- ଆଇପିଏଲ୍ର ସର୍ବକନିଷ୍ଠ ଖେଳାଳି ବୈଭବ
ଆଇପିଏଲ୍ ରିଟେନ ତାଲିକା ଘୋଷଣା ହେବା ଦିନଠୁ ଚର୍ଚ୍ଚାରେ ରହିଥିବା ବିହାର ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୧.୧୦କୋଟି ଟଙ୍କାରେ କିଣିଛି । ଏଥିସହ ବୈଭବ ଆଇପିଏଲ୍ ଇତିହାସରେ ସର୍ବ କନିଷ୍ଠ ଖେଳାଳି ହୋଇଛନ୍ତି। ବର୍ତ୍ତମାନ ବୈଭବଙ୍କ ବୟସ ୧୩ ବର୍ଷ। ବର୍ଷକ ତଳୁ ଅର୍ଥାତ ମାତ୍ର ୧୨ ବର୍ଷ ବୟସରୁ ସେ ରଣଜୀ ଟ୍ରଫିରେ ପଦାର୍ପଣ କରିସାରିଛନ୍ତି।
ଚଳିତ ବର୍ଷ ତାଙ୍କୁ ୧୯ବର୍ଷରୁ କମ୍ ଭାରତ ଦଳରେ ସ୍ଥାନ ମିଳିଥିଲା । ୧୯ବର୍ଷରୁ କମ୍ ଅଷ୍ଟ୍ରେଲିଆ ବିପକ୍ଷ ଉକ୍ତ ୪ ଦିନିଆ ମ୍ୟାଚରେ ବୈଭବ ମାତ୍ର ୫୮ଟି ବଲରେ ଶତକ ଅର୍ଜନ କରିଥିଲେ । କନିଷ୍ଠ ଖେଳାଳି ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଶତକ ଅର୍ଜନ କରିବାରେ ସେ ରେକର୍ଡ କରିଥିଲେ। ପୂର୍ବରୁ ଏହି ରେକର୍ଡ ବାଂଲାଦେଶର ନଜମୁଲ ହୋସେନ ଶାନ୍ତୋଙ୍କ ନାମରେ ରହିଥିଲା। ସେ ୧୪ବର୍ଷ ୨୪୧ ଦିନ ବୟସରେ ଶତକ ଅର୍ଜନ କରିଥିଲେ। ତାଙ୍କ ନାମରେ ଏକ ତ୍ରିଶତକୀୟ ଇନିଂସ ମଧ୍ୟ ରହିଛି। ନିକଟରେ ବିହାରରେ ଅନୁଷ୍ଠିତ ୧୯ବର୍ଷରୁ କମ୍ ରଣଧୀର ବର୍ମା ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସେ ତ୍ରିଶତକ ଅର୍ଜନ କରିଥିଲେ ।
ବୈଭବଙ୍କ ବେସ ପ୍ରାଇସ ୩୦ଲକ୍ଷ ଟଙ୍କା ରହିଥିଲା । ତାଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଶେଷରେ କ୍ୟାପିଟାଲ୍ସ ଅଟକିଥିଲା ଓ ରୟାଲ୍ସର ବିଜୟ ହୋଇଥିଲା । ନିଲାମ ପୂର୍ବରୁ ରୟାଲ୍ସ ପକ୍ଷରୁ ବୈଭବଙ୍କୁ ଟ୍ରାଏଲ ପାଇଁ ଡକା ଯାଇଥିଲା। ନିଜର ଟେକନିକ୍, ଫୁଟୱାର୍କ ଓ ବିଶାଳ ସଟ୍ ଖେଳିବାର ଦକ୍ଷତା ରୟାଲ୍ସକୁ ପ୍ରଭାବିତ କରିଥିଲା। ବୈଭବ ବାମ ହାତି ଓପନିଂ ବ୍ୟାଟର ହୋଇଥିବାରୁ ରୟାଲ୍ସ ନିକଟରେ ବିକଳ୍ପ ବୃଦ୍ଧି ପାଇଛି। କାରଣ ଓପନିଂ ବ୍ୟାଟର ଭାବେ ଦଳରେ ଯଶସ୍ୱୀ ଜୈସ୍ୱାଲ ରହିଛନ୍ତି। ସେ ମଧ୍ୟ ବାମ ହାତି ବ୍ୟାଟର।
ପାଟନା ସହରରୁ ୧୦୦ କିଲୋମିଟର ଦୂର ସମଷ୍ଟିପୁର ଗ୍ରାମରେ ବୈଭବଙ୍କ ଜନ୍ମ। ସେ ଇତି ମଧ୍ୟରେ ବିହାର ପକ୍ଷରୁ ୫ଟି ରଣଜୀ ଟ୍ରଫି ମ୍ୟାଚ୍ ଖେଳିସାରିଲେଣି ଓ ବର୍ତ୍ତମାନ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଖେଳୁଛନ୍ତି। ମୁମ୍ବାଇ କ୍ରିକେଟର ୱାସିମ ଜାଫରଙ୍କ ଠାରୁ ପ୍ରଶିକ୍ଷଣ ନେଇଥିବା ବୈଭବଙ୍କୁ ଆଗାମୀ ଦିନର ଷ୍ଟାର୍ ରୂପେ ବିବେଚନା କରାଯାଉଛି।
previous article:https://purvapaksa.com/who-is-priyansh-arya-the-all-rounder-sold-to-punjab-kings-for-rs-3-8-crore/