- ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍, ୨୦୧୧ ଦିନିକିଆ ବିଶ୍ୱକପ୍ ଜିତାଇ ଥିଲେ
- କ୍ୟାନ୍ସର ସହ ଲଢି ଜିତିଥିଲେ
- ୨୦୧୯ ବିଶ୍ୱକପ୍ ସମୟରେ ଅବସର ନେଇଥିଲେ
ଭାରତର ଜଣେ ପ୍ରସିଦ୍ଧ ବ୍ୟାଟର ୩୦୦ରୁ ଅଧିକ ଦିନିକିଆ ଖେଳିଥିଲେ ମଧ୍ୟ କେବେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇପାରିନଥିଲେ। ଦିନିକିଆ ବ୍ୟତୀତ ସେ ଭାରତ ପକ୍ଷରୁ ୪୦ଟି ଟେଷ୍ଟ ଓ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍ ରେ ଭାରତର ଟାଇଟଲ୍ ଜିତିବାରେ ଏହି କିମ୍ବଦନ୍ତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୯ ଦିନିକିଆ ବିଶ୍ୱକପ୍ ସମୟରେ ସେ ଅବସର ନେଇଥିଲେ।
ଭାରତ ପକ୍ଷରୁ କ୍ରିକେଟ୍ ଖେଳିଥିବା ପ୍ରତ୍ୟେକ କ୍ରିକେଟର ଦିନେ ନା ଦିନେ ନେତୃତ୍ୱ ନେବାକୁ ସ୍ୱପ୍ନ ଦେଖେ। ଭାରତ ୧୯୩୨ରେ ଅନ୍ତର୍ଜାତୀୟ କିକେଟରେ ପଦାର୍ପଣ କରିବା ପରଠାରୁ ଅନେକ ମହାନ ଖଳାଳି ଜାତୀୟ ଦଳର ନେତୃତ୍ୱ ନେଇଛନ୍ତି। ପ୍ରଥମ ଅଧିନାୟକ ଭାବେ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡରେ ଶୃଙ୍ଖଳା ଜିତିବା ପରେ ଅଜିତ ୱାଦେକରଙ୍କ ନାମ ଇତିହାସରେ ଲିପିବଦ୍ଧ ହୋଇଯାଇଥିଲା। ୧୯୮୩ରେ କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତ ଦିନିକିଆ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। ସେହିପରି ସୌରଭ ଗାଙ୍ଗୁଲି ଏଭଳି ଏକ ସମୟରେ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ ଯେତେବେଳେ ଭାରତ ଏକ କଠିନ ସମୟ ଦେଇ ଗତି କରୁଥିଲା । ତାଙ୍କ ଉତ୍ତରାଧିକାରୀ ଏମ୍ ଏସ୍ ଧୋନି ଓ ବିରାଟ କୋହଲି ମଧ୍ୟ ଅଧିନାୟକ ଭାବେ ବଡ଼ ସଫଳତା ପାଇଥିଲେ। ବୀରେନ୍ଦ୍ର ସେହୱାଗ, ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି କିମ୍ବଦନ୍ତୀ ଖେଳାଳିମାନେ କେବେ ବି ଟିମ୍ ଇଣ୍ଡିଆର ନେତୃତ୍ୱ ନେବାକୁ ସୁଯୋଗ ପାଇନଥିଲେ ଏବଂ ସେମାନେ ଭିନ୍ନ ଭିନ୍ନ ଅଧିନାୟକଙ୍କ ଅଧିନରେ ଖେଳିଥିଲେ।
ଆଉ ଜଣେ ମହାନ ଖେଳାଳି ରହିଛନ୍ତି, ଯିଏ ଏକଦା ଟିମ୍ ଇଣ୍ଡିଆର ଅଧିନାୟକ ହେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଏଥିରୁ ବଞ୍ଚିତ ହୋଇଥିଲେ। ସେ ୩୦୦ରୁ ଅଧିକ ଦିନିକିଆ ଖେଳିଥିଲେ ଏବଂ ଉପଅଧିନାୟକ ମଧ୍ୟ ହୋଇଥିଲେ କିନ୍ତୁ ତାଙ୍କୁ କେବେ ତାଙ୍କୁ ନେତୃତ୍ୱ ଦିଆଯାଇନଥିଲା। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଯୁବରାଜ ସିଂହ ।
