ଉତ୍ତରାଖଣ୍ଡର ଉତ୍ତରକାଶୀରେ ପୁଣି ଜଳ ପ୍ରଳୟ । ଗଙ୍ଗୋତ୍ରୀ ଧାମ ଓ ମୁଖୱା ନିକଟରେ ବାଦଲ ଫଟା ବର୍ଷା ହେବା ଦ୍ବାରା ଆସିଛି ଜଳ ପ୍ରଳୟ । ବାଦଲ ଫାଟିବା କାରଣରୁ ମଙ୍ଗଳବାର ପାହାଡ଼ ଉପରୁ ଦ୍ରୁତ ଗତିରେ ମାଟି ମିଶା ପାଣି ମାଡ଼ି ଆସିଛି । ଫଳରେ ଅନେକ ଗାଁ, ଲଜ୍, ହୋଟେଲ୍, ଘର, ବଜାର ଭାସିଯାଇଛି । ଘଟଣାସ୍ଥଳରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏହି ଅଞ୍ଚଳରେ ଲଗାତାର ବାଦଲ ଫଟା ବର୍ଷା ହେଉଥିବାରୁ ଲୋକଙ୍କୁ ଆଲର୍ଟ ରହିବାକୁ ସତର୍କ କରାଯାଉଛି। ଉତ୍ତରକାଶୀ ଜିଲ୍ଲାପାଳ ପ୍ରଶାନ୍ତ ଆର୍ଯ୍ୟ କହିଛନ୍ତି ଯେ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି, ଏହି ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ମାଟିକାଦୁଅ ତଳେ ଅନେକ ଜୀବନ ଦବିଥିବାର ଆଶଙ୍କା କରାଯାଉଛି । ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ପୁଣି ବାଦଲ ଫାଟିବାର ସମ୍ଭାବନା ରହିଛି । ତେବେ ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥାବାର୍ତ୍ତା କରିଛନ୍ତି । କେନ୍ଦ୍ର ସରକାର ଉତ୍ତରାଖଣ୍ଡକୁ ସହାୟତା କରିବା ପାଇଁ ପ୍ରସ୍ତୁତ ରହିଛି । ପ୍ରଶାସନ ଲୋକଙ୍କୁ ନଦୀ ପାଖକୁ ଯିବାକୁ ବାରଣ କରିଛି । ଜିଲ୍ଲା ପ୍ରଶାସନ ୨ ଟି ହେଲପ୍ ଲାଇନ୍ ନମ୍ବର 01374222126 , 9456556431 ଜାରି କରିଛି । ସେପଟେ ଅନେକ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ଫସି ରହିଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ,ଧରାଲିରେ ଗତକାଲି ରାତିଠାରୁ ବର୍ଷା ହେଉଛି । କ୍ଷୀରଗଙ୍ଗା ନଦୀରେ ବାଦଲ ଫାଟିବା ଦ୍ବାରା ଭୟଙ୍କର ତାଣ୍ଡବ ରଚିଛି ବର୍ଷା । କେଦାରନାଥ ପ୍ରଳୟ ସମୟ ମନେ ପକାଇଦେଲା ଏ ବାଦଲଫଟା ବର୍ଷା । ଅନେକ ଲୋକ ମାଟି ତଳେ ଦବିଥିବା ବେଳେ ପ୍ରଶାସନ ଉଦ୍ଧାରକାରୀ ଦଳମାନଙ୍କୁ ପଠାଇ ଆମକୁ ସାହାଯ୍ୟ କରୁଛନ୍ତି । ତେବେ ଉଦ୍ଧାର କାର୍ଯ୍ୟରେ ବର୍ଷା ବଡ଼ ବାଧକ ସାଜିଛି। ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା ଫଟୋ ଓ ଭିଡିଓ ଭାରତର ପ୍ରତ୍ୟେକ କୋଣର ଲୋକଙ୍କ ଛାତି ଥରେଇ ଦେଇଛି।
Also Readhttps://purvapaksa.com/pakistan-army-new-multi-front-strategy-against-india-use-bangladesh-border/
