଯାତ୍ରା ସମୟରେ ହୋଇଥିବା ବିଭ୍ରାଟ ସେତେବେଳେ ଭକ୍ତଙ୍କୁ ବହୁତ ବାଧିଥିଲା। ଲମ୍ବା ଧାଡ଼ି, ଦର୍ଶନରେ ବିଳମ୍ବ, ବୟସ୍କ ବ୍ୟକ୍ତିମାନେ ଦର୍ଶନରୁ ବଞ୍ଚିତ ହେବା ଏକ ବଡ଼ ପ୍ରସଙ୍ଗ ସୃଷ୍ଟି କରିଥିଲା। ଆଉ ରଥଯାତ୍ରା ସମୟରେ ହିଁ ତାଙ୍କୁ ବଦଳାଇ ତତ୍କାଳୀନ ସରକାର ପୁଣିଥରେ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଥିଲେ।
ଆଜି ସମାନ ଏକ ଘଟଣାରେ ୨୦୨୪ ରଥଯାତ୍ରା ସମୟରେ ଶ୍ରୀ ପାଢ଼ୀଙ୍କ ନିଯୁକ୍ତି ହୋଇଛି। ଏହି ନିଯୁକ୍ତିର ଏହା ହେଉଛି ଦ୍ୱିତୀୟ ରଥଯାତ୍ରା। ଯାହାର ଆରମ୍ଭରୁ ଆରମ୍ଭ ହୋଇଛି ବିବାଦ ଆଉ ବିଭ୍ରାଟ। ରଥ ନିର୍ମାଣକୁ ସଂଯୋଜିତ କରିବା, ପ୍ରାଶାସନ, ସେବକଙ୍କ ସହ ତାଳମେଳ ରକ୍ଷାକରିବା ଦାୟିତ୍ୱ ହେଉଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ। କିନ୍ତୁ ଏ ବର୍ଷ ରଥ ଦକ୍ଷିଣ ମୋଡ଼ ସମୟରେ ହିଁ ସାମାନ୍ୟ ତ୍ରୁଟି ଥିବା ପରିଲକ୍ଷିତ ହୋଇଥିଲା। ହେଲେ ପ୍ରଶାସନିକ ଧ୍ୟାନର ଅଭାବ ଯୋଗୁ ତାହା ରଥଯାତ୍ରା ଦିନ ଏକ ବଡ଼ ବିଭ୍ରାଟରେ ପରିବର୍ତ୍ତନ ହୋଇଥିବା ଅଭିଯୋଗ ହୁଏ। ସେହି କାରଣ ଯୋଗୁ ହିଁ ବଳଭଦ୍ରଙ୍କ ରଥ ବାରମ୍ବାର ମୋଡ଼ ନେଇଥିଲା। ଯଦି ଦକ୍ଷିଣ ମୋଡ଼ ଦିନ ଇଞ୍ଜିନିୟରିଂ ଜ୍ଞାନ କୌଶଳ ପ୍ରୟୋଗ କରି ଉଠିଥିବା ପ୍ରସଙ୍ଗର ସମାଧାନ କରାଯାଇ ପାରିଥାଆନ୍ତା ତେବେ ଏହି ବିଭ୍ରାଟ ଗହଳି ଭିତରେ ହୋଇନଥାନ୍ତା ବୋଲି ଅନେକ କହନ୍ତି।
ଦ୍ୱିତୀୟରେ ଭିଡ଼ ନିୟନ୍ତ୍ରଣ ଓ ନୀତି ଶୃଙ୍ଖଳା। ସରକାର ଓ ପ୍ରଶାସନ କୌଣସି ନୀତି ବିଳମ୍ବ ହୋଇନାହିଁ ବୋଲି ସଫେଇ ଦେିଛନ୍ତି। ଏପରିକି ପୂର୍ବ ବର୍ଷର ରେକର୍ଡ ଖୋଲି ଏହା କୌଣସି ବିଭ୍ରାଟ ନୁହେଁ ବୋଲି କହିଛନ୍ତି। ରଥ ରାତିରେ ଟଣାଯିବାର ନଜୀର ଇତିହାସରେ ରହିଛି ଏବଂ ଏହା ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ମନ୍ତ୍ରୀ ମଧ୍ୟ ସଫେଇକୁ ଆଉ ପଦେ ଆଗକୁ ନେଇ ଲୋକ ଅଧିକ ହୋଇଯିବାରୁ ଏପରି ହୋଇଥିବା କହିଛନ୍ତି।
ପ୍ରଥମେ ଇତିହାସ ପୃଷ୍ଠାରେ ଯଦି ଭକ୍ତଙ୍କ ଉପସ୍ଥିତିକୁ ଦେଖିବା ତେବେ ୧୯୦୫ ମସିହାରେ ପୁରୀରେ ପ୍ରାୟ ଦେଢ଼ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ରଥଯାତ୍ରାରେ ବଙ୍ଗୀୟ ଯାତ୍ରୀ ୫୦ ହଜାର ପାଖାପାଖି ଥିବାବେଳେ ଉତ୍କଳୀୟ ଯାତ୍ରୀ ପ୍ରାୟ ୮୦ ହଜାରଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଯୁଗେଯୁଗେ ରଥଯାତ୍ରା ପୁସ୍ତକରେ ବର୍ଣ୍ଣନା କରାଯାଇଛି। ଏହା ସେତେବେଳେ ସମୁଦାୟ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ। ୧୯୦୧ ଜନଗଣନା ଅନୁସାରେ ପୁରୀ ଜିଲ୍ଲାର ଲୋକସଂଖ୍ୟା ୧୦ଲକ୍ଷ ୧୭ ହଜାର ୨୮୪ ଥିଲା। ସେତେବେଳେ ପ୍ରଚାର ପ୍ରସାର ଏତେ ନ ଥିଲା କି ଯୋଗାଯୋଗ। ଧୀରେ ଧୀରେ ରେଳ ସଂଯୋଗ ବଢ଼ିବାଦ୍ୱାରା ଲୋକଙ୍କ ଆଗମନ ଦିନକୁ ଦିନ ବଢ଼ି ଚାଲିଲା। ପୁଣି ଲୋକଙ୍କ ଆଗମନ ପୁରୀରେ ଅର୍ଥ ଉପାର୍ଜନ ଓ ବ୍ୟବସାୟର ମାଧ୍ୟମ ହୋଇଥିଲା। ଏବର୍ଷ ୨୦ ଲକ୍ଷ ଲୋକଙ୍କ ଆଗମନକୁ ଆଶା କରାଯାଇଥିଲା। ଯାହାଦ୍ୱାରା ୫୦୦ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ବି କିଛି କର୍ପାରେଟ୍ ଆଶା କରିଥିଲେ। ଅର୍ଥାତ୍ ସରକାର ଏହି ସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବା ଲାଗି ଯତ୍ନବାନ ହେବା ଆବଶ୍ୟକ ଥିଲା। ଏବେ ଯଦିଓ ଯାତ୍ରା ଶେଷ ହୋଇନାହିଁ ଏଣୁ କେତେ ଭକ୍ତ ଆସିଲେ ତାହା କହିବା ଏକ ମୁସ୍କିଲ୍ ବ୍ୟାପାର । କନ୍ତୁ ଗତବର୍ଷ ୧୦-୧୫ ଲକ୍ଷ ଭକ୍ତଙ୍କ ସମାଗମରେ ଯଦି ଠିକଣା ସମୟରେ ରଥ ପହଞ୍ଚିପାରିଥିଲା ତେବେ ଏହା ଏଥର କାହିଁକି ହୋଇପାରିଲା ନାହିଁ?
ଚଳିତ ବର୍ଷ ଦଳୀୟ କର୍ମୀଙ୍କୁ ଦୁଇ ଜଣ ମନ୍ତ୍ରୀ ୬ହଜାର କର୍ଡନ ପାଶ୍ ଦେଇଥିଲେ। ଏହି କର୍ମୀମାନେ କର୍ଡନ ଭିତରେ ପଶି ଏପରି ବିଶୃଙ୍ଖଳା କରିଥିଲେ ଯାହାଫଳରେ ରଥଟଣା କାମ ସୁରୁଖୁରୁରେ ହୋଇପାରିନଥିଲା। କେବଳ ସେତିକି ନୁହେଁ ଚଳିତ ବର୍ଷ ୭୦୦ରୁ ଅଧିକ ଭକ୍ତ ଆହତ ହେବା ଓ ପୁଲିସ ଦ୍ୱାରା ସାମ୍ବାଦିକଙ୍କୁ ମାଡ଼ ମରାଯାଇଛି। ତେଣୁ ପ୍ରଶ୍ନ ଉଠୁଛି ଏହା କ’ଣ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା?
ଦ୍ୱତୀୟ ପ୍ରଶ୍ନ; ଅନ୍ୟ ବର୍ଷ ତୁଳନାରେ ଏଥର ଅଧିକ ପୁଲିସବଳ ନିୟୋଜିତ କରାଯାଇଥିଲା। ୨୦୫ ପ୍ଲାଟୁନ୍ ପୁଲିସ ସହ ଏଆଇ ସକ୍ଷମ କ୍ୟାମେରା ଲଗାଯାଇଥିଲା। ତଥାପି ଭିଡ଼ ନିୟନ୍ତ୍ରଣରେ କେମିତି ବିଫଳ ହେଲା ପୁଲିସ? ଏହା କ’ଣ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା? ନା ନିଜର ଅପାରଗତାକୁ ଲୁଚାଇବା ଲାଗି ଏହି ଧାରାକୁ ଆପଣାଇଛନ୍ତି ମୁଖ୍ୟ ପ୍ରଶାସକ?
ରଥଯାତ୍ରା ଆରମ୍ଭରୁ ଅର୍ଥାତ୍ ଅଣସର ସମୟରୁ ହିଁ ତ୍ରୁଟି ଲାଗି ରହିଛି। ଆଗକୁ ନୀଳାଦ୍ରୀ ବିଜେ ଯାଏ ସମୟ ରହିଛି। ଯଦି ପ୍ରଶାସନକୁ ନିୟନ୍ତ୍ରଣ ନ କରି ସରକାର ପ୍ରଶାସକଙ୍କ କଥାରେ ଭାସିଯିବେ ତେବେ ଆଗକୁ ବି ଏମିତି ଆହୁରି କେତେ ଅଘଟଣ ଘଟଣା ରୂପ ନେବା ଅସମ୍ଭବ ନୁହେଁ।
Also readhttps://purvapaksa.com/major-reshuffle-in-odisha-bjp-government-after-rath-yatra/