ଭାରତୀୟ ଦଳର ସବୁ ସିନିୟର ଖେଳାଳିମାନେ ଟି-ଟ୍ୱେଣ୍ଟି କ୍ରିକେଟ୍ରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେବା ପରେ ଯୁବରାଜ ଅଧିନାୟକ ଦୌଡ଼ରେ ସବୁଠୁ ଆଗରେ ରହିଥିଲେ। ତାଙ୍କ ନିକଟରେ ଯଥଷ୍ଟ ଅଭିଜ୍ଞତା ରହିଥିଲା। ମାତ୍ର ଏହା ସମ୍ଭବ ହୋଇନଥିଲା। ୨୦୦୭ ଟି-୨୦ ବିଶ୍ୱକପ୍ ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା। ଯାହା ଯୁବରାଜଙ୍କ ପାଇଁ ମଧ୍ୟ ବଡ଼ ଆଶ୍ଚର୍ଯ୍ୟର ବିଷୟ ଥିଲା।
ଯୁବରାଜଙ୍କୁ ଧୋନିଙ୍କ ଡେପୁଟି ଭାବେ ଦାୟିତ୍ୱ ମିଳାଥିଲା। ଯୁବରାଜ ୨୦୦୦ ମସିହାରେ ପଦାର୍ପଣ କରିଥିଲେ ଏବଂ ଦଳର ନିୟମିତ ସଦସ୍ୟ ହୋଇଥିଲେ। ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ତଥା ବାମହାତି ସ୍ପିନ ବୋଲର ଯୁବରାଜ ସିଂହ ୩୦୪ ଦିନିକିଆ ଖେଳି ୮୭୦୧ ରନ୍ କରିବା ସହ ୧୧୧ ୱିକେଟ୍ ଅକ୍ତିଆର କରିଛନ୍ତି। ଯୁବରାଜ ଭାରତର ଫିଲ୍ଡିଂରେ ବିପ୍ଳବ ଆଣିଥିଲେ ଏବଂ ସେ ସମୟର ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ଥିଲେ। ଭାରତକୁ ୨୦୦୭ ଟି-୨୦ ବିଶ୍ୱକପ ଜିତାଇବାରେ ଯୁବରାଜ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପରେ ସେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କ ଏକ ଓଭରରେ ଲଗାତାର ୬ଟି ଛକା ମାରି ରେକର୍ଡ ସ୍ଥାପନ କରିଥିଲେ। ସେମି ଫାଇନାଲରେ ଯୁବି ମାତ୍ର ୩୦ ବଲରେ ୭୦ ରନ୍ ସଂଗ୍ରହ କରିବା ଫଳରେ ଭାରତ ସେମିଫାଇନାଲରେ ୧୮୮ ରନ୍ ର ବିଶାଳ ସ୍କୋର କରିବା ସହ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧୫ ରନ୍ ରେ ପରାସ୍ତ କରିଥିଲା। ୨୦୧୧ ବିଶ୍ୱକପ୍ରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଯୁବରାଜ ଉକ୍ତ ବିଶ୍ୱକପ୍ରେ ୩୬୨ ରନ୍ କରିବା ସହ ୧୫ଟି ୱିକେଟ୍ ଅକ୍ତିଆର କରିଥିଲେ। ପଡ଼ିଆରେ ଏତେ ସଫଳତା ସତ୍ତ୍ୱେ ଯୁବରାଜ କେବେ ବି ଭାରତର ଅଧିନାୟକ ହୋଇନଥିଲେ। ଟିମ୍ ଇଣ୍ଡିଆରେ ତାଙ୍କର କାର୍ଯ୍ୟକାଳ ୨୦୧୭ରେ ଶେଷ ହୋଇଥିଲା।
ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବା ପରେ ଯୁବରାଜ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାକୁ ଫେରିବା ସହ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଖେଳିଥିଲେ। ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା (ଚାମ୍ପିଅନ୍ସ ଟ୍ରଫି ପରେ ଖେଳାଯାଇଥିବା) ପରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା ଏବଂ ୟୋ-ୟୋ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ସତ୍ତ୍ୱେ ସେ ଦଳକୁ ଫେରି ପାରିନଥିଲେ। ଏହି ୨୦୧୯ ବିଶ୍ୱକପ୍ ସମୟରେ ଯୁବରାଜ ଭାରତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।
previous article:https://purvapaksa.com/siraj-fined-head-reprimanded-for-adelaide-test-altercation/