Washim akram took 33 golden ducks in Tests: ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଗୋଲ୍ଡେନ୍ ଡକ୍ ନେଇଥିବା ବୋଲର କିଏ?
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ମିଚେଲ ଷ୍ଟାର୍କ ପ୍ରଥମ ବଲରେ ଯଶସ୍ୱୀ ଜୈସ୍ୱାଲଙ୍କୁ ଆଉଟ୍ କରିଥିଲେ। ଷ୍ଟାର୍କଙ୍କ ବଲରେ ଜୈସ୍ୱାଲ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଷ୍ଟାର୍କ ଏକମାତ୍ର ଖେଳାଳି ଭାବେ କୌଣସି ଇନିଂସର ପ୍ରଥମ ବଲରେ ୩ଥର ୱିକେଟ ନେଇ ସାରିଛନ୍ତି।
ଟେଷ୍ଟ କ୍ୟାରିୟରରେ ଷ୍ଟାର୍କ ୧୯ଥର ଗୋଲ୍ଡେନ ଡକ୍( କୌଣସି ବ୍ୟାଟର ପ୍ରଥମ ବଲରେ ଆଉଟ ହେବା) ନେଇଛନ୍ତି। ତେବେ ଜାଣନ୍ତି, କେଉଁ ବୋଲର ସର୍ବାଧିକଥର ଗୋଲ୍ଡେନ ଡକ୍ ୱିକେଟ ନେଇଛନ୍ତି?
ପାକିସ୍ତାନର ସୁଇଂ ସୁଲତାନ ୱାସିମ ଆକ୍ରମ ଟେଷ୍ଟ କ୍ରିକେଟ୍ରେ ୩୩ଥର ଗୋଲ୍ଡେନ ଡକ୍ ୱିକେଟ ନେଇଛନ୍ତି। ତାଙ୍କ ପଛକୁ ରହିଛନ୍ତି, ଇଂଲଣ୍ଡର କିମ୍ବଦନ୍ତୀ ପେସ ବୋଲର ଜିମ୍ମି ଆଣ୍ଡରସନ୍। ସେ ଟେଷ୍ଟ କ୍ରିକେଟ୍ରେ ୨୩ ଥର ଗୋଲ୍ଡେନ ଡକ୍ ୱିକେଟ ନେଇଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ପେସ ବୋଲର ଗ୍ଲେନ୍ ମ୍ୟାକ୍ଗ୍ରା ୨୧ଥର ଗୋଲ୍ଡେନ ଡକ୍ ୱିକେଟ ଅକ୍ତିଆର କରିଥିବାବେଳେ ୱେଷ୍ଟ ଇଣ୍ଡିଜର କର୍ଟଲି ଆମ୍ବ୍ରୋସ୍, ଭାରତର ଅନିଲ କୁମ୍ବଲେ, ଶ୍ରୀଲଙ୍କାର ମୁଥିୟା ମୁରଲୀଥରନ୍ ଓ ପାକିସ୍ତାନର ୱାକର ୟୁନିସ୍ ୨୦ଥର ଲେଖାଏଁ ଗୋଲ୍ଡେନ ଡକ୍ ୱିକେଟ ନେଇଛନ୍ତି।
ଗୋଟିଏ ବର୍ଷରେ ଶତକ, ହ୍ୟାଟ୍ରିକ ଓ ୧୦ୱିକେଟ ସଫଳତା
ଘରୋଇ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଗତ ସପ୍ତାହରେ ୱେଲିଂଟନରେ ଅନୁଷ୍ଠିତ ଟେଷ୍ଟରେ ଇଂଲଣ୍ଡ ପେସ ବୋଲର ଗସ୍ ଆଟକିନସନ୍ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଏହା ପୂର୍ବରୁ ସେ ଚଳିତ ବର୍ଷ ପ୍ରାରମ୍ଭରେ ଶତକ ଅର୍ଜନ କରିବା ସହ ୧୦ ୱିକେଟ୍ ସଫଳତା ମଧ୍ୟ ଅର୍ଜନ କରିଥିଲେ। ଏହା ଏକ ବିରଳ ସଫଳତା ରହିଥିଲା। ପୂର୍ବରୁ ଅନ୍ୟ କେହି ଖେଳାଳି ଟେଷ୍ଟ କ୍ରିକେଟରେ ଏଭଳି ଟ୍ରେବଲ ହାସଲ କରିଛନ୍ତି?
ଆଟକିନସନ ଗତ ଜୁଲାଇରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ୧୨ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହାର କିଛି ସପ୍ତାହ ପରେ ସେ ପୁନର୍ବାର ଲର୍ଡସରେ ଶ୍ରୀଲଙ୍କା ବିପକ୍ଷରେ ୧୧୮ ରନ ସଂଗହ କରିଥିଲେ।
ଆଟକିନସନ ଟେଷ୍ଟରେ ଏହି ଉଲ୍ଲେଖନୀୟ ଟ୍ରେବଲ ହାସଲ କରିବାରେ କେବଳ ସପ୍ତମ ଖେଳାଳି – ଏବଂ ସେ ତାଙ୍କ କ୍ୟାରିୟର୍ର ଦଶମ ମ୍ୟାଚରେ ଟ୍ରେବଲ ହାସଲ କରିବାରେ ସବୁଠାରୁ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି।
୧୮୯୧-୯୨ରେ ଇଂଲଣ୍ଡ ଅଲରାଉଣ୍ଡର ଜନି ବ୍ରିଗ୍ସ ଟ୍ରେବଲ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟର୍ର ୧୮ତମ ଟେଷ୍ଟ ରହିଥିଲା। ସେହିପରି ଭାରତର ଇରଫାନ ପଠାନ ୨୬ଟି ଟେଷ୍ଟ ସୁଦ୍ଧା ହ୍ୟାଟ୍ରିକ, ୧୦ୱିକେଟ ଓ ଶତକ ଅର୍ଜନ କରିଥିଲେ। ଇଂଲଣ୍ଡର ମୋଇନ୍ ଅଲି ୪୦ଟି ଟେଷ୍ଟ ଖେଳି ଏହି ସଫଳତା ଅର୍ଜନ କରିଥିବାବେଳେ ଷ୍ଟୁଆର୍ଟ ବ୍ରଡ୍ (୪୬), ପାକିସ୍ତାନର ୱାସିମ ଆକ୍ରମ (୮୭) ଏବଂ ଭାରତର ହରଭଜନ ସିଂହ (୮୮)ଟି ଟେଷ୍ଟ ଖେଳି ଟ୍ରେବଲ ସମ୍ପୂର୍ଣ୍ଣ କରିଥିଲେ।
ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ ଓ୍ୱାର୍ଣ୍ଣ ୧୪୫ଟି ଟେଷ୍ଟ ଖେଳି ଅନେକ ଥର ୧୦ ୱିକେଟ୍ ଓ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। କିନ୍ତୁ ଶତକ ଅର୍ଜନ କରିପାରି ନଥିଲେ। ଟେଷ୍ଟରେ ତାଙ୍କ ସର୍ବାଧିକ ସ୍କୋର ରହିଥିଲା ୯୯। ସେହିପରି ଭାରତର ରବି ଚନ୍ଦ୍ରନ ଅଶ୍ୱିନ ଶତକ ଓ ୧୦ ୱିକେଟ ସଫଳତା ଅର୍ଜନ କରିଛନ୍ତି। ହେଲେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ନେଇ ନାହାନ୍ତି।
previous article: https://purvapaksa.com/joe-root-has-taken-his-test-tally-to-12886-runs-in-151-matches/