- ୨୮ଟି ବଲରେ ଅର୍ଜନ କଲେ ଶତକ
- ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗିଲେ
ଗୁଜରାଟ ଦଳର ଓପନିଂ ବ୍ୟାଟର ଉର୍ଭିଲ ପଟେଲ ଘରୋଇ କ୍ରିକେଟରେ ଆଉ ଏକ ରେକର୍ଡ ଭଙ୍ଗ କରିଛନ୍ତି। ଗତ ବର୍ଷ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଦିନିକିଆ ମ୍ୟାଚରେ ଦ୍ରୁତତମ ଶତକ ଅର୍ଜନ କରିଥିବା ଉର୍ଭିଲ ଆଜି ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଦ୍ରୁତତମ ଶତକ ଅର୍ଜନ କରି ରିଷଭ ପନ୍ତଙ୍କ ନାମରେ ରହିଥିବା ୬ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ଆଜି ତ୍ରିପୁରା ବିପକ୍ଷରେ ଉର୍ଭିଲ ୨୮ଟି ବଲ୍ରୁ ଶତକ ଅର୍ଜନ କରିଥିଲେ। ଘରୋଇ ଟି-ଟ୍ୱେଣ୍ଟି କ୍ରିକେଟରେ ଏହା ଦ୍ରୁତତମ ଶତକ। ପୂର୍ବରୁ ଏହି ରେକର୍ଡ ପନ୍ତଙ୍କ ନାମରେ ରହିଥିଲା। ୨୦୧୮ ସୟଦ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟରେ ସେ ହିମାଚଳ ପ୍ରଦେଶ ବିପକ୍ଷରେ ୩୨ଟି ବଲ୍ରୁ ଶତକ ଅର୍ଜନ କରିଥିଲେ।
ଟି-ଟ୍ୱେଣ୍ଟି ଫର୍ମାଟରେ ଦ୍ରୁତତମ ଶତକ ରେକର୍ଡ ସାଇପ୍ରସର ଇଷ୍ଟୋନିଆର ସାହିଲ ଚୌହାନଙ୍କ ନାମରେ ରହିଛି। ସେ ସାଇପ୍ରସ ବିପକ୍ଷରେ ୨୭ଟି ବଲ୍ରୁ ଶତକ ଅର୍ଜନ କରିଥିଲେ।
ଉକ୍ତ ମ୍ୟାଚରେ ତ୍ରିପୁରା ପ୍ରଥମେ ବ୍ୟାଟିଂ କରି ୮ୱିକେଟ ବିନିମୟରେ ୧୫୫ ରନ କରିଥିଲେ। ଜବାବରେ ଗୁଜରାଟ ୧୦.୨ ଓଭରରେ ୨ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଉର୍ଭିଲ ୩୫ଟି ବଲ୍ରୁ ଅପରାଜିତ ୧୧୩ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସରେ ୭ଚୌକା ଓ ୧୨ ଛକା ରହିଥିଲା।
ଗତ ବର୍ଷ ନଭେମ୍ବର ମାସ ୨୭ ତାରିଖରେ ଉର୍ଭିଲ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚରେ ୪୧ଟି ବଲ୍ରୁ ଶତକ ଅର୍ଜନ କରିଥିଲେ। ଘରୋଇ ଦିନିକିଆ କ୍ରିକେଟରେ ଦ୍ରୁତତମ ଶତକ ରେକର୍ଡ ୟୁସୁଫ ପଠାନଙ୍କ ନାମରେ ରହିଛି। ସେ ୪୦ଟି ବଲ୍ରୁ ଶତକ ଅର୍ଜନ କରିଥିଲେ।
ସୂଚନାଯୋଗ୍ୟ, ଗତ ମେଗା ନିଲାମରେ ଉର୍ଭିଲ ୱିକେଟ ରକ୍ଷକ ତାଲିକାରେ ସ୍ଥାନ ପାଇଥିଲେ ହେଁ ତାଙ୍କୁ କିଣିବା ପାଇଁ କୌଣସି ଫ୍ରାଞ୍ଚାଇଜ୍ ଆଗ୍ରହ ଦେଖାଇ ନଥିଲେ। ଗତ ସିଜନରେ ସେ ଗୁଜରାଟ ଟାଇଟନ ଦଳର ସଦସ୍ୟ ରହିଥିଲେ।
previous article: https://purvapaksa.com/bumrah-went-past-rabada-and-hazlewood-on-the-list-following-his-superb-performance-in-the-perth-test/