- ୬ଦେଶ ଏକତ୍ର ଆୟୋଜନ କରିବେ ୨୦୩୦ ସଂସ୍କରଣ
- ଫିଫା କଂଗ୍ରେସ ବୈଠକରେ ନିଷ୍ପତ୍ତି
୧୨ବର୍ଷ ପରେ ଫିଫା ପୁରୁଷ ବିଶ୍ୱକପ ପୁଣି ଥରେ ଏସିଆ ମହାଦେଶକୁ ଫେରିବ । କତାର ୨୦୨୨ ସଂସ୍କରଣ ଆାୟୋଜନ କରିଥିଲା । ୨୦୩୪ ସଂସ୍କରଣ ଆୟୋଜନ ଅଧିକାର ସାଉଦି ଆରବକୁ ମିଳିଛି । ଆଜି ଫିଫା କଂଗ୍ରେସ ବୈଠକ ଅବସରରେ ସର୍ବ ସମ୍ମତି କ୍ରମେ ସାଉଦି ଆରବକୁ ୨୦୩୪ ସଂସ୍କରଣର ଆୟୋଜନ ଅଧିକାର ପ୍ରଦାନ କରାଯାଇଛି ।
୨୦୩୦ ସଂସ୍କରଣକୁ ୬ଟି ଦେଶ ଏକସଙ୍ଗେ ଆୟୋଜନ କରିବେ । ଫିଫାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆର୍ଜେଣ୍ଟିନା, ପାରାଗୁଏ, ଉରୁଗୁଏ, ସ୍ପେନ୍, ପର୍ତ୍ତୁଗାଲ୍ ଓ ମରକ୍କୋକୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଛି ।
ଫିଫା କଂଗ୍ରେସ ବୈଠକରେ ସମସ୍ତ ୨୧୧ଟି ଯାକ ଦେଶର ପ୍ରତିନିଧି ଭିଡ଼ିଓ ଯୋଗେ ମତଦାନ କରିଥିଲେ । ବର୍ତ୍ତମାନର ଫିଫା ବିଶ୍ୱକପ ନିଲାମ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ନରୱେ ମତଦାନରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲା । ସାଉଦି ଆରବର ଆୟୋଜନ ବିଡକୁ ସ୍ୱିଜରଲାଣ୍ଡ ଫୁଟବଲ୍ ଆସୋସିଏସନ ଅନୁମୋଦନ କରିଥିଲେ ହେଁ ଯେପରି ମାନବାଧିକାର ଆଇନ ଉଲ୍ଲଙ୍ଘନ ନ ହୁଏ, ଏହା ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ଉଭୟ ଫିଫା ଏବଂ ଅନ୍ତର୍ଜାତୀୟ ଶ୍ରମିକ ସଂଗଠନକୁ ପରାମର୍ଶ ଦେଇଥିଲା । ସେହିପରି ଡେନମାର୍କ ଫୁଟବଲ ୟୁନିୟନ (ଡିବିୟୁ) ଦୁଇଟି ବିଶ୍ୱକପ ନିଲାମକୁ ସମର୍ଥନ କରୁଥିଲେ ହେଁ ମାନବାଧିକାର ଉନ୍ନତିର ତଦାରଖ କରିବାକୁ ଫିଫାକୁ ପ୍ରସ୍ତାବ ଦେଇଥିଲା ।
ସାଉଦି ଆରବ ବିଶ୍ୱକପ ପାଇଁ ମୋଟ୍ ୧୫ଟି ଷ୍ଟାଡ଼ିୟମ୍ ନିର୍ମାଣ କରାଯିବ । ଇତି ମଧ୍ୟରେ ୪ଟି ଷ୍ଟାଡ଼ିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
ସେହିପରି ୨୦୩୦ ସଂସ୍କରଣର ଆୟୋଜନ ଅଧିକାରକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ପ୍ରଥମ ଥର ପାଇଁ ୩ଟି ମହାଦେଶର ୬ଟି ଦେଶକୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଥିଲା । ବିଶ୍ୱକପର ପ୍ରଥମ ୩ଟି ମ୍ୟାଚ ଯଥାକ୍ରମେ ଉରୁଗୁଏ, ଆର୍ଜେଣ୍ଟିନା ଓ ପାରାଗୁଏରେ ଆୟୋଜିତ ହେବ । ୧୯୩୦ରେ ପ୍ରଥମ ବିଶ୍ୱକପର ଆୟୋଜନ କରାଯାଇଥିଲା ଓ ଉରୁଗୁଏ ଆୟୋଜନ କରିଥିଲା । ସେହିପରି ଆର୍ଜେଣ୍ଟିନା ପ୍ରଥମ ସଂସ୍କରଣର ରନର୍ସ ଅପ ରହିଥିଲା । ପାରାଗୁଏରେ ଦକ୍ଷିଣ ଆମେରିକା ଫୁଟବଲ କନଫେଡେରେସନ(କନମେବଲ)ର ମୁଖ୍ୟ କାର୍ଯ୍ୟାଳୟ ରହିଥିବାରୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଛି ।
ଫୁଟବଲ୍ ଇତିହାସରେ କନମେବଲ ସର୍ବ ପୁରାତନ ଫୁଟବଲ ମହାସଙ୍ଘ । ୧୯୩୦ ବିଶ୍ୱକପ ସମୟରେ କନମେବଲ୍ ଏକମାତ୍ର ଫୁଟବଲ୍ ସଙ୍ଘ ଭାବେ କାର୍ଯ୍ୟ କରୁଥିଲା । ଅନ୍ୟ କୌଣସି ମହାଦେଶରେ ଫୁଟବଲ୍ ସଙ୍ଘ ନିର୍ମାଣ ହୋଇନଥିଲା ।
୬ଟି ଦେଶର ୨୦ଟି ଷ୍ଟାଡ଼ିୟମରେ ସମ୍ପୂର୍ଣ୍ଣ ବିଶ୍ୱକପ ଆୟୋଜିତ ହେବ। କ୍ରୀଡ଼ାସୂଚୀ ପ୍ରସ୍ତୁତ ହୋଇନଥିଲେ ହେଁ ସ୍ପେନ ସର୍ବାଧିକ ମ୍ୟାଚ ଆୟୋଜନ କରିବାର ସମ୍ଭାବନା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ସ୍ପେନର ୧୧ଟି ଷ୍ଟାଡ଼ିୟମକୁ ଚୟନ କରାଯାଇଛି । ଦୁଇ ଐତିହାସିକ ଷ୍ଟାଡ଼ିୟମ କାମ୍ପ ନୌ ଓ ସାଣ୍ଟିଆଗୋ ବାର୍ଣ୍ଣବ୍ୟୁ ଏହି ତାଲିକାରେ ରହିଛନ୍ତି । ବର୍ତ୍ତମାନ କାମ୍ପ ନୌ ଷ୍ଟାଡ଼ିୟମର ନବୀକରଣ କାର୍ଯ୍ୟ ଚାଲିଛି । ଏହାର ଦର୍ଶକଧାରଣ କ୍ଷମତା ୧୦୫୦୦୦କୁ ବୃଦ୍ଧି କରାଯାଉଛି । ସେହିପରି ପର୍ତ୍ତୁଗାଲର ୩ଟି ଷ୍ଟାଡ଼ିୟମ୍ ଓ ମରକ୍କୋର ୬ଟି ଷ୍ଟାଡ଼ିୟମରେ ମ୍ୟାଚ୍ ଆୟୋଜନ କରାଯିବ ।
previous article: https://purvapaksa.com/washim-akram-who-inflicted-33-golden-ducks-in-tests/