Press and shrinking press freedom: ସରକାରଙ୍କ ବିରୋଧରେ ଖବର ପ୍ରସାରଣ କଲେ ସାମ୍ବାଦିକମାନଙ୍କୁ ବିଭିନ୍ନ ମାମଲାରେ ଫସାଇ ଦିଆଯାଉଛି। ସରକାରଙ୍କ ଚାଟୁକାରିତା କରୁଥିବା ସାମ୍ବାଦିକମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ମିଳୁଛି।
ଗଣମାଧ୍ୟମକୁ କୁହାଯାଏ ସମାଜର ଚତୁର୍ଥ ସ୍ତମ୍ଭ। ଗଣମାଧ୍ୟମ ସବୁବେଳେ ନିରପେକ୍ଷ ଓ ସ୍ୱାଧୀନଭାବେ କାମ କରିବା ଉଚିତ। ବିଶେଷ କରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସ୍ର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଭାରତରେ ପ୍ରେସ୍ ସ୍ୱାଧୀନତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ସରକାରଙ୍କ ବିରୋଧରେ ଖବର ପ୍ରସାରଣ କଲେ ସାମ୍ବାଦିକମାନଙ୍କୁ ବିଭିନ୍ନ ମାମଲାରେ ଫସାଇ ଦିଆଯାଉଛି। ସରକାରଙ୍କ ଚାଟୁକାରିତା କରୁଥିବା ସାମ୍ବାଦିକମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ମିଳୁଛି। ଏଥିଯୋଗୁ ଭାରତର ଛବି ମଧ୍ୟ ବିଶ୍ୱ ଦରବାରରେ ମଳିନ ପଡ଼ିବାରେ ଲାଗିଛି। ଏହାର ପ୍ରତିଫଳନ ବିଶ୍ୱ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରେ ଦେଖିବାକୁ ମିଳିଛି। ସୂଚକାଙ୍କରେ ଭାରତର ସ୍ଥାନ ଗତବର୍ଷ ଅପେକ୍ଷା ଏବର୍ଷ ଆହୁରି ତଳକୁ ଖସିଛି।
ଗତବର୍ଷ ବିଶ୍ୱ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରେ ମୋଟ ୧୮୦ ଦେଶ ମଧ୍ୟରେ ଭାରତର ସ୍ଥାନ ୧୪୨ତମ ସ୍ଥାନରେ ଥିଲା। ହେଲେ ଏବେ ଭାରତ ଆହୁରି ୮ଟି ସ୍ଥାନ ତଳକୁ ଖସି ୧୫୦ତମ ସ୍ଥାନରେ ପହଞ୍ଚି ଯାଇଛି। ପ୍ରେସ୍ ସ୍ୱାଧୀନତା ଭାରତରେ ହ୍ରାସ ପାଉଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ। ଆରଏସ୍ଏଫ୍ ୨୦୨୨ ବିଶ୍ୱ ପ୍ରେସ ସ୍ୱାଧୀନତା ରିପୋର୍ଟରେ କୁହାଯାଇଛି ଯେ ଭାରତର ପଡ଼ୋଶୀ ନେପାଳକୁ ଛାଡ଼ି ଦେଲେ ଆଉ ସବୁଦେଶ ଏହି ତାଲିକାରେ ତଳକୁ ଖସିଛନ୍ତି। ପାକିସ୍ତାନ ତାଲିକାର ୧୫୭ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୧୪୬, ବାଂଲାଦେଶ ୧୬୨ ଓ ମିଆଁମାର ୧୭୬ତମ ସ୍ଥାନରେ ରହିଛି।କିନ୍ତୁ ନେପାଳରେ ପ୍ରେସ ସ୍ୱାଧୀନତାରେ ଉନ୍ନତି ଆସିଛି। ବର୍ଷକ ମଧ୍ୟରେ ଦେଶ ୩୦ ପଏଣ୍ଟ ହାସଲ କରି ତାଲିକାର ୭୬ତମ ସ୍ଥାନରେ ପହଞ୍ଚିଛି।
ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ନରୱେ ୧ନଂ ସ୍ଥାନରେ ରହିଛି। ଦ୍ୱିତୀୟରେ ଡେନମାର୍କ, ତୃତୀୟରେ ସ୍ୱିଡେନ, ୪ର୍ଥରେ ଇଷ୍ଟୋନିଆ ଓ ୫ମରେ ଫିନଲ୍ୟାଣ୍ଡ ରହିଛି। ଏହି ସବୁ ଦେଶରେ ସାମ୍ବାଦିକମାନେ ବିନା କୌଣସି ଚାପ ଓ ଭୟରେ କାମ କରିବାକୁ ସକ୍ଷମ ହେଉଛନ୍ତି। ତାଲିକାର ସବୁଠାରୁ ଶେଷରେ ଅର୍ଥାତ ୧୮୦ତମ ସ୍ଥାନରେ କିମ ଜଙ୍ଗ ଉନ୍ଙ୍କ ଉତ୍ତର କୋରିଆ ରହିଛି।
