ରାଜନୀତିରେ ପ୍ରବେଶ କରିବାର ଉଚିତ ଅନୁଚିତ ଭାବିବା ଆଗରୁ ମୁଁ ରାଜନୀତି ଭିତରେ ହିଁ ରହିଯାଇଥିଲି। ଛାତ୍ର ଅବସ୍ଥାରେ ଛାତ୍ର ଆନ୍ଦୋଳନ, ମୋ ଭାଇ ତ୍ରିଲୋଚନ କାନୁନଗୋଙ୍କ ବସ୍ ଆନ୍ଦୋଳନ ଆଦିରେ ଯୋଗଦେଇ ମୁଁ ରାଜନୈତିକ ଲୋକମାନଙ୍କ ସମ୍ପର୍କରେ ଆସିଥିଲି। ଆମେ କଟକରେ ରହୁଥିଲୁ। ତେଣୁ କଟକର ରାଜନୈତିକ ପାଣିପାଗ, ଭାଇଙ୍କର କଂଗ୍ରେସ ଦଳ ସହ ସମ୍ପୃକ୍ତି ଏବଂ ସେ ଦଳର ବହୁ ନେତାଙ୍କ ସହ ଭଲ ସମ୍ପର୍କ ମତେ ଅନ୍ୟ ରାସ୍ତାପାଇଁ ଭାବିବାର ଅବକାଶ ଦେଇନଥିଲା। ମୋ’ ଜୀବନରେ ସବୁଠୁ ଉଲ୍ଲେଖନୀୟ ଘଟନା ହେଉଛି ପ୍ରାୟ ତିନିଦଶନ୍ଧି ଧରି ହୋଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କ ପିଲାମାନେ ମୋର ସାଙ୍ଗ, ସହଯୋଗୀ ବା ସହପାଠୀ ଥିଲେ। ତେଣୁ ରାଜ୍ୟ ରାଜନୀତିର ହଇଚଇ ଓ ଉତ୍ଥାନ ପତନକୁ ମୁଁ ଖୁବ୍ ପାଖରୁ ଦେଖୁଥିଲି, ଖୁବ୍ ପାଖରୁ ଅନୁଧ୍ୟାନ କରୁଥିଲି ଓ ବେଳେବେଳେ ସେଥିରେ ଅଂଶ ହୋଇ ଯାଇଥିଲି।
ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କ ବଡ଼ପୁଅ ଦିବଙ୍ଗତ ବାବୁଲି ସହ ବନ୍ଧୁତା ଓ ଭାଇଙ୍କର ଦାଦାଙ୍କ ସହ ସମ୍ପର୍କ ଦୃଷ୍ଟିରୁ ଦାଦାଙ୍କର ସ୍ନେହ ଆଦର ସବୁଦିନେ ମୋ’ ପାଇଁ ଥିଲା। ସେହିପରି ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ବଡ଼ପୁଅ ନଚିକେତା (ନାନୁ) ଥିଲା ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ମୋର ସହପାଠୀ। ତେଣୁ ତା’ଘରକୁ ମୋର ଅବାଧ ଯିବା ଆସିବା ଥଲା। ଥିଲା ବି ନନ୍ଦିନୀ ଦେବୀଙ୍କର ମାତୃସୁଲଭ ସ୍ନେହ। ଅଧିକନ୍ତୁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟ (ବାବୁଲି) ସହଧ୍ୟାୟୀ ହୋଇଥିବା ଦୃଷ୍ଟିରୁ ସେ ପରିବାର ସହ ମୁଁ ମଧ୍ୟ ଜଡ଼ିତ ଥିଲି ।
