- ୬ବଲରେ ୬ଛକା ମାରି ସାଜିଥିଲେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ
ସବୁ ବର୍ଷ ଭଳି ଏଥର ମେଗା ନିଲାମରେ ଅନେକ ଅପରିଚିତ ଖେଳାଳି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ। ଫ୍ରାଞ୍ଚାଇଜମାନେ ଏହି ଉଦୀୟମାନ ତାରକାଙ୍କୁ କିଣିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରିଥିଲେ। ୧୩ ବର୍ଷିୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଗରେ ରହିଥିଲେହେଁ ଆଉ ଜଣେ ତାରକାଙ୍କୁ ନେଇ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଜୋରଦାର ଲେଢଇ ହୋଇଥିଲା। ସେ ହେଉଛନ୍ତି ପ୍ରିୟାଂଶ ଆର୍ଯ୍ୟ । ପଞ୍ଜାବ କିଙ୍ଗ୍ସ ତାଙ୍କୁ ୩.୮୦କୋଟି ଟଙ୍କାରେ କିଣିଛି । ପ୍ରିୟାଂଶଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରିୟାଂଶଙ୍କୁ କିଣିବା ପଇଁ ବାଜି ଲଗାଇଥିଲେ । ଏକସଙ୍ଗେ ୩ଟି ଫ୍ରାଞ୍ଚାଇଜଙ୍କୁ ଆକୃଷ୍ଟ କରିଥିବା ଏହି ଖେଳାଳି ଜଣଙ୍କ କିଏ? ତାଙ୍କ ପଇଁ କାହିଁକି ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଏତେ ଉତ୍ସୁକତା ଲାଗି ରହିଥଲା? ଏଭଳି ଅନେକ ପ୍ରଶ୍ନ କ୍ରିକେଟେପ୍ରେମୀଙ୍କ ମନରେ ଉଙ୍କି ମାରୁଥିବ ।
- ୧୦ ମ୍ୟାଚରେ ୪୩ଛକା
ପ୍ରିୟାଂଶଙ୍କ ବେସ ପ୍ରାଇସ ୩୦ଲକ୍ଷ ଟଙ୍କା ଥିବା ବେଳେ ତାଙ୍କୁ କିଣିବା ପାଇଁ ପଞ୍ଜାବ କିଙ୍ଗ୍ସ ଏତେ ଟଙ୍କା ଖର୍ଚ୍ଚ କରିବା ପଛର ଯଥେଷ୍ଟ କାରଣ ରହିଛି । ଗତ ଦିଲ୍ଲୀ ପ୍ରିମିୟର ଲିଗରେ ପ୍ରିୟାଂଶ ଗୋଟିଏ ଓଭରରେ ୬ଟି ଛକା ମାରି ନଜରକୁ ଆସିଥିଲେ । ସାଉଥ ଦିଲ୍ଲୀ ସୁପରଷ୍ଟାର୍ସ ପକ୍ଷରୁ ଖେଳି ପ୍ରିୟାଂଶ ଉକ୍ତ ଟୁର୍ଣ୍ଣାମେଣ୍ଟରେ ୧୦ଟି ମ୍ୟାଚରୁ ୬୭.୫୬ ହାରରେ ମୋଟ୍ ୬୦୮ ରନ୍ ସଂଗ୍ରହ କରିଥିଲେ । ଏଥିରେ ୪୩ଟି ଛକା ସାମିଲ ଥିଲା । ଟୁର୍ଣ୍ଣାମେଣ୍ଟରେ ତାଙ୍କ ଷ୍ଟ୍ରାଇକ ରେଟ୍ ଥିଲା ୧୯୮.୬୯ ।
ଦିଲ୍ଲୀ ପ୍ରିମିୟର ଲିଗରେ ସେ ଓଲ୍ଡ ଦିଲ୍ଲୀ ବିପକ୍ଷରେ ୩୦ଟି ବଲରୁ ୫୭ ରନ୍ ସଂଗ୍ରହ କରିଥିଲେ । ଏହାପରେ ସେଣ୍ଟ୍ରାଲ ଦିଲ୍ଲୀ କିଙ୍ଗ୍ସ ବିପକ୍ଷରେ ୫୧ଟି ବଲରୁ ୮୨, ଇଷ୍ଟ ଦିଲ୍ଲୀ ବିପକ୍ଷରେ ୩୨ଟି ବଲରୁ ୫୩, ଓଲ୍ଡ ଦିଲ୍ଲୀ ବିପକ୍ଷରେ ୫୫ଟି ବଲରୁ ୧୦୭ ଓ ସେଣ୍ଟ୍ରାଲ ଦିଲ୍ଲୀ ବିପକ୍ଷରେ ୪୨ଟି ବଲରୁ ୮୮ ରନ୍ ସଂଗ୍ରହ କରିଥିଲେ । ନର୍ଥ ଦିଲ୍ଲୀ ଷ୍ଟ୍ରାଇକର୍ସ ବିପକ୍ଷରେ ପ୍ରିୟାଂଶ ୫୦ଟି ବଲ୍ରୁ ୧୨୦ ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ବାମ ହାତି ସ୍ପିନର ମନନ ଭରଦ୍ୱାଜଙ୍କ ଏକ ଓଭରରେ ସେ ୬ଟି ଛକା ମାରି ନଜରକୁ ଆସିଥିଲେ । ସୋସିଆଲ ମିଡ଼ିଆରେ ତାଙ୍କ ଭିଡ଼ିଓ ଭାଇରାଲ ହୋଇଥିଲା ।
ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରିୟାଂଶଙ୍କୁ ଦିଲ୍ଲୀ ଦଳରେ ସ୍ଥାନ ମିଳିଥିଲା । ୨୩ତାରିଖରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ସେ ଉତ୍ତର ପ୍ରଦେଶ ବିପକ୍ଷରେ ୪୩ଟି ବଲରୁ ୭ଚୌକା ଓ ୧୦ ଛକା ବଳରେ ୧୦୨ ରନ୍ ସଂଗ୍ରହ କରି ସବୁ ଫ୍ରାଞ୍ଚାଇଜଙ୍କୁ ଆକର୍ଷିତ କରିଥିଲେ । ଭୁବନେଶ୍ୱର କୁମାର, ଶିଭମ ମାଭି, ପିୟୂଷ ଚାୱଲାଙ୍କ ଭଳି ବୋଲର ଉତ୍ତର ପ୍ରଦେଶ ଦଳରେ ରହିଥିଲେ ।
- ଗମ୍ଭୀର ଆଦର୍ଶ
ବର୍ତ୍ତମାନ ଭାତୀୟ ଦଳର ମୁଖ୍ୟ କୋଚ ରହିଥିବା ଗୌତମ ଗମ୍ଭୀରଙ୍କ କୋଚ୍ ଥିବା ସଞ୍ଜୟ ଭରଦ୍ୱାଜଙ୍କ ନିକଟରେ ପ୍ରିୟାଂଶ ପ୍ରଶିକ୍ଷଣ ନେଉଛନ୍ତି । ଗମ୍ଭୀରଙ୍କୁ ସେ ଆଦର୍ଶ ମାନନ୍ତି। ଏକାଡମୀରେ ଗମ୍ଭୀରଙ୍କ ଅଭ୍ୟାସ ଦେଖି ଦେଖି ବଡ଼ ହୋଇଥିବା ପ୍ରିୟାଂଶ ମଧ୍ୟ ଜଣେ ବାମ ହାତି ଓପନିଂ ବ୍ୟାଟର। ବୋଲରଙ୍କୁ ନିର୍ମମ ପ୍ରହାର କରିବାକୁ ପସନ୍ଦ କରୁଥିବା ଏହି ଯୁବ ବ୍ୟାଟରଙ୍କ ନିକଟରେ କ୍ରିକେଟର ସମସ୍ତ ସଟ୍ ମହଜୁଦ ଅଛି। ଲକ୍ଷ୍ନୌସୁପରଜାଏଣ୍ଟସ ପକ୍ଷରୁ ଖେଳୁଥିବା ଆୟୂଷ ବାେଦାନିଙ୍କ ଘନିଷ୍ଟ ବନ୍ଧୁ ହୋଇଥିବାରୁ ପ୍ରିୟାଂଶ ଆଇପିଏଲର ଚାପ ସହ ପରିଚିତ।
- ୧୬ଗୁଣା ଅଧିକ ଦାମ
ଆଜି ନିଲାମ ବେଳେ ତାଙ୍କ ଡକା ଯିବା ମାତ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଡ୍ ଦାଖଲ କରିଥିଲା । ପଞ୍ଜାବ କିଙ୍ଗସ ମଧ୍ୟ ତାଙ୍କୁ କିଣିବା ପାଇଁ ଡାକରେ ସାମିଲ ହୋଇଥିଲା । ୧ କୋଟିରେ ଡାକ ପହଞ୍ଚିବା ପରେ ସାମିଲ ହୋଇଥିଲା ରୟାଲ୍ ଚ୍ୟାଲେଞ୍ଜର୍ସ । ପରେ ଦିଲ୍ଲୀ ଓହରି ଯାଇଥିଲା । ପଞ୍ଜାବ କିଙ୍କ୍ସ ଶେଷରେ ବିଡ୍ ଜିତିଥିଲା ଓ ପ୍ରିୟାଂଶଙ୍କୁ ହାତେଇଥିଲା । ବେସ ପ୍ରାଇସ ଠାରୁ ୧୨.୬୬ ଗୁଣା ଅଧିକ ଦାମରେ ପ୍ରିୟାଂଶ ବିକ୍ରି ହୋଇଥିଲେ। ବର୍ତ୍ତମାନ ପଞ୍ଜାବ କିଙ୍ଗସ ନିକଟରେ ଏକାଧିକ ଭାରତୀୟ ଓପନର ରହିଛନ୍ତି। ଫଳରେ ଦଳର ସନ୍ତୁଳନରେ ଉନ୍ନତି ହୋଇଛି।
previous article:https://purvapaksa.com/rishabh-pant-has-become-the-most-expensive-player-in-ipl-history-after-he-was-sold-to-lucknow-super-giants-for-inr-27-crore/