ରିପୋର୍ଟସ ଉଇଦାଉଟ ବର୍ଡର୍ସ ଓ ଅନ୍ୟ ୯ଟି ମାନବାଧିକାର ସଂଗଠନ ଭାରତୀୟ ଅଧିକାରୀମାନଙ୍କୁ ସ୍ୱତନ୍ତ୍ରଭାବେ ପରାମର୍ଶ ଦେଇ କହିଛନ୍ତି ଯେ ଅଧିକାରୀମାନେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରିବା ବନ୍ଦ କରନ୍ତୁ। ତା’ଛଡ଼ା ଅନଲାଇନ ସମାଲୋଚକଙ୍କୁ ମଧ୍ୟ ସେମାନଙ୍କ କାମରୁ ବିରତ କରନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି। ବିଶେଷ କରି ଭାରତୀୟ ଅଧିକାରୀମାନେ ସାମ୍ବାଦିକ ଓ ଅନଲାଇନ କ୍ରିଟିକ୍ସଙ୍କ ବିରୋଧରେ ଆତଙ୍କବାଦ ନିରୋଧ ଆଇନ ଓ ଦେଶଦ୍ରୋହ ଭଳି ମାମଲା ବନ୍ଦ କରନ୍ତୁ। ଗଣମାଧ୍ୟମର ସ୍ୱାଧୀନତା ଦିନକୁ ଦିନ ହ୍ରାସ ପାଉଛି । ମେକ୍ସିକୋ ସାମ୍ବାଦିକଙ୍କ ପାଇଁ ସବୁଠାରୁ ବିପଜ୍ଜନକ ଦେଶରେ ପରିଣତ ହୋଇଛି । ବର୍ଷ ୨୦୨୩ରେ ୩୫୦ ସାମ୍ବାଦିକଙ୍କୁ ଜେଲ ଯିବାକୁ ପଡିଥିବା ବେଳେ ୪୭ ଜଣ ହତ୍ୟାର ଶିକାର ହୋଇଛନ୍ତି।
ଏଭଳି କିଛି ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରେସ ସ୍ୱାଧୀନତା ଉପରେ ପ୍ରଶ୍ନ ଉଠିଛି । ଦିନକୁ ଦିନ ପ୍ରେସର ସ୍ୱାଧୀନତା ବଢିବା ପରିବର୍ତ୍ତେ କମିବାରେ ଲାଗିଛି । ତଥ୍ୟ ଏୟା ମଧ୍ୟ କହୁଛି ୮୦ ପ୍ରତିଶତ ରାଷ୍ଟ୍ରରେ ପ୍ରେସ ସ୍ୱାଧୀନତା ହ୍ରାସ ପାଉଛି। ସେହିଭଳି ୨୦ ପ୍ରତିଶତ ଦେଶରେ ପ୍ରେସ୍ ଉପରେ କୌଣସି ପ୍ରକାର କଟକଣା ଲାଗିପାରୁନାହିଁ । ଗଣମାଧ୍ୟମ ସବୁବେଳେ ଲୋକଙ୍କ ସ୍ୱାର୍ଥକୁ ନେଇ କାମ କରୁଥିବାବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି। ଆଗାମୀ ଦିନରେ ବି ଏହା ଆହୁରି ଅଧିକ ଅବନତି ଘଟିବାର ସମ୍ଭାବନା ରହିଛି। ନିଜ ଦେଶରେ ପ୍ରେସ୍ ସ୍ୱାଧୀନତା ହ୍ରାସ ପାଉଥିବା ୪୦ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି।
ବିଶ୍ୱର ବିଭିନ୍ନ ଦେଶର କଥାକୁ ଯଦି ଆମେ ଦେଖିବା ମେକ୍ସିକୋ ସାମ୍ବାଦିକଙ୍କ ପାଇଁ ସବୁଠାରୁ ବିପଜ୍ଜନକ ଦେଶ। ରିପୋର୍ଟ୍ସ ୱିଦାଉଟ ବର୍ଡରର ତଥ୍ୟ କହୁଛି ମେକ୍ସିକୋରେ ୫ ବର୍ଷରେ ୪୭ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ସେହିଭଳି ଚୀନରେ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ସେମାନଙ୍କୁ ଜେଲରେ ଭର୍ତ୍ତି କରାଯାଉଛି। ପ୍ରେସ୍ ସ୍ୱାଧୀନତାରେ ଭାରତ ବିଶ୍ୱରେ ୧୮୦ ରାଷ୍ଟ୍ର ମଧ୍ୟରେ ୧୪୨ ତମ ସ୍ଥାନରେ ରହିଛି। ରିପୋର୍ଟସ ସେନ୍ସ ଫ୍ରିଡମ ରାଙ୍କିଂରେ ନରୱେ ପ୍ରଥମ, ଫିନଲାଣ୍ଡ ଦ୍ୱିତୀୟ, ଡେନମାର୍କ ତୃତୀୟ ସ୍ଥାନରେ ରହିଛି।
ୟୁନୋସ୍କୋ ଏବଂ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଜର୍ଣ୍ଣାଲିଷ୍ଟ (ଆଇସିଏଫଜେ)ର ତଥ୍ୟ କହୁଛି ମହିଳା ସାମ୍ବାଦିକଙ୍କ ସ୍ଥିତି ସବୁଠାରୁ ଖରାପ ରହିଛି। କାମ କରିବା ସମୟରେ ଅନେକ ଅନଲାଇନ ହିଂସାର ଶିକାର ହେବାକୁ ପଡ଼ୁଥିବା ୭୩ ପ୍ରତିଶତ ମତ ଦେଇଛନ୍ତି। ୨୫ ପ୍ରତିଶତଙ୍କୁ ଶାରିରୀକ କ୍ଷତି ପହଞ୍ଚାଇବାବେଳେ ୧୮ ପ୍ରତିଶତଙ୍କୁ ଯୌନ ଉତ୍ପୀଡ଼ନର ଧମକ ଦିଆଯାଇଛି।
Also readhttps://purvapaksa.com/road-accidents-in-india-in-critical-condition/