କିନ୍ତୁ ମୋର ଆଦର୍ଶଗତ ରାଜନୈତିକ ନେତାଭାବେ ଡ. ହରେକୃଷ୍ଣ ମହତାବଙ୍କ ନିକଟତର ହେବାର କାରଣ ଥିଲା ପ୍ରଜାତନ୍ତ୍ର ସାହିତ୍ୟ ପୃଷ୍ଠାରେ ମୋର ଲେଖାଲେଖି। ପ୍ରଜାତନ୍ତ୍ର ପରିସରରେ ବସୁଥିବା ମହତାବଙ୍କର ବୈଠକକୁ ଅନେକ ସମୟରେ ମୁଁ ଯାଉଥଲି କିମ୍ବା ସେ ଯିବାପାଇଁ ଖବର ଦେଉଥିଲେ। ତାଙ୍କରି ଇଚ୍ଛାରେ ସାମ୍ବାଦିକତା ପଢ଼ିବାପାଇଁ ମୁଁ ଦିଲ୍ଲୀ ଯାଇଥିଲି ଏବଂ କୃତକାର୍ଯ୍ୟ ମଧ୍ୟ ହୋଇଥିଲି। ଦିଲ୍ଲୀ ରହଣି ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ। ପୂର୍ବରୁ ସେ ଆମ ନିର୍ବାଚନ ମଣ୍ଡଳୀ (କଟକ ସଦର)ରୁ ପ୍ରାର୍ଥୀ ହୋଇଥିଲେ ଓ ମୁଁ ତାଙ୍କ ନିର୍ବାଚନ ପରିଚାଳନାରେ ଅଂଶ ଗ୍ରହଣ କରିଥିଲି । ତେଣୁ ଯୋଗାଯୋଗ ଓ ସମ୍ପର୍କ ରହିଥିଲା । ତାଙ୍କ ଯୋଗୁ ସାମ୍ବାଦିକତା ଅଧ୍ୟୟନ ସମୟରେ ଲୋକସଭା ପାଠାଗାରକୁ ଜଣେ ପାଠକ, ସଦସ୍ୟ ଭାବରେ ମୁଁ ଅଧିକାଂଶ ସମୟ ଯାଉଥିଲି । ସେ ସମୟରେ ଯୁବ କଂଗ୍ରେସ ସଭାପତି ପ୍ରିୟରଞ୍ଜନ ବାସମୁନସି, କଂଗ୍ରେସ ନେତା ଚନ୍ଦ୍ରଶେଖର, ଏଚ.ଏନ. ବହୁଗୁଣା, ମୋହନ ଧାରିଆ ଓ କୃଷ୍ଣକାନ୍ତଙ୍କ ସହ ମିଶିବାର ସୁଯୋଗ ପାଇଥିଲି ।
ସେମାନଙ୍କ ପ୍ରତିଷ୍ଠିତ କାଗଜ (ୟଙ୍ଗ ଇଣ୍ଡିଆ, ୟଙ୍ଗ ମାର୍ଚ୍ଚ ଓ ଯୁବା ପ୍ରଗତି)ରେ ମଧ୍ୟ ଲେଖାଲେଖା କରୁଥିଲି । ଏହିସବୁ ସମ୍ପର୍କ ମୋର ରାଜନୈତିକ ଜୀବନକୁ ଅଧିକ ସ୍ପଷ୍ଟ ଓ ନିର୍ଭୀକ କରିଦେଇଥିଲା । ଯାହାଫଳରେ ୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତି ଘୋଷଣା ସମୟରେ ଏହାକୁ ଦୃଢ଼ ବିରୋଧ କରି ଦୀର୍ଘଦିନ ଧରି ମୁଁ କାରାବରଣ କରିଥିଲି।
୧୯୭୭ ମସିହାରେ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ଵିତା କରି ନିର୍ବାଚିତ ହେବା, ଅନେକ ବର୍ଷ ଧରି ରାଜନୀତିରୁ ଦୂରରେ ରହି ଟ୍ରେଡ ୟୁନିଅନ କରିବା ଏସବୁ ଭିତରେ ବିଭିନ୍ନ ସମୟରେ ବିଭିନ୍ନ ନେତା ତଥା ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିଛି ଓ ସେମାନଙ୍କୁ ଅନୁଶୀଳନ କରିଛି, ବିଶ୍ଳେଷଣ କରିଛି ଓ ସେମାନଙ୍କ ବ୍ୟକ୍ତିତ୍ଵର ଆଭା ସାଉଁଟିବାକୁ ଚେଷ୍ଟା କରିଛି ।
