Bhave anubhabe bauribandhuପ୍ରଫେସର କର ଥିଲେ ଜଣେ ସାହିତ୍ୟ ସଂଗଠକ, ବନ୍ଧୁବତ୍ସଳ ଶିକ୍ଷକ ଓ ଜଣେ ପୂର୍ଣ୍ଣାଙ୍ଗ ମଣିଷ। ଗତ ୨୦୨୦ ଅପ୍ରେଲ ୧୩ରେ ଯେତେବେଳେ ତାଙ୍କର ଦେହାନ୍ତ ହେଲା ସ୍ବାଭାବିକ ଭାବରେ ତାଙ୍କ ପାଇଁ ଶୋକ ଓ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଯେଉଁ ଶୂନ୍ୟ ସ୍ଥାନ ଛାଡ଼ି ଯାଇଛନ୍ତି ତାହା ଅପୂରଣୀୟ।
ଭାସ୍କର ପରିଚ୍ଛା
ପ୍ରଫେସର୍ ବାଉରୀବନ୍ଧୁ କର କେବଳ ଜଣେ ଲୋକପ୍ରିୟ ଅଧ୍ୟାପକ ନ ଥିଲେ ସେ ଥିଲେ ଏକ ଅନୁଷ୍ଠାନ। ଓଡ଼ିଆ ସାହିତ୍ୟକୁ ସେ ଯେଉଁ ଅବଦାନ ରଖିଯାଇଛନ୍ତି ତାହା ଅତୁଳନୀୟ। ସେ ଥିଲେ ଜଣେ ନିରଳସ ସାଧକ। ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଏଭଳି କୌଣସି ବିଭାଗ ନାହିଁ ଯେଉଁଥିରେ ସେ ଲେଖନୀ ଚାଳନା କରି ନାହାଁନ୍ତି।
ଦୀର୍ଘ ପଚାଶ ବର୍ଷ ଧରି ସେ କେତେ ଯେ ଗ୍ରନ୍ଥ ରଚନା କରିଛନ୍ତି ତାହାର ଇୟତ୍ତା ନାହିଁ। ପ୍ରଫେସର କର ଥିଲେ ଜଣେ ସାହିତ୍ୟ ସଂଗଠକ, ବନ୍ଧୁବତ୍ସଳ ଶିକ୍ଷକ ଓ ଜଣେ ପୂର୍ଣ୍ଣାଙ୍ଗ ମଣିଷ। ଗତ ୨୦୨୦ ଅପ୍ରେଲ ୧୩ରେ ଯେତେବେଳେ ତାଙ୍କର ଦେହାନ୍ତ ହେଲା ସ୍ବାଭାବିକ ଭାବରେ ତାଙ୍କ ପାଇଁ ଶୋକ ଓ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଯେଉଁ ଶୂନ୍ୟ ସ୍ଥାନ ଛାଡ଼ି ଯାଇଛନ୍ତି ତାହା ଅପୂରଣୀୟ।
ମୃତ୍ୟୁର ବର୍ଷକ ପରେ ତାଙ୍କ ଉଦ୍ଦେଶ୍ୟରେ ଏହି ସ୍ମୃତି ଗ୍ରନ୍ଥଟି ପ୍ରକାଶ ପାଇଛି।ଏହା ଏକ ସ୍ମରଣିକା କେବଳ ନୁହେଁ ଏକ ଭାବୋଉ୍ୱାସ ମଧ୍ୟ। ତାଙ୍କୁ ଯିଏ ଜାଣିଥିଲେ ଓ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେ ସମସ୍ତଙ୍କ ବାର୍ତ୍ତା, ଆଲେଖ୍ୟ ଓ ସ୍ମୃତିଚାରଣର ପ୍ରତିଫଳନ ଏହି ବିଶାଳକାୟ ଗ୍ରନ୍ଥ।ପାଖାପାଖି ଛଅ ଶହ ପୃଷ୍ଠାର ଏହି ସ୍ମୃତିଗ୍ରନ୍ଥର ନାମକରଣ ବି ଯଥାର୍ଥ : ‘ଭାବେ ଅନୁଭବେ ବାଉରୀବନ୍ଧୁ।’
ସମ୍ପାଦକୀୟରେ ଲେଖାଯାଇଛି: ସ୍ରଷ୍ଟାର ମୃତ୍ୟୁ ହୁଏ ସତ, କିନ୍ତୁ ସେ ଅମରତ୍ଵ ଲାଭ କରେ ନିଜର ସାଧନ କର୍ମରେ, ସାଧନାର ଦୀପ୍ତିରେ। ଜୀବଦ୍ଦଶାରେ ତୁମେ ରଚନା କରିଯାଇଛ ନିଜର ଏକ ସ୍ବତନ୍ତ୍ର ପରିଚୟ। ବିସ୍ତାରିତ କରିଯାଇଛ ସାରସ୍ୱତ ସମ୍ପର୍କର ଏକ ଦିଗନ୍ତ ବିସ୍ତାରୀ ଜ୍ଞାନ- ସାମ୍ରାଜ୍ୟ।ନିଜ ପାରିବାରିକ ଜୀବନର ସମ୍ପର୍କଠାରୁ ସାରସ୍ୱତ ଜୀବନର ସମ୍ପର୍କଟି ଅଧିକ ବିଶାଳ, ପରିବ୍ୟାପ୍ତ ଓ ପ୍ରାଣବନ୍ତ। ତୁମର ଅବର୍ତ୍ତମାନରେ ସେହି ସମ୍ପର୍କ ହୋଇଉଠିଛି ଅଧିକ ନିବିଡ଼ ଓ ଦୃଢ଼ତର। ତୁମ ଅଭାବରେ ଅଗଣିତ ଛାତ୍ର, ଗବେଷକ, ସମଧର୍ମୀ ସାହିତ୍ୟିକ, ସତୀର୍ଥ ଓ ବନ୍ଧୁ ପରିଜନ ହୋଇଛନ୍ତି ମର୍ମାହତ।’