କିନ୍ତୁ ୧୯୯୦ ଦଶକର ଶେଷ ଭାଗରେ ଯେଉଁ ନେତାଙ୍କୁ ଭେଟିଥୁଲି ଯିଏକି ୨୦୦୦ ମସିହାର ପ୍ରାତଃକାଳରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ, ସେ ହେଉଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ସହିତ ଜଣେ ସହଯୋଗୀ ଭାବରେ କାମ କରିଛି। ତାଙ୍କର ଅତି ପାଖରେ ରହି ତାଙ୍କର ବ୍ୟକ୍ତିତ୍ବ ଓ କାର୍ଯ୍ୟ ଶୈଳୀକୁ ଅନୁଶୀଳନ କରିଛି । ତାଙ୍କଠାରୁ ଦୂରରେ ରହି ନିରବଚ୍ଛିନ୍ନ ଭାବରେ ତାଙ୍କୁ ଅନୁଧ୍ୟାନ କରିଛି । କିନ୍ତୁ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କଠାରୁ ସେ ଯେ ଏକ ନିଆରା ମଣିଷ ଥିଲେ, ତାହା ମତେ ସ୍ଵୀକାର କରିବାକୁ ହେଉଛି।
ଦୀର୍ଘ ୨୪ବର୍ଷ କାଳ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଲେ। ନା ଦଳର କେହି ତାଙ୍କୁ ବାଧା ଦେଇଛି ନା ଦଳ ବାହାରେ କେବେ ପ୍ରତିଦ୍ୱନ୍ଦ୍ଵୀମାନେ ତାଙ୍କୁ ହଟାଇବାରେ ସକ୍ଷମ ହୋଇଛନ୍ତି । ଏପରିକି ନିରବଚ୍ଛିନ୍ନ ଭାବରେ ନିଜର ନିରଙ୍କୁଶ ଶାସନ କ୍ଷମତା ରାଜ୍ୟରେ ଜାହିର କରିଥିଲେ ସେ। ଯାହାକି ଭାରତରେ ବୋଧହୁଏ ସିକିମ୍ ମୁଖ୍ୟମନ୍ତ୍ରୀଙ୍କଠାରୁ ଅଳ୍ପ ବ୍ୟବଧାନ ପଛରେ ରହିଲେ। ତଥାପି ୨୦୨୪ ନିର୍ବାଚନକୁ ଲକ୍ଷ୍ୟ କଲେ ଦେଖାଯାଏ, ବିଜୟଲାଭ କରି ସରକାର ଗଠନ କରିଥିବା ବିଜେପିଠାରୁ ଅଧିକ ସଂଖ୍ୟକ ଲୋକମତ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ସପକ୍ଷରେ ଅଛି।
ଅପୂର୍ବ ଏହି ଗଣତନ୍ତ୍ର।
ରାଜ୍ୟ ରାଜନୀତିର କଷଟି ପଥରରେ ଦିନେ ମୂଲ୍ୟାୟନ ହୁଏ ତା’ର ଅତୀତ। ଏହି ସମୟ ଭିତରେ କେହି ଭୋକ ଉପାସରେ ମୃତ୍ୟୁବରଣ କରିବା ଶୁଣାଗଲା ନାହିଁ। କିନ୍ତୁ ଅଖାଦ୍ୟ ଖାଇ (ଆମ୍ବ ଟାକୁଆ ଜାଉ) ମୃତ୍ୟୁବରଣ କରିବା ଥିଲେ। ରକ୍ତହୀନତା, ପୁଷ୍ଟିହୀନତା ଦୃଷ୍ଟିରୁ ରାଜ୍ୟ ତଥାପି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପଛରେ ପଡ଼ିଛି । ରାଜ୍ୟରେ ଲୁଚି ରହିଥିବା ପ୍ରକୃତିଦତ୍ତ ସମ୍ପତ୍ତି ଓ ଦୃଶ୍ୟମାନ ପ୍ରାକୃତିକ ସମ୍ବଳ ପୂର୍ବାପେକ୍ଷା ଅଧିକ ଲୁଟ୍ ହେଲା।
କିନ୍ତୁ ରାଜ୍ୟର ମୌଳିକ ଆବଶ୍ୟକତା ‘ପେଟକୁ ପାଣି, ପାଟକୁ ପାଣି’ ସମସ୍ୟା ସମାଧାନ ହୋଇପାରିଲା ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟପାଇଁ ରାଜ୍ୟ ତଥାପି ପଛୁଆ ରାଜ୍ୟ ଭାବରେ ପରିଗଣିତ ହେଲା। ରାଜ୍ୟରୁ ବହୁ ସଂଖ୍ୟାରେ ଦାଦନ ଶ୍ରମିକ ଅନ୍ୟ ରାଜ୍ୟକୁ ଖଟିବାକୁ ଯିବାର ଦେଖାଦେଲା। ଖାଇବା- ପିନ୍ଧିବାପାଇଁ ଓଡ଼ିଶା ପଡ଼ୋଶୀ ରାଜ୍ୟ ଉପରେ ପୂର୍ବପରି ନିର୍ଭରଶୀଳ ହୋଇ ରହିଲା।
ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ କାଳ ମୁଖ୍ୟମନ୍ତ୍ରୀ ରହିଲେ। ଦଳ ଭିତରେ ଓ ବାହାର ସେ ସମ୍ପୂର୍ଣ୍ଣ ଶତ୍ରୁଶୂନ୍ୟ ଥିଲେ। ଏପରି ସ୍ଥିତି ଆଉ ଜଣେ ହେଲେ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟରେ କେବେ ହେଲେ ଜୁଟି ନ ଥଲା, ଜୁଟିବ କି ନାହିଁ ସେକଥା ଭବିଷ୍ୟତ କହିବ। ତାଙ୍କ ଉପରେ ଅନେକ ବହି, ଅନେକ ତର୍ଜମା ହୋଇ ସାରିଲାଣି । କିନ୍ତୁ ତାଙ୍କ ସହ ମିଶିବାର ୧୦ ବର୍ଷ (୧୯୯୬-୨୦୦୬) ଓ ତାଙ୍କ ସମ୍ପର୍କରେ ଜାଣିବାର ଇଛା ୧୪ବର୍ଷକୁ ମତେ ଆଜି ତର୍ଜମା କରିବାକୁ ପଡ଼ୁଛି । ଏହା କ୍ଷଣିକର ବିଚାର ନୁହେଁ । ଅନେକ ‘ହଁ, ନାହିଁ’ର ଦ୍ୱନ୍ଦ୍ୱରୁ ଏହାର ସୃଷ୍ଟି ।
(ସଦ୍ୟ ପ୍ରକାଶିତ ପଞ୍ଚାନନ କାନୁନଗୋଙ୍କ ‘ମାନ୍ୟବର ମୁଖ୍ୟମନ୍ତ୍ରୀ – ସମ୍ପର୍କ ଓ ସମ୍ପର୍କିତ’ରୁ ଉଦ୍ଧୃତ । ପ୍ରକାଶକ ବିକେ କ୍ଲାସିକଙ୍କ ଅନୁମତି କ୍ରମେ।)
Also read https://purvapaksa.com/constitution-is-supreme-three-arms-of-democracy-work-under-it-cji-gavai/