ଶତାଧିକ ଛୋଟ ବଡ଼ ସ୍ମୃତି ଓ ଅନୁଭୂତିକୁ ନେଇ ସଂକଳିତ ଏହି ଗ୍ରନ୍ଥକୁ ଦଶଟି ଚମତ୍କାର ବିଭାଗରେ ବିଭକ୍ତ କରାଯାଇଛି : ଗୁରୁ ଓ ଗୁରୁ ପ୍ରତିମଙ୍କ ଆଶୀର୍ବାଦରେ ବାଉରୀବନ୍ଧୁ, ସମଧର୍ମା ସାହିତ୍ୟିକଙ୍କ ପ୍ରିୟ ବାଉରୀବନ୍ଧୁ, ବିରଜା କ୍ଷେତ୍ରର ବରପୁତ୍ର ବାଉରୀବନ୍ଧୁ, ସତୀର୍ଥଙ୍କ ଶ୍ରଦ୍ଧେୟ ବାଉରୀବନ୍ଧୁ, ବିଦ୍ୟାର୍ଥୀଙ୍କ ସମ୍ମାନନୀୟ ବାଉରୀ ସାର, ଆପଣାପଣରେ ଅନନ୍ୟ ବାଉରୀବନ୍ଧୁ, ବନ୍ଧୁ ଓ ପରିବାରଙ୍କ ପ୍ରୀତି, ପ୍ରବଣତାରେ ବାଉରୀବନ୍ଧୁ, A Glance at Life and Achievements ଓ ବିଘଟିତ ମୁହୂର୍ତ୍ତର ସ୍ମୃତି ସଜଳ ଚିତ୍ରପଟ। ଏତଦ୍ ବ୍ୟତୀତ ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କ ବାର୍ତ୍ତା ବି ଦିଆଯାଇଛି ଏହି ସ୍ମରଣିକାରେ ଯେଉଁଥିରୁ ସ୍ବର୍ଗତ କରଙ୍କ ବିରାଟ ବ୍ୟକ୍ତିତ୍ୱ ଓ ଅସାଧାରଣ ଲୋକପ୍ରିୟତାର ପ୍ରମାଣ ମିଳେ।
ପ୍ରଫେସର କରଙ୍କ ପିଲାଦିନ, ପାଠପଢ଼ା, ଅଧ୍ୟାପନା, ଗବେଷଣା, ପ୍ରଶାସନିକ ଅଭିଜ୍ଞତା, ଅସଂଖ୍ୟ ଲେଖା, ଅଗଣିତ ପୁସ୍ତକ, ଅସୀମିତ ପ୍ରବନ୍ଧ ପଠନ,୬୦ ଜଣ ପିଏଚଡ଼ି, ୭୦ ଜଣ ଏମଫିଲ, ଦୁଇଜଣ ଡି ଲିଟ, ସଂଖ୍ୟାଧିକ ସାଂସ୍କୃତିକ ବିନିମୟ କାର୍ଯକ୍ରମ ଏସବୁର ବିସ୍ତୃତ ବିବରଣୀ ବହନ କରୁଛି ଏହି ଗ୍ରନ୍ଥ। ସମସାମୟିକ ଏଭଳି ଆଉ ଗୋଟିଏ ସ୍ମୃତି ତର୍ପଣ ଦୃଷ୍ଟିଗୋଚର ହୋଇନାହିଁ।
ଉଲ୍ଲେଖନୀୟ ବିଷୟ ଯେ , ମୃତ୍ୟୁ ପରବର୍ତ୍ତୀ ସ୍ମୃତିଗ୍ରନ୍ଥରେ ଯେଉଁ ଭାବ ଗମ୍ଭୀରତା ଓ ମନେ ପକାଇବାରେ ଯେଉଁଆତ୍ମୀୟତା ରହିବା କଥା ସେଥିପ୍ରତି ଉପଯୁକ୍ତ ଦୃଷ୍ଟି ଦିଆଯାଇଛି। ସଙ୍କଳନଟିର କଳ୍ପନା, ଏହାର କାର୍ଯ୍ୟକାରିତା ଓ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଢେର୍ ଉଦ୍ୟମ କରାଯାଇଛି ।
ଭାବେ ଅନୁଭବେ ବାଉରୀବନ୍ଧୁ
ସମ୍ପାଦନା : ଶୁଭଶ୍ରୀ କର ଓ ଶୁଭାଶିଷ କର
ପକ୍ଷୀଘର ପ୍ରକାଶନୀ
ଭୁବନେଶ୍ଵର
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର। ସେ ଓଡ଼ିଶା ଅନେକ ଖବର କାଗଜରେ କାମ କରିଛନ୍ତି। ଉଭୟ ଇଂରାଜୀ ଓ ଓଡ଼ିଆରେ ଅନେକ ପୁସ୍ତକ ରଚନା କରିଛନ୍ତି।)
Also readhttps://purvapaksa.com/book-review-a-vivid-life-memory/